ନେପାଳରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ଆନ୍ଦୋଳନକାରୀଙ୍କ ସାମ୍ନାରେ ସରକାର ନଇଁ ଗଲେଣି। ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି । ଉପ-ପ୍ରଧାନମନ୍ତ୍ରୀଙ୍କ ଅନେକ ମନ୍ତ୍ରୀ ପଦ ଛାଡ଼ି ସାରିଲେଣି। ସାମାଜିକ ଗଣମାଧ୍ୟମରୁ କଟକଣା ହଟିଲାଣି। ଏହା ସତ୍ତ୍ୱେ ଜେନ୍-ଜେଡ୍ ତଥା ଯୁବ ଗୋଷ୍ଠୀଙ୍କ କ୍ରୋଧ ଶାନ୍ତ ପଡୁନାହିଁ। ନେପାଳ ଭଳି ବିଶ୍ୱର କିଛି ଅନ୍ୟ ଦେଶରେ ମଧ୍ୟ ଏଭଳି ସ୍ଥିତି ଜାରି ରହିଛି।
ଏହା ମଧ୍ୟରେ ଫ୍ରାନ୍ସ, ଜାପାନ, ଥାଇଲାଣ୍ଡ, ଇଣ୍ଡୋନେସିଆ ସମେତ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ମହାଦେଶର ଅନେକ ରାଷ୍ଟ୍ର ସାମିଲ ଅଛନ୍ତି। ପ୍ରମୁଖ ୧୧ଟି ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ତେବେ ଏହି ସବୁ ଦେଶର ସମସ୍ୟା ସମାନ ହୋଇଥିଲେ ମଧ୍ୟ କାରଣ ଭିନ୍ନ ଭିନ୍ନ ରହିଛି। ଦୁର୍ନୀତି ଏବଂ ସାମାଜିକ ଗଣମାଧ୍ୟମ ଉପରେ କଟକଣା ଲାଗି ନେପାଳ ଜଳୁଥିବାବେଳେ ନିର୍ବାଚନରେ ବହୁମତ ଲାଗି ରାଜନୈତିକ ଅସ୍ଥିରତା ସହିତ ବଜେଟ୍ ହ୍ରାସକୁ ନେଇ ଫ୍ରାନ୍ସରେ ଆରମ୍ଭ ହୋଇଛି ବିକ୍ଷୋଭ ପ୍ରଦର୍ଶନ। ଏଠାରେ ଗତ ତିନିବର୍ଷରେ ୪ ଥର ପ୍ରଧାନମନ୍ତ୍ରୀ ବଦଳିଲେଣି। ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟ ଲୋକପ୍ରିୟତା କମ୍ ହେବାରେ ଲାଗିଛି। ଜାପାନରେ ମଧ୍ୟ ଏଭଳି ସ୍ଥିତି ଲାଗି ରହିଛି। କ୍ଷମତାସୀନ ଦଳ ବହୁମତ ସାବ୍ୟସ୍ତ ନ କରିପାରିବାରୁ ପ୍ରଧାନମନ୍ତ୍ରୀ ସିଗେରୁ ଇସିବା ପଦ ଛାଡିଛନ୍ତି। ସେହିପରି କୋର୍ଟଙ୍କ ନିଷ୍ପତ୍ତି ଯୋଗୁଁ ଥାଇଲାଣ୍ଡରେ ସିନାବାତ୍ରା ପରିବାରର ସମସ୍ୟା ବଢ଼ି ଚାଲିଛି। ଏହା ବ୍ୟତୀତ ଆର୍ଥିକ ସୁଧାର ପାଇଁ ସରକାର ବଢ଼ାଇଥବା ଟିକସକୁ ଇଣ୍ଡୋନେସିଆର ସାଧାରଣ ନାଗରିକ ହଜମ କରିପାରୁନାହାନ୍ତି। ଏହାକୁ ନେଇ ଲୋକେ ବଡ଼ଧରଣର ବିକ୍ଷୋଭ କରୁଛନ୍ତି। ମାଲି, ମଙ୍ଗୋଲିଆ, ଆର୍ମେନିଆ, କଙ୍ଗାରୁରୁ ସୁଦାନ ଏବଂ ଲେବାନନ ପର୍ଯ୍ୟନ୍ତ ମଧ୍ୟ ସମାନ ସ୍ଥିତି ରହିଛି।
ଜାପାନରେ ଚଳିତ ଥର ନିର୍ବାଚନ ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି)ର ରାଜନୈତିକ ସ୍ଥିତି ଏଭଳି ଭୁଶୁଡ଼ି ଯାଇଛି ଯେ ଦଳ ସେଥୁରୁ ବାହାରି ପାରୁନାହିଁ। କାରଣ ଜାପାନ ରାଜନୀତିରେ ୭୦ ବର୍ଷ ହେଲା ଏହି ଦଳର କର୍ତ୍ତୃତ୍ୱ ରହିଛି। ତେଣୁ ପରାଜୟକୁ ଜାପାନ ରାଜନୀତିରେ ଏକ ବଡ଼ ମୋଡ ଭାବେ ଦେଖାଯାଉଛି। ଆର୍ଥିକ ଆହ୍ୱାନ, ସରକାରଙ୍କ ବିଫଳତା, ମନ୍ଥର ବିକାଶ ହାର ଆଦି ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇ ଦେଇଛି। ସେହିପରି ଥାଇଲାଣ୍ଡରେ ନ୍ୟାୟପାଳିକା ଏବଂ ରାଜନୈତିକ ବଂଶବାଦ ମଧ୍ୟରେ ମୁକାବିଲା ଯୋଗୁଁ ଅସ୍ଥିରତା ସୃଷ୍ଟି ହୋଇଛି। ଏଠାରେ ସୁପ୍ରିମକୋର୍ଟ ଦୁର୍ନୀତି ଏବଂ କ୍ଷମତାର ଅପବ୍ୟବହାର ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ତାଙ୍କ ଝିଅ ସିନାବାତ୍ରାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହାଦ୍ୱାରା ଲୋକେ ଉତ୍କ୍ଷିପ୍ତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଦେଶର ରାଜନୀତିରେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ସିନାବାତ୍ରାଙ୍କ ପରିବାରର କର୍ତ୍ତୃତ୍ବ ରହିଥିଲା। ଚାର୍ଣ୍ଣବିରାକୁଲ କ୍ଷମତାସୀନ ହେବା ପରେ ବି ବିକ୍ଷୋଭ ଜାରି ରହିଛି। ସାଂସଦ ଭାଗ ଭାଗ ହୋଇ ଯାଇଛନ୍ତି। ବିରୋଧୀ ସୁଯୋଗର ଲାଭ ନେବା ପାଇଁ ଅପେକ୍ଷା କରି ରହିଛନ୍ତି।
ଦକ୍ଷିଣ ପୂର୍ବ ଏସିଆର ବୃହତ୍ତ ଅର୍ଥବ୍ୟବସ୍ଥା ଇଣ୍ଡୋନେସିଆରେ ରାଷ୍ଟ୍ରପତି ପ୍ରବୋଭୋ କଡ଼ା ଆହ୍ବାନ ଦେଇ ଗତି କରୁଛନ୍ତି। ସରକାର ଭ୍ୟାଟ ବଢ଼ାଇ ୧୧ରୁ ୧୨ ପ୍ରତିଶତ କରିବାରୁ ଦରଦାମ ବୃଦ୍ଧି ପାଇଲା। ଏଥିଯୋଗୁଁ ଲୋକେ କ୍ରୋଧିତ ହୋଇ ବିକ୍ଷୋଭ କରୁଛନ୍ତି। ରାଜନେତାଙ୍କ ଦରମା ବୃଦ୍ଧିଙ୍କୁ ବିରୋଧ କରୁଛନ୍ତି। ଗତ ସପ୍ତାହରେ ଲୋକମାନେ ସଂସଦ ଘେରାଉ କରିଥିଲେ। ଏହାକୁ କିଛି ମାତ୍ରାରେ ଦମନ କରିବାକୁ ସରକାର ସଫଳ ହୋଇଥିଲେ ବି ଅସନ୍ତୋଷ କୁହୁଳିବାରେ ଲାଗିଛି ।
ALSO READ https://purvapaksa.com/bhubaneswar-wi-fi-project/
