ଆଜି ଆମେ ଆଲୋଚନା କରିବା ରାଜନୀତିରେ ନୀତି ଓ ନୈତିକତା ସମ୍ପର୍କରେ। ଖାସ୍ କରି ଭାରତୀୟ ଜନତା ପାର୍ଟି ବା ବିଜେପିର ସେହି କଥିତ ନୀତି ଓ ନୈତିକତା ସମ୍ପର୍କରେ, ଯାହାର ଡିଣ୍ଡିମ ଦଳ ସବୁବେଳେ ସାରା ଦେଶରେ ପିଟିଥାଏ। ଭାରତୀୟ ରାଜନୀତିର ଇତିହାସକୁ ଯଦି ଆମେ ଓଲଟାଇ ଦେଖିବା, ତେବେ ବିଜେପି ସର୍ବଦା ନିଜକୁ ଏକ ‘ଭିନ୍ନ ଦଳ’ ବା ‘Party with a Difference’ ବୋଲି ଦାବି କରିଆସିଛି। ଚରିତ୍ର ଗଠନ, ସ୍ୱଚ୍ଛତା ଏବଂ ନୈତିକ ମୂଲ୍ୟବୋଧର ପାଠ ପଢ଼ାଇବାରେ ବିଜେପି ସବୁବେଳେ ଆଗରେ ରହିଥାଏ।
ଏଥିପାଇଁ ତ, ଇତିହାସର ସେହି ବଡ଼ ଘଟଣାକୁ ଆମକୁ ମନେ ପକାଇବାକୁ ହେବ। ମସିହା ଥିଲା ୧୯୯୬। ଯେତେବେଳେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡ଼ଭାନୀଙ୍କ ନାଁରେ ‘ଜୈନ ହାୱାଲା କାଣ୍ଡ’ର ପ୍ରସଙ୍ଗ ଉଠିଲା, ସେତେବେଳେ ସେ କଣ କରିଥିଲେ? ସେ କୌଣସି ବେତଣ୍ଡା ଯୁକ୍ତି କରିନଥିଲେ କିମ୍ବା ନିଜ ପଦବୀକୁ ଜାବୁଡ଼ି ଧରି ବସିନଥିଲେ। ସେ ନୈତିକତା ଦୃଷ୍ଟିରୁ ତୁରନ୍ତ ସାଂସଦ ପଦରୁ ଇସ୍ତଫା ଦେଇଦେଲେ। କେବଳ ସେତିକି ନୁହେଁ, ସେ ସେଦିନ ଏକ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ, ଯେ ପର୍ଯ୍ୟନ୍ତ ଅଦାଲତରୁ ସେ ସମ୍ପୂର୍ଣ୍ଣ ଭାବେ ଦୋଷମୁକ୍ତ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନ ଲଢ଼ିବେ ନାହିଁ।
ପରବର୍ତ୍ତୀ ସମୟରେ ଯେତେବେଳେ ସେ କୋର୍ଟରୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ ହେଲେ, ତା’ପରେ ଯାଇ ୧୯୯୮ ମସିହାରେ ସେ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଏବଂ ସଂସଦକୁ ଫେରିଲେ। ଏହା ଥିଲା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡ଼ଭାନୀଙ୍କ ନୀତି, ଆଦର୍ଶ ଓ ନୈତିକତା।
ଏବେ ଆମ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି। ଆମ ରାଜ୍ୟର ବିଜେପି ନେତାମାନେ ଦଳର ନୀତିକୁ କେତେ ମାନି ନୈତିକତାକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଆଲୋଚନା କରିବା।
ଓଡ଼ିଶାରେ ବିଜେପିର ବାସ୍ତବତା ଓ ଗୋଷ୍ଠୀକନ୍ଦଳ
ପ୍ରଶ୍ନ ଉଠୁଛି, ଆଡ଼ଭାନୀଙ୍କ ସେହି ନୈତିକତା ଆଜିର ଓଡ଼ିଶା ବିଜେପିର ନେତାମାନଙ୍କ ପାଖରେ ଅଛି କି? ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରି ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣ ବହୁ ଆଶା ଓ ବିଶ୍ୱାସ ନେଇ ଏହି ଦଳକୁ କ୍ଷମତା ଦେଇଛନ୍ତି। କିନ୍ତୁ ଆଜି ଆମ ରାଜ୍ୟର ବିଜେପି ନେତାମାନେ, ମନ୍ତ୍ରୀମାନେ ଦଳର ସେହି ପୁରୁଣା ନୀତିକୁ କେତେ ମାନୁଛନ୍ତି ଏବଂ ନୈତିକତାକୁ କେତେ ଗୁରୁତ୍ୱ ଦେଉଛନ୍ତି, ସମୀକ୍ଷା କରିବାର ସମୟ ଆସିଛି।
ଆମ ରାଜ୍ୟରେ ବିଜେପି ସରକାର ତ ଗଠନ ହୋଇଯାଇଛି, କିନ୍ତୁ ଶାସନ ଗାଦିରେ ବସୁ ବସୁ ନେତାମାନଙ୍କ ଭିତରେ ଥିବା ଗୋଷ୍ଠୀକନ୍ଦଳ ଏବେ ସୀମା ପାର କରିଛି। ଓଡ଼ିଶା ବିଜେପି ଭିତରେ ବହୁ ପରିମାଣରେ ଅନ୍ତର୍ଦ୍ଵନ୍ଦ୍ଵ ଓ ଗୋଷ୍ଠୀବାଦ ଦେଖିବାକୁ ମିଳୁଛି। ମନ୍ତ୍ରୀ ଓ ନେତାମାନେ ରାଜ୍ୟର ବିକାଶ କରିବା ପରିବର୍ତ୍ତେ, ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେବଳ ପରସ୍ପରର ଗୋଡ଼ ଟଣାଟଣି ଏବଂ ଗୋଛି କଟାକଟିରେ ବ୍ୟସ୍ତ ରହିଛନ୍ତି। ସରକାର ଭିତରେ ଭିତରେ ଏକ ଶୀତଳ ଯୁଦ୍ଧ ଚାଲିଛି।
ଗଣଶିକ୍ଷା ବିଭାଗର ଷଡ଼ଯନ୍ତ୍ର ଓ ୬୬ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ
ଏହାର ସବୁଠାରୁ ବଡ଼ ଏବଂ ପ୍ରତ୍ୟକ୍ଷ ପ୍ରମାଣ ଦେଖିବାକୁ ମିଳିଛି ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ, ‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’ରେ। ଆପଣମାନେ ଦେଖୁନାହାନ୍ତି, ସ୍ୱୟଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବା ପାଇଁ ଗଣଶିକ୍ଷା ବିଭାଗ ଭିତରେ ଏକ ବଡ଼ ଷଡ଼ଯନ୍ତ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। ଏହା କୌଣସି ସାଧାରଣ କଥା ନୁହେଁ। ଯେଉଁ ସରକାରରେ ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ମଣୁନାହାନ୍ତି ଏବଂ ନିଜ ସରକାର ଭିତରେ ନିଜ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ବୋଲି କହୁଛନ୍ତି, ସେଠାରେ ଶାସନ ବ୍ୟବସ୍ଥା କେମିତି ଚାଲିଥିବ, ତାହା ସହଜରେ ଅନୁମାନ କରାଯାଇପାରିବ।
ଏହି ଗୋଷ୍ଠୀକନ୍ଦଳର ପରିଣାମ କଣ? ନିଜ ଭିତରର ଲଢ଼େଇ ଯୋଗୁଁ ରାଜ୍ୟର ପ୍ରାୟ ୬୬ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ସେମାନଙ୍କୁ ଗଣ୍ଡମୁର୍ଖ କରିବା ପାଇଁ ଏହି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉଦ୍ୟମ କରିଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ସାଂଘାତିକ ଭୁଲ୍ ଏବଂ ବେପରୁଆ ମନୋଭାବ ଦେଖିବାକୁ ମିଳିଛି, ଯାହା ପୂର୍ବରୁ କେବେ ହୋଇନଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଦେଖନ୍ତୁ, ଏଭଳି ଏକ ସଂବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କିମ୍ବା ତାଙ୍କ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ନିଜର ଭୁଲ୍ ସ୍ୱୀକାର କରିବା ପରିବର୍ତ୍ତେ ଓଲଟା ବେତଣ୍ଡା ଯୁକ୍ତି କରୁଛନ୍ତି। ଗଣମାଧ୍ୟମ ଆଗରେ ଦାୟିତ୍ୱହୀନ ଭାବେ ନିଜକୁ ସଫେଇ ଦେବାରେ ବ୍ୟସ୍ତ ରହିଛନ୍ତି।
ଏଠାରେ ଆମେ ପ୍ରଶ୍ନ କରିବାକୁ ଚାହୁଁଛୁ, କାହିଁକି ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜ ପଦବୀରୁ ଇସ୍ତଫା ଦେଲେ ନାହିଁ? ଆଡ଼ଭାନୀଙ୍କ ନୈତିକତାର ବଡ଼ ବଡ଼ ଭାଷଣ ଦେଉଥିବା ନେତାମାନେ ଆଜି କେଉଁ ଆଢୁଆଳରେ ଲୁଚିଛନ୍ତି? କାହିଁକି ବିଭାଗୀୟ ଅଧିକାରୀଙ୍କ ବିରୋଧରେ କୌଣସି ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ? କେବଳ ଲୋକ ଦେଖାଣିଆ ଭାବେ ମାତ୍ର ୩ ଜଣ ଛୋଟ ଅଧିକାରୀଙ୍କୁ ନିଲମ୍ବନ ବା ସସପେଣ୍ଡ କରି ମନ୍ତ୍ରୀ ମହୋଦୟ ନିଜ ଉପରୁ ଦୋଷ ଝାଡ଼ି ଦେଇ ଆରାମରେ ବସିଯାଇଛନ୍ତି।
ବିଜେପି ଭିତରର ସୂତ୍ରରୁ ଯାହା ଜଣାପଡ଼ୁଛି, ଏହାର ଏକମାତ୍ର କାରଣ ହେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ବା ଗୋଷ୍ଠୀର ନୁହଁନ୍ତି। ସେ ଅନ୍ୟ ଏକ ଶକ୍ତିଶାଳୀ ଗୋଷ୍ଠୀର ସମର୍ଥନରେ ଅଛନ୍ତି, ତେଣୁ ସେ ମୁଖ୍ୟମନ୍ତ୍ରୀ କିମ୍ବା ଦଳର ସମ୍ମାନ ରକ୍ଷା କରିବା ପାଇଁ ନିଜ ପଦବୀରୁ ଇସ୍ତଫା ଦେବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି। କ୍ଷମତାର ଅହଂକାର ଆଜି ନୈତିକତା ଉପରେ ଭାରୀ ପଡ଼ିଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପଖାଳ ଉତ୍ସବର ମହା ଖର୍ଚ୍ଚ
ଆଜ୍ଞା, କେବଳ ସେତିକିରେ ଏହି କାହାଣୀ ସରିନାହିଁ। ଏବେ ଆସନ୍ତୁ ଦେଖିବା ରାଜ୍ୟର ସମ୍ମାନନୀୟା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାର୍ଯ୍ୟକଳାପକୁ। ଓଡ଼ିଶାର ଜନସାଧାରଣ ଗରିବ ହୋଇପାରନ୍ତି, କିନ୍ତୁ ଆମ ସରକାରଙ୍କ ମନ୍ତ୍ରୀମାନଙ୍କର ଶୈଳୀ କୌଣସି ରାଜାମହାରାଜାଙ୍କ ଠାରୁ କମ୍ ନୁହେଁ। ରାଜ୍ୟର ବିକାଶ ପାଇଁ, ଗରିବ ଲୋକଙ୍କ କଲ୍ୟାଣ ପାଇଁ ଥିବା ସରକାରୀ ପାଣ୍ଡିକୁ ଏବେ ବିଳାସବ୍ୟସନ ଏବଂ ଆତ୍ମପ୍ରଚାରରେ ଉଡ଼ାଇବାରେ ଲାଗିଛନ୍ତି ମନ୍ତ୍ରୀ।
ଗୋଟିଏ ଓଳିର ‘ପଖାଳ ଉତ୍ସବ’ କରି ରାଜ୍ୟ ରାଜକୋଷରୁ ପ୍ରାୟ ଅଢ଼େଇ କୋଟି (୨.୫ କୋଟି) ଟଙ୍କା ଓଳିକରେ ସ୍ୱାହା କରି ଦେଇଛନ୍ତି! ଓଡ଼ିଶାର ଯେଉଁ ଗରିବ ଜନସାଧାରଣ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ସେହି ଜନତାଙ୍କ ଟିକସ ଟଙ୍କାରେ ଅଢ଼େଇ କୋଟି ଟଙ୍କାର ପଖାଳ ଖିଆ ଚାଲିଛି। ଏହି ଖର୍ଚ୍ଚକୁ ନେଇ ଯେତେବେଳେ ସାରା ରାଜ୍ୟରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଲା, ଲୋକମାନେ ପ୍ରଶ୍ନ ଉଠାଇଲେ, ସେତେବେଳେ ଉପମୁଖ୍ୟମନ୍ତ୍ରୀ ଏକ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ହାସ୍ୟାସ୍ପଦ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ପଖାଳକୁ ‘ବିଶ୍ୱସ୍ତରୀୟ’ (International Level) କରିବା ପାଇଁ ଏହି ବିଶ୍ୱସ୍ତରୀୟ ଖର୍ଚ୍ଚ କରାଯାଇଛି!
ଉପମୁଖ୍ୟମନ୍ତ୍ରୀଙ୍କ ଯୁକ୍ତି
ଆଶ୍ଚର୍ଯ୍ୟର କଥା, ପଖାଳକୁ ବିଶ୍ୱସ୍ତରୀୟ କରିବା ପାଇଁ କଣ ଅଢ଼େଇ କୋଟି ଟଙ୍କା ଉଡ଼ାଇଦେବା ଜରୁରୀ ଥିଲା? ବାସ୍ତବରେ, ଏହି ‘ବିଶ୍ୱସ୍ତରୀୟ’ କରିବାର ରୋଗଟି ପୂର୍ବତନ ବିଜେଡି (BJD) ସରକାର ଅମଳରୁ ଆରମ୍ଭ ହୋଇଥିଲା। ସେତେବେଳେ ବିଜେପି ନେତାମାନେ ବିରୋଧୀ ଆସନରେ ବସି ଏହାକୁ ତୀବ୍ର ସମାଲୋଚନା କରୁଥିଲେ। କିନ୍ତୁ ଆଜି ସେହି ବିଜେପି ସରକାରକୁ ଆସିବା ପରେ ମଧ୍ୟ ସେହି ରୋଗ ତାଙ୍କୁ ଛାଡ଼ି ନାହିଁ। ବରଂ ସେମାନେ ବିଜେଡିଠାରୁ ଆହୁରି ଦୁଇ ପାଦ ଆଗକୁ ବଢ଼ିଯାଇଛନ୍ତି। ବର୍ତ୍ତମାନ ବିଜେପି ସରକାର ରାଜ୍ୟରେ ଚାକିରି କରିଥିବା କିଛି ହାତଗଣତି ଅଣଓଡ଼ିଆ ଅଫିସରଙ୍କ ହାତରେ ସଖୀ କଣ୍ଢଇ ସାଜି ହୁକୁମ ପାଳନ କରୁଛନ୍ତି। ଯାହାଫଳରେ ସରକାର ପ୍ରତିଦିନ ବଦନାମ ହେବାରେ ଲାଗିଛି, କିନ୍ତୁ ଆମ ମନ୍ତ୍ରୀମାନେ ଜନତାଙ୍କ ପଇସାରେ ଅଏସ କରିବାରେ ବ୍ୟସ୍ତ ରହିଛନ୍ତି।
ଆଇନ ମନ୍ତ୍ରୀଙ୍କ ବିଷାକ୍ତ ମଦ ମୃତ୍ୟୁ ରଥଯାତ୍ର ବିଶୃଙ୍ଖଳା ପ୍ରସଙ୍ଗ
ଏତିକିରେ ବିଜେପି ସରକାରଙ୍କ କୀର୍ତ୍ତି ସରିନାହିଁ। କେବଳ ଏହି ଦୁଇଟି ଘଟଣା ନୁହେଁ, ଅତୀତରେ ଆମ ରାଜ୍ୟର ଅବକାରୀ ଏବଂ ଆଇନ ମନ୍ତ୍ରୀଙ୍କ ଚରମ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ରାଜ୍ୟର ଅନେକ ନିରୀହ ଲୋକ ବିଷାକ୍ତ ମଦପାନ କରି ପ୍ରାଣ ହରାଇଛନ୍ତି। ରଥଯାତ୍ରା ସମୟରେ ପ୍ରଶାସନିକ ତ୍ରୁଟି ଓ ଦଳଚକାଟାରେ ଅନେକ ଭକ୍ତ ନିଜର ଜୀବନ ହରାଇଛନ୍ତି। ମାତ୍ର ଏତେ ସବୁ ଘଟଣା ପରେ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କର ଏଥିପାଇଁ କୌଣସି ଖାତିର ନାହିଁ। କାହିଁକି ଜାଣନ୍ତି? କାରଣ ସେ ହେଉଛନ୍ତି ମହାମହିମ ଗଭର୍ଣ୍ଣର ବା ରାଜ୍ୟପାଳଙ୍କ ପୁଅ! ତାଙ୍କୁ ଓଡ଼ିଶାରେ ପ୍ରଶ୍ନ କରିବାର ସାହସ କାହାର ଅଛି? ତାଙ୍କୁ ନୈତିକତାର ପାଠ କିଏ ପଢ଼ାଇବ? ତେଣୁ ସେ ପ୍ରତିଟି ଦୁର୍ଘଟଣା ଏବଂ ମୃତ୍ୟୁ ପରେ ଅତି ଦାୟିତ୍ୱହୀନ ଭାବରେ କେବଳ ଗୋଟିଏ ଶବ୍ଦକୁ ବାରମ୍ବାର କହିଚାଲିଛନ୍ତି— “ଘଟଣାର ତଦନ୍ତ କରାଯାଉଛି।” ଏହି ଗୋଟିଏ ଶବ୍ଦ ଆଢୁଆଳରେ ସେ ନିଜର ସମସ୍ତ ବିଫଳତାକୁ ଲୁଚାଇବା ପାଇଁ ପ୍ରଚାର ଚଳାଇଛନ୍ତି।
ତେଣୁ ଓଡ଼ିଶାର ଆଦରଣୀୟ ଜନସାଧାରଣ, ଆଜି ସମୟ ଆସିଛି ଆମକୁ ପ୍ରଶ୍ନ କରିବାକୁ ହେବ। ଯେଉଁ ସରକାର ନୈତିକତାର ଆଦର୍ଶ ଦେଖାଇ ଭୋଟ୍ ନେଇଥିଲା, ଆଜି ସେହି ସରକାରର ମନ୍ତ୍ରୀମାନେ ନିଜ ଭିତରେ ପରଷ୍ପର ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି, ବିଳାସବ୍ୟସନରେ ଟଙ୍କା ଉଡ଼ାଉଛନ୍ତି ଏବଂ ଗରିବ ଜନତାଙ୍କ ମୃତ୍ୟୁରେ ମଧ୍ୟ ଅବହେଳା ପ୍ରଦର୍ଶନ କରୁଛନ୍ତି। ଏମାନଙ୍କର ପ୍ରକୃତରେ କୌଣସି ନୈତିକତା ଅଛି କି? ଆମ ରାଜ୍ୟର ଏହିଭଳି ଦାୟିତ୍ୱହୀନ ମନ୍ତ୍ରୀମାନଙ୍କୁ ଦଳର ପ୍ରତିଷ୍ଠାତା ସଦସ୍ୟ ଆଡ଼ଭାନୀଙ୍କ ନୈତିକ ଉତ୍ତରଦାୟିତ୍ୱ ଜଣାଅଛି ନା କେବଳ କ୍ଷମତା ପାଇଁ ଏମାନେ ନୈତିକତାର ମୁଖା ପିନ୍ଧିଥିଲେ?
AlsoRead; https://purvapaksa.com/ethanol-fuel-causing-problems-dealers-request-reconsideration-of-e20/


