ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଅନେକ ନୂତନ ସମୀକରଣ ଦେଖିବାକୁ ମିଳୁଛି। ବିଶେଷ କରି ଦଳ ଭିତରେ କ୍ଷମତାର କେନ୍ଦ୍ରବିନ୍ଦୁ ଏବଂ ନେତାମାନଙ୍କ ପରସ୍ପର ଭିତରେ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକଦା ଯେଉଁ ନେତାଜଣକ ନିଜକୁ ରାଜ୍ୟ ବିଜେପିର ସର୍ବେସର୍ବା ଏବଂ କ୍ଷମତାର ମୁଖ୍ୟ ଚାଳକଭାବେ ପରିଚିତ କରାଉଥିଲେ, ଆଜି ସେହି ପୂର୍ବତନକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ସିଧାସଳଖ ଆଲୋଚନା ବଦଳରେ ଚିଠି ଲେଖିବାକୁ ବାଧ୍ୟ ହେଉଛନ୍ତି? କାହିଁକି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କୁ ନେଇ ରାଜନୈତିକ କରିଡରରେ ଏତେ ଚର୍ଚ୍ଚା ଚାଲିଛି?

ଗତ କିଛିବର୍ଷ ଧରି ଓଡ଼ିଶା ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା, ସେକଥା କାହାକୁ ଅଜଣା ନୁହେଁ। କେନ୍ଦ୍ରରେ ଶକ୍ତିଶାଳୀ ମନ୍ତ୍ରୀ ହେବା ସାଙ୍ଗକୁ ରାଜ୍ୟର ପ୍ରାୟ ସମସ୍ତ ବଡ଼ ନୀତିଗତ ଏବଂ ରାଜନୈତିକ ନିଷ୍ପତ୍ତିରେ ତାଙ୍କର ପ୍ରଭାବ ରହୁଥିଲା। କିନ୍ତୁ ଓଡ଼ିଶାରେ ନୂତନ ସରକାର ଗଠନ ହେବା ପରେ, ବିଶେଷକରି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ, ରାଜନୈତିକ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିଛି।
ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ଯେ, ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କ ଏବେ ‘ଦେଢ଼ଶୁର ଭାଇବୋହୁ’ ସମ୍ପର୍କ ଭଳି ହୋଇଯାଇଛି। ଅର୍ଥାତ୍, ପରସ୍ପର ମଧ୍ୟରେ ସାକ୍ଷାତ, ବ୍ୟକ୍ତିଗତ ଆଲୋଚନା ବା ମୁହାଁମୁହିଁ ବୈଠକ ଅପେକ୍ଷା ଦୂରତା ବେଶି ଦୃଶ୍ୟମାନ ହେଉଛି। କିମ୍ବା ଆଉ କେତେକଙ୍କ ମତରେ, ଧର୍ମେନ୍ଦ୍ର ପ୍ରଧାନ ନିଜକୁ କେନ୍ଦ୍ରୀୟ ରାଜନୀତିର ବଡ଼ ନେତା ଭାବେ ବିଚାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିଜର ସମକକ୍ଷ ବୋଲି ଭାବୁନାହାନ୍ତି।
ଫଳସ୍ୱରୂପ, ରାଜ୍ୟର ବିକାଶ କାମ ହେଉ କିମ୍ବା ନିଜ ନିର୍ବାଚନମଣ୍ଡଳୀ ବା ସମ୍ପୃକ୍ତ ଅଞ୍ଚଳର ସମସ୍ୟା, ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍ରେ କଥା ହେବା କିମ୍ବା ବସି ଆଲୋଚନା କରିବାକୁ ଉଚିତ ମନେ କରୁନାହାନ୍ତି। ବରଂ, ସେ ଏବେ ‘ଚିଠି ରାଜନୀତି’ର ଆଶ୍ରୟ ନେଇଛନ୍ତି। ସରକାରଙ୍କୁ କୌଣସି ପରାମର୍ଶ ଦେବାକୁ ହେଉ କିମ୍ବା ଅସନ୍ତୋଷ ଜାହିର୍ କରିବାକୁ ହେଉ, ସେ ଗୋଟିଏ ପରେ ଗୋଟିଏ ପତ୍ର ବା ଚିଠି ଲେଖି ଚାଲିଛନ୍ତି। ଆଉ ଏହି ଚିଠିଗୁଡ଼ିକ ହିଁ ଏବେ ରାଜ୍ୟ ରାଜନୀତିର ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଚିଠି ରାଜନୀତିର ସବୁଠୁ ସଦ୍ୟତମ ଉଦାହରଣଟି ହେଉଛି ଓଡ଼ିଶାର ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳଗୁଡ଼ିକରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଏବଂ ବେଆଇନ ପାର୍କିଂ ସମସ୍ୟା। ଧର୍ମେନ୍ଦ୍ର ପ୍ରଧାନ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ଦର୍ଶାଇଛନ୍ତି ଯେ ଓଡ଼ିଶାର ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳଗୁଡ଼ିକର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଏବଂ ବଡ଼ ବଡ଼ ଯାନଗୁଡ଼ିକର ବେଆଇନ ପାର୍କିଂ ଯୋଗୁଁ କିପରି ଭାବେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ଏବଂ ନିରୀହ ଜୀବନ ଚାଲିଯାଉଛି।
ପତ୍ରରେ ସେ ବେଶ୍ କିଛି କଡ଼ା ପରାମର୍ଶ ଏବଂ ଆଇନଗତ ଦିଗ ଉପରେ ଆଲୋକପାତ କରିଛନ୍ତି:
୧.-ସୁପ୍ରିମକୋର୍ଟଙ୍କ ରାୟ ଏବଂ ନୂତନ ଭାବେ ପ୍ରଣୟନ ହୋଇଥିବା ‘ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଆଇନ, ୨୦୨୫’ ଅନୁଯାୟୀ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ଦୃଢ଼ ଆଇନଗତ କ୍ଷମତା ରହିଛି।
୨.- ଶିଳ୍ପ ଓ ଖଣି କମ୍ପାନୀ, ପରିବହନକାରୀ ଏବଂ ଡ୍ରାଇଭରମାନଙ୍କ ବିରୁଦ୍ଧରେ ଜରିମାନା ଏବଂ କାରାଦଣ୍ଡ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଆବଶ୍ୟକ।
୩. – ଲଜିଷ୍ଟିକ୍ସ ଅବ୍ୟବସ୍ଥା ଏବଂ ବେଆଇନ ପାର୍କିଂ ପାଇଁ କେବଳ ଡ୍ରାଇଭର ନୁହେଁ, ବରଂ ସମ୍ପୃକ୍ତ କର୍ପୋରେଟ୍ କମ୍ପାନୀଗୁଡ଼ିକର ମଧ୍ୟ ଉତ୍ତରଦାୟିତ୍ୱ ସ୍ଥିର କରାଯିବା ଉଚିତ।
୪.- ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଜରିଆରେ ନିୟମିତ ସମୀକ୍ଷା କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ସୁପାରିଶ କରିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି— ଯଦି ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟର ସମସ୍ୟା ସମ୍ପର୍କରେ ଏତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଚାହାଁନ୍ତି, ତେବେ ସେ ଏହାକୁ ସିଧାସଳଖ ଏକ ସରକାରୀ ବୈଠକରେ ବା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିକରିପାରିଥା’ନ୍ତେ। କିନ୍ତୁ ସର୍ବସାଧାରଣରେ ଚିଠି ଲେଖି ଗଣମାଧ୍ୟମର ଆଲୋଚନାକୁ ଆଣିବାର ତାତ୍ପର୍ଯ୍ୟ କ’ଣ?
ରାଜନୈତିକ ବିଶ୍ଳେଷକମାନେ ଏହି ‘ଚିଠି ରାଜନୀତି’ ପଛରେ ଏକ ଗଭୀର ରାଜନୈତିକ ବାର୍ତ୍ତା ଖୋଜୁଛନ୍ତି।
ପ୍ରଥମତଃ, ଏହା ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କ କାମ, ବିଶେଷକରି ପ୍ରଶାସନିକ ନିୟନ୍ତ୍ରଣ ଏବଂ ଖଣି-ଶିଳ୍ପ କ୍ଷେତ୍ରର ପରିଚାଳନାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ମହଲରେ କିଛିଟା ଅସନ୍ତୋଷ ରହିଛି।
ଯେତେବେଳେ ରାଜ୍ୟ ସରକାର ନିଜେ ଏସବୁ କ୍ଷେତ୍ରରେ କଡ଼ା ପଦକ୍ଷେପ ନେବାରେ କୋହଳ ପ୍ରଦର୍ଶନ କରନ୍ତି, ସେତେବେଳେ କେନ୍ଦ୍ରୀୟ ନେତାମାନେ ଚିଠି ମାଧ୍ୟମରେ ସରକାରଙ୍କୁ ‘ଆଲର୍ଟ’ କରାଇଥା’ନ୍ତି।
ଦ୍ୱିତୀୟତଃ, ଏହା ମଧ୍ୟ ଦର୍ଶାଉଛି ଯେ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ରାଜ୍ୟ ସରକାରଙ୍କ ଠାରୁ କିଛିଟା ଅଲଗା ରଖିବାକୁ ଚାହୁଁଛନ୍ତି। ଯଦି ଆଗାମୀ ଦିନରେ ରାଜ୍ୟ ସରକାରଙ୍କ କୌଣସି ନୀତି ବିଫଳ ହୁଏ କିମ୍ବା ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଏ, ତେବେ ଏହି ଚିଠିଗୁଡ଼ିକ ପ୍ରମାଣ ଭାବେ ରହିବ ଯେ ସେ ଆଗରୁ ହିଁ ସରକାରଙ୍କୁ ସଚେତନ କରାଇଥିଲେ। ଏହା ଏକପ୍ରକାର ରାଜନୈତିକ ସୁରକ୍ଷା କବଚ ମଧ୍ୟ ହୋଇପାରେ।
କିନ୍ତୁ ଅନ୍ୟପକ୍ଷରେ, ଦଳୀୟ ଶୃଙ୍ଖଳା ଏବଂ ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ଦୃଷ୍ଟିରୁ ଏହାକୁ ଭଲ ସଙ୍କେତ ବୋଲି କୁହାଯାଇପାରିବ ନାହିଁ। ଯେତେବେଳେ ଶାସକ ଦଳର ଶୀର୍ଷ ନେତାମାନଙ୍କ ଭିତରେ ବୁଝାମଣା ଅଭାବରୁ ଚିଠି ଜରିଆରେ କଥା ହେବାକୁ ପଡ଼େ, ସେତେବେଳେ ତାହା ବିରୋଧୀ ଦଳଗୁଡ଼ିକୁ ସରକାରଙ୍କୁ ଘେରିବା ପାଇଁ ଆୟୁଧ ଯୋଗାଇଥାଏ।
ତେବେ, ସବୁଠୁ ବଡ଼ କଥା ହେଉଛି— ରାଜନୀତିରେ ନେତାମାନଙ୍କର ଅହଂକାର କିମ୍ବା ବ୍ୟକ୍ତିଗତ ଦୂରତା ଯାହା ମଧ୍ୟ ହେଉନା କାହିଁକି, ଶେଷରେ ଏହାର ପ୍ରଭାବ ସାଧାରଣ ଜନତା ଏବଂ ରାଜ୍ୟର ବିକାଶ ଉପରେ ପଡ଼ିବା ଉଚିତ ନୁହେଁ। ଧର୍ମେନ୍ଦ୍ର ପ୍ରଧାନ ଯେଉଁ ସଡ଼କ ସୁରକ୍ଷା ଏବଂ ବେଆଇନ ପାର୍କିଂ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି, ତାହା ଅତ୍ୟନ୍ତ ଯଥାର୍ଥ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ। କିନ୍ତୁ ଏହାକୁ କେବଳ ଚିଠିରେ ସୀମିତ ନ ରଖି, ଯଦି ଉଭୟ ନେତା ଏକାଠି ବସି ଏହାର ଏକ ଦୃଢ଼ ସ୍ଥାୟୀ ସମାଧାନ କରିଥା’ନ୍ତେ, ତେବେ ତାହା ଓଡ଼ିଶାବାସୀଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥା’ନ୍ତା।
also read
https://purvapaksa.com/no-one-can-threaten-us/


