ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଜି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମ ରାଜ୍ୟର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ସହିତ ଆଦିବାସୀ, ହରିଜନ, ଅଳ୍ପସଂଖ୍ୟକ ଏବଂ ପଛୁଆବର୍ଗ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ କିଛି କମ୍ ନୁହେଁ; ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍.ଏ. ଏବଂ ଜୟପୁର ଆଇନ ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି. ପାସ୍ କରିଛନ୍ତି।
ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଯେତେବେଳେ ରାଜ୍ୟର ଶିକ୍ଷା ଭାର ସମ୍ଭାଳୁଛନ୍ତି, ସେତେବେଳେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା କଥା। କିନ୍ତୁ ବାସ୍ତବ ଚିତ୍ର କ’ଣ କହୁଛି? ଏସବୁ ପରେ ବି, ବିଜେପି ନେତା ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କ’ଣ ପ୍ରକୃତରେ ରାଜ୍ୟର ଶିକ୍ଷାମନ୍ତ୍ରୀ ହେବାକୁ ଯୋଗ୍ୟ? ଏ ପ୍ରଶ୍ନ ଆଜି ଆମର ନୁହେଁ, ବରଂ ସମଗ୍ର ରାଜ୍ୟବାସୀଙ୍କ ମନରେ ଉଠୁଛି।
ଆଜି ଆମେ ଆଲୋଚନା କରିବା, କିପରି ତାଙ୍କର ମନ୍ତ୍ରୀତ୍ୱ କାଳରେ ଗତ ଦୁଇ ବର୍ଷରେ ରାଜ୍ୟର ଆଶ୍ରମ ସ୍କୁଲ ହଷ୍ଟେଲରେ ରହି ପାଠପଢ଼ୁଥିବା ନାବାଳିକାମାନେ ପାଶବିକ ଅତ୍ୟାଚାର ସମ୍ମୁଖୀନ ହୋଇ ଖେଳିଲା ବୁଲିଲା ସମୟରେ ଗର୍ଭବତୀ ହେଉଛନ୍ତି। ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି, ଏକକ ଶିକ୍ଷକ ସ୍କୁଲର ବୃଦ୍ଧି ଏବଂ ଆବାସିକ ବିଦ୍ୟାଳୟଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଭଳି ଘଟଣା ସାମ୍ନାକୁ ଆସିଛି।
ଗତ ଦୁଇବର୍ଷରେ ରାଜ୍ୟର ଆଶ୍ରମ ସ୍କୁଲ ହଷ୍ଟେଲରେ ରହି ପାଠପଢ଼ୁଥିବା ୨୪ ନାବାଳିକା ଗର୍ଭବତୀ
ପ୍ରଥମେ ନଜର ପକାନ୍ତୁ ସବୁଠାରୁ ବଡ଼ ଓ ଚିନ୍ତାଜନକ ଘଟଣା ଉପରେ। ଗତକାଲି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଯେଉଁ ଉତ୍ତର ରଖିଛନ୍ତି ତାହାକୁ ଶୁଣିଲେ ଆପଣମାନଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯିବ। ମନ୍ତ୍ରୀ ବିଧାନସଭାରେ କହିଛନ୍ତି ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାର ଆବାସିକ ବିଦ୍ୟାଳୟରେ ରହୁଥିବା ୨୪ ଜଣ ନାବାଳିକା ଝିଅ ଗର୍ଭବତୀ ହୋଇଥିବା ରିପୋର୍ଟ ହୋଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ଏପରି ନଅଟି ମାମଲା ରିପୋର୍ଟ ହୋଇଥିଲା। ଏଥିରେ ବିଭାଗୀୟ ଅଧିକାରୀ କିଛି ଶିକ୍ଷା ଲାଭ କରି ପଦକ୍ଷେପ ନେବାରେ ବିଫଳ ହେବାରୁ ଏହି ସଂଖ୍ୟା ବୃଦ୍ଧି ପାଇଛି। ୨୦୨୫-୨୬ରେ ଗର୍ଭଧାରଣ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି।
୨୦୨୪-୨୫ରେ ରିପୋର୍ଟ ହୋଇଥିବା ନଅଟି ମାମଲା ମଧ୍ୟରୁ ବାଲେଶ୍ୱର, ଦେବଗଡ଼, କେନ୍ଦୁଝର, କୋରାପୁଟ, ମାଲକାନଗିରି ଏବଂ ମୟୂରଭଞ୍ଜରୁ ଗୋଟିଏ ଲେଖାଏଁ ମାମଲା ରିପୋର୍ଟ ହୋଇଥିଲା, ଯେତେବେଳେ ରାୟଗଡ଼ାରୁ ତିନିଟି ମାମଲା ରିପୋର୍ଟ ହୋଇଥିଲା।
୨୦୨୫-୨୬ ମଧ୍ୟରେ କନ୍ଧମାଳରୁ ପାଞ୍ଚଟି, କୋରାପୁଟରୁ ଚାରିଟି ଏବଂ ଦେବଗଡ଼, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା ଏବଂ ସୁନ୍ଦରଗଡ଼ାରୁ ଗୋଟିଏ ଲେଖାଏଁ ମାମଲା ରିପୋର୍ଟ ହୋଇଥିଲା, ସେ କହିଛନ୍ତି।
ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍ ଏବଂ କୋଟି କୋଟି ଟଙ୍କାର ଅପଚୟ
ଏବେ ଆସିବା ଅନ୍ୟ ଏକ ବଡ଼ ଘଟଣା ଉପରକୁ। ଜଣେ ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟକାଳରେ ଯଦି ଛାତ୍ରଛାତ୍ରୀଙ୍କ ବହିରେ ହିଁ ଭୁଲ୍ ରହେ, ତେବେ ପିଲାମାନେ କ’ଣ ଶିଖିବେ?
ଏକଥା ଆମେ ଅଭିଯୋଗ ଆକାରରେ କହୁନାହୁଁ, ବରଂ ଖୋଦ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଦିନ ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଛପାଯାଇଥିବା ପାଠ୍ୟପୁସ୍ତକରେ ମୋଟ୍ ୧୭୪୧ଟି ଭୁଲ୍ ଚିହ୍ନଟ ହୋଇଛି! ଭାବନ୍ତୁ, ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ସତର ଶହରୁ ଅଧିକ ଭୁଲ୍!
ଏହିଭଳି ଭୁଲ୍ ବହି ଛପାଯିବା କାରଣରୁ ସରକାରୀ ତହବିଲରୁ ଅର୍ଥାତ୍ ଜନସାଧାରଣଙ୍କ ଟିକସ ପଇସାରୁ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ବିରାଟ ପରିମାଣର ଅର୍ଥ ସମ୍ପୂର୍ଣ୍ଣ ଭାବେ ବରବାଦ୍ ହୋଇଗଲା। ଏଥିପାଇଁ କିଏ ଦାୟୀ, କାହାଠାରୁ ଏ ଅର୍ଥ ଆଦାୟ କରାଯିବ ସେ ନେଇ ମନ୍ତ୍ରୀ ମହାଶୟ ନୀରବ ରହିଛନ୍ତି। ସରକାରୀ ଦଳ ଓ କଳ ଭାବି ନେଇଛି ସରକାରଙ୍କ ମାଲ, ଦରିଆରେ ଡାଲ ବୋଲି। ତେଣୁ ଏହି ଅର୍ଥ କାହାଠାରୁ ଭରଣା କରାଯିବ ସେ ନେଇ ମନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀ ଚିନ୍ତା ହିଁ ନାହିଁ। ଯେଉଁ ରାଜ୍ୟରେ ଅର୍ଥ ଅଭାବରୁ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି, ଯଦି ଏହି ଅର୍ଥ ସେମାନଙ୍କୁ ଷ୍ଟାଇପେଣ୍ଡ ଆକାରରେ ଦିଆଯାଇଥାନ୍ତା ତେବେ ରାଜ୍ୟରେ ଡ୍ରପ୍ ଆଉଟ ହାର ନିଶ୍ଚିତ କମିଥାନ୍ତା। ଗତ ଶିକ୍ଷାବର୍ଷରେ ରାଜ୍ୟରେ ୯ରୁ ୧୦ଶ୍ରେଣୀ ମଧ୍ୟରେ ପିଲାମାନଙ୍କ ପାଠପଢ଼ା ଛାଡ଼ିବା ହାର ୧୪.୧ ପ୍ରତିଶତ ବୋଲି ସରକାରୀ କାଗଜକଲମରେ ଦର୍ଶାଯାଉଥିଲେ ହେଁ ପ୍ରକୃତ ପକ୍ଷେ ଏହା ଆହୁରି ଅଧିକ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା— ଏପର୍ଯ୍ୟନ୍ତ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ବା ଠିକ୍ ପୁସ୍ତକଗୁଡ଼ିକ ଯୋଗାଇ ଦିଆଯାଇନଥିବା ନେଇ ବ୍ୟାପକ ଅଭିଯୋଗ ହେଉଛି। ଯଦି ପିଲାମାନେ ଏହି ଭୁଲ୍ ବହି ପଢ଼ିବେ, ତେବେ ତାଙ୍କ ଭବିଷ୍ୟତ କ’ଣ ହେବ?
ଦ୍ୱିତୀୟ ପର୍ଯ୍ୟାୟ: ଗୋଟିଏ ମାତ୍ର ଶିକ୍ଷକଙ୍କ ଭରସାରେ ଚାଲିଥିବା ସ୍କୁଲ୍ ସଂଖ୍ୟା ବୃଦ୍ଧି
ଏବେ ଆସନ୍ତୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରକୁ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ମାନ କେଉଁଆଡ଼କୁ ଗତି କରୁଛି, ତାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ‘ଏକକ ଶିକ୍ଷକ ସ୍କୁଲ୍’ (Single-teacher schools)।
ଆମେ ଆଶା କରିଥିଲେ ଯେ ବିଜେପି ସରକାର ଆସିବା ପରେ ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ଦୂର ହେବ। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତ୍ରିତ୍ୱ କାଳରେ ରାଜ୍ୟରେ ଜଣେ ମାତ୍ର ଶିକ୍ଷକଙ୍କୁ ନେଇ ଚାଲୁଥିବା ସ୍କୁଲ୍ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
- ୨୦୨୩-୨୪ ଶିକ୍ଷା ବର୍ଷରେ: ଏପରି ସ୍କୁଲ୍ ସଂଖ୍ୟା ଥିଲା ୧୦୬୫।
- ୨୦୨୪-୨୫ ଶିକ୍ଷା ବର୍ଷରେ: ଏହା ବୃଦ୍ଧି ପାଇ ହୋଇଥିଲା ୧୦୮୯।
- ୨୦୨୫-୨୬ ଶିକ୍ଷା ବର୍ଷରେ: ଏହା ଆହୁରି ବଢ଼ି ଯାଇ ୩୪ ପ୍ରତିଶତ ବୃଦ୍ଧି ସହିତ ସିଧାସଳଖ ୧୪୫୮ରେ ପହଞ୍ଚିଛି!
ଆପଣମାନେ ଥରେ ଭାବନ୍ତୁ ତ, ଗୋଟିଏ ସ୍କୁଲରେ ଜଣେମାତ୍ର ଶିକ୍ଷକ ଥିଲେ ସେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ କିପରି ପଢ଼ାଇବେ? ଅଫିସ୍ କାମ କରିବେ କି ପିଲାଙ୍କୁ ପାଠ ପଢ଼ାଇବେ? ଏହି ସମସ୍ତ ସ୍କୁଲରେ ପାଠପଢ଼ୁଥିବା ପ୍ରାୟ ୫୯ ହଜାର ୬୭୨ ଜଣ କୋମଳମତି ଛାତ୍ରଛାତ୍ରୀ ଆଜି ଉଚିତ ଶିକ୍ଷାଦାନରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଛନ୍ତି। ଏହା କ’ଣ ଜଣେ ଦକ୍ଷ ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାର ପରିଚୟ ଦିଏ?
ତୃତୀୟ ପର୍ଯ୍ୟାୟ: ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଏବଂ ପ୍ରଶାସନିକ ଉଦାସୀନତା
ବହିର ଭୁଲ୍ ଏବଂ ଶିକ୍ଷକ ଅଭାବ ତ ଗୋଟିଏ ପଟେ, କିନ୍ତୁ ଯେତେବେଳେ ସ୍କୁଲରେ ପଢ଼ୁଥିବା ନିରୀହ ପିଲାମାନେ ଚିକିତ୍ସା ଅଭାବରୁ ପ୍ରାଣ ହରାନ୍ତି, ସେତେବେଳେ ମାନବିକତା ଥରିଉଠେ। ନିତ୍ୟାନନ୍ଦ ଗଣ୍ଡ କେବଳ ଶିକ୍ଷା ନୁହେଁ, ବରଂ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ମଧ୍ୟ ଅଟନ୍ତି। କିନ୍ତୁ ଆଦିବାସୀ ଆବାସିକ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଆଜି କ’ଣ?
ସରକାରୀ ରିପୋର୍ଟରେ ହିଁ ଏହା ସ୍ପଷ୍ଟ ହୋଇଛି:
- ଜୁଲାଇ ୨୦୨୪ ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ରାଜ୍ୟର ବିଭିନ୍ନ ଆଦିବାସୀ ଆବାସିକ ବିଦ୍ୟାଳୟରେ ମୋଟ୍ ୨୬ ଜଣ ଛାତ୍ର ମ୍ୟାଲେରିଆ ପାଇଁ ବିଳମ୍ବିତ ଚିକିତ୍ସା, ସାପ କାମୁଡ଼ା ଏବଂ ଅନ୍ୟାନ୍ୟ ରୋଗ ଯୋଗୁଁ ମୃତ୍ୟୁବରଣ କରିଛନ୍ତି।
- ୨୦୨୫ ଅଗଷ୍ଟରେ: ମ୍ୟାଲେରିଆ ଯୋଗୁଁ ରାୟଗଡ଼ା ଜିଲ୍ଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ୯ ବର୍ଷୀୟ ଛାତ୍ର ପ୍ରାଣ ହରାଇଥିଲେ।
- ୨୦୨୬ ମସିହାରେ: ଏପର୍ଯ୍ୟନ୍ତ ମଧ୍ୟ ଏହି ମୃତ୍ୟୁର ତାଣ୍ଡବ ବନ୍ଦ ହୋଇନାହିଁ।
o ୧୦ ଜୁଲାଇ, ୨୦୨୬ରେ ମାଲକାନଗିରିର ସିନ୍ଧିଗୁଡ଼ା ଆଶ୍ରମ ସ୍କୁଲର ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।
o ୧୪ ଜୁଲାଇ, ୨୦୨୬ରେ ରାୟଗଡ଼ାର ଆତଡ଼ା ସରକାରୀ ଅପଗ୍ରେଡେଡ୍ ହାଇସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ମ୍ୟାଲେରିଆ ମସ୍ତିଷ୍କ ସଂକ୍ରମଣରେ ପରିଣତ ହେବା ପରେ ଆଖି ବୁଜିଛନ୍ତି।
ଭାବନ୍ତୁ, ସରକାରୀ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିବା ଏହି ପିଲାମାନଙ୍କର ସୁରକ୍ଷା ପାଇଁ ଦାୟୀ କିଏ? ସେମାନଙ୍କୁ ସଠିକ୍ ସମୟରେ ଔଷଧ ମିଳୁନି, ମଶାରୀ ମିଳୁନି କି ଡାକ୍ତରୀ ସେବା ମିଳୁନି। ଏହା ଏକ ପ୍ରକାର ପ୍ରଶାସନିକ ହତ୍ୟା ନୁହେଁ ତ? ଆଦିବାସୀ ପିଲାଙ୍କ ବିକାଶ କଥା କହୁଥିବା ମନ୍ତ୍ରୀଙ୍କ ବିଭାଗରେ ଯଦି ପିଲାମାନେ ରୋଗରେ ଛଟପଟ ହୋଇ ମରନ୍ତି, ତେବେ ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ?
ଜଣେ ମନ୍ତ୍ରୀଙ୍କ କାର୍ଯ୍ୟକାଳ କେବଳ ତାଙ୍କର ଡିଗ୍ରୀ କିମ୍ବା ଉଚ୍ଚଶିକ୍ଷା ଦ୍ୱାରା ମାପ କରାଯାଏ ନାହିଁ; ବରଂ ସେ ତାଙ୍କ ଦାୟିତ୍ୱକୁ କିପରି ସୁଚାରୁରୂପେ ତୁଲାଉଛନ୍ତି ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ କରୁଛନ୍ତି, ତାହା ହିଁ ମୂଳକଥା।
ଜଣେ ଏମ୍.ଏ. ଏବଂ ଏଲ୍.ଏଲ୍.ବି. ପାସ୍ କରିଥିବା ନେତା ଯେତେବେଳେ ଶିକ୍ଷାମନ୍ତ୍ରୀ ଥାଆନ୍ତି, ସେତେବେଳେ ଆଶ୍ରମସ୍କୁଲ ହଷ୍ଟେଲରେ ରହୁଥିବା ନାବାଳିକା ଛାତ୍ରୀ ଗର୍ଭବତୀ ହେବା, ବହିରେ ୧୭୪୧ଟି ଭୁଲ୍ ବାହାରୁଛି, ୧୭୫ କୋଟି ଟଙ୍କା ପାଣିରେ ପଡୁଛି, ଏକକ ଶିକ୍ଷକ ସ୍କୁଲ୍ ସଂଖ୍ୟା ବଢ଼ିଚାଲିଛି ଏବଂ ଆବାସିକ ବିଦ୍ୟାଳୟରେ ମ୍ୟାଲେରିଆ ଓ ସାପ କାମୁଡ଼ାରେ ନିରୀହ ପିଲାମାନେ ମୃତ୍ୟୁବରଣ କରୁଛନ୍ତି— ସେତେବେଳେ ଏକଥା ପଚାରିବା ସ୍ୱାଭାବିକ ଯେ, ଇଏ କ’ଣ ଶିକ୍ଷାମନ୍ତ୍ରୀ ହେବାକୁ ଯୋଗ୍ୟ?
ଆଜି ରାଜ୍ୟର ଅଭିଭାବକମାନେ, ବୁଦ୍ଧିଜୀବୀମାନେ ଏବଂ ସାଧାରଣ ଜନତା ଏହି ପ୍ରଶ୍ନର ଉତ୍ତର ବିଜେପି ଦଳ ଏବଂ ମନ୍ତ୍ରୀଙ୍କଠାରୁ ଚାହୁଁଛନ୍ତି। କେବଳ ନିଜ ପଦବୀରେ ରହିବା ନୁହେଁ, ବରଂ ରାଜ୍ୟର ଭବିଷ୍ୟତ ଅର୍ଥାତ୍ ଏହି କୋମଳମତି ଶିଶୁମାନଙ୍କର ଜୀବନ ଓ ଶିକ୍ଷାକୁ ସୁରକ୍ଷା ଦେବା ମନ୍ତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ।
ଏବେ ଆପଣମାନେ ହିଁ ଚିନ୍ତା କରନ୍ତୁ ଏଭଳି ନେତାଙ୍କ ହାତରେ ଆମ ରାଜ୍ୟର କୋମଳମତି ଶିଶୁମାନଙ୍କ ଭବିଷ୍ୟତ କେତେଦୂର ସୁରକ୍ଷିତ?


