ଦେଶର ରାଜନୀତିରେ ଏବେ ବଡ଼ ଧରଣର ଚହଳ ପଡ଼ିଛି। କାରଣ ହଠାତ୍ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଆସନ୍ତା ୩୦ ତାରିଖରେ ଲୋକସଭା ବସିବ ଏବଂ ଡିସେମ୍ବର ୨ ତାରିଖରେ ରାଜ୍ୟସଭା ଆରମ୍ଭ ହେବ। ଯଦି ଏହି ସ୍ୱତନ୍ତ୍ର ଅଧିବେଶନରେ ଡିଲିମିଟେସନ୍ ବିଲ୍ ଏବଂ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପାସ୍ ହୁଏ, ତେବେ ଜାତୀୟ ସ୍ତରର ରାଜନୀତିରେ ବଡ଼ ପରିବର୍ତ୍ତନ ଆସିବ। ଅନେକ ରାଜନୈତିକ ଦଳ ଏବଂ ଅନେକ ବଡ଼ ବଡ଼ ନେତାଙ୍କ ରାଜନୈତିକ ଭବିଷ୍ୟତ ଏହା ଦ୍ୱାରା ପ୍ରଭାବିତ ହେବ।

ଓଡ଼ିଆରେ ଗୋଟିଏ ବହୁତ ପୁରୁଣା ଲୋକକଥା ଅଛି—”ଗାଈକୁ ମାରିଲେ ମଲି, ଗାଈ ମାରିଲେ ମଲି”। ଅର୍ଥାତ୍ ଉଭୟ ପଟୁ ବିପଦ। ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ ବିଜୁ ଜନତା ଦଳର ଅବସ୍ଥା ଠିକ୍ ସେହିଭଳି ହୋଇଯାଇଛି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଡିଲିମିଟେସନ୍ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ବିଜେଡି ଯଦି ସମର୍ଥନ କରେ, ତେବେ ରାଜ୍ୟ ରାଜନୀତିରେ ସମାଲୋଚିତ ହୋଇପାରେ; ଆଉ ଯଦି ସମର୍ଥନ ନ କରେ, ତେବେ ମଧ୍ୟ ଭିନ୍ନ ଭିନ୍ନ କାରଣରୁ ଦଳକୁ ଅଡ଼ୁଆର ସମ୍ମୁଖୀନ ହେବାକୁ ପଡ଼ିପାରେ।
ପ୍ରଥମେ ଆସନ୍ତୁ ସଂସଦର ସଂଖ୍ୟାଗଣିତ ଉପରେ ଟିକେ ନଜର ପକାଇବା। ବର୍ତ୍ତମାନ ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନାହାନ୍ତି। କେବଳ ରାଜ୍ୟସଭାରେ ବିଜେଡିର ୫ ଜଣ ସାଂସଦ ଅଛନ୍ତି। ଅନ୍ୟପଟେ ରାଜ୍ୟସଭାରେ ଏନଡିଏ (NDA) ପାଖରେ ନିଜସ୍ୱ ଏବଂ ସହଯୋଗୀ ଦଳଙ୍କୁ ମିଶାଇ ପ୍ରାୟ ୧୫୨ ଜଣ ସାଂସଦଙ୍କ ସମର୍ଥନ ରହିଛି। ରାଜନୈତିକ ସମୀକରଣ ଅନୁଯାୟୀ, ଯଦି ଡିଏମକେ (DMK)ର ୮ ଜଣ, ୱାଇଏସଆରସିପି (YSRCP)ର ୪ ଜଣ ଏବଂ ଏନସିପି ଶରଦ ପାୱାର ଗୋଷ୍ଠୀର ସାଂସଦମାନେ ଏହି ବିଲ୍କୁ ସମର୍ଥନ ଦିଅନ୍ତି, ତେବେ ଏହି ସଂଖ୍ୟା ୧୬୪ରେ ପହଞ୍ଚିଯିବ। ଅର୍ଥାତ୍ ବିଲ୍ ପାସ୍ କରିବା ପାଇଁ ଆବଶ୍ୟକୀୟ ମ୍ୟାଜିକ୍ ଫିଗର୍କୁ ଏନଡିଏ ସହଜରେ ଟପିଯିବ।
ଏହାର ସିଧାସଳଖ ଅର୍ଥ ହେଉଛି, ରାଜ୍ୟସଭାରେ ବିଲ୍ ପାରିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଜେଡିର ୫ ଜଣ ସାଂସଦଙ୍କ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଯଦି ବିଜେଡି ସମର୍ଥନ ଦିଏ, ତେବେ ଏହା ଏନଡିଏ ପାଇଁ ଏକ ଅତିରିକ୍ତ ବୋନସ୍ ହେବ, କିନ୍ତୁ ବିନା ବିଜେଡିରେ ମଧ୍ୟ ବିଲ୍ ପାସ୍ ହେବାର ପୂରା ସମ୍ଭାବନା ରହିଛି। ତେଣୁ ଜାତୀୟ ସ୍ତରରେ ଏବେ ବିଜେଡିର ଭୋଟ୍ ଉପରେ ସେତେଟା ନଜର ନାହିଁ।
ତେବେ ପ୍ରଶ୍ନ ଉଠୁଛି, ଯେତେବେଳେ ଜାତୀୟ ରାଜନୀତିରେ ବିଜେଡିର ସଂଖ୍ୟା ନିର୍ଣ୍ଣାୟକ ନୁହେଁ, ସେତେବେଳେ ଆମେ ଏହାକୁ ନେଇ କାହିଁକି ଆଲୋଚନା କରୁଛୁ? ଏହାର କାରଣ ହେଉଛି—ଓଡ଼ିଶା ରାଜନୀତି। ଲୋକସଭାରେ ସିନା ବିଜେଡି ଖାତା ଖୋଲିପାରି ନାହିଁ, କିନ୍ତୁ ଓଡ଼ିଶା ବିଧାନସଭାରେ ବିଜେଡି ହେଉଛି ପ୍ରମୁଖ ବିରୋଧୀ ଦଳ। ରାଜ୍ୟର କୋଟି କୋଟି ଭୋଟରଙ୍କ ନିକଟରେ ବିଜେଡିର ପ୍ରତିଟି ପଦକ୍ଷେପର ବଡ଼ ମହତ୍ତ୍ୱ ରହିଛି। ଜାତୀୟ ସ୍ତରରେ ଯେଉଁ ଆଞ୍ଚଳିକ ଦଳମାନେ ପୂର୍ବରୁ ବିଜେପିକୁ ବିରୋଧ କରୁଥିଲେ, ସେମାନେ ଏବେ ନିଜ ରଣନୀତି ବଦଳାଉଛନ୍ତି। ଏଭଳି ସ୍ଥିତିରେ ବିଜେଡି ନିଜର ଆଭିମୁଖ୍ୟ କ’ଣ ରଖିବ, ତାହା ଓଡ଼ିଶା ରାଜନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ଏ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ଯେ ଦଳ ଏହି ବିଲ୍କୁ ସମର୍ଥନ କରିବ ନା ବିରୋଧ କରିବ। କାରଣ ଦଳ ଏବେ ରାଜ୍ୟ ରାଜନୀତିରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସଂଘର୍ଷ କରୁଛି। ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବର୍ତ୍ତମାନ ବିଜେଡି ସାମ୍ନାରେ ମୁଖ୍ୟତଃ ତିନୋଟି ସମ୍ଭାବନା ବା ବିକଳ୍ପ ରହିଛି।
ପ୍ରଥମ ବିକଳ୍ପଟି ହେଉଛି, ଓଡ଼ିଶାବାସୀଙ୍କ ନିକଟରେ ନିଜର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବିଜେଡି ଏକ ‘ସ୍ୱାଧୀନ ବିରୋଧୀ ଦଳ’ ଭାବରେ ଛିଡ଼ା ହୋଇପାରେ। ଅର୍ଥାତ୍ ଡିଲିମିଟେସନ୍ ବିଲ୍ ସମୟରେ ବିଜେଡି ନା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍କୁ ସମର୍ଥନ କରିବ, ନା ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ ଦେବ। ନିଜର ସ୍ୱତନ୍ତ୍ର ପରିଚୟ ବଞ୍ଚାଇ ରଖିବା ପାଇଁ ଦଳ ଭୋଟ୍ ଗ୍ରହଣ ପ୍ରକ୍ରିୟାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିପାରେ ବା କକ୍ଷତ୍ୟାଗ କରିପାରେ। ଏହାଦ୍ୱାରା ଦଳ ଉଭୟ ଜାତୀୟ ଦଳଠାରୁ ସମଦୂରତା ରକ୍ଷା କରୁଛି ବୋଲି ବାର୍ତ୍ତା ଦେଇପାରିବ।
ଦ୍ୱିତୀୟ ବିକଳ୍ପଟି ବିଜେଡିର ପାରମ୍ପରିକ ରାଜନୈତିକ ଶୈଳୀ ସହ ଜଡ଼ିତ। ଗତ ୨୪ ବର୍ଷ ଧରି ବିଜେଡି ସବୁବେଳେ କହିଆସିଛି ଯେ ଦଳ ପାଇଁ ‘ରାଜ୍ୟ ସ୍ୱାର୍ଥ’ ସର୍ବୋପରି। ଯଦି ଡିଲିମିଟେସନ୍ ପ୍ରକ୍ରିୟାରେ ଓଡ଼ିଶାର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ଆନୁପାତିକ ଭାବରେ (ପ୍ରାୟ ୩.୯% ହାରରେ) ବୃଦ୍ଧି ପାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଆଶ୍ୱାସନା ବା ଲିଖିତ ପ୍ରତିଶ୍ରୁତି ମିଳେ, ତେବେ ବିଜେଡି ବିଲ୍କୁ ସମର୍ଥନ କରିପାରେ। ଏହାଛଡ଼ା, ଏହି ବିଲ୍ ସହିତ ମହିଳା ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ଜଡ଼ିତ ଅଛି। ଯେହେତୁ ମହିଳା ସଶକ୍ତିକରଣକୁ ବିଜେଡି ନିଜର ମୁଖ୍ୟ ଏଜେଣ୍ଡା ଭାବେ ଉପସ୍ଥାପନ କରିଆସିଛି, ତେଣୁ ରାଜ୍ୟ ସ୍ୱାର୍ଥ ଏବଂ ମହିଳାଙ୍କ ଅଧିକାରର ଦ୍ୱାହି ଦେଇ ଦଳ ବିଲ୍ ସପକ୍ଷରେ ଭୋଟ୍ ଦେଇପାରେ।

ତୃତୀୟ ସମ୍ଭାବନା ହେଉଛି, ରାଜ୍ୟସଭାରେ ବିଲ୍ ଆସିବା ମାତ୍ରେ ବିଜେଡି ସିଧାସଳଖ ଏହାକୁ ସମର୍ଥନ ଜଣାଇବା। ରାଜନୈତିକ ସମୀକ୍ଷକଙ୍କ ମତରେ, ଯଦି ବିଜେଡି ବିନା କୌଣସି ସର୍ତ୍ତରେ ବିଲ୍କୁ ସମର୍ଥନ କରେ, ତେବେ ଏହାର ଅର୍ଥ ହେବ ଯେ ଦଳ କେନ୍ଦ୍ର ସରକାରଙ୍କ ସହ ସୁସମ୍ପର୍କ ରଖିବାକୁ ଚାହୁଁଛି। ଭବିଷ୍ୟତର ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ବିଜେପି ସହ ସହଯୋଗର ରାସ୍ତା ଖୋଲା ରଖିବା ପାଇଁ ଦଳ ଏଭଳି ନିଷ୍ପତ୍ତି ନେଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି—ଏହି ତିନିଟି ସମ୍ଭାବନା ଭିତରୁ ବିଜେଡି କେଉଁ ରାସ୍ତା ବାଛିବ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବ କିଏ? ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ସାମ୍ନାକୁ ଆସି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବେ, ନା ଦଳର ଅନ୍ୟ ବରିଷ୍ଠ ନେତା ଏବଂ ସଂଗଠନ ପରିଚାଳନା କରୁଥିବା ନେତୃତ୍ୱଙ୍କ ଜରିଆରେ ଏହି ଘୋଷଣା କରାଯିବ?
କାରଣ ନିର୍ବାଚନ ପରେ ବିଜେଡି ଭିତରେ ନେତୃତ୍ୱ ଏବଂ ରଣନୀତିକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବିଜେଡିର ୫ ଜଣ ରାଜ୍ୟସଭା ସାଂସଦ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା କେବଳ ଏକ ବିଲ୍ ଉପରେ ଭୋଟ୍ ହୋଇ ରହିବ ନାହିଁ, ବରଂ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ବିଜେଡିର ଦିଗ ଓ ଦଶା କ’ଣ ହେବ, ତା’ର ଏକ ବଡ଼ ସଙ୍କେତ ଦେବ।
also read
https://purvapaksa.com/an-own-goal-by-the-opposition/


