ଭାରତୀୟ ରାଜନୀତିର ପରିଭାଷା ବଦଳିବାରେ ଲାଗିଛି। ଦିନ ଥିଲା, ଭାରତୀୟ ଜନତା ପାର୍ଟି (ବିଜେପି)କୁ କେବଳ ‘କ୍ୟାଡର ଭିତ୍ତିକ’ ଏବଂ ‘ଆରଏସଏସ’ ଦ୍ୱାରା ନିୟନ୍ତ୍ରିତ ଏକ ଅନୁଶାସିତ ଦଳଭାବେ ଗ୍ରହଣ କରାଯାଉଥିଲା। ବିଶ୍ୱାସ କରାଯାଉଥିଲା ଯେ, ଯିଏ ଶାଖାରୁ ପ୍ରଶିକ୍ଷିତ ହୋଇନାହିଁ, ତା’ ପାଇଁ ଦଳର ଶୀର୍ଷ ପଦବୀ କିମ୍ବା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆକାଶ କଇଁଆ ଚିଲିକା ମାଛ ଭଳି। କିନ୍ତୁ ଗତ ଦଶନ୍ଧି ମଧ୍ୟରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱାଧୀନ ବିଜେପି ଏହି ପାରମ୍ପରିକ ଧାରଣାକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗି ଦେଇଛି। ଆଜିର ବିଜେପି ଏକ ‘ନିର୍ବାଚନ ଜିତିବା ମେସିନ’ରେ ପରିଣତ ହୋଇଛି, ଯେଉଁଠି ନିଷ୍ଠା ଅପେକ୍ଷା ‘ୱିନେବିଲିଟି’ ବା ଜିତିବାର କ୍ଷମତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହିମନ୍ତ ବିଶ୍ୱ ଶର୍ମାଙ୍କଠାରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପର୍ଯ୍ୟନ୍ତ, ଅଣ-ଆରଏସଏସ ନେତାମାନେ ବିଜେପିରେ କେବଳ ସ୍ଥାନ ପାଇନାହାନ୍ତି, ବରଂ ଶାସନର ମୁଖ୍ୟ ସୂତ୍ରଧର ସାଜିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ରଣନୀତି ଆସାମ, ବିହାର କିମ୍ବା ବଙ୍ଗଳାରେ ସଫଳ ହେଉଛି, ତାହା ଓଡ଼ିଶା ମାଟିରେ କାହିଁକି ବିଫଳ ପ୍ରମାଣିତ ହେଉଛି? ଆଜିର ପଲଟିକାଲ ଭାଗବତରେ ଆଲୋଚନା କରିବା ଓଡ଼ିଶା ବିଜେପିରେ ‘ଆମଦାନୀ’ ନେତାମାନେ କାହିଁକି କୋଣଠେସା ହୋଇ ରହୁଛନ୍ତି?
ଜାତୀୟ ପ୍ରେକ୍ଷାପଟ୍ଟ: ପ୍ରାୟୋଗିକ ରାଜନୀତିର ନୂଆ ପରିଭାଷା
ବିଜେପିର ବଦଳୁଥିବା ସ୍ୱରୂପକୁ ବୁଝିବାକୁ ହେଲେ ଆମକୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉଦାହରଣ ଦେଖିବାକୁ ହେବ। ୨୦୧୫ରେ ଯେତେବେଳେ ସେ କଂଗ୍ରେସ ଛାଡ଼ିଥିଲେ, ବିଜେପି ତାଙ୍କୁ କେବଳ ଗ୍ରହଣ କଲାନାହିଁ, ବରଂ ସମଗ୍ର ଉତ୍ତର-ପୂର୍ବ ଭାରତର ଦାୟିତ୍ୱ ତାଙ୍କ କାନ୍ଧରେ ନ୍ୟସ୍ତ କଲା। ପରେ ସର୍ବାନନ୍ଦ ସୋନୱାଲଙ୍କ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ହୋଇ ଏବେ ଆସାମ ମୁଖ୍ୟମନ୍ତ୍ରୀ। ଚଳିତ ନିର୍ବାଚନରେ ବିଜେପି ଜିତିଲେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ବହୁତ ଅଧିକ ରହିଛି। ଜଣେ ପୁରୁଖା କଂଗ୍ରେସୀ ନେତା ଭାବେ ଜଣାଶୁଣା ହିମନ୍ତ ଆଜି ବିଜେପିର ସବୁଠାରୁ ପ୍ରଭାବଶାଳୀ ହିନ୍ଦୁତ୍ୱ ଚେହେରା।
ସେହିପରି ବିହାରରେ ସମ୍ରାଟ ଚୌଧୁରୀ, ଯିଏ କେବେ ଆରଜେଡିର ଶକ୍ତିଶାଳୀ ନେତା ଥିଲେ ସେ ୨୦୨୨ରେ ବିଜେପିରେ ଯୋଗଦେଇଥିଲେ। ତାଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କଲା। ଏବେ ମୁଖ୍ୟମନ୍ତ୍ରୀ କରିଛି।
ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି। ୨୦୨୧ରେ ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଉପରେ ଏତେ ଭରସା କଲା ଯେ ଟିଏମସିର ଗଡ଼ ଭାଙ୍ଗିବା ପାଇଁ ବିଜେପି ତାଙ୍କୁ ବିରୋଧୀ ଦଳ ନେତା କରିବା ସହ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମଧ୍ୟ ନିର୍ବାଚନରେ ଉପସ୍ଥାପିତ କରୁଛି।
ଏହି ତାଲିକାରେ ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଉତ୍ତରପ୍ରଦେଶର ଜିତିନ ପ୍ରସାଦଙ୍କ ନାମ ମଧ୍ୟ ରହିଛି। ଏମାନେ ସମସ୍ତେ ହେଉଛନ୍ତି ସେହି ନେତା, ଯେଉଁମାନେ ବିଜେପିର ମୂଳ ଆଦର୍ଶରେ ଗଢ଼ା ହୋଇନାହାନ୍ତି, କିନ୍ତୁ ବିଜେପିର ‘ବିଜୟ ରଥ’ ପାଇଁ ସାରଥି ସାଜିଛନ୍ତି। ଦଳ ସେମାନଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ କରିଛି। ଏଠାରେ ‘ପରିବାର’ ବା ‘ଆଦର୍ଶ’ ଅପେକ୍ଷା ‘ଫଳାଫଳ’କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି।
ଓଡ଼ିଶାର ବିଡ଼ମ୍ବନା: ‘ନିଜ ଲୋକଙ୍କ’ ଚକ୍ରବ୍ୟୂହରେ ଆଗନ୍ତୁକ
ଏବେ ଆସିବା ଓଡ଼ିଶା ପ୍ରସଙ୍ଗକୁ। ଓଡ଼ିଶାରେ ବିଜେପି ଦୀର୍ଘ ଦିନ ଧରି ଶାସନକୁ ଆସିବା ପାଇଁ ସଂଘର୍ଷ କରୁଥିଲା। ଯେତେବେଳେ ବି ଅନ୍ୟ ଦଳରୁ ପ୍ରଭାବଶାଳୀ ନେତାମାନେ ବିଜେପିକୁ ଆସିଛନ୍ତି, ସେମାନଙ୍କୁ ଦଳର ‘ପୁରୁଣା’ ବା ‘ମୂଳ’ ନେତାମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ଆଭ୍ୟନ୍ତରୀଣ କନ୍ଦଳ ଓ ଅସହଯୋଗ ଯୋଗୁଁ ଅନେକ ବଡ଼ ଚେହେରା ଦଳରେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି।
ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଅର୍ଚ୍ଚନା ନାୟକ ଏବଂ ରଘୁନାଥ ମହାନ୍ତିଙ୍କ ଭଳି ନେତାମାନେ ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ। ସେମାନଙ୍କ ପାଖରେ ସାଂଗଠନିକ ଦକ୍ଷତା ଏବଂ ଜନଆଧାର ଥିଲେ ସୁଦ୍ଧା ବିଜେପି ଭିତରେ ସେମାନଙ୍କୁ ସ୍ୱାଧୀନ ଭାବେ କାମ କରିବାକୁ ସୁଯୋଗ ମିଳିଲା ନାହିଁ। ପରିଣାମସ୍ୱରୂପ, ସେମାନେ ନୀରବ ରହିବାକୁ ଶ୍ରେୟ ମନେ କଲେ କିମ୍ବା ଦୂରେଇ ଗଲେ।
ଆଜିର ସମୟରେ ବୈଜୟନ୍ତ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ ଓ ଅର୍ଚ୍ଚନା ନାୟକଙ୍କ ଭଳି ନେତାମାନେ ବିଜେପିରେ ଅଛନ୍ତି ସତ, କିନ୍ତୁ ସେମାନଙ୍କୁ ପ୍ରତି ପଦକ୍ଷେପରେ ଦଳର ପୁରୁଣା ଗୋଷ୍ଠୀର ବିରୋଧ ଓ ଅସହଯୋଗର ସାମ୍ନା କରିବାକୁ ପଡ଼ୁଛି। ରାଜ୍ୟ ବିଜେପିର ଏକ ଶକ୍ତିଶାଳୀ ଗୋଷ୍ଠୀ ମନେକରନ୍ତି ଯେ, ଯଦି ବାହାରୁ ଆସିଥିବା ନେତାମାନେ ସଫଳ ହୋଇଯାନ୍ତି, ତେବେ ସେମାନଙ୍କର ଅସ୍ତିତ୍ୱ ବିପଦରେ ପଡ଼ିବ। ଏହି ଭୟ ଓ ସଂକୀର୍ଣ୍ଣ ମାନସିକତା ଓଡ଼ିଶାରେ ବିଜେପିର ଅଭିବୃଦ୍ଧିରେ ସବୁଠାରୁ ବଡ଼ ପ୍ରତିବନ୍ଧକ।
ନେତୃତ୍ୱର ସଂକଟ ଓ ‘ଟହଲିଆ’ ସଂସ୍କୃତି
ଓଡ଼ିଶା ବିଜେପିର ଅନ୍ୟ ଏକ ଦୁର୍ବଳ ଦିଗ ହେଉଛି ସ୍ଥାନୀୟ ନେତୃତ୍ୱର ଜନଆଧାର ଶୂନ୍ୟତା। ଦଳରେ ଏମିତି ଅନେକ ନେତା ଅଛନ୍ତି ଯେଉଁମାନେ ନିଜ ନିର୍ବାଚନ ମଣ୍ଡଳୀରେ ଜିତିବାର ସାମର୍ଥ୍ୟ ରଖୁନାହାନ୍ତି, କିନ୍ତୁ ଦଳୀୟ ପଦପଦବୀରେ ରହି ନିଷ୍ପତ୍ତି ନେଉଛନ୍ତି। ସବୁଠାରୁ ଦୁଃଖଦାୟକ କଥା ହେଉଛି, ରାଜ୍ୟର ଅନେକ ବଡ଼ ନେତା ନିଜକୁ ଜଣେ ସ୍ୱାଧୀନ ଓ ଜନସେବକ ଭାବେ ଗଢ଼ିବା ପରିବର୍ତ୍ତେ ‘ଦିଲ୍ଲୀଶ୍ୱର’ ବା କେନ୍ଦ୍ରମନ୍ତ୍ରୀମାନଙ୍କ ପଛରେ ବୁଲିବାକୁ ନିଜର ସଫଳତା ବୋଲି ଭାବୁଛନ୍ତି।
ଯେତେବେଳେ କୌଣସି କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି, ରାଜ୍ୟ ନେତାମାନଙ୍କ ମଧ୍ୟରେ ତାଙ୍କ ପଛରେ ଟହଲ ମାରିବା ଏବଂ ଫଟୋ ଉଠାଇବା ପାଇଁ ପ୍ରତିଯୋଗିତା ଲାଗୁଛି। ଏହି ‘ଟହଲିଆ’ ସଂସ୍କୃତି ଯୋଗୁଁ ସେମାନେ ଜନସାଧାରଣଙ୍କ ସମସ୍ୟାଠାରୁ ଦୂରେଇ ଯାଉଛନ୍ତି। ଓଡ଼ିଶା ଶାସନ କରିବାର ସ୍ୱପ୍ନ ଦେଖୁଥିବା ଗୋଟିଏ ଦଳ ପାଇଁ ଏହା ଅତ୍ୟନ୍ତ ବିଡ଼ମ୍ବନା। ଯେଉଁ ନେତାମାନେ ଜନତାଙ୍କ ହୃଦୟ ଜିତିବା କଥା, ସେମାନେ କେବଳ କେନ୍ଦ୍ରୀୟ ନେତାଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ।
ଓଡ଼ିଶା ବିଜେପି ପାଇଁ ଆହ୍ୱାନ
ଯଦି ବିଜେପି ପ୍ରକୃତରେ ଓଡ଼ିଶାରେ କ୍ଷମତାରେ ବେଶୀ ଦିନ ରହିବାକୁ ଚାହୁଁଛି, ତେବେ ତାକୁ ନିଜର ଆଭ୍ୟନ୍ତରୀଣ ରଣନୀତିରେ ପରିବର୍ତ୍ତନ ଆଣିବାକୁ ହେବ।
1. ଆନ୍ତରିକ ଗ୍ରହଣଶୀଳତା: ବାହାରୁ ଆସୁଥିବା ନେତାମାନଙ୍କୁ କେବଳ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର ନ କରି, ସେମାନଙ୍କୁ ସାଂଗଠନିକ କ୍ଷମତା ଓ ସମ୍ମାନ ଦେବାକୁ ହେବ।
2. କ୍ୟାଡର ଓ ନେତୃତ୍ୱ ମଧ୍ୟରେ ସମନ୍ୱୟ: ପୁରୁଣା କର୍ମକର୍ତ୍ତାଙ୍କ ଆବେଗକୁ ସମ୍ମାନ ଦେବା ସହ ନୂଆ ନେତୃତ୍ୱର ଜନପ୍ରିୟତାକୁ କିଭଳି ବିନିଯୋଗ କରାଯାଇପାରିବ, ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱକୁ ହସ୍ତକ୍ଷେପ କରିବାକୁ ପଡ଼ିବ।
3. ସ୍ୱୟଂଶାସିତ ନେତୃତ୍ୱ: ରାଜ୍ୟ ନେତାମାନେ ‘ହାଇକମାଣ୍ଡ’ ସଂସ୍କୃତିରୁ ବାହାରି ନିଜ ଗୋଡ଼ରେ ଠିଆ ହେବା ଶିଖିବା ଉଚିତ। କେନ୍ଦ୍ରମନ୍ତ୍ରୀଙ୍କ ପଛରେ ବୁଲିବା ଅପେକ୍ଷା ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ଜଡ଼ିତ ହେବା ଜରୁରୀ।
ବିଜେପି ଏକ ପରିବର୍ତ୍ତନଶୀଳ ଦଳ। ଜାତୀୟ ସ୍ତରରେ ଏହା ପ୍ରମାଣିତ ହୋଇସାରିଛି। କିନ୍ତୁ ଓଡ଼ିଶା ବିଜେପି ଏବେ ବି ସେହି ପୁରୁଣା ଗୋଷ୍ଠୀ କନ୍ଦଳ ଓ ଅସନ୍ତୋଷର ବଳୟ ଭିତରେ ଛନ୍ଦି ହୋଇ ରହିଛି। ଆସାମ କିମ୍ବା ବଙ୍ଗଳା ଭଳି ଓଡ଼ିଶାରେ ମଧ୍ୟ ବାହାରୁ ଆସିଥିବା ନେତାଙ୍କୁ ‘ଗେମ୍ ଚେଞ୍ଜର’ ଭାବେ ବ୍ୟବହାର କରିବାର ସମୟ ଆସିଛି। ଯଦି ଦଳର ପୁରୁଣା ନେତାମାନେ ନିଜର ‘ଅହଂ’ ତ୍ୟାଗ ନ କରନ୍ତି ଏବଂ ‘ଟହଲିଆ’ ମାନସିକତାରୁ ମୁକୁଳି ନ ପାରନ୍ତି, ତେବେ ଓଡ଼ିଶାରେ ପରିବର୍ତ୍ତନର ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଯିବ। ବିଜେପି ବଦଳୁଛି, ଏହା ଓଡ଼ିଶାବାସୀ କେବେ ଅନୁଭବ କରିବେ, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ।
ବିଜେପି ଆଜି ଦେଶର ଅନ୍ୟ ରାଜ୍ୟରେ ନୂଆ ରାଜନୀତିର ଏକ ମଡେଲ୍ ସୃଷ୍ଟି କରିଛି—ଯେଉଁଠାରେ ଆଦର୍ଶ ଓ ପ୍ରାଗମାଟିଜ୍ମର ସମନ୍ୱୟ ରହିଛି।
କିନ୍ତୁ ଓଡ଼ିଶାରେ ସେହି ପରିବର୍ତ୍ତନ ଏବେ ପର୍ଯ୍ୟନ୍ତ ଆସିନାହିଁ। ଯଦି ଏହା ଚାଲିଥାଏ, ତେବେ ଦଳ ରାଜ୍ୟରେ ଶକ୍ତିଶାଳୀ ବିକଳ୍ପ ହେବାର ସୁଯୋଗ ହରାଇଦେବ।
ସମୟ ଆସିଗଲା—
ବିଜେପିକୁ ନିଜକୁ ପ୍ରଶ୍ନ କରିବାକୁ ପଡ଼ିବ:
“ଦେଶରେ ଯେଉଁ ପରିବର୍ତ୍ତନ ସଫଳ, ସେହି ପରିବର୍ତ୍ତନ ଓଡ଼ିଶାରେ କାହିଁକି ନୁହେଁ?”
ଏହି ପ୍ରଶ୍ନର ଉତ୍ତର ହିଁ ଦଳର ଭବିଷ୍ୟତ ନିର୍ଣ୍ଣୟ କରିବ।
AlsoRead; https://purvapaksa.com/naqvis-new-drama-about-ipl/
ଆଇପିଏଲ୍କୁ ନେଇ ନକଭିଙ୍କ ନୂଆ ଡ୍ରାମା || Naqvi’s new drama about IPL


