କ୍ରିକେଟ୍ ଦକ୍ଷିଣ ଏସିଆରେ ଏହା କେବଳ ୨୨ ଗଜର ପିଚ୍ରେ ଖେଳାଯାଉଥିବା ଏକ ଖେଳ ନୁହେଁ। ଏହା ଏକ ପ୍ରକାରର ଯୁଦ୍ଧ, ଯେଉଁଠି ବନ୍ଧୁକ ନ ଥାଏ। ଏହା ଏକ ଉତ୍ସବ, ଯେଉଁଠି କୋଟି କୋଟି ହୃଦୟ ଏକାଠି ସ୍ପନ୍ଦିତ ହୁଏ। କିନ୍ତୁ ଆପଣ ଜାଣନ୍ତି କି, ଏହି ଖେଳ ପଛରେ ଲୁଚି ରହିଥାଏ ବିଶ୍ୱର ସବୁଠାରୁ ଜଟିଳ କୂଟନୀତି? ଯେତେବେଳେ ଦୁଇଦେଶ ମଧ୍ୟରେ ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ କ୍ରିକେଟ୍ ବ୍ୟାଟ୍ ହିଁ ସଂପର୍କର ନୂଆ ପରିଭାଷା ଲେଖେ।
ଇତିହାସର ସେହି ପୁରୁଣା ପୃଷ୍ଠା
ଫେରିଯିବା ୧୯୮୭ ମସିହାକୁ। ଭାରତ ଓ ପାକିସ୍ତାନ ସୀମାରେ ଯୁଦ୍ଧର ବାଦଲ ଘନେଇ ଆସୁଥିଲା। ଭାରତୀୟ ସେନାର ‘ଅପରେସନ୍ ବ୍ରାସଟ୍ୟାକ୍ସ’ ପାକିସ୍ତାନକୁ ଭୟଭୀତ କରିଦେଇଥିଲା। ଠିକ୍ ସେତିକିବେଳେ ପାକିସ୍ତାନର ଜେନେରାଲ ଜିଆ-ଉଲ୍-ହକ୍ ଅଚାନକ ଜୟପୁରରେ ଏକ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଆସିଲେ। ଏହା କୌଣସି ଖେଳ ପାଇଁ ନ ଥିଲା, ଏହା ଥିଲା ‘Cricket for Peace’। ରାଜନୀତି ବିଶ୍ଳେଷକମାନେ ଏହାକୁ ‘ସଫ୍ଟ ପାୱାର’ର ଏକ ଚତୁର ପ୍ରୟୋଗ ବୋଲି କୁହନ୍ତି।
୨୦୦୪ର ‘ଫ୍ରେଣ୍ଡସିପ୍ ସିରିଜ୍’ କଥା ମନେ ପକାନ୍ତୁ। ବାଜପେୟୀ ସରକାର କ୍ରିକେଟ୍ ମାଧ୍ୟମରେ ଯେଉଁ ଶାନ୍ତିର ସେତୁ ବାନ୍ଧିଥିଲେ, ତାହା ଦୁଇଦେଶର ସାଧାରଣ ନାଗରିକଙ୍କୁ ପରସ୍ପରର ନିକଟତର କରିଥିଲା। କିନ୍ତୁ କଣ ସତରେ କ୍ରିକେଟ୍ରେ ସୀମାର ତିକ୍ତତା ଦୂର ହୋଇପାରେ?”
ବର୍ତ୍ତମାନର ସ୍ଥିତି – ‘ଦି ଡିପ୍ ଫ୍ରିଜ୍’
ଏବେ ସମୟ ବଦଳିଛି। ୨୦୦୮ର ମୁମ୍ବାଇ ଆକ୍ରମଣ ପରେ ଭାରତର ଆଭିମୁଖ୍ୟ କଠୋର ହୋଇଛି। ବର୍ତ୍ତମାନ ଭାରତ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି— “ଆତଙ୍କବାଦ ଏବଂ କ୍ରିକେଟ୍ ଏକାଠି ଚାଲିପାରିବ ନାହିଁ।” ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଭାରତର ମନା କରିବା କେବଳ ଏକ ଖେଳ ନିଷ୍ପତ୍ତି ନୁହେଁ, ବରଂ ଏକ ଆନ୍ତର୍ଜାତୀକ ରାଜନୈତିକ ଚାପ ବୋଲି କହିଲେ ଭୁଲ ହେବ ନାହିଁ।
ବିଶ୍ୱ କ୍ରିକେଟ୍ ରାଜସ୍ୱର ପ୍ରାୟ ୭୦-୮୦% ଭାରତ (BCCI)ରୁ ଆସିଥାଏ। ଯେତେବେଳେ ଭାରତ କୌଣସି ଦେଶ ସହ ଖେଳିବାକୁ ମନା କରେ, ତାହାର ଅର୍ଥ ହେଉଛି ସେହି ଦେଶର କ୍ରିକେଟ୍ ବୋର୍ଡ ଆର୍ଥିକ ଭାବେ କାଙ୍ଗାଳ ହୋଇଯିବା। ଏହା ହେଉଛି ଭାରତର କ୍ରିକେଟ୍ ଜଗତରେ ଏକାଧିପତ୍ୟ।
ଓଡ଼ିଶା କନେକ୍ସନ – ‘The Sports Capital’
ଆଉ ଏହି ବିଶ୍ୱସ୍ତରୀୟ ଖେଳ ମଇଦାନରେ ଆମ ଓଡ଼ିଶାର ଭୂମିକା କ’ଣ? ଆଜି ଓଡ଼ିଶା କେବଳ ଭାରତର ନୁହେଁ, ବରଂ ବିଶ୍ୱର ଏକ ପ୍ରମୁଖ ‘Sports Hub’ ଭାବେ ଉଭା ହୋଇଛି। ରାଜନେତାଙ୍କ ଦୂରଦୃଷ୍ଟି ଆଜି ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ପ୍ରିୟ ସ୍ଥଳୀ କରିଛି।
“ଯେତେବେଳେ ଆମେ ସଫ୍ଟ ପାୱାର କଥା କହୁ, ସେତେବେଳେ ଓଡ଼ିଶାର ଭିତ୍ତିଭୂମି ଭାରତର ଶକ୍ତିକୁ ଦ୍ୱିଗୁଣିତ କରେ। ବାରବାଟୀରେ ଯେତେବେଳେ ବିଦେଶୀ ଦଳ ଖେଳନ୍ତି, ସେମାନେ ଓଡ଼ିଶାର ଆତିଥ୍ୟ ଓ ସଂସ୍କୃତିର ବାର୍ତ୍ତା ନେଇ ନିଜ ଦେଶକୁ ଫେରନ୍ତି। ଏହା ହିଁ ତ କୂଟନୀତି!”
ଶେଷରେ ପ୍ରଶ୍ନ ଉଠୁଛି… କ୍ରିକେଟ୍ କଣ ସତରେ ଦୁଇଟି ଶତ୍ରୁ ଦେଶକୁ ଯୋଡ଼ିପାରିବ? ଇତିହାସ କହୁଛି ଏହା ସମ୍ଭବ, କିନ୍ତୁ ବର୍ତ୍ତମାନର ସ୍ଥିତି କହୁଛି—ରାଷ୍ଟ୍ରୀୟ ସୁରକ୍ଷା ସବୁଠାରୁ ଉପରେ। କ୍ରିକେଟ୍ ପିଚ୍ କେବଳ ବଲ୍ ଫିଙ୍ଗିବା ପାଇଁ ନୁହେଁ, ବରଂ ବିଶ୍ୱ ଦରବାରରେ ନିଜର ଶକ୍ତି ଜାହିର କରିବା ପାଇଁ ମଧ୍ୟ ବ୍ୟବହୃତ ହୁଏ।
AlsoRead; https://purvapaksa.com/who-will-own-the-bengaluru-fort/


