ଓଡ଼ିଆ ଲୋକକଥାରେ ଗୋଟିଏ ବହୁତ ପୁରୁଣା ଆଉ ମାର୍ମିକ କଥା ଅଛି—ଯେଉଁ ବ୍ୟକ୍ତି ନିଜର ଅପାରଗତା, ଭୁଲ୍ ନିଷ୍ପତ୍ତି କିମ୍ବା ଖରାପ ରଣନୀତି ଦ୍ୱାରା କେବଳ ନିଜର ନୁହେଁ, ବରଂ ନିଜ ପରିବାର, ବଂଶ ବା ଗୋଷ୍ଠୀର ମଧ୍ୟ କ୍ଷତି ଘଟାଏ, ତାକୁ ଲୋକକଥାରେ “ବଂଶ ବୁଡ଼ା ଡାହୁକ” ବୋଲି କୁହାଯାଏ। ଅର୍ଥାତ୍, ନିଜେ ତ ବୁଡ଼ିବେ, ସାଙ୍ଗରେ ଅନ୍ୟମାନଙ୍କୁ ବି ବୁଡ଼ାଇବେ।
ଆଜି ଭାରତୀୟ ରାଜନୀତିରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ଅନେକ ରାଜନୈତିକ ସମୀକ୍ଷକ ଏହି ଲୋକକଥାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ‘ଇଣ୍ଡିଆ’ (INDIA) ମେଣ୍ଟର ବର୍ତ୍ତମାନର ସ୍ଥିତି ସହିତ ଯୋଡ଼ି ଦେଖୁଛନ୍ତି। ସମାଲୋଚକମାନଙ୍କ ମତରେ, କଂଗ୍ରେସ ଦଳର ନେତୃତ୍ୱ ନେବା ପରଠାରୁ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି, ଏବଂ ଯେଉଁ ଆଞ୍ଚଳିକ ଦଳମାନେ କଂଗ୍ରେସ ସହିତ ହାତ ମିଳାଇଛନ୍ତି, ସେମାନେ ମଧ୍ୟ ରାଜନୈତିକ କ୍ଷତି ସହିଛନ୍ତି।
![]()
ଏହି ଚର୍ଚ୍ଚା ଏବେ ଆହୁରି ତୀବ୍ର ହୋଇଛି, କିପରି ବିରୋଧୀ ମେଣ୍ଟର ଆଭ୍ୟନ୍ତରୀଣ ବିଭାଜନ ଏବେ ଶାସକ ବିଜେପି ପାଇଁ ବାଟ ଫିଟାଇ ଦେଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ କେବଳ ସଂସଦର ଗଣିତ ନୁହେଁ, ବରଂ ଜାତୀୟ, ଆଞ୍ଚଳିକ ଏବଂ ବ୍ୟକ୍ତିଗତ ସ୍ତରରେ ଦେଶର ବଡ଼ ବଡ଼ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ଏକ ନୂଆ ମୋଡ଼ରେ ଛିଡ଼ା କରିଦେଇଛି।
INDIA ମେଣ୍ଟରେ ଫାଟ ଓ Delimitation ବିଲ୍ର ପ୍ରତ୍ୟାବର୍ତ୍ତନ
ପ୍ରଥମେ ବର୍ତ୍ତମାନର ଘଟଣାକ୍ରମ ଉପରେ ଟିକେ ନଜର ପକାଇବା। ଏପ୍ରିଲ୍ ୨୦୨୬ରେ କେନ୍ଦ୍ରର ମୋଦୀ ସରକାର ସୀମା ପୁନଃନିର୍ଦ୍ଧାରଣ (Delimitation) ସହିତ ମହିଳା ସଂରକ୍ଷଣ ବିଲ୍କୁ ଯୋଡ଼ି ଏକ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆଣିଥିଲେ। ସେତେବେଳେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ଏହାକୁ ବିରୋଧ କରିଥିଲେ ଏବଂ ସରକାରଙ୍କ ପାଖରେ ଆବଶ୍ୟକୀୟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନଥିବାରୁ ବିଲ୍ଟି ପାରିତ ହୋଇପାରିନଥିଲା।
କିନ୍ତୁ ଏହା ପରଠାରୁ ରାଜନୈତିକ ପାଣିପାଗ ଦ୍ରୁତ ଗତିରେ ବଦଳିଛି। ଜୁନ୍ ୨୦୨୬ରେ ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଲା। ମୁଖ୍ୟମନ୍ତ୍ରୀ ତଥା TVK ମୁଖ୍ୟ ବିଜୟ (Vijay) ନିଜ ଦଳର ପ୍ରଥମ ରାଜ୍ୟସଭା ଆସନ କଂଗ୍ରେସକୁ ଦେଲେ। ଏହି ଘଟଣା ପରେ ଦ୍ରାବିଡ଼ ମୁନ୍ନେତ୍ର କଗଜମ୍ ବା ଡିଏମକେ ଆନୁଷ୍ଠାନିକ ଭାବେ ‘ଇଣ୍ଡିଆ’ ମେଣ୍ଟରୁ ଓହରି ଆସିଲା, ଏବଂ ପରବର୍ତ୍ତୀ ସମୟରେ TVK ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହେଲା।
ଏବେ ପାଞ୍ଚ ମାସ ପରେ, ସରକାର ପୁଣିଥରେ ସେହି ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍କୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି। ଆଉ ଠିକ୍ ଏହି ସମୟରେ, ପୂର୍ବରୁ ଏହି ବିଲ୍କୁ ତୀବ୍ର ବିରୋଧ କରୁଥିବା ଡିଏମକେ (ଯାର ଲୋକସଭାରେ ୨୨ ଏବଂ ରାଜ୍ୟସଭାରେ ୮ ଜଣ ସାଂସଦ ଅଛନ୍ତି) ସଙ୍କେତ ଦେଇଛି ଯେ ଯଦି ତାମିଲନାଡୁର ବର୍ତ୍ତମାନର ସଂସଦୀୟ ପ୍ରତିନିଧିତ୍ୱ ଅନୁପାତ ସୁରକ୍ଷିତ ରଖାଯାଏ, ତେବେ ଦଳ ଏହି ବିଲ୍କୁ ସମର୍ଥନ କରିବା କଥା ବିଚାର କରିପାରେ। କଂଗ୍ରେସ ନେତାମାନେ ଏହାକୁ ଡିଏମକେର “ୟୁ-ଟର୍ଣ୍ଣ” ବୋଲି ସମାଲୋଚନା କରୁଥିବାବେଳେ, ମହାରାଷ୍ଟ୍ରରେ ଏନସିପି ଶରଦଚନ୍ଦ୍ର ପାୱାର ନେତ୍ରୀ ସୁପ୍ରିୟା ସୁଲେ ମଧ୍ୟ ବିଲ୍ର ମେରିଟ୍ ଦେଖି ନିଷ୍ପତ୍ତି ନେବା କଥା କହିଛନ୍ତି।
ସାମୂହିକ ଓ ଜାତୀୟ ରାଜନୀତି : ମହିଳା ସଂରକ୍ଷଣ ସପକ୍ଷବାଦୀ ବନାମ ବିରୋଧୀ
ଏହି ବିଲ୍ ଜାତୀୟ ରାଜନୀତିରେ କିପରି ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି।
ବିଜେପି ସରକାର ଅତ୍ୟନ୍ତ ଚତୁରତାର ସହିତ ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ—ଏହି ଦୁଇଟି ପ୍ରସଙ୍ଗକୁ ଗୋଟିଏ ସୂତ୍ରରେ ବାନ୍ଧି ଦେଇଛନ୍ତି। ଏହାର ସିଧାସଳଖ ରାଜନୈତିକ ପ୍ରଭାବ ଜାତୀୟ ସ୍ତରରେ ଦେଖିବାକୁ ମିଳିବ। ଦେଶର ରାଜନୀତି ଏବେ ଦୁଇଟି ସ୍ପଷ୍ଟ ଗୋଷ୍ଠୀରେ ବିଭକ୍ତ ହୋଇଯିବ—ଗୋଟିଏ ପଟେ ମହିଳା ସଂରକ୍ଷଣ ସପକ୍ଷବାଦୀ, ଏବଂ ଅନ୍ୟ ପଟେ ମହିଳା ସଂରକ୍ଷଣ ବିରୋଧୀ।

ଯେତେବେଳେ କଂଗ୍ରେସ ଏବଂ ତା’ର ସହଯୋଗୀ ଦଳଗୁଡ଼ିକ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରି ଏହି ବିଲ୍ ବିରୁଦ୍ଧରେ ଭୋଟ୍ ଦେବେ, ସେତେବେଳେ ଶାସକ ଦଳ ପାଖରେ ଜନତାଙ୍କ ସାମ୍ନାକୁ ଯିବା ପାଇଁ ଏକ ବଡ଼ ଅସ୍ତ୍ର ରହିବ। ବିଜେପି ସାରା ଦେଶରେ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିବ ଯେ ବିରୋଧୀ ଦଳଗୁଡ଼ିକ ମହିଳାମାନଙ୍କୁ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବାଧା ସୃଷ୍ଟି କରୁଛନ୍ତି। କାରଣ ସେମାନେ ମହିଳାମାନଙ୍କୁ ଶାସନରେ ଭାଗିଦାରୀ କରିବାକୁ ଚାହୁ ନାହାନ୍ତି।
ଅନ୍ୟପକ୍ଷରେ, କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ଯୁକ୍ତି ବାଢ଼ିବେ ଯେ ସେମାନେ ମହିଳା ସଂରକ୍ଷଣର ବିରୋଧୀ ନୁହନ୍ତି, ବରଂ ସୀମା ପୁନଃନିର୍ଦ୍ଧାରଣ ନାଁରେ ଯେଉଁଭଳି ଭାବେ ଆସନ ସଂଖ୍ୟା ବଦଳାଯାଉଛି, ତାହା ସଂଘୀୟ ବ୍ୟବସ୍ଥା ଏବଂ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ସ୍ୱାର୍ଥ ବିରୋଧୀ। କିନ୍ତୁ ସାଧାରଣ ଭୋଟରଙ୍କ ପାଖରେ ଏହି ବୈଷୟିକ ଯୁକ୍ତି ଅପେକ୍ଷା “ମହିଳା ସଂରକ୍ଷଣ ସପକ୍ଷବାଦୀ ବନାମ ବିରୋଧୀ” ଭଳି ସରଳ ରାଜନୈତିକ ବାର୍ତ୍ତା ଅଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ସମାଲୋଚକମାନଙ୍କ ମତରେ, ବିରୋଧୀ ଦଳଗୁଡ଼ିକ ଏହି ରାଜନୈତିକ ଜାଲରେ ଫସିଯାଇଛନ୍ତି। ଏବେ ଆଉ ମୁକୁଳିବାର ବାଟ ହିଁ ନାହିଁ। ଯାହାକି କଂଗ୍ରେସ ଓ ଏହାର ସହଯୋଗୀ ଦଳମାନଙ୍କର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।
ଆଞ୍ଚଳିକ ରାଜନୀତି : ବଦଳିବ ଆସନ ବୁଝାମଣା ଓ ମେଣ୍ଟ ସମୀକରଣ
ଏହାର ଦ୍ୱିତୀୟ ବଡ଼ ପ୍ରଭାବ ପଡ଼ିବ ଆଞ୍ଚଳିକ ରାଜନୀତି ଉପରେ। ଭାରତର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଦଳ ଏବଂ ଜାତୀୟ ଦଳମାନଙ୍କ ମଧ୍ୟରେ ଥିବା ପୁରୁଣା ସମୀକରଣ ଏବେ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି।
ପ୍ରଥମ କଥା ହେଲା, ସୀମା ପୁନଃନିର୍ଦ୍ଧାରଣ ହେଲେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ଭୌଗୋଳିକ ସୀମା ବଦଳିବ, ଅନେକ ନୂଆ ଆସନ ସୃଷ୍ଟି ହେବ ଏବଂ ସଂରକ୍ଷିତ ଆସନଗୁଡ଼ିକର ତାଲିକା ମଧ୍ୟ ପରିବର୍ତ୍ତନ ହେବ। ଏହାଫଳରେ ଦଶନ୍ଧି ଧରି ଗଢ଼ି ଉଠିଥିବା ପାରମ୍ପରିକ ଭୋଟ୍ ବ୍ୟାଙ୍କ୍ ଏବଂ ଆସନ ବୁଝାମଣାର ସମୀକରଣ ଭାଙ୍ଗିଯିବ।
ଦ୍ୱିତୀୟ କଥା ହେଲା, ଆଞ୍ଚଳିକ ଦଳଗୁଡ଼ିକ ଏବେ ଏକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦି ସେମାନେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସହିତ ରହି ଏହି ବିଲ୍କୁ ବିରୋଧ କରନ୍ତି, ତେବେ କେନ୍ଦ୍ର ସରକାରଙ୍କ ସହ ସେମାନଙ୍କର ସମ୍ପର୍କ ତିକ୍ତ ହେବ ଏବଂ ନିଜ ରାଜ୍ୟରେ ମହିଳା ଭୋଟରଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିପାରେ। ଆଉ ଯଦି ସେମାନେ ଡିଏମକେ ଭଳି ନିଜ ରାଜ୍ୟର ଆସନ ଅନୁପାତ ସୁରକ୍ଷିତ ରଖିବା ସର୍ତ୍ତରେ ସରକାରଙ୍କ ସହିତ ଆଲୋଚନା କରନ୍ତି, ତେବେ କଂଗ୍ରେସ ସହିତ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ।
ଅର୍ଥାତ୍, ଆଗାମୀ ଦିନରେ ରାଜ୍ୟ ସ୍ତରରେ ଆସନ ବୁଝାମଣା ଏବଂ ମେଣ୍ଟ ଗଠନର ପୂରା ଗଣିତ ନୂଆ ରୂପ ନେବାକୁ ଯାଉଛି।
ବ୍ୟକ୍ତିଗତ ନେତୃତ୍ୱ : ମୋଦୀ-ଶାହ, ରାହୁଲ, ଷ୍ଟାଲିନ୍ ଓ ନବୀନଙ୍କ ପାଇଁ କ’ଣ ରହିଛି?
![]()
ଏହି ରାଜନୈତିକ ମହାସଂଗ୍ରାମରେ ଦେଶର ପ୍ରମୁଖ ନେତାମାନଙ୍କ ବ୍ୟକ୍ତିଗତ ସ୍ଥିତି ଓ ରଣନୀତି ଉପରେ ନଜର ପକାଇବା:
୧. ନରେନ୍ଦ୍ର ମୋଦୀ ଓ ଅମିତ ଶାହ: ଯଦି ଏହି ବିଲ୍ ସଂସଦରେ ପାରିତ ହୁଏ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଦେଶର ରାଜନୀତିରେ ମହିଳା ସଶକ୍ତିକରଣର ସବୁଠାରୁ ବଡ଼ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଉଭା ହେବେ। ଐତିହାସିକ ମହିଳା ସଂରକ୍ଷଣକୁ ବାସ୍ତବ ରୂପ ଦେବାର ଶ୍ରେୟ ସେମାନଙ୍କ ପାଖକୁ ଯିବ, ଯାହା ଆଗାମୀ ନିର୍ବାଚନଗୁଡ଼ିକରେ ବିଜେପି ପାଇଁ ଏକ ବଡ଼ ସଫଳତା ସାବ୍ୟସ୍ତ ହୋଇପାରେ। ଆଉ ଏହାର ସୁଫଳ ତୁରନ୍ତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ଦେବାରେ ସହାୟକ ହେବ। କାରଣ ଦେଶର ଜନସଂଖ୍ରାର ୫୦ ପ୍ରତିଶତ ହେଉଛନ୍ତି ମହିଳା। ଆଉ ଏହି ମହିଳାମାନେ ବିଜେପି ସମର୍ଥକ ସାଜି ଦଳ ପାଇଁ ଭୋଟ କରିବେ।
୨. ରାହୁଲ ଗାନ୍ଧୀ ଓ ସହଯୋଗୀ: ଅନ୍ୟପଟେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ସହଯୋଗୀ ଦଳଗୁଡ଼ିକ ଏହି ବିଲ୍ର ବିରୋଧୀ ଭାବେ ଚିହ୍ନିତ ହେବେ। ସେମାନେ ଏହି ଲଢ଼େଇକୁ ସଂଘୀୟ ବ୍ୟବସ୍ଥା ଏବଂ ସମ୍ବିଧାନ ରକ୍ଷାର ଲଢ଼େଇ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିବେ। କିନ୍ତୁ ଯେଉଁଭଳି ଭାବେ ଡିଏମକେ, ଏନସିପି ଶରଦଚନ୍ଦ୍ର ପାୱାର ଏବଂ ଅନ୍ୟ ସହଯୋଗୀ ଦଳଗୁଡ଼ିକ ଭିନ୍ନ ଭିନ୍ନ ଆଭିମୁଖ୍ୟ ନେଉଛନ୍ତି, ସେଥିରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଏବଂ ବିରୋଧୀ ଏକତାକୁ ଏକଜୁଟ ରଖିବାର କ୍ଷମତା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୩. ଏମ୍. କେ. ଷ୍ଟାଲିନ୍ (M. K. Stalin): ଦକ୍ଷିଣ ଭାରତର ରାଜନୀତିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍. କେ. ଷ୍ଟାଲିନ୍ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ସେ ଦକ୍ଷିଣ ଭାରତର ମୁଖ୍ୟ ସ୍ୱର ଭାବେ ଉଭା ହୋଇଛନ୍ତି। ତାଙ୍କର ରଣନୀତି ଖୁବ୍ ସ୍ପଷ୍ଟ—କେବଳ ବିରୋଧ କରିବା ପରିବର୍ତ୍ତେ, ସେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ତାମିଲନାଡୁ ତଥା ଦକ୍ଷିଣ ଭାରତର ସଂସଦୀୟ ଆସନ ଅନୁପାତକୁ ସୁରକ୍ଷିତ ରଖିବା ପାଇଁ ମୂଲଚାଲ କରୁଛନ୍ତି। ଯାହାଫଳରେ ତାମିଲନାଡ଼ୁ ରାଜନୀତିରେ ସେ ମସିହା ଭାବେ ଉଭା ହେବ।
୪. ନବୀନ ପଟ୍ଟନାୟକ ଓ ବିଜେଡି (BJD)ର ଅସ୍ତିତ୍ୱର ଲଢ଼େଇ: ଏବେ ଆସନ୍ତୁ ଓଡ଼ିଶା ରାଜନୀତି କଥା ଦେଖିବା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଏହି ପରିସ୍ଥିତି ଏକ ବଡ଼ ଅସ୍ତିତ୍ୱର ଲଢ଼େଇ ସଦୃଶ ହୋଇଛି। କାହିଁକି? ଏହାର ତିନିଟି ପ୍ରମୁଖ କାରଣ ରହିଛି:
• ପ୍ରଥମତଃ: ସୀମା ପୁନଃନିର୍ଦ୍ଧାରଣ ହେଲେ ଓଡ଼ିଶାର ଅନେକ ଲୋକସଭା ଓ ବିଧାନସଭା ଆସନର ଭୌଗୋଳିକ ସୀମା ବଦଳିଯିବ। ଏହାଫଳରେ ବିଜେଡିର ଦୀର୍ଘ ଦିନର ପାରମ୍ପରିକ ଗଡ଼ ଏବଂ ସଂଗଠନ ଦୁର୍ବଳ ହେବାର ଆଶଙ୍କା ବଢ଼ିବ।
• ଦ୍ୱିତୀୟତଃ: ନବୀନ ପଟ୍ଟନାୟକ ସବୁବେଳେ ମହିଳା ସଶକ୍ତିକରଣ ଏବଂ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହିଆସିଛନ୍ତି। ତେଣୁ ଯଦି ବିଜେଡି ଏହି ବିଲ୍କୁ ସମର୍ଥନ ନ କରେ, ତେବେ ଜାତୀୟ ରାଜନୀତିରେ ତଥା ଓଡ଼ିଶାର ମହିଳା ଭୋଟରଙ୍କ ପାଖରେ ଦଳର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବ।
• ତୃତୀୟତଃ: ରାଜ୍ୟରେ କ୍ଷମତାରୁ ବାହାରିବା ପରେ ଏବେ ଜାତୀୟ ରାଜନୀତିରେ ପ୍ରାସଙ୍ଗିକ ରହିବା ଏବଂ ଜାତୀୟ ଦଳ ସହ ମୂଲଚାଲ କରିବା ବିଜେଡି ପାଇଁ ପୂର୍ବ ଅପେକ୍ଷା ଅଧିକ କଷ୍ଟକର ହୋଇପଡ଼ିଛି। ତେଣୁ ନବୀନ ପଟ୍ଟନାୟକଙ୍କ ପ୍ରତିଟି ପଦକ୍ଷେପ ଏବେ ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ।
ଆଗକୁ କ’ଣ ହେବ?
ଭାରତୀୟ ରାଜନୀତି ଏବେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସନ୍ଧିକ୍ଷଣରେ ଛିଡ଼ା ହୋଇଛି। ଗୋଟିଏ ପଟେ ବିଜେପି ନିଜର ରଣନୀତି ଦ୍ୱାରା ବିରୋଧୀ ଶିବିରରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାରେ ସଫଳ ହୋଇଥିବା ପରି ମନେ ହେଉଛି। ଅନ୍ୟପଟେ, ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଥିବା ଅବିଶ୍ୱାସ ଏବଂ ଭିନ୍ନ ଭିନ୍ନ ଆଞ୍ଚଳିକ ସ୍ୱାର୍ଥ ସେମାନଙ୍କୁ ଏକଜୁଟ ହେବାକୁ ଦେଉନାହିଁ।
ଆଗାମୀ ସଂସଦୀୟ ଅଧିବେଶନରେ ଯେତେବେଳେ ଏହି ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହେବ, ସେତେବେଳେ ଦେଖିବାକୁ ମିଳିବ ଯେ କେଉଁ ଦଳ କେଉଁ ପଟେ ଛିଡ଼ା ହେଉଛି। କଂଗ୍ରେସ କ’ଣ ନିଜର ସହଯୋଗୀମାନଙ୍କୁ ବୁଝାଇ ଏକଜୁଟ ରଖିପାରିବ, ନା ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜର ଅସ୍ତିତ୍ୱ ଓ ସ୍ୱାର୍ଥ ରକ୍ଷା ପାଇଁ ନୂଆ ବାଟ ବାଛିବେ?
also read
https://purvapaksa.com/alliance-calculations-hit-a-roadblock-in-raebareli-amethi/


