ବିହାର ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ୧୨ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ କଂଗ୍ରେସ ପଦାଧିକାରୀଙ୍କ ସହ ବୈଠକ ଆସନ୍ତା ୧୮ ତାରିଖରେ ଇନ୍ଦିରା ଭବନରେ ଅନୁଷ୍ଠିତ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ନଭେମ୍ବର ୧୮ରେ ବିଭିନ୍ନ ରାଜ୍ୟ କଂଗ୍ରେସ ପ୍ରଭାରୀ, ପ୍ରଦେଶ କଂଗ୍ରେସ ସଭାପତି, ବିଧାୟକ ଦଳର ନେତା ଏବଂ କେନ୍ଦ୍ରଶାସିତ ଅଞ୍ଚଳର କଂଗ୍ରେସ ସଚିବଙ୍କୁ ଏହି ସମୀକ୍ଷା ବୈଠକରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏବଂ ଭୋଟ ଚୋରି ପ୍ରସଙ୍ଗ ଉପରେ ବିଶେଷ ଭାବେ ଆଲୋଚନା ହୋଇ ଦଳ ଆଗାମୀଦିନ ପାଇଁ ଏହାର ପରବର୍ତ୍ତୀ ଆଭିମୁଖ୍ୟ ସ୍ଥିର କରିବ ବୋଲି ଜଣାପଡ଼ିଛି।

କଂଗ୍ରେସର ଚର୍ଚ୍ଚିତ ବରିଷ୍ଠ ନେତା ଦିଗବିଜୟ ସିଂହ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉତ୍ତର କୋରିଆ, ରୁଷ୍ ଏବଂ ଚୀନରେ ହୋଇଥିବା ମତଦାନ ସହିତ ସମାନ। ଠିକ୍ ଯେପରି ଉପରୋକ୍ତ ରାଷ୍ଟ୍ରରେ ସମସ୍ତ ଭୋଟ ଗୋଟିଏ ଦଳକୁ ଯାଉଛି ବିହାରରେ ମଧ୍ୟ ଠିକ୍ ସେହିପରି ହୋଇଛି। ଭୋଟର ତାଲିକାରୁ ୬୨ ଲକ୍ଷ ଭୋଟରଙ୍କ ନାମ ହଟାଇ ଦିଆଯାଇ ୨୦ ଲକ୍ଷ ନାମ ଯୋଡ଼ି ଦିଆଯାଇଥିଲା। କାହାର ନାମ ହଟାଇ ଦିଆଯାଇଛି ଏବଂ କାହାର ନାମ ଯୋଡ଼ାଯାଇଛି ତାହା ନିର୍ବାଚନ କମିସନ କାହିଁକି ସ୍ପଷ୍ଟ କରିନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଭୋଟ୍ ଦେବାପରେ ଲୋକଙ୍କୁ ମତଦାନର ପ୍ରମାଣ ଭାବେ ରସିଦ ପ୍ରଦାନ କରାଯାଉ ନଥିବାରୁ ଇଭିଏମ୍ ଉପରେ ଲୋକଙ୍କ ବିଶ୍ୱାସ କିପରି ରହିବ ତାହାର ଦାୟିତ୍ୱ ନିର୍ବାଚନ ଆୟୋଗ ସ୍ଥିର କରିବା ଆବଶ୍ୟକ ବୋଲି ସିଂହ କହିଛନ୍ତି।
also read https://purvapaksa.com/world-health-organization-warning-80-of-milk-mixed-in-countries/


