ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ନ୍ୟାୟିକ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ବଜାୟ ରଖିବା ନ୍ୟାୟପାଳିକା ପାଇଁ ସବୁଠାରୁ ବଡ଼ ଆହ୍ୱାନ ସାଜିଛି ବୋଲି ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତ ସତର୍କ କରାଇ ଦେଇଛନ୍ତି । ରୁଷର ମସ୍କୋଠାରେ ଭାରତୀୟ ସୁପ୍ରିମକୋର୍ଟ ଏବଂ ରୁଷିଆନ୍ ଫେଡେରେସନର ସୁପ୍ରିମକୋର୍ଟ ମଧ୍ୟରେ ଆୟୋଜିତ ଏକ ଦ୍ୱିପାକ୍ଷିକ ଆଲୋଚନା ଚକ୍ରରେ ଯୋଗଦେଇ ସେ ଦେଇଛନ୍ତି କିଛି ଏଭଳି ଗୁରୁତ୍ୱପୂର୍ଣ୍ଣ ବୟାନ।

CJI କହିଛନ୍ତି ଯେ, ଉଭୟ ଦେଶର ଇତିହାସ ଏବଂ ପରମ୍ପରା ଭିନ୍ନ ହୋଇଥିଲେ ହେଁ, ବର୍ତ୍ତମାନ ସମୟରେ ଉଭୟଙ୍କ ସାମ୍ନାରେ ସମାନ ଆହ୍ୱାନ ରହିଛି । ତାହା ହେଉଛି ‘ଅତି ଦ୍ରୁତ ଗତିରେ ବଦଳୁଥିବା ଏହି ବିଶ୍ୱରେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରତି ଲୋକଙ୍କ ଭରସାକୁ କିଭଳି ଅକ୍ଷୁଣ୍ଣ ରଖାଯାଇପାରିବ।’
ପ୍ରଯୁକ୍ତିବିଦ୍ୟା କେବେ ବି ବିଚାରପତିଙ୍କ ସ୍ଥାନ ନେଇପାରିବ ନାହିଁ

କୋର୍ଟଗୁଡ଼ିକରେ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ମୁଖ୍ୟ ବିଚାରପତି କହିଛନ୍ତି ଯେ, ଆଧୁନିକ ଜ୍ଞାନକୌଶଳ କୋର୍ଟର ପହଞ୍ଚକୁ ସାରା ଦେଶରେ ବଢ଼ାଇ ପାରିବ । ମାତ୍ର ଏହା କେବେ ହେଲେ ବିଚାରପତିଙ୍କ ଜ୍ଞାନ, ସାଧୁତା, ସାମ୍ବିଧାନିକ ମୂଲ୍ୟବୋଧ ଏବଂ ନିଷ୍ପତ୍ତି ନେବାର କ୍ଷମତାର ବିକଳ୍ପ ହୋଇପାରିବ ନାହିଁ। ନ୍ୟାୟ ପ୍ରଦାନ କରିବା ଏକ ସମ୍ପୂର୍ଣ୍ଣ ମାନବୀୟ ପ୍ରୟାସ ଏବଂ ଏହା ସେଭଳି ରହିବା ଉଚିତ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭଳି ଆଧୁନିକ ବ୍ୟବସ୍ଥା କେବଳ ତଥ୍ୟ ସଂଗ୍ରହ କରିବାରେ, କୋର୍ଟର କାର୍ଯ୍ୟକୁ ସହଜ କରିବାରେ ଏବଂ ଆଞ୍ଚଳିକ ଭାଷାରେ ରାୟ ଅନୁବାଦ କରିବାରେ ସାହାଯ୍ୟ କରିପାରେ । କିନ୍ତୁ କୋର୍ଟର ମୂଳ ଉଦ୍ଦେଶ୍ୟ କେବଳ ମାନବୀୟ ମୂଲ୍ୟବୋଧ ଏବଂ ବିବେକ ଦ୍ୱାରା ହିଁ ପରିଚାଳିତ ହେବ।
ଭାରତୀୟ ନ୍ୟାୟପାଳିକାରେ ଡିଜିଟାଲ୍ ବିପ୍ଳବ

ଭାରତୀୟ ଅଦାଲତଗୁଡ଼ିକରେ ହୋଇଥିବା ବୈଷୟିକ ପ୍ରଗତି ସମ୍ପର୍କରେ ସୂଚନା ଦେଇ CJI ସୂର୍ଯ୍ୟକାନ୍ତ କହିଛନ୍ତି ଯେ, “ଆଜି ଭାରତରେ ଇଲେକ୍ଟ୍ରୋନିକ ଫାଇଲିଂ, ଡିଜିଟାଲ କେସ୍ ମ୍ୟାନେଜମେଣ୍ଟ, କୋର୍ଟ ରେକର୍ଡର ଡିଜିଟାଲାଇଜେସନ, ଭର୍ଚୁଆଲ ଶୁଣାଣି ଏବଂ ଭିଡିଓ କନଫରେନ୍ସିଂ ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଅଦାଲତଗୁଡ଼ିକ ଜନସାଧାରଣଙ୍କ ପାଇଁ ଅଧିକ ସହଜ, ସ୍ୱଚ୍ଛ, ଦକ୍ଷ ଏବଂ ସେମାନଙ୍କ ସମସ୍ୟା ପ୍ରତି ସଂବେଦନଶୀଳ ହୋଇପାରିଛି। ବର୍ତ୍ତମାନ ସୁପ୍ରିମକୋର୍ଟର ରାୟଗୁଡ଼ିକୁ ପ୍ରାୟ ୧୬ଟି ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଉଛି, ଯାହାଫଳରେ ସାଧାରଣ ଲୋକେ ନିଜ ଭାଷାରେ କୋର୍ଟଙ୍କ ନିଷ୍ପତ୍ତିକୁ ବୁଝିପାରୁଛନ୍ତି। ତେବେ ନ୍ୟାୟପାଳିକାର ସର୍ବୋଚ୍ଚ ଗୁଣବତ୍ତା କେବଳ ବିଚାରପତିମାନଙ୍କର ନିଷ୍ଠା ଓ ନ୍ୟାୟ ପ୍ରଦାନର ପ୍ରତିବଦ୍ଧତା ଉପରେ ହିଁ ନିର୍ଭର କରେ” ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


