ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସବୁଠାରୁ ବଡ଼ ଏବଂ ଚଞ୍ଚଲ୍ୟକର ରାଜନୈତିକ ଖବର ଏବେ ସାମ୍ନାକୁ ଆସିଛି। ଓଡ଼ିଶା ବିଜେପି ଭିତରେ ଲାଗିଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବେ ଧୀରେ ଧୀରେ ହାଟରେ ପଡ଼ି ବ୍ରହ୍ମପୁରରେ ବିକି ହେବା ଭଳି ସ୍ଥିତି ସୃଷ୍ଟି କଲାଣି। ଯେଉଁ କନ୍ଦଳ ଦିନେ ଚାରି କାନ୍ଥ ଭିତରେ ସୀମିତ ଥିଲା, ତାହା ଏବେ ସାର୍ବଜନୀନ ରାସ୍ତାକୁ ଓହ୍ଲାଇ ଆସିଛି। ପ୍ରଶ୍ନ ଉଠୁଛି, କାହା ବଳରେ ବଳିଆନ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ? କାହା ଛତ୍ରଛାୟା ତଳେ ରହି ସେ ନିଜ ଦଳର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଖୋଲାଖୋଲି ବିରୋଧ କରିବାକୁ ସାହସ ଜୁଟାଇଲେ?
ଘଟଣାଟି ଘଟିଛି ଝାରସୁଗୁଡ଼ାରେ। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ତାଙ୍କ ନିଜ ଅଞ୍ଚଳ ଝାରସୁଗୁଡ଼ାରେ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଝାରସୁଗୁଡ଼ାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମର୍ଥକମାନେ ମନ୍ତ୍ରୀଙ୍କୁ ‘ଗୋ ବ୍ୟାକ୍’ ବା ‘ଫେରିଯାଅ’ ଧ୍ୱନି ଦେଇ ଫେରାଇ ଦେଇଛନ୍ତି। ଓଡ଼ିଶାରେ ବିଜେପିର ନୂଆ ସରକାର ଗଢ଼ାହେବା ପରେ ଏଭଳି ଏକ ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଦେଖିବାକୁ ମିଳିଛି, ଯାହା ଶାସକ ଦଳର ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଟିକେ ଗଭୀରକୁ ଯାଇ ଏହି ପୂରା ବିବାଦକୁ ବୁଝିବା। ରାଜନୈତିକ କରିଡରରେ ଏବେ ଗୋଟିଏ ଚର୍ଚ୍ଚା ଜୋର୍ ଧରିଛି ଯେ, ଟଙ୍କଧର ତ୍ରିପାଠୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ଦୃଢ଼ ସମର୍ଥକ। ତେଣୁ ଏହି ବିରୋଧ ପଛରେ କେବଳ ଟଙ୍କଧର ନାହାନ୍ତି, ବରଂ ଦିଲ୍ଲୀରୁ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ଏକ ବଡ଼ ରାଜନୈତିକ ଗୋଟିଚାଳନାର ବାସ୍ନା ଆସୁଛି। ସମୀକ୍ଷକମାନେ କହୁଛନ୍ତି, ସୁରେଶ ପୂଜାରୀଙ୍କ ପରି ଜଣେ ବରିଷ୍ଠ ନେତା ରାଜ୍ୟ ରାଜନୀତିର ଲାଇମ୍ଲାଇଟ୍ରୁ ନ ହଟିଲେ, ଟଙ୍କଧରଙ୍କ ଭଳି ଯୁବ ନେତାମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା କଷ୍ଟକର। ତେଣୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ତାଙ୍କ ନିଜ ଗଡ଼ରେ ବଦନାମ କରିବା ଏବଂ ତାଙ୍କୁ ଘେରିବା ପାଇଁ ଏହି ରଣନୀତି ଆରମ୍ଭ ହୋଇଛି।
ସମସ୍ତେ ଜାଣନ୍ତି, ଝାରସୁଗୁଡ଼ା ରାଜନୀତିରେ ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମଧ୍ୟରେ ସମ୍ପର୍କ ଆଦୌ ଭଲ ନାହିଁ। ଏହି ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଓ ପ୍ରତିଦ୍ୱନ୍ଦ୍ୱିତା ଅନେକ ଦିନର। ଗୋଟିଏ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀକୁ ଦୁଇଜଣ ପ୍ରତିନିଧିତ୍ୱ କରୁଥିବା ବେଳେ ଏଭଳି ବିବାଦ ସ୍ୱାଭାବିକ ମନେ ହୋଇପାରେ, କିନ୍ତୁ ଏହାର ଚେର ଖୁବ୍ ଗଭୀରକୁ ଲମ୍ବିଛି। ଏହି ଲଢ଼େଇ ପ୍ରକୃତରେ ସୁରେଶ ପୂଜାରୀ ବନାମ ଟଙ୍କଧର ତ୍ରିପାଠୀ ନୁହେଁ, ବରଂ ଏହା ସୁରେଶ ପୂଜାରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ଗୋଷ୍ଠୀ କନ୍ଦଳର ଏକ ନୂଆ ରୂପ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।
ନଜର ପକାନ୍ତୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର ରାଜନୈତିକ ପୃଷ୍ଠଭୂମି ଉପରେ। ଶ୍ରୀ ପୂଜାରୀ ହେଉଛନ୍ତି ୭୦ ଏବଂ ୮୦ ଦଶକର ଓଡ଼ିଶାର ଜଣେ ଚର୍ଚ୍ଚିତ ଛାତ୍ରନେତା। ସେ କେବଳ ଜଣେ ସାଧାରଣ ନେତା ନଥିଲେ, ବରଂ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନକୁ ନେତୃତ୍ୱ ଦେଉଥିବା ଜଣେ ତୁଙ୍ଗ ଏବଂ ସ୍ୱାଭିମାନୀ ନେତା ଥିଲେ। ତାଙ୍କ ସମୟର ଛାତ୍ର ଆନ୍ଦୋଳନର ପ୍ରଭାବ ସାରା ଓଡ଼ିଶାରେ ଦେଖିବାକୁ ମିଳିଥିଲା। ପଶ୍ଚିମ ଓଡ଼ିଶା ରାଜନୀତିରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ବରଗଡ଼ ଲୋକସଭା କ୍ଷେତ୍ରକୁ ସେ ନିଜର ମୁଖ୍ୟ ରାଜନୈତିକ କ୍ଷେତ୍ର ଭାବରେ ଗଢ଼ି ତୋଳିଥିଲେ, ସେଠାରୁ ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ। ସେହିପରି ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବା ସହ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆଜି ମୋହନ ମାଝୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି।
ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଭାବରେ ସୁରେଶ ପୂଜାରୀଙ୍କର ବିଜେପି ସଂଗଠନରେ ଗଭୀର ପ୍ରଭାବ ଏବଂ ଅଧିକାର ରହିଛି। ଆଜି ସରକାରରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରେ ‘ନମ୍ବର ଟୁ’ ବୋଲି ଧରାଯାଉଛି ଏବଂ ତାଙ୍କ ପାଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ଏଭଳି ସ୍ଥିତିରେ, ତାଙ୍କ ନିଜ ଜିଲ୍ଲାରେ ତାଙ୍କୁ ଖୋଲାଖୋଲି ବିରୋଧ କରାଯିବା ଏବଂ ନିଜ ଦଳର କର୍ମୀମାନେ ‘ଗୋ ବ୍ୟାକ୍’ ଧ୍ୱନି ଦେବା ଘଟଣାକୁ ରାଜନୀତିରେ ହାଲୁକା ଭାବେ ନିଆଯାଇ ନପାରେ।
ଗୋଟିଏ ପଟେ ସୁରେଶ ପୂଜାରୀଙ୍କ ଭଳି ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ, ଯିଏ ଦୀର୍ଘ ଦଶନ୍ଧି ଧରି ରାଜନୀତିରେ ରହିଛନ୍ତି; ଆଉ ଅପରପକ୍ଷରେ ଟଙ୍କଧର ତ୍ରିପାଠୀ, ଯିଏ ଜଣେ ଯୁବ ନେତା ଏବଂ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
କୁହାଯାଉଛି ଯେ ଯେଉଁମାନେ ସୁରେଶ ପୂଜାରୀଙ୍କୁ ଝାରସୁଗୁଡ଼ାରେ ବିରୋଧ କଲେ, ସେମାନେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖାସ୍ ସମର୍ଥକ। ସେମାନଙ୍କର ଅଭିଯୋଗ ଥିଲା ଯେ ମନ୍ତ୍ରୀ ଜଣକ ସ୍ଥାନୀୟ ବିଧାୟକଙ୍କୁ କୌଣସି ସୂଚନା ନଦେଇ କାହିଁକି ଝାରସୁଗୁଡ଼ା ଗସ୍ତ କରୁଛନ୍ତି? ଯଦିଓ ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଥିଲେ ଯେ ଏହା ତାଙ୍କର ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ଥିଲା, ତଥାପି କର୍ମୀମାନେ ଏହାକୁ ଗ୍ରହଣ କରିନଥିଲେ। ଏହି ପ୍ରଶ୍ନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଟଙ୍କଧରଙ୍କ ସମର୍ଥକମାନେ ଚାହୁଁଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ଯଦି ଝାରସୁଗୁଡ଼ା ଆସିବେ, ତେବେ ସେ ବିଧାୟକଙ୍କୁ ପଚାରି ବା ତାଙ୍କ ଅନୁମତି ନେଇ ଆସନ୍ତୁ। ନଚେତ୍ ଜିଲ୍ଲାରେ ଏକ ସମାନ୍ତରାଳ ସଂଗଠନ ଚାଲିବ, ଯେଉଁଠି କିଛି ଲୋକ ମନ୍ତ୍ରୀଙ୍କ ପଟେ ରହିବେ ଏବଂ ଆଉ କିଛି ଲୋକ ବିଧାୟକଙ୍କ ପଟେ ରହିବେ।
ଗତ ଦୁଇ ବର୍ଷ ହେବ ଝାରସୁଗୁଡ଼ା ବିଜେପିରେ ଏହି ଭିତରୀ ଲଢ଼େଇ ଲାଗିରହିଛି। ଓଡ଼ିଶାର ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ମନ୍ତ୍ରୀ ଏବଂ ବିଧାୟକଙ୍କ ମଧ୍ୟରେ ଏଭଳି ବିରୋଧାଭାସ ରହିଛି, କିନ୍ତୁ ଝାରସୁଗୁଡ଼ାରେ ଏହା ସାର୍ବଜନୀନ ଭାବେ ରାସ୍ତା ଉପରକୁ ଆସିବା ବିଜେପି ଭିତରେ ଥିବା ତୀବ୍ର ଗୋଷ୍ଠୀ କନ୍ଦଳର ଏକ ଜ୍ୱଳନ୍ତ ଉଦାହରଣ।
ସେହି ସୂତ୍ର, ଯାହା ଏହି ପୂରା ବିବାଦର କେନ୍ଦ୍ରବିନ୍ଦୁ। ଦଳ ଭିତରେ ସମସ୍ତେ ଜାଣନ୍ତି ଯେ ଟଙ୍କଧର ତ୍ରିପାଠୀଙ୍କ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ହାତ ରହିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଛାତ୍ର ଜୀବନରୁ ହିଁ ତାଙ୍କର ରାଜନୈତିକ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା। ସୁରେଶ ପୂଜାରୀଙ୍କ ପରେ ଆସିଥିଲେ ମଧ୍ୟ ରାଜନୈତିକ ସଫଳତା ଏବଂ ପଦପଦବୀ ଦୃଷ୍ଟିରୁ ଶ୍ରୀ ପ୍ରଧାନ, ସୁରେଶ ପୂଜାରୀଙ୍କଠାରୁ ବହୁ ଆଗକୁ ଚାଲିଯାଇଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ବିଧାୟକ ହୋଇଛନ୍ତି, ଦୁଇ ଦୁଇ ଥର ଲୋକସଭା ସାଂସଦ ହୋଇଛନ୍ତି, ଦୁଇ ଥର ରାଜ୍ୟସଭା ସାଂସଦ ହୋଇଛନ୍ତି ଏବଂ ଦୀର୍ଘ ସମୟ ଧରି କେନ୍ଦ୍ରରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଜାତୀୟ ସ୍ତରରେ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ସହ ସେ କେନ୍ଦ୍ରୀୟ ବିଜେପିର ଜଣେ ଆଗଧାଡ଼ିର କ୍ଷମତାଶାଳୀ ନେତା।
ଦଳ ଭିତରେ ଏହା ମଧ୍ୟ ଚର୍ଚ୍ଚାର ବିଷୟ ଯେ, ସୁରେଶ ପୂଜାରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ କେବେ ବି ଗୋଟିଏ ଗୋଷ୍ଠୀର ନଥିଲେ। ସେମାନଙ୍କ ମଧ୍ୟରେ ଥିବା ବୈଚାରିକ ଏବଂ ଗୋଷ୍ଠୀଗତ ଦୂରତା ବହୁ ପୁରୁଣା। ତେଣୁ ଟଙ୍କଧରଙ୍କ ସମର୍ଥକମାନେ ସୁରେଶ ପୂଜାରୀଙ୍କୁ ଯେଉଁ ବିରୋଧ କରୁଛନ୍ତି, ତାହା ପ୍ରକୃତରେ ସୁରେଶ ପୂଜାରୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଥିବା ଲଢ଼େଇକୁ ହିଁ ସୂଚାଉଛି। ଏହା ବିଜେପି ଲାଗି ଆଗାମୀ ଦିନରେ ଏକ ବଡ଼ ରାଜନୈତିକ ବିପଦର ସଙ୍କେତ ହୋଇପାରେ।
ରାଜ୍ୟ ରାଜନୀତିରେ ଏବେ ଝାରସୁଗୁଡ଼ା ଘଟଣାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବିବାଦର ଯେଉଁ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ତାହା ଆଗକୁ କେଉଁ ରୂପ ନେବ? ଦଳୀୟ ହାଇକମାଣ୍ଡ ଏହି ଶୃଙ୍ଖଳାଭଙ୍ଗକାରୀ କର୍ମୀ ଓ ବିଧାୟକଙ୍କ ବିରୋଧରେ କି ପଦକ୍ଷେପ ନେବେ? କିମ୍ବା ଓଡ଼ିଶା ବିଜେପିରେ ଏହି ଗୋଷ୍ଠୀ କନ୍ଦଳ ଆହୁରି ଉଗ୍ର ରୂପ ଧାରଣ କରିବ? ସାରା ଓଡ଼ିଶାର ରାଜନୀତି ଏବେ ଏହି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛି।
AlsoRead; https://purvapaksa.com/covid-strikes-again-caution-for-puri-rath-yatra-2026/


