ଓଡ଼ିଶା ରାଜନୀତିରେ ଆଜି ଏକ ଏଭଳି ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି, ଯାହା କେବଳ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ନୁହେଁ, ବରଂ ଓଡ଼ିଶାର ବହୁଚର୍ଚ୍ଚିତ ଦଳିତ ସମାଜର ସ୍ୱାଭିମାନ ଏବଂ ରାଜନୈତିକ ବୈଷମ୍ୟକୁ ପୁଣିଥରେ ପରଦା ସାମ୍ନାକୁ ଆଣିଛି। ପ୍ରଶ୍ନ ଉଠୁଛି—କାହିଁକି ଆଜି ବିଜୁ ଜନତା ଦଳ ବା ବିଜେଡି ଏବଂ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ “ଦଳିତ ବିରୋଧୀ” ବୋଲି କୁହାଯାଉଛି? କ’ଣ ରହିଛି ଏହାର ପ୍ରକୃତ କାହାଣୀ ? ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ଦଳ କ୍ରମଶଃ ଦଳିତ ବିରୋଧୀ ବୋଲି ପ୍ରମାଣିତ ହେବାରେ ଲାଗିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାର ମୂଳରେ ରହିଛି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ତଥା ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କର ଏକ ବିବାଦୀୟ ସମାଜିକ ଗଣମାଧ୍ୟମ ପୋଷ୍ଟ।
ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଦାୟିତ୍ୱ ଗ୍ରହଣ କରିବା ପରେ ଯେଉଁ ବୟାନ ଦେଇଥିଲେ, ତାହାକୁ ନେଇ ଏବେ ସମଗ୍ର ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବିବାଦରେ ବିଜେଡି ସଭାପତିଙ୍କଠାରୁ ଆରମ୍ଭ କରି ଦଳର ସମସ୍ତ ବଡ଼ ବଡ଼ ନେତା ଯେଉଁଭଳି ଭାବରେ ପ୍ରତିକ୍ରିୟା ରଖିଛନ୍ତି, ତାହା ପଛରେ ଏକ ଗଭୀର ମାନସିକତା ଲୁଚି ରହିଛି ବୋଲି ଅଭିଯୋଗ ହେଉଛି।
ମୁଖ୍ୟ ଘଟଣା ଏବଂ ସଂତୃପ୍ତ ମିଶ୍ରଙ୍କ ଏକ୍ସ ପୋଷ୍ଟ

ପ୍ରଥମେ ଜାଣିବା କଥା କ’ଣ ଥିଲା? ଗତକାଲି ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କ ନିଯୁକ୍ତି ପରେ, ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ତଥା ରାଜନୈତିକ ସଚିବ ଏବଂ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ତୀବ୍ର ଓ ବ୍ୟଙ୍ଗାତ୍ମକ ପୋଷ୍ଟ ସେୟାର କରିଥିଲେ।
ସଂତୃପ୍ତ ମିଶ୍ର ସେଥିରେ ଲେଖିଥିଲେ ତାହା ଓଡ଼ିଆରେ ଏହିପରି :
“ଏହା ମନେହୁଏ ଯେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳଙ୍କ ରାଜନୈତିକ ପ୍ରାଥମିକତା ମନରେ ସମ୍ପୂର୍ଣ୍ଣ ସ୍ପଷ୍ଟ। ସାମ୍ବିଧାନିକ କର୍ତ୍ତବ୍ୟ ପ୍ରତି ତାଙ୍କର ଆଗ୍ରହ ଯାହା ହେଉନା କାହିଁକି, ତାଙ୍କ ନିଜସ୍ୱ ରାଜନୈତିକ ଦୃଷ୍ଟିକୋଣରେ ଏପରି ଉଜ୍ଜ୍ୱଳ ସ୍ପଷ୍ଟତା ଉଲ୍ଲେଖନୀୟ! ଗଣତନ୍ତ୍ରର ନୂତନ ପରିଭାଷା – ଏକ ସାମ୍ବିଧାନିକ ପଦବୀରେ ରହି ଦଳୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବା! ପ୍ରକୃତରେ ପ୍ରଶଂସନୀୟ! ଆମକୁ ଏପରି ସଚ୍ଚୋଟ ଏବଂ ସ୍ୱଚ୍ଛ ବ୍ୟବସ୍ଥା ଆବଶ୍ୟକ! ଯଦି ଏହିପରି ଅଧିକ ରାଜ୍ୟପାଳ ନିଯୁକ୍ତ ହୁଅନ୍ତି, ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମର ଗଣତନ୍ତ୍ର ନିଶ୍ଚିତ ଭାବରେ ସୁଦୃଢ଼ ହେବ!”
ଜଣେ ଦାୟିତ୍ୱସମ୍ପନ୍ନ ରାଜ୍ୟସଭା ସାଂସଦ ଏବଂ ଜଣେ ବରିଷ୍ଠ ନେତାଙ୍କ ଏଭଳି ଭାଷା କେବଳ ଜଣେ ବ୍ୟକ୍ତିଗତ ମତାମତ ନୁହେଁ। ଏହା ସ୍ପଷ୍ଟ ଭାବରେ ସୂଚାଉଛି ଯେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ତଥା ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ଯାହା କହିଛନ୍ତି, ତାହା ନିଶ୍ଚିତ ଭାବରେ ତାଙ୍କ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କହିଥିବେ। ବିନା ସଭାପତିଙ୍କ ସବୁଜ ସଙ୍କେତରେ ଏଭଳି ସାମ୍ବିଧାନିକ ପଦବୀଧାରୀଙ୍କ ବିରୁଦ୍ଧରେ ଖୋଲାଖୋଲି ଆକ୍ରମଣ କରାଯାଇପାରିବ କି? ଏହା ଏକ ବଡ଼ ପ୍ରଶ୍ନ।
ରାଜ୍ୟପାଳ ବ୍ରଜମୋହନ ରାମଙ୍କ ପ୍ରକୃତ ବୟାନ କ’ଣ ଥିଲା?

କିନ୍ତୁ ପ୍ରକୃତରେ ଘଟଣା କ’ଣ ଥିଲା? ରାଞ୍ଚିରେ ଏକ ଖବର ସଂସ୍ଥା ସହିତ ହୋଇଥିବା ଏକ ସାକ୍ଷାତକାରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ କହିଥିଲେ ଯେ, ଦାୟିତ୍ୱ ଗ୍ରହଣ କରିବା ପରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ସଂଗଠନକୁ ମଜବୁତ କରିବା ଏବଂ ଓଡ଼ିଶାରେ ଦଳର ଅନୁସୂଚିତ ଜାତି (ଏସ୍.ସି.) ମୋର୍ଚ୍ଚାକୁ ସକ୍ରିୟ କରିବା ପାଇଁ କାମ କରିବାକୁ ଯୋଜନା କରୁଛନ୍ତି। ସେ ନିଜକୁ ଜଣେ ବିଶ୍ୱସ୍ତ ବିଜେପି କର୍ମୀ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ସେ ଦଳ ପାଇଁ ଅଧିକ ଭୋଟ ପାଇବାକୁ ଚେଷ୍ଟା କରିବେ।
ଏହି ବୟାନକୁ ଆଧାର କରି ଦଳର ସଭାପତି ନବୀନ ପଟ୍ଟନାୟକ ଏବଂ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ତୀବ୍ର ସମାଲୋଚନା କରି କହିଥିଲେ ଯେ, ସେମାନେ ଏଥିରେ “ଚକିତ” ଏବଂ ଏହି ମନ୍ତବ୍ୟଗୁଡ଼ିକ ସାମ୍ବିଧାନିକ ନୀତିକୁ ବାତିଲ କରେ ଯେ ଜଣେ ରାଜ୍ୟପାଳ ଦଳୀୟ ରାଜନୀତିରୁ କଠିନ ଭାବରେ ଊର୍ଦ୍ଧ୍ୱରେ ରହିବା ଉଚିତ। କେବଳ ଏତିକି ନୁହେଁ, ବିଜେଡିଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପରିଚାଳିତ କିଛି ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ ମଧ୍ୟ ନବନିଯୁକ୍ତ ରାଜ୍ୟପାଳଙ୍କୁ ଟାର୍ଗେଟ୍ କରି ଅଭିଯାନ ଚଳାଇଥିବା କୁହାଯାଉଛି।
କିନ୍ତୁ ସବୁଠାରୁ ବଡ଼ କଥା ହେଲା—ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ହେଉଛନ୍ତି ଜଣେ ଦଳିତ ସମ୍ପ୍ରଦାୟର ନେତା। ତାଙ୍କ ମନରେ କୌଣସି ରାଜନୈତିକ ପେଞ୍ଚ ବା କପଟ ନଥିବା ତାଙ୍କ ସରଳ ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡୁଛି। ସେ ଜଣେ ସାଧାରଣ କର୍ମୀ ଭାବରେ ନିଜର ଭାବନାକୁ ସରଳ ଭାଷାରେ ପ୍ରକାଶ କରିଥିଲେ। ତେଣୁ ସେ କୌଣସି ରାଜନୈତିକ ଆକ୍ରମଣର ଉଦ୍ଦେଶ୍ୟ ରଖି ନଥିଲେ, ବରଂ ସରଳ ମନରେ ଏହା କହିଥିଲେ।
କିନ୍ତୁ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ନେତାମାନେ ଏହାକୁ ପ୍ରସଙ୍ଗ କରି ଜଣେ ଦଳିତ ପୃଷ୍ଠଭୂମିର ରାଜ୍ୟପାଳଙ୍କୁ ଯେପରି ଭାବରେ ଟାର୍ଗେଟ୍ କଲେ, ତାହା ସେମାନଙ୍କର ଅନ୍ତର୍ନିହିତ ଦଳିତ ବିରୋଧୀ ମାନସିକତାକୁ ପୁଣିଥରେ ଉଜାଗର କରିଛି ବୋଲି ରାଜନୈତିକ ମହଲରେ ଦୃଢ଼ୋକ୍ତି ପ୍ରକାଶ ପାଇଛି। କେବଳ ରାଜ୍ୟପାଳ ନୁହଁନ୍ତି, ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିଜେଡି ନେତାମାନେ ଟାହିଟାପରା କରନ୍ତି।
ବିଜେଡି ଶାସନରେ ଦଳିତ ନେତାଙ୍କ ହଟହଟ୍ଟା: ଇତିହାସ କ’ଣ କହେ?
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଏହି ଦଳିତ ବିରୋଧୀ ମନୋଭାବ କିଛି ଆଜିର ନୂଆ କଥା ନୁହେଁ। ଯଦି ଆମେ ଅତୀତର ପୃଷ୍ଠା ଓଲଟାଇବା, ତେବେ ଦେଖିବାକୁ ପାଇବୁ ଯେ କିପରି ଜଣକ ପରେ ଜଣେ ଦଳିତ ନେତାଙ୍କୁ ଦଳ ଭିତରେ ଅପମାନିତ କରାଯାଇଛି ଏବଂ ସେମାନଙ୍କର ରାଜନୈତିକ କ୍ୟାରିୟରକୁ କ୍ଷତି ପହଞ୍ଚାଯାଇଛି।

୧. ବିଷ୍ଣୁ ଦାସ: ବିଜେଡିର ଜଣେ ପ୍ରଭାବଶାଳୀ ଦଳିତ ନେତା ଥିଲେ ବିଷ୍ଣୁ ଦାସ। ୨୦୧୬ ଜୁନ୍ ମାସରେ ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। କିନ୍ତୁ କଳ୍ପନା କରନ୍ତୁ, ଜଣେ ଉଚ୍ଚବର୍ଗର ନେତା ପ୍ରତାପ ଦେବଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଠିକ୍ ତା’ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୧୭ ମାର୍ଚ୍ଚ ମାସରେ କୌଣସି କାରଣ ନ ଥାଇ ତାଙ୍କୁ ରାଜ୍ୟସଭା ପଦରୁ ଜୋରଜବରଦସ୍ତି ଇସ୍ତଫା ଦେବାକୁ ବାଧ୍ୟ କରାଗଲା ଏବଂ ଫେରାଇ ଅଣାଗଲା। ଜଣେ ଦଳିତ ନେତାଙ୍କୁ ଏଭଳି ଅଧାରୁ ହଟାଇବା କ’ଣ ଦଳିତ ବିରୋଧୀ ମାନସିକତା ନୁହେଁ?
୨. ଦେବେନ୍ଦ୍ର କହଁର: ଆଉ ଜଣେ ଜଣାଶୁଣା ଦଳିତ ନେତା ଦେବେନ୍ଦ୍ର କହଁରଙ୍କ ସହିତ ଯାହା ହୋଇଥିଲା, ତାହା କେହି ଭୁଲି ନାହାନ୍ତି। ତାଙ୍କୁ ମଧ୍ୟ ଦଳ ଭିତରେ କିପରି ହଟହଟ୍ଟା କରାଗଲା, ତାହା ସମସ୍ତଙ୍କୁ ଜଣା।
୩. ଅଞ୍ଜଳି ବେହେରା: ମହିଳା ଦଳିତ ନେତ୍ରୀ ଅଞ୍ଜଳି ବେହେରାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ଏବଂ ଦଳରେ ତାଙ୍କୁ କୋଣଠେସା କରିବା ଘଟଣା ମଧ୍ୟ ଓଡ଼ିଶାବାସୀ ଦେଖିଛନ୍ତି।
୪. ମଙ୍ଗଳା କିଷାନ ଏବଂ ରାଜେନ୍ଦ୍ର ଦାସ: ତଳସ୍ତରରୁ ଦଳକୁ ଗଢ଼ିଥିବା ଆଦିବାସୀ ଓ ଦଳିତ ନେତା ମଙ୍ଗଳା କିଷାନଙ୍କୁ କିପରି ପର୍ଯ୍ୟାୟକ୍ରମେ ଗୁରୁତ୍ୱହୀନ କରାଗଲା ଏବଂ ରାଜେନ୍ଦ୍ର ଦାସଙ୍କୁ ଟିକେଟ୍ ଦେଇ ପରେ କିପରି ଅବହେଳା କରାଗଲା, ତାହା ସୂର୍ଯ୍ୟଙ୍କ ପରି ସ୍ପଷ୍ଟ।
୫. ଯୋଗେନ୍ଦ୍ର ବେହେରା: ଆଉ ଜଣେ ବରିଷ୍ଠ ଦଳିତ ନେତା ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଦଳ ଭିତରେ କିପରି ସନ୍ତୁଳନ ନାମରେ ବାଦ୍ ଦିଆଗଲା, ତାହା କାହାରିକୁ ଅଛପା ନାହିଁ।
ଏହି ସମସ୍ତ ଘଟଣା ପ୍ରମାଣ କରୁଛି ଯେ ନବୀନ ପଟ୍ଟନାୟକଙ୍କ ଦଳରେ କେବଳ ଉଚ୍ଚବର୍ଗ ଏବଂ ନିର୍ଦ୍ଦିଷ୍ଟ କିଛି ଲୋକଙ୍କର ପ୍ରାଧାନ୍ୟ ରହିଛି। ଯେତେବେଳେ କୌଣସି ଦଳିତ ନେତା ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତି କିମ୍ବା ସ୍ୱାଭିମାନର ସହ ବଞ୍ଚିବାକୁ ଚାହାଁନ୍ତି, ସେତେବେଳେ ତାଙ୍କୁ କୌଶଳଗତ ଭାବରେ ତଳକୁ ଖସାଇ ଦିଆଯାଏ।
ତେଣୁ ଦର୍ଶକବନ୍ଧୁ, ଆଜି ପ୍ରଶ୍ନ କେବଳ ସଂତୃପ୍ତ ମିଶ୍ରଙ୍କର ଗୋଟିଏ ଟ୍ୱିଟ୍ କିମ୍ବା ରାଜ୍ୟପାଳଙ୍କ ଗୋଟିଏ ବୟାନର ନୁହେଁ। ପ୍ରଶ୍ନ ହେଉଛି—ଓଡ଼ିଶାରେ ଦଳିତ ସମାଜକୁ ନେଇ ବିଜେଡିର ପ୍ରକୃତ ନୀତି କ’ଣ? ମୁହଁରେ ସାମାଜିକନ୍ୟାୟ ଏବଂ ଦଳିତ ପ୍ରେମର ବଡ଼ ବଡ଼ କଥା କହୁଥିବା ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ କାହିଁକି ଜଣେ ଦଳିତ ରାଜ୍ୟପାଳଙ୍କର ଏକ ସରଳ ବକ୍ତବ୍ୟକୁ ଏତେ ବଡ଼ ଅପରାଧ ଭାବେ ଦେଖିଲେ?
କାହିଁକି ଜଣେ ଦଳିତ ବର୍ଗର ବ୍ୟକ୍ତି ସାମ୍ବିଧାନିକ ପଦବୀରେ ପହଞ୍ଚିବା ପରେ ନବୀନ ପଟ୍ଟନାୟକଙ୍କ ନିଜର ସଚିବଙ୍କ ଦ୍ୱାରା ଏଭଳି କଟୁକ୍ତି କରାଗଲା? ଏହା କ’ଣ ସେହି ଦଳିତ ବିରୋଧୀ ମାନସିକତାର ପରିପ୍ରକାଶ ନୁହେଁ, ଯାହା ବର୍ଷ ବର୍ଷ ଧରି ବିଜେଡିର ଅନ୍ତର୍ନିହିତ ରାଜନୀତିରେ ରହିଆସିଛି?
also read


