ଅନେକ ସମୟରେ ଲୋକମାନେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ହଠାତ୍ ରାତିରେ ଭୟଭୀତ ହୋଇ ଚମକି ପଡ଼ନ୍ତି। ଶରୀର ଗରମ ହୋଇଯାଏ, ପ୍ରବଳ ଝାଳ ବାହାରେ ଏବଂ ଏମିତି ଲାଗେ ଯେମିତି ଶ୍ୱାସରୁଦ୍ଧ ହୋଇଯାଉଛି। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଏହାକୁ କେବଳ ଏକ ସାଧାରଣ ଖରାପ ସ୍ୱପ୍ନ ଭାବି ଅବହେଳା କରନ୍ତୁ ନାହିଁ। ଚିକିତ୍ସା ବିଜ୍ଞାନ ଅନୁସାରେ, ଏହା ହେଉଛି ରାତିରେ ଆସୁଥିବା ‘ନୋକ୍ଟର୍ନାଲ୍ ପାନିକ୍ ଆଟାକ୍’ ବା ଭୟ ଓ ଆଶଙ୍କାର ଦୌରା। ଡାକ୍ତର ଓ ମନୋବିଜ୍ଞାନୀମାନେ ଏହାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି।
![]()
କ’ଣ ଏହି ରାତିର ପାନିକ୍ ଆଟାକ୍ ?
ସାଧାରଣତଃ ଦିନବେଳେ କୌଣସି ଚିନ୍ତା ବା ଟେନସନ ଯୋଗୁଁ ଲୋକଙ୍କୁ ପାନିକ୍ ଆଟାକ୍ ଆସିଥାଏ। ମାତ୍ର ରାତିର ପାନିକ୍ ଆଟାକ୍ କୌଣସି ସ୍ପଷ୍ଟ କାରଣ ବିନା ଆସେ ଏବଂ ବ୍ୟକ୍ତିକୁ ନିଦରୁ ଜଗାଇ ଦିଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା- ହଠାତ୍ ହୃଦସ୍ପନ୍ଦନ ଅତ୍ୟଧିକ ବଢ଼ିଯିବା, ଶରୀର କମ୍ପିବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା ଏବଂ ମନରେ ଏକ ଅଜଣା ଭୟ ବା ମୃତ୍ୟୁର ଆଶଙ୍କା ସୃଷ୍ଟି ହେବା। ଅନେକ ସମୟରେ ଲୋକମାନେ ଏହାକୁ ‘ହାର୍ଟ ଆଟାକ୍’ ଭାବି ଅଧିକ ଭୟଭୀତ ହୋଇଯାଆନ୍ତି। ସାଧାରଣତଃ ଏହି ଆଟାକ୍ ମାତ୍ର କିଛି ମିନିଟ୍ ରହିଥାଏ, କିନ୍ତୁ ଏହାପରେ ବ୍ୟକ୍ତି ସ୍ୱାଭାବିକ ହେବା ଏବଂ ପୁଣି ଶୋଇବା ପାଇଁ ବହୁତ ସମୟ ଲାଗିଥାଏ।
କେଉଁ କାରଣ ପାଇଁ ହୁଏ ଏଭଳି ସମସ୍ୟା ?
ମାନସିକ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ପଛରେ ଅନେକ କାରଣ ଥାଇପାରେ :

- ଜେନେଟିକ୍ସ ଏବଂ ମାନସିକ ଚାପ : ପରିବାରରେ କାହାର ଆନଜାଇଟି (ଚିନ୍ତା ରୋଗ) ଥିଲେ କିମ୍ବା ଦୈନନ୍ଦିନ ଜୀବନରେ ଅତ୍ୟଧିକ ମାନସିକ ଚାପ ବା କାର୍ଯ୍ୟବ୍ୟସ୍ତତା ରହିଲେ ଏହା ଟ୍ରିଗର ହୋଇଥାଏ।
- ଶାରୀରିକ ସମସ୍ୟା : ଥାଇରଏଡ୍ ସମସ୍ୟା, ଆଜ୍ମା କିମ୍ବା ଶୋଇବା ସମୟରେ ନିଶ୍ୱାସ ବନ୍ଦ ହେବା ଭଳି ସମସ୍ୟା ଯୋଗୁଁ ମଧ୍ୟ ଶରୀରରେ ହଠାତ୍ ଆଲର୍ଟ ସିଷ୍ଟମ ସକ୍ରିୟ ହୋଇଯାଏ।
- ଅତ୍ୟଧିକ କ୍ୟାଫେନ୍ ବ୍ୟବହାର : ରାତିରେ ଅଧିକ ଚା’ କିମ୍ବା କଫି ପିଇବା ଦ୍ୱାରା ହୃଦସ୍ପନ୍ଦନ ବୃଦ୍ଧି ପାଏ, ଯାହା ପାନିକ୍ ଆଟାକ୍ର କାରଣ ସାଜିଥାଏ।
ରକ୍ଷା ପାଇବାର ଉପାୟ ଓ ଚିକିତ୍ସା

ଡାକ୍ତରମାନେ କହିଛନ୍ତି ଯେ, ଏହି ସମସ୍ୟା ଅତ୍ୟନ୍ତ କଷ୍ଟଦାୟକ ହୋଇଥିଲେ ମଧ୍ୟ ଏହା ଜୀବନ ପ୍ରତି ବିପଜ୍ଜନକ ନୁହେଁ। ଏହାର ସଫଳ ଚିକିତ୍ସା ସମ୍ଭବ।
୧. ବ୍ରିଦିଂ ଟେକନିକ୍ (ଶ୍ୱାସକ୍ରିୟା ନିୟନ୍ତ୍ରଣ) : ଯଦି ରାତିରେ ହଠାତ୍ ଭୟ ଲାଗେ, ତେବେ ଶେଯରୁ ନଉଠି ସେଠାରେ ବସି ଗଭୀର ଏବଂ ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ। ଏହା ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରେ।
୨. ନିଜକୁ ବୁଝାନ୍ତୁ : ମନେ ମନେ ଚିନ୍ତା କରନ୍ତୁ ଯେ “ଏହା କେବଳ ଏକ ପାନିକ୍ ଆଟାକ୍, କିଛି ସମୟ ପରେ ଏହା ଠିକ୍ ହୋଇଯିବ ଏବଂ ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।”
୩. ଡାକ୍ତରୀ ସହାୟତା : ଯଦି ଏହି ସମସ୍ୟା ବାରମ୍ବାର ଘଟୁଛି, ତେବେ ବିଳମ୍ବ ନକରି ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏଥିପାଇଁ ‘କୋଗନିଟିଭ୍ ବିହେଭିଓରାଲ୍ ଥେରାପି’ (CBT) ଏବଂ କିଛି ସାଧାରଣୢୢୢୢ ଔଷଧ ସାହାଯ୍ୟରେ ଏହାକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରାଯାଇପାରିବ।


