ଆଜିକାଲି ଆପଣମାନେ ଗୋଟିଏ ବହୁତ ବଡ଼ ଶବ୍ଦ ଶୁଣୁଥିବେ— “ଭୋଟ୍ ଚୋରି ହୋଇଗଲା!”, “ନିର୍ବାଚନ କମିଶନ ବିକ୍ରି ହୋଇଗଲା!”, “ଦେଶରେ ଗଣତନ୍ତ୍ର ବିପଦରେ ଅଛି!”। କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି, ଏହି ପାଟିତୁଣ୍ଡ କରୁଛନ୍ତି କିଏ? ସେହି ଦଳ, ଯିଏ ଦେଶରେ ନିର୍ବାଚନ କମିଶନଙ୍କ ସହିତ ସେ ସବୁ କରିଛି, ଯାହା ଜଣେ ସାହୁକାର ନିଜ ପାଖରେ ବନ୍ଧକ ରଖିଥିବା ଜିନିଷ ସହିତ କରିଥାଏ।
ଆଜି ଆମେ କୌଣସି ଫମ୍ପା ଆଲୋଚନା କରିବୁ ନାହିଁ, କୌଣସି ବ୍ୟକ୍ତିଗତ ମତ ଦେବୁ ନାହିଁ। ଆଜି ଆମେ ଖୋଲିବୁ ୫୦ ବର୍ଷ ପୁରୁଣା ଏକ ସତ୍ୟର ଫାଇଲ୍! ଯେଉଁଥିରେ ଅଦାଲତର ରାୟ ଅଛି, ସରକାରୀ ଗଜେଟ୍ର ବିଜ୍ଞପ୍ତି ଅଛି ଏବଂ ସ୍ୱୟଂ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତମାନଙ୍କ ଦ୍ୱାରା ଲିଖିତ ବହିର ପ୍ରମାଣ ଅଛି। ଏହି ଫାଇଲ୍ ପଡ଼ିଲା ପରେ, ନିଷ୍ପତ୍ତି ଆପଣଙ୍କୁ ନେବାକୁ ପିଡ଼ିବ।
୧୯୭୫ – ଇନ୍ଦିରା ଗାନ୍ଧୀ ଏବଂ ସମ୍ବିଧାନର ବସ୍ତ୍ରହରଣ
ଏହି କାହାଣୀ ଆରମ୍ଭ ହୁଏ ୧୨ ଜୁନ୍ ୧୯୭୫ ମସିହାରୁ। ଆହ୍ଲାବାଦ ହାଇକୋର୍ଟର ଗୋଟିଏ କୋଠରୀ, ଯେଉଁଠି ସେଦିନ ଦେଶର ଇତିହାସର ସବୁଠାରୁ ବଡ଼ ରାୟ ଶୁଣାଯାଉଥିଲା। ବିଚାରପତି ଜଷ୍ଟିସ୍ ଜଗମୋହନ ଲାଲ୍ ସିହ୍ନା ନିଜ ଚେୟାରରୁ ଯେଉଁ ଶବ୍ଦ କହିଲେ, ତାହା ଦିଲ୍ଲୀର ସବୁଠାରୁ ଶକ୍ତିଶାଳୀ ପଦବୀକୁ ହଲାଇ ଦେଇଥିଲା।
ଜଜ୍ ସ୍ପଷ୍ଟ ଭାବରେ କହିଲେ ଯେ, ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ନିର୍ବାଚନ ଜିତିବା ପାଇଁ ସରକାରୀ କଳର ବ୍ୟବହାର କରିଛନ୍ତି। ସରକାରୀ ଅଧିକାରୀଙ୍କୁ ଲଗାଇ ନିଜର ଦଳୀୟ କାମ କରାଇଛନ୍ତି। ତେଣୁ ତାଙ୍କର ନିର୍ବାଚନକୁ ରଦ୍ଦ କରାଯାଉଛି ଏବଂ ଆଗାମୀ ୬ ବର୍ଷ ପାଇଁ ସେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ!
ଭାବନ୍ତୁ! ଆପଣ କିମ୍ବା ମୁଁ ଯଦି ସେହି ସ୍ଥାନରେ ଥା’ନ୍ତେ, ଆଉ ଯଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥା’ନ୍ତେ, ତେବେ ଲଜ୍ଜାରେ ସିଧାସଳଖ ଇସ୍ତଫା ଦେଇଥା’ନ୍ତେ। କିନ୍ତୁ ଇନ୍ଦିରା ଗାନ୍ଧୀ ଅନ୍ୟ ପଥ ବାଛିଲେ। ମାତ୍ର ୧୩ ଦିନ ଭିତରେ ସମଗ୍ର ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦି ଦିଆଗଲା। ବିରୋଧୀଙ୍କୁ ଜେଲ୍ ପଠାଇ ଦିଆଗଲା ଏବଂ ସମ୍ବିଧାନକୁ ବଦଳାଇ ଦିଆଗଲା— ଏହା ଲେଖିଦିଆଗଲା ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନକୁ କୌଣସି ଅଦାଲତ ଆଉ ଛୁଇଁ ମଧ୍ୟ ପାରିବ ନାହିଁ!
ଏହାର ଅର୍ଥ ବୁଝୁଛନ୍ତି ତ? ଚୋରି ଧରାପଡ଼ିଗଲା, ତେଣୁ ଚୋର ସେହି ଆଇନର ଧାରାକୁ ହିଁ ଛିଣ୍ଡାଇ ପକାଇଲା ଯେଉଁଥିରେ ଚୋରିର ପରିଭାଷା ଲେଖାଥିଲା। ଆଉ ଏଠାରୁ ହିଁ ଏହି ପରିବାର ଓ ନିର୍ବାଚନ କମିଶନଙ୍କ ଭିତରର ସମ୍ପର୍କ ସ୍ଥିର ହୋଇଗଲା!
୧୯୮୧ – ଗଡ଼ୱାଲ୍ କାଣ୍ଡ ଏବଂ ଏସ.ଏଲ୍. ଶକଧରଙ୍କ ସାହସ
ଚାଲନ୍ତୁ ବର୍ତ୍ତମାନ ୧୯୮୧ ମସିହାର ଗଡ଼ୱାଲକୁ। ହେମବତୀ ନନ୍ଦନ ବହୁଗୁଣା କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିସାରିଥିଲେ। ସାଂସଦ ପଦରୁ ଇସ୍ତଫା ଦେଇସାରିଥିଲେ ଏବଂ ନିଜେ ଛାଡ଼ିଥିବା ସିଟ୍ରୁ ନିର୍ଦ୍ଦଳୀୟ ଭାବେ ଠିଆ ହୋଇ ଏହା ପ୍ରମାଣ କରିବାକୁ ଚାହୁଁଥିଲେ ଯେ ଗଡ଼ୱାଲ୍ ଜନତା ତାଙ୍କୁ ଭୋଟ୍ ଦେଇଛନ୍ତି, ଇନ୍ଦିରା ଗାନ୍ଧୀଙ୍କୁ ନୁହେଁ। କିନ୍ତୁ ଇନ୍ଦିରା ଗାନ୍ଧୀ ଏହାକୁ କିପରି ବରଦାସ୍ତ କରିଥା’ନ୍ତେ?
ଆଗକୁ ଯାହା ହେଲା, ତାହା ମୁଁ କହୁନି; ତାହା ଲେଖୁଛନ୍ତି ଖୋଦ୍ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜେ.ଏମ୍. ଲିଙ୍ଗଡୋ, ତାଙ୍କ ପୁସ୍ତକରେ। ଲିଙ୍ଗଡୋ ଲେଖିଛନ୍ତି ଯେ ଭୋଟ୍ ଗ୍ରହଣର ଠିକ୍ ପୂର୍ବରୁ ସମଗ୍ର ଗଡ଼ୱାଲ୍ ଅଞ୍ଚଳରେ ହଠାତ୍ ହରିୟାଣା ପୋଲିସକୁ ଓହ୍ଲାଇ ଦିଆଗଲା! ଏତେ ଚୁପ୍ଚାପ୍ ଭାବରେ ଯେ ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସ୍.ପି. ମଧ୍ୟ ଏହା ଜାଣି ପାରିନଥିଲେ। ପାହାଡ଼ର ସେହି କ୍ଷୁଦ୍ର ଗାଁଗୁଡ଼ିକରେ, ଯେଉଁଠି ଗୋଟିଏ ବୁଥ୍ରେ ମାତ୍ର ୧୦୦-୧୫୦ ଭୋଟ୍ ପଡ଼େ, ସେଠାରେ ଅନ୍ୟ ରାଜ୍ୟର ସଶସ୍ତ୍ର ସିପାହୀଙ୍କୁ ଠିଆ କରାଗଲା।
କିନ୍ତୁ ସେଦିନ ଦିଲ୍ଲୀର ଏହି ଖେଳ ଜଣେ ଅଧିକାରୀଙ୍କ ମେଜ୍ ପାଖରେ ଅଟକି ଗଲା। ମୁଖ୍ୟ ନିର୍ବାଚନ ଆୟୁକ୍ତ ଏସ୍.ଏଲ୍. ଶକଧର ସମ୍ପୂର୍ଣ୍ଣ ଉପନିର୍ବାଚନକୁ ରଦ୍ଦ କରିଦେଲେ ଏବଂ ସ୍ପଷ୍ଟ ଶବ୍ଦରେ କାରଣ ଲେଖିଲେ ଯେ— “ଏହି ପୋଲିସ ଭୋଟରଙ୍କୁ ଭୟଭୀତ କରିବା ଏବଂ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପଠାଯାଇଛି।”
ଆଉ ତା’ପରେ ଯାହା କଲେ, ଯାହା ତାଙ୍କ ପୂର୍ବରୁ କେହି କରିନଥିଲେ। ସେ ବାତୁଳ ହୋଇଥିବା ନେତାମାନଙ୍କୁ ପୁରା ଗୋଟିଏ ବର୍ଷ ଅପେକ୍ଷା କରାଇଲେ। ଯେତେବେଳେ ୧୯୮୨ ମସିହାରେ ପୁଣି ଭୋଟ୍ ପଡ଼ିଲା, ସେତେବେଳେ ଗଡ଼ୱାଲ୍ ଜନତା ସେୟା କଲେ ଯାହା ପାହାଡ଼ ସବୁବେଳେ କରିଥାଏ— ଇନ୍ଦିରା ଗାନ୍ଧୀଙ୍କ ଆଖିରେ ଆଖି ମିଶାଇ ବହୁଗୁଣାଙ୍କୁ ଜିତାଇ ଆଣିଲେ!
ରାଜୀବ ଗାନ୍ଧୀ ଏବଂ ପେରି ଶାସ୍ତ୍ରୀଙ୍କ ଉପରେ ଟିକସ୍ ଆକ୍ରମଣ
ବର୍ତ୍ତମାନ ଆସନ୍ତୁ ୧୯୮୭ ମସିହାକୁ, ଯେତେବେଳେ କ୍ଷମତା ପୁତ୍ରଙ୍କ ହାତକୁ ଆସିସାରିଥିଲା, କିନ୍ତୁ ତରିକା ସେହି ପୁରୁଣା ଥିଲା। ରାଜୀବ ଗାନ୍ଧୀଙ୍କ ସହିତ ସେତେବେଳର ରାଷ୍ଟ୍ରପତି ଜ୍ଞାନୀ ଜୈଲ୍ ସିଂହଙ୍କର ତିକ୍ତତା ଚାଲିଥିଲା। ହିସାବ ଏହା ଥିଲା ଯେ ଯଦି ହରିୟାଣା ନିର୍ବାଚନ ଆଗରୁ ହୋଇଯାଏ, ତେବେ ଜୈଲ୍ ସିଂହ ମଜବୁତ ହୋଇଯିବେ।
ପ୍ରଧାନମନ୍ତ୍ରୀ, ମୁଖ୍ୟ ନିର୍ବାଚନ ଆୟୁକ୍ତ ପେରି ଶାସ୍ତ୍ରୀଙ୍କ ପାଖକୁ ବାର୍ତ୍ତା ପଠାଇଲେ ଯେ ହରିୟାଣା ନିର୍ବାଚନକୁ ଘୁଞ୍ଚାଇ ଦିଅନ୍ତୁ, ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ କରାନ୍ତୁ। ପେରି ଶାସ୍ତ୍ରୀ ବହୁତ ଶାନ୍ତ ଭାବରେ ଉତ୍ତର ଦେଲେ— “ନିର୍ବାଚନ ନିଜ ସମୟରେ ହେବ ଏବଂ ହରିୟାଣାରେ ପ୍ରଥମେ ହେବ!”
ଆଉ ଏହି ସଚ୍ଚୋଟତାର ମୂଲ୍ୟ କିପରି ଆଦାୟ କରାଗଲା? ସରକାର ପେରି ଶାସ୍ତ୍ରୀଙ୍କ ସମ୍ପତ୍ତି ଏବଂ ତାଙ୍କର ଇନକମ୍ ଟିକସ୍ ରିଟର୍ଣ୍ଣ ଖୋଜିବା ଆରମ୍ଭ କରିଦେଲେ! କେଉଁଠି ନା କେଉଁଠି ଭୁଲ୍ ମିଳିଯାଉ, କୌଣସି ଫାଇଲ୍ ଦବାଇ ଦିଆଯାଉ। ମାନେ, ଦେଶର ନିର୍ବାଚନ ଆୟୁକ୍ତଙ୍କ ପଛରେ ଟିକସର ମେସିନରୀ କେବଳ ଏଇଥିପାଇଁ ଛାଡ଼ି ଦିଆଗଲା, କାରଣ ସେ ଗୋଟିଏ ତାରିଖ ବଦଳାଇବାକୁ ମନା କରିଦେଇଥିଲେ।
ଏବଂ ଆଜି ଯଉଁମାନେ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନଙ୍କ ପାଇଁ ଏହି କିଥା ଏକ ବଡ଼ ଆଇନା। କାରଣ ଏହି ‘ଟୁଲ୍କିଟ୍’ଟି ଏମାନଙ୍କରି ପରିବାରର ଆବିଷ୍କାର!
ନବୀନ ଚାୱଲା ଏବଂ ୯୩ ପୃଷ୍ଠାର ରିପୋର୍ଟ
ଏବେ ଆସନ୍ତୁ ଏକ ଏପରି ଘଟଣାକୁ, ଯାହା ସବୁଠାରୁ ବିଷାକ୍ତ। ସମ୍ବିଧାନର ଧାରା ୩୨୪ କହେ ଯେ ସଂସଦ ଚାହିଁଲେ ଆଇନ ପ୍ରଣୟନ କରି ସ୍ଥିର କରିପାରେ ଯେ ମୁଖ୍ୟ ନିର୍ବାଚନ ଆୟୁକ୍ତ କିପରି ନିଯୁକ୍ତି ପାଇବେ। ପ୍ରଶ୍ନ ଏହା ଯେ, ଯେଉଁ ଦଳ ୫୦ ବର୍ଷ ଧରି ଏ ଦେଶରେ ରାଜ୍ କଲା, ସେ ଏହି ଆଇନଟି କେବେ ପ୍ରସ୍ତୁତ କଲା ନାହିଁ କାହିଁକି?
ଏହାର ବହୁତ କଡ଼ା ଉତ୍ତର ଦିଅନ୍ତି ଜେ.ଏମ୍. ଲିଙ୍ଗଡୋ। ସେ ଲେଖିଛନ୍ତି ଯେ ଏହି ଦ୍ୱାରକୁ ଜାଣିଶୁଣି ଖୋଲା ଛଡ଼ାଯାଇଥିଲା, ଯେପରି ସରକାର ନିଜ ପସନ୍ଦର ମୁଣ୍ଡିଆ ମାରୁଥିବା ଆୟୁକ୍ତମାନଙ୍କୁ ବସାଇ ପାରିବେ। ଆଜି ସେହି ଦଳ ଆମକୁ ନିଯୁକ୍ତିର ନିରପେକ୍ଷତା ଉପରେ ପ୍ରବଚନ ଦେଉଛି!
ଆଉ ସେହି ଘଟଣାକୁ ଦେଖନ୍ତୁ, ଯାହା ଏହି ପୂରା ଅଭିଯୋଗର ମେରୁଦଣ୍ଡ। ଜରୁରୀକାଳୀନ ପରିସ୍ଥିତିର ଅତ୍ୟାଚାର ତଦନ୍ତ ପାଇଁ ‘ଶାହା କମିଶନ’ ଗଠନ କରାଯାଇଥିଲା। ସେହି କମିଶନ ଜଣେ ଅଧିକାରୀଙ୍କ ବିଷୟରେ ଯାହା ଲେଖିଥିଲେ, ତାହା ଆଜି ମଧ୍ୟ ଦସ୍ତାବିଜରେ ଲିପିବଦ୍ଧ ଅଛି— କମିଶନ ଲେଖିଥିଲେ ଯେ “ଏହି ବ୍ୟକ୍ତି କୌଣସି ବି ସାର୍ବଜନୀନ ପଦବୀ ପାଇଁ ଯୋଗ୍ୟ ନୁହେଁ, ଯେଉଁଠି ନିରପେକ୍ଷତା ଏବଂ ନ୍ୟାୟର ଆବଶ୍ୟକତା ଥାଏ।”
ସେହି ଅଧିକାରୀଙ୍କ ନାମ ଥିଲା— ନବୀନ ଚାୱଲା!
ତା’ହେଲେ କଂଗ୍ରେସ ସେହି ଚେତାବନୀର କ’ଣ କଲା? ୨୦୦୫ ମସିହାରେ ସେହି ନବୀନ ଚାୱଲାଙ୍କୁ ଉଠାଇ ନିର୍ବାଚନ କମିଶନରେ ବସାଇ ଦିଆଗଲା! ୨୦୦୬ ମସିହାରେ ଆଡଭାନୀଙ୍କ ସମେତ ୨୦୪ ଜଣ ସାଂସଦ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇ କହିଲେ ଯେ ଏହି ଲୋକକୁ ହଟାନ୍ତୁ, ସେ ପକ୍ଷପାତୀ। କିନ୍ତୁ କିଛି ମଧ୍ୟ ପ୍ରଭାବ ପଡ଼ିଲାନି।
ଆଉ ୨୦୦୯ରେ ତାହା ଘଟିଲା, ଯାହା ଦେଶର ଇତିହାସରେ ପୂର୍ବରୁ କେବେ ହୋଇନଥିଲା। ଖୋଦ୍ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏନ୍. ଗୋପାଳସ୍ୱାମୀ ରାଷ୍ଟ୍ରପତିଙ୍କ ପାଖକୁ ୯୩ ପୃଷ୍ଠାର ରିପୋର୍ଟ ପଠାଇ ଲେଖିଲେ ଯେ— “ମୋର ନିଜର ସହଯୋଗୀ ଆୟୁକ୍ତ ଜଣେ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଛନ୍ତି! ସେ ଗୁରୁତ୍ୱପୂର୍ଣ୍ଣ ବୈଠକ ମଝିରୁ ଉଠିଯାଇ କଂଗ୍ରେସ ଲୋକଙ୍କ ସାଙ୍ଗରେ ଚୁପ୍ଚାପ୍ କଥା ହେଉଛନ୍ତି, କମିଶନର ଗୋପନୀୟ ତଥ୍ୟ ବାହାରକୁ ପହଞ୍ଚାଉଛନ୍ତି।”
ଭାବନ୍ତୁ! ରେଫ୍ରୀ ନିଜେ ଚିତ୍କାର କରି କହୁଛନ୍ତି ଯେ ମୋ ପାଖରେ ଠିଆ ହୋଇଥିବା ଅନ୍ୟ ରେଫ୍ରୀ ଜଣକ ଗୋଟିଏ ଟିମର ଜର୍ସି ପିନ୍ଧିଛନ୍ତି! ଆଉ କଂଗ୍ରେସ ଦ୍ୱାରା ନିଯୁକ୍ତ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ ସେହି ୯୩ ପୃଷ୍ଠାର ରିପୋର୍ଟକୁ କ’ଣ କଲେ? ଅଳିଆରେ କେଉଁଠି ଫିଙ୍ଗିଦେଲେ! ଚାୱଲା ମୁଖ୍ୟ ନିର୍ବାଚନ ଆୟୁକ୍ତ ହେଲେ ଏବଂ ୨୦୦୯ ଲୋକସଭା ନିର୍ବାଚନର ୫ଟିରୁ ୪ଟି ଚରଣ ତାଙ୍କରି ତତ୍ତ୍ୱାବଧାନରେ ହେଲା। ଆଉ ସେହି ନିର୍ବାଚନର ଫଳାଫଳ କ’ଣ ଥିଲା, ତାହା କାହାକୁ ଅଛପା ନାହିଁ— ୟୁପିଏ ପୁଣି କ୍ଷମତାରେ ଥିଲା!
ଯିଏ କାମ କଲେ, ତାଙ୍କୁ କ’ଣ ମିଳିଲା? ପୁରସ୍କାର ଓ ଦଣ୍ଡ ନୀତି
ଏବେ ଏହାର ଅନ୍ୟପଟଟି ଦେଖନ୍ତୁ। ହଣ୍ଡର ଏହି କାହାଣୀରେ ପୁରସ୍କାର ମଧ୍ୟ ରହିଛି। ଯେଉଁ ଅଧିକାରୀମାନେ ଅଡ଼ି ବସିଲେ, ସେମାନଙ୍କ ଅବସ୍ଥା ଆପଣ ଦେଖିଲେ। ଏବେ ଦେଖନ୍ତୁ ଯେଉଁମାନେ ସରକାରଙ୍କ କାମରେ ଆସିଲେ, ସେମାନଙ୍କୁ କ’ଣ ମିଳିଲା?
- ଆର.କେ. ତ୍ରିବେଦୀ: ସେ ସେହି ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିଲେ, ଯିଏ ୧୯୮୪ର ସେହି ନିର୍ବାଚନ କରାଇଥିଲେ ଯେଉଁଥିରେ ରାଜୀବ ଗାନ୍ଧୀଙ୍କୁ ୪୦୦ରୁ ଅଧିକ ସିଟ୍ ମିଳିଥିଲା। ତ୍ରିବେଦୀ ସାହେବ ୩୧ ଡିସେମ୍ବର ୧୯୮୫ରେ ଅବସର ନେଲେ। ଠିକ୍ ୨୬ ଦିନ ପରେ, ୨୬ ଜାନୁଆରୀ ୧୯୮୬ରେ ରାଜୀବ ଗାନ୍ଧୀଙ୍କ ସରକାର ତାଙ୍କ ଗଳାରେ ‘ପଦ୍ମଭୂଷଣ’ ପିନ୍ଧାଇଦେଲେ ଏବଂ ସରକାରୀ ଗଜେଟ୍ରେ ବାକାଏଦା ଲେଖାଗଲା— “ଭୂତପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ”! ଆଉ ଠିକ୍ ୧ ମାସ ପରେ, ୨୬ ଫେବୃଆରୀରେ ସେହି ତ୍ରିବେଦୀ ଗୁଜୁରାଟର ରାଜଭବନରେ ରାଜ୍ୟପାଳ ହୋଇ ବସିଗଲେ! ମାନେ, ରେଫ୍ରୀ ସିଟ୍ ଛାଡ଼ିଲେ ଏବଂ ଦୁଇ ମିନିଟ୍ ଭିତରେ ସେହି ଟିମ୍, ଯାହାକୁ ସେ ୪୦୦ ସିଟ୍ର ସାର୍ଟିଫିକେଟ୍ ଦେଇଥିଲେ, ସେମାନେ ତାଙ୍କୁ ସମ୍ମାନ ମଧ୍ୟ ଦେଲେ ଏବଂ ପଦବୀ ମଧ୍ୟ ସଂପୂର୍ଣ୍ଣ ସମର୍ପିଲେ।
- ଏମ୍.ଏସ୍. ଗିଲ୍: ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିଲେ। ଅବସର ନେବାକ୍ଷଣି ସିଧାସଳଖ କଂଗ୍ରେସରେ ଯୋଗ ଦେଲେ। କଂଗ୍ରେସ ତାଙ୍କୁ ରାଜ୍ୟସଭା ପଠାଇଲା, ତା’ପରେ ୨୦୦୮ରେ ମନମୋହନ ସରକାରରେ ‘କ୍ରୀଡ଼ା ମନ୍ତ୍ରୀ’ କଲେ। ଯେତେବେଳେ ତାଙ୍କର ଦେହାନ୍ତ ହେଲା, ଖୋଦ୍ ମଲ୍ଲିକାର୍ଜୁନ ଖଡଗେ ଶ୍ରଦ୍ଧାଞ୍ଜଳିରେ ଲେଖିଲେ ଯେ— “ସେ ୟୁପିଏ ସରକାରରେ ଆମର ମୁଖ୍ୟ ସହଯୋଗୀ ଥିଲେ!” କାଲି ଯିଏ ମୈଦାନର ଆମ୍ପାୟାର ଥିଲେ, ସେ ଆଜି ସିଧାସଳଖ ଗୋଟିଏ ଟିମ୍ର ଡ୍ରେସିଂ ରୁମ୍ରେ ଯାଇ ବସିଲେ!
ହିସାବ ସମ୍ପୂର୍ଣ୍ଣ ସଫା ଅଛି— ଶକଧର ଅଡ଼ିଲେ, ଚାପ ପିଡ଼ିଲା; ପେରି ଶାସ୍ତ୍ରୀ ଅଡ଼ିଲେ, ଟିକସ୍ ଚଢ଼ଉ ହେଲା; ତ୍ରିବେଦୀ କାମରେ ଆସିଲେ, ପଦ୍ମଭୂଷଣ ଓ ରାଜଭବନ ମିଳିଲା; ଗିଲ୍ କାମରେ ଆସିଲେ, ମନ୍ତ୍ରଣାଳୟ ମିଳିଲା! ୫୦ ବର୍ଷ ଧରି ଗୋଟିଏ ମାତ୍ର ଦୋକାନ ଚାଲିଲା— ଯାହାଙ୍କ ଗୋଟିଏ ହାତରେ ପୁରସ୍କାର ଥିଲା ଏବଂ ଅନ୍ୟ ହାତରେ ଦଣ୍ଡ!
ଟି.ଏନ୍. ଶେଷନ୍ ଏବଂ ପଞ୍ଜାବ ନିର୍ବାଚନର ସବୁଠାରୁ କଳା ଅଧ୍ୟାୟ
ଏବେ ଆପଣଙ୍କ ଭିତରୁ କିଛି ଲୋକ କହିବେ— “ଟି.ଏନ୍. ଶେଷନ୍ଙ୍କ ବିଷୟରେ କ’ଣ କହିବେ? ଶେଷନ୍ ତ ନେତାମାନଙ୍କ ନାକରେ ଦମ କରିଦେଇଥିଲେ!” ଏକାବେଳେ କଥାଟି ସତ, ସେହି ସମୟ ମଧ୍ୟ ସତ୍ୟ ଥିଲା। କିନ୍ତୁ ସମ୍ପୂର୍ଣ୍ଣ ସିନେମାଟି ଦେଖନ୍ତୁ, କେବଳ ଇଣ୍ଟରଭାଲ୍ ସିନ୍ ଦେଖନ୍ତୁ ନାହିଁ। ଶେଷନ୍ଙ୍କ କ୍ୟାରିୟର୍ ଆକାଶ ମାର୍ଗକୁ କିଏ ପହଞ୍ଚାଇଥିଲା? ୧୯୮୮ ମସିହାରେ ଯେତେବେଳେ ତାଙ୍କୁ ପ୍ରତିରକ୍ଷା ସଚିବ କରାଗଲା, ଠିକ୍ ସେହି ସମୟରେ ଯେତେବେଳେ ବୋଫର୍ସ କାଣ୍ଡର ନିଆଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଘେରି ରହିଥିଲା। ଇତିହାସକାର ଜାଫ୍ରେଲୋ ସ୍ପଷ୍ଟ ଲେଖିଛନ୍ତି ଯେ, ବୋଫର୍ସ ଦୁର୍ନୀତିରେ କଂଗ୍ରେସର ହିତକୁ ଶେଷନ୍ ଏପରି ଦକ୍ଷତାର ସହିତ ସୁରକ୍ଷା ଦେଇଥିଲେ ଯେ ପୁରସ୍କାର ସ୍ୱରୂପ ତାଙ୍କୁ ଦେଶର ‘କ୍ୟାବିନେଟ୍ ସଚିବ’ କରିଦିଆଗଲା!
ଏବଂ ପଞ୍ଜାବର ସେହି କଥା ଶୁଣନ୍ତୁ, ଯାହା ଏହି ପୂରା କାହାଣୀର ସବୁଠାରୁ କଳା ପୃଷ୍ଠା। ଜୁନ୍ ୧୯୯୧ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଥିଲା, ତାରିଖ ଥିଲା ୨୨ ଜୁନ୍। କଂଗ୍ରେସ ସେହି ନିର୍ବାଚନକୁ ବର୍ଜନ କରିସାରିଥିଲା। ମାନେ ଯଦି ଭୋଟ୍ ପଡ଼ିଥା’ନ୍ତା, ତେବେ ପଞ୍ଜାବରେ ଯେଉଁ ସରକାର ହୋଇଥା’ନ୍ତା, ସେଥିରେ କଂଗ୍ରେସର ନାମଗନ୍ଧ ବି ନଥା’ନ୍ତା। ପ୍ରଚାର ସରିଯାଇଥିଲା ଏବଂ ସେହି ପ୍ରଚାରର ମୂଲ୍ୟ ରକ୍ତରେ ଦିଆଯାଇଥିଲା— ପ୍ରାୟ ୩୦ ଜଣ ପ୍ରାର୍ଥୀ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇସାରିଥିଲେ!
ଠିକ୍ ସେହି ସପ୍ତାହରେ ଦିଲ୍ଲୀରେ ନରସିଂହ ରାଓଙ୍କ କଂଗ୍ରେସ ସରକାର ଶପଥ ନେଉଥିଲା। ଆଉ ଯେତେବେଳେ କେବଳ ଭୋଟ୍ ପଡ଼ିବା ବାକି ଥିଲା, ମତଦାନର ମାତ୍ର କିଛି ଘଣ୍ଟା ପୂର୍ବରୁ ଶେଷନ୍ଙ୍କ କମିଶନ ସମ୍ପୂର୍ଣ୍ଣ ନିର୍ବାଚନକୁ ରଦ୍ଦ କରିଦେଲା!
୩୦ ଜଣ ପ୍ରାର୍ଥୀଙ୍କ ରକ୍ତ ଯେଉଁ ନିର୍ବାଚନର ଭିତ୍ତିଭୂମି ଥିଲା, ତାକୁ ମାତ୍ର ଗୋଟିଏ ଝଟ୍କାରେ ଅଳିଆଗଦାରେ ଫିଙ୍ଗି ଦିଆଗଲା। ଅବସ୍ଥା ଏପରି ଥିଲା ଯେ ପଞ୍ଜାବର ରାଜ୍ୟପାଳ ଜେନେରାଲ୍ ଓ.ପି. ମଲହୋତ୍ରା ଇସ୍ତଫା ଦେଇଦେଲେ ଏହା କହିକି— “ଏତେ ବଡ଼ ନିଷ୍ପତ୍ତି ନିଆଗଲା ଏବଂ ମତେ ପଚରାଗଲା ମଧ୍ୟ ନାହିଁ!”
ଆଉ ଅକାଳୀ ଦଳ ପରେ ଅଦାଲତରେ ଯାହା ଲେଖିଥିଲା, ତାହା ପଢ଼ିଲେ ଦେହ ଥରି ଉଠେ। ସେମାନେ ଲେଖିଥିଲେ ଯେ ନିର୍ବାଚନ କେବଳ ଏଇଥିପାଇଁ ରଦ୍ଦ କରାଗଲା, କାରଣ କେନ୍ଦ୍ରରେ କଂଗ୍ରେସ ସରକାର ଆସିଯାଇଥିଲା ଏବଂ କଂଗ୍ରେସ ଏହି ନିର୍ବାଚନରେ ସାମିଲ ନ ଥିଲା! ୧୯୯୨ ଫେବୃଆରୀରେ ଯେତେବେଳେ ପୁଣି ନିର୍ବାଚନ ହେଲା, ସେତେବେଳେ କଂଗ୍ରେସ ୧୧୭ରୁ ୮୭ ସିଟ୍ ଜିତି କ୍ଷମତାରେ ବସିଲା ଏବଂ ବେଅନ୍ତ ସିଂହ ମୁଖ୍ୟମନ୍ତ୍ରୀ ହେଲେ।
ହିସାବ ଲଗାନ୍ତୁ— ଯେଉଁ ନିର୍ବାଚନ କଂଗ୍ରେସ ବିନା ହେଉଥିଲା, ତାହା ଶେଷ ମୁହୂର୍ତ୍ତରେ ରଦ୍ଦ; ଆଉ ଯେଉଁ ନିର୍ବାଚନ କଂଗ୍ରେସର ସର୍ତ୍ତରେ ହେଲା, ସେଥିରେ କଂଗ୍ରେସର ସରକାର! ଏହାକୁ ସହଯୋଗ କହିବେ ନା’ ପ୍ରୟୋଗ?
ଶେଷରେ, ଏହି କାହାଣୀର ଶେଷ ଦୃଶ୍ୟ ସବୁଠାରୁ ମଜାଦାର। ଏହି ଶେଷନ୍ ୧୯୯୯ ମସିହାରେ ଗାନ୍ଧୀନଗରରୁ ଆଡଭାନୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବାକୁ ଓହ୍ଲାଇଲେ— କାହାର ଟିକଟ୍ରେ? କଂଗ୍ରେସର ଟିକଟ୍ରେ! କାହାଣୀର ଆରମ୍ଭ ମଧ୍ୟ କଂଗ୍ରେସ ଦ୍ୱାରରୁ ଏବଂ କାହାଣୀର ଶେଷ ମଧ୍ୟ କଂଗ୍ରେସ ଦ୍ୱାରରେ!
ଏହା ଥିଲା ସେହି ପ୍ରକୃତ ଫାଇଲ୍:
- ୧୯୭୫ରେ ଯେଉଁ ଦଳ ନିର୍ବାଚନ ଚୋରି କରୁଥିବାବେଳେ ଅଦାଲତରେ ଧରାପଡ଼ିଥିଲା,
- ୧୯୮୧ରେ ଯେଉଁ ଦଳ ଗଡ଼ୱାଲ୍ ପାହାଡ଼ରେ ପୋଲିସ ପଠାଇ ବୁଥ୍ ଦଖଲ କରିବାକୁ ଚେଷ୍ଟା କରିଥିଲା,
- ୧୯୮୭ରେ ଯେଉଁ ଦଳ ଜଣେ ସଚ୍ଚୋଟ ଆୟୁକ୍ତଙ୍କ ଘରେ ଟିକସର ଛାଉଣୀ ବସାଇଥିଲା,
- ୫୦ ବର୍ଷ ଧରି ଯେଉଁ ଦଳ ନିଯୁକ୍ତିର ଆଇନ ତିଆରି ହେବାକୁ ଦେଇ ନଥିଲା,
- ଯେଉଁ ଦଳ ଜରୁରୀକାଳୀନ ପରିସ୍ଥିତିର ଦାଗୀ ଅଧିକାରୀଙ୍କୁ କମିଶନର ମୁଖ୍ୟ ଚେୟାର୍ ସମର୍ପିଥିଲା,
- ଯେଉଁ ଦଳ ଆମ୍ପାୟାରକୁ ମନ୍ତ୍ରୀ କରିଥିଲା,
ସେହି ଦଳ ଯେତେବେଳେ ଆଜି ନିର୍ବାଚନ କମିଶନ ଉପରେ ଆଙ୍ଗୁଠି ଦେଖାଇ ଭୋଟ୍ ଚୋରିର ପାଟିତୁଣ୍ଡ କରେ, ତେବେ ଆମ ଓଡ଼ିଶାର ଲୋକକଥା ଭାଷାରେ ଗୋଟିଏ କଥା ହିଁ ମନକୁ ଆସେ— “ଓଲଟା ଚୋର୍ ପୁଲିସକୁ ଡରାଉଛି!”
Also read : https://purvapaksa.com/is-he-fit-to-be-the-education-minister/
ଇଏ କ’ଣ ଶିକ୍ଷାମନ୍ତ୍ରୀ ହେବାକୁ ଯୋଗ୍ୟ? || Is he fit to be the Education Minister?


