ବିରୋଧୀଙ୍କ ସମାଲୋଚନା ଏବଂ ପରିବେଶ ସମ୍ବନ୍ଧୀୟ ଆଶଙ୍କାକୁ ପଛରେ ପକାଇ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ମହତ୍ତ୍ୱାକାଂକ୍ଷୀ ‘ଗ୍ରେଟ୍ ନିକୋବର ପ୍ରୋଜେକ୍ଟ’ ଦିଗରେ କେନ୍ଦ୍ର ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୨୦୨୮ ମସିହାରୁ ଏହାର ପ୍ରମୁଖ ‘ଗାଲାଥିଆ ବେ ପୋର୍ଟ’ (Galathea Bay Port) କାମ ଆରମ୍ଭ ହେବ।

ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକଳ୍ପକୁ ସ୍ଥାନୀୟ ଦ୍ୱୀପବାସୀ ସବୁଜ ସଙ୍କେତ ଦେଇଛନ୍ତି ଏବଂ ଏହାର ସଫଳତାକୁ ନେଇ ସେମାନେ ବେଶ୍ ଉତ୍ସାହିତ ଅଛନ୍ତି। କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ସୂଚନା ଦେଇଛନ୍ତି।
ପରିବେଶକୁ କୌଣସି କ୍ଷତି ହେବ ନାହିଁ
ଏହି ଅନ୍ତର୍ଜାତୀୟ ପ୍ରକଳ୍ପକୁ ନେଇ ଆରମ୍ଭରୁ ପରିବେଶବିତ୍ମାନେ ଚିନ୍ତା ବ୍ୟକ୍ତ କରିଆସୁଥିଲେ। ବିଶେଷକରି ସେଠାରେ ଥିବା ବିରଳ ଲେଦରବ୍ୟାକ୍ କଇଁଛଙ୍କ ପ୍ରଜନନ ସ୍ଥାନ ଏବଂ ପ୍ରବାଳ ଭିତ୍ତି (କୋରାଲ୍ ରିଫ୍) ନଷ୍ଟ ହେବାର ଆଶଙ୍କା ଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀ ସୋନୋୱାଲ ସ୍ପଷ୍ଟ କରିଛନ୍ତି ଯେ, “ପରିବେଶବିତ୍ମାନେ ଉଠାଇଥିବା ସମସ୍ତ ପ୍ରସଙ୍ଗର ତଥ୍ୟଭିତ୍ତିକ ସମାଧାନ କରାଯାଇଛି। ପ୍ରକଳ୍ପ ଯୋଗୁଁ ଯେପରି ପରିବେଶର କୌଣସି କ୍ଷତି ନହୁଏ, ତାହା ଆମେ ଶତପ୍ରତିଶତ ସୁନିଶ୍ଚିତ କରିବୁ।”
୩ଟି ପର୍ଯ୍ୟାୟରେ ହୋଇଛି ଟାଇମ୍-ଲାଇନ୍

ସମୁଦାୟ ୧୬୬.୧୦ ବର୍ଗ କିଲୋମିଟର ଅଞ୍ଚଳରେ ହେବାକୁ ଥିବା ଏହି ବିଶାଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ଶେଷ ହେବ:
ପ୍ରଥମ ପର୍ଯ୍ୟାୟ (୨୦୨୫ରୁ ୨୦୩୫) : ଏହା ସବୁଠାରୁ ବଡ଼ ପର୍ଯ୍ୟାୟ। ଏଥିରେ ୭୨.୧୨ ବର୍ଗ କି.ମି. ଅଞ୍ଚଳରେ କାମ ହେବ।
ଦ୍ୱିତୀୟ ପର୍ଯ୍ୟାୟ (୨୦୩୬ରୁ ୨୦୪୧) : ଏହି ୫ ବର୍ଷରେ ୪୫.୨୭ ବର୍ଗ କି.ମି. ଅଞ୍ଚଳର କାମ ଶେଷ ହେବ।
ତୃତୀୟ ପର୍ଯ୍ୟାୟ (୨୦୪୨ରୁ ୨୦୪୭) : ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୪୮.୭୧ ବର୍ଗ କି.ମି. ଅଞ୍ଚଳର କାମ ସମ୍ପନ୍ନ ହେବ।
ପ୍ରକଳ୍ପରେ ମୁଖ୍ୟତଃ ରହିବ କ’ଣ ସବୁ ?
ଏହି ମେଗା ପ୍ରୋଜେକ୍ଟରେ ୪ଟି ମୁଖ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି :-
୧. ଅନ୍ତର୍ଜାତୀୟ କଣ୍ଟେନର ଟ୍ରାନ୍ସସିପମେଣ୍ଟ ଟର୍ମିନାଲ (ICTT) : ୧୪.୨ ନିୟୁତ TEU କ୍ଷମତା ବିଶିଷ୍ଟ ଏହି ବନ୍ଦର ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ବାଣିଜ୍ୟର ରୂପରେଖ ବଦଳାଇଦେବ।
୨. ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର : ଏଠାରେ ବ୍ୟସ୍ତବହୁଳ ସମୟରେ ଘଣ୍ଟା ପ୍ରତି ୪,୦୦୦ ଯାତ୍ରୀ ଯାତାୟାତ କରିପାରିବେ।
୩. ନୂତନ ଟାଉନ୍ସିପ୍ : ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ପ୍ରାୟ ୧୬,୬୧୦ ହେକ୍ଟର ଅଞ୍ଚଳରେ ଏକ ଅତ୍ୟାଧୁନିକ ସହର ନିର୍ମାଣ ହେବ।
୪. ହାଇବ୍ରିଡ୍ ପାୱାର୍ ପ୍ଲାଣ୍ଟ : ପୁରା ପ୍ରକଳ୍ପକୁ ବିଦ୍ୟୁତ ଯୋଗାଇବା ପାଇଁ ପ୍ରାକୃତିକ ଗ୍ୟାସ୍ ଓ ସୌର ଶକ୍ତି ଚାଳିତ ୪୫୦ MVA କ୍ଷମତାର ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ହେବ।
ଦେଶର ସୁରକ୍ଷା ଓ ବାଣିଜ୍ୟ ପାଇଁ ଏହା ଗେମ୍-ଚେଞ୍ଜର

ଗ୍ରେଟ୍ ନିକୋବର ପ୍ରକଳ୍ପ ଆଣ୍ଡାମାନକୁ କେବଳ ଅର୍ଥନୈତିକ ନୁହେଁ, ବରଂ ଏକ ପ୍ରମୁଖ ସାମରିକ କେନ୍ଦ୍ର ଭାବରେ ଗଢ଼ିତୋଳିବ । ଏହା ପୂର୍ବ-ପଶ୍ଚିମ ସାମୁଦ୍ରିକ ଜାହାଜ ଚଳାଚଳ ପଥରୁ ମାତ୍ର ୪୦ ନଟିକାଲ୍ ମାଇଲ୍ ଦୂରରେ ଅବସ୍ଥିତ। ତେଣୁ ଏହା ପ୍ରସ୍ତୁତ ହେବା ପରେ, ଟ୍ରାନ୍ସସିପମେଣ୍ଟ ବନ୍ଦର ପାଇଁ ଭାରତକୁ ଆଉ ଶ୍ରୀଲଙ୍କା ବା ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଜାତୀୟ ସୁରକ୍ଷା ଏବଂ ସାମୁଦ୍ରିକ ଆଧିପତ୍ୟ ଦୃଷ୍ଟିରୁ ଏହା ଆଗାମୀ ଦଶନ୍ଧିଗୁଡ଼ିକ ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସାବ୍ୟସ୍ତ ହେବ।
Also read : https://purvapaksa.com/lives-of-crores-of-people-are-linked-behind-every-government-file-narendra-modi/


