ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏପରି ଅନେକ ବିପ୍ଳବୀ ସେନାନୀ ଅଛନ୍ତି, ଯେଉଁମାନଙ୍କ କଲମ, ନିର୍ଭୀକ ସ୍ୱର ଏବଂ ଦେଶପ୍ରେମ ବ୍ରିଟିଶ ହୁକୁମତର ସିଂହାସନକୁ ଦୋହଲାଇ ଦେଇଥିଲା। ସେହିଭଳି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରସିଦ୍ଧ ପାତ୍ରକାର ତଥା ଜାମିଆ ମିଲିଆ ଇସଲାମିଆର ପ୍ରତିଷ୍ଠାତା ସଦସ୍ୟ ଥିଲେ ମୌଲାନା ମହମ୍ମଦ ଅଲୀ ଜୌହର। ୧୯୩୦ ମସିହାରେ ଲଣ୍ଡନରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲ ବୈଠକରେ ତାଙ୍କର ସୁପ୍ରସିଦ୍ଧ ଐତିହାସିକ ନାରା,”ମୋତେ ସ୍ୱାଧୀନତା ଦିଅ ନଚେତ୍ ମୋ କବର ପାଇଁ ଦୁଇ ଗଜ ଜମି ଦିଅ, ମୁଁ ଏକ ପରାଧୀନ ଦେଶକୁ ଫେରିବାକୁ ଚାହେଁନାହିଁ” (Either give me freedom or give me two yards of land for my grave; I do not want to go back to a slave country) ଯାହା ବ୍ରିଟିଶ ଶାସକମାନଙ୍କୁ ସ୍ତବ୍ଧ କରିଦେଇଥିଲା।

ଦିଲ୍ଲୀ ଓ ପାତ୍ରକାରିତାର କେନ୍ଦ୍ରବିନ୍ଦୁ
ଉତ୍ତର ପ୍ରଦେଶର ରାମପୁରରେ ୧୦ ଡିସେମ୍ବର ୧୮୭୮ରେ ଜନ୍ମଗ୍ରହଣ କରିଥିବା ମୌଲାନା ଜୌହର ଉଚ୍ଚଶିକ୍ଷା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଯାଇଥିଲେ। ୧୯୧୧ ମସିହାରେ ବ୍ରିଟିଶ ସରକାର ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀ ସ୍ଥାନାନ୍ତର କରିବା ପରେ, ସେ ମଧ୍ୟ ଦିଲ୍ଲୀ ଆସିଥିଲେ। କଲିକତାରୁ ସେ ପ୍ରକାଶ କରୁଥିବା ତାଙ୍କର ନିର୍ଭୀକ ଇଂରାଜୀ ସାପ୍ତାହିକ ପତ୍ରିକା ‘ଦି କମ୍ରେଡ୍’ ର ପ୍ରଥମ ଦିଲ୍ଲୀ ସଂସ୍କରଣ ୧୯୧୨ ମସିହାରେ ବାହାରିଥିଲା।
![South Asian Canadian Digital Archive : Item : The Comrade: A Weekly Journal. Volume 7, Number 6 [2021_07_3284]](https://sacda.ca/media/collectiveaccess/images/4/8/60346_ca_object_representations_media_4884_mediumlarge.jpg)
ସାଧାରଣ ଜନତାଙ୍କ ମଧ୍ୟରେ ସ୍ୱାଧୀନତାର ସଚେତନତା ସୃଷ୍ଟି କରିବା ପାଇଁ ସେ ୧୯୧୩ ମସିହାରେ ଉର୍ଦ୍ଦୁ ଦୈନିକ ‘ହମ୍ଦର୍ଦ’ ଆରମ୍ଭ କରିଥିଲେ। ତାଙ୍କ କଲମରୁ ନିର୍ଗତ ତୀକ୍ଷ୍ଣ ଶବ୍ଦରାଜି ବ୍ରିଟିଶ ସରକାର ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା। ତତ୍କାଳୀନ ଭାଇସରାୟ ଲର୍ଡ ମିଣ୍ଟୋ କହିଥିଲେ ଯେ, “ସମଗ୍ର ଭାରତରେ ମୌଲାନା ମହମ୍ମଦ ଅଲୀ ଜୌହରଙ୍କ କଲମଠାରୁ ଅଧିକ ବିପଜ୍ଜନକ କିଛି ନାହିଁ।”
ଜାମିଆ ମିଲିଆ ଇସଲାମିଆ ଓ ଭାରତୀୟ ଜାତୀୟ କଂଗ୍ରେସ
ମୌଲାନା ଜୌହର କେବଳ ପାତ୍ରକାର ନଥିଲେ, ବରଂ ଜଣେ ମହାନ ଶିକ୍ଷାବିତ୍ ଏବଂ ରାଜନୈତିକ ନେତା ଥିଲେ। ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନକୁ ସମର୍ଥନ କରି ସେ ଅଲିଗଡ଼ଠାରେ ‘ଜାମିଆ ମିଲିଆ ଇସଲାମିଆ’ର ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଦିଲ୍ଲୀ ସ୍ଥାନାନ୍ତରିତ ହୋଇ ଦେଶର ଅଗ୍ରଣୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରୂପ ନେଇଥିଲା।

୧୯୧୯ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୧୯୨୩ ମସିହାରେ କାକିନାଡ଼ା କଂଗ୍ରେସ ଅଧିବେଶନରେ ଜାତୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ସହ ମିଶି ସେ ଦେଶସାରା ହିନ୍ଦୁ-ମୁସଲିମ୍ ଏକତା ଏବଂ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
ଲଣ୍ଡନ ଗୋଲଟେବୁଲ ବୈଠକ ଓ ଐତିହାସିକ ଅମର ବାଣୀ
୧୯୩୦ ମସିହାରେ ଗୁରୁତର ଅସୁସ୍ଥତା ସତ୍ତ୍ୱେ ସେ ଭାରତର ସ୍ୱାଧୀନତା ଦାବି ଉପସ୍ଥାପନ କରିବା ପାଇଁ ଲଣ୍ଡନଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ଯୋଗଦେବାକୁ ଯାଇଥିଲେ। ସେଠାରେ ବ୍ରିଟିଶ ପ୍ରତିନିଧିଙ୍କ ଆଗରେ ନିର୍ଭୀକ ଭାବେ କହିଥିଲେ ଯେ, ଯଦି ସେମାନେ ଭାରତକୁ ସ୍ୱାଧୀନତା ନଦିଅନ୍ତି, ତେବେ ସେ ପରାଧୀନ ଭାରତକୁ ଫେରିବେ ନାହିଁ।
ତାଙ୍କର ଏହି ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଥିଲା। ବୈଠକର ମାତ୍ର କିଛି ଦିନ ପରେ, ୪ ଜାନୁଆରୀ ୧୯୩୧ ମସିହାରେ ଲଣ୍ଡନଠାରେ ହିଁ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ନିଜସ୍ୱ ଇଚ୍ଛା ଓ ସମ୍ମାନାର୍ଥେ ତାଙ୍କର ମର୍ତ୍ତ୍ୟଶରୀରକୁ ଜେରୁଜାଲେମ୍ସ୍ଥିତ ପ୍ରସିଦ୍ଧ ‘ମସଜିଦ୍-ଏ-ଅକ୍ସା’ ପରିସରରେ ସମାଧିସ୍ଥ କରାଯାଇଥିଲା।
ଆଜି ବି ଅମର ତାଙ୍କର ସ୍ମୃତି
ଦିଲ୍ଲୀର ସୁପ୍ରସିଦ୍ଧ ‘ମୌଲାନା ମହମ୍ମଦ ଅଲୀ ଜୌହର ମାର୍ଗ’ ଏବଂ ରାମପୁରସ୍ଥିତ ଜୌହର ବିଶ୍ୱବିଦ୍ୟାଳୟ ତାଙ୍କର ଦେଶପ୍ରେମ, ଆତ୍ମବଳ ଓ ତ୍ୟାଗର ମୂକସାକ୍ଷୀ ଭାବେ ଠିଆ ହୋଇଛି। ପ୍ରାୟ ୯୫ ବର୍ଷ ପୂର୍ବେ ଲଣ୍ଡନ ମାଟିରେ ତାଙ୍କର ସେହି ଦୁର୍ବାର ନାରା ଆଜି ବି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଶ୍ରେଷ୍ଠ ଓ ଗୌରବମୟ ଅଧ୍ୟାୟ ଭାବେ ଅମର ହୋଇ ରହିଛି।


