ଅରୁଣାଚଳ ପ୍ରଦେଶକୁ ନେଇ ଚୀନ୍ର କ୍ରମାଗତ ବେଆଇନ ଦାବି ଏବଂ ସୀମା ବାବଦରେ ଏକତରଫା ଆଭିମୁଖ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାରତର ପୂର୍ବତନ ବିଦେଶ ସଚିବ କଂୱଲ ସିବଲ। ଚୀନ୍ ଭାରତୀୟ ଭୂଖଣ୍ଡର ବିଭିନ୍ନ ସ୍ଥାନକୁ କାଳ୍ପନିକ ନାମ ଦେଇ ନିଜର ବୋଲି ସାବ୍ୟସ୍ତ କରିବାକୁ ବାରମ୍ବାର ଚେଷ୍ଟା କରୁଥିବା ବେଳେ, ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ଭୌଗୋଳିକ ଅଞ୍ଚଳର ଆଧିକାରିକ ନାମ ନିର୍ଦ୍ଧାରଣ କରିବାକୁ ପ୍ରଶଂସା କରିଛନ୍ତି। ସିବଲ କହିଛନ୍ତି ଯେ, ସର୍ଭେ ଅଫ୍ ଇଣ୍ଡିଆର ମାନଚିତ୍ରକୁ ଅପଡେଟ୍ କରି ଏହି ନାମଗୁଡ଼ିକୁ ଚିହ୍ନଟ କରିବା ଚୀନ୍ର ନାମକରଣ ଚାଲାକି ବିରୋଧରେ ଭାରତର ଏକ ଯଥାର୍ଥ ଓ କଡ଼ା ଜବାବ।

‘ନକ୍ସା ଜରିଆରେ ସାମ୍ରାଜ୍ୟବାଦ ବିସ୍ତାର କରୁଛି ଚୀନ୍’
ସୋସିଆଲ ମିଡିଆରେ ଏକ ବାର୍ତ୍ତା ପୋଷ୍ଟ କରି ପୂର୍ବତନ ବିଦେଶ ସଚିବ ଚୀନ୍ର ଏହି ନୀତିକୁ “କାର୍ଟୋଗ୍ରାଫିକ୍ ଟେରିଟୋରିଆଲ୍ ଏକ୍ସପାନ୍ସନିଜମ୍” ବା “ମାନଚିତ୍ର ଜରିଆରେ ସୀମା ବିସ୍ତାରବାଦ” ବୋଲି ଅଭିହିତ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ‘ଚୀନ୍ ସଦାସର୍ବଦା ମିଥ୍ୟା ଓ କାଲପନିକ ନାମକରଣ କରି ଅନ୍ୟ ଦେଶର ଭୂଖଣ୍ଡ ଉପରେ ନିଜର ବେଆଇନ ଅଧିକାର ଜାହିର କରିବାକୁ ଅଭ୍ୟାସରେ ପରିଣତ କରିଛି।’
ସିବଲ କହିଛନ୍ତି ଯେ, ‘ଭାରତ ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ନକ୍ସାରେ ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନର ନାମକୁ ମାନକୀକୃତ କରି ଏହାର ଆଧିକାରିକ ସ୍ୱୀକୃତି ଦେଇଛି। ଏହା ଚୀନ୍ର ଏକତରଫା ଏବଂ ମନଗଢ଼ା ନାମକରଣ ପ୍ରକ୍ରିୟାର ସଠିକ୍ ପ୍ରତ୍ୟୁତ୍ତର।’
ତିବ୍ବତ ଅଧିଗ୍ରହଣ ଓ ଭୂଟାନ ଉପରେ ନଜର
ଏହି ସନ୍ଦର୍ଭରେ ତିବ୍ବତ ପ୍ରସଙ୍ଗ ଉଠାଇ କଂୱଲ ସିବଲ କହିଛନ୍ତି ଯେ, ‘ଭାରତ ଚୀନ ସେନା ଦ୍ୱାରା ତିବ୍ବତ ଦଖଲକୁ ସ୍ୱୀକାର କରିଥିଲା, ମାତ୍ର ଚୀନ୍ ସେତିକିରେ ସନ୍ତୁଷ୍ଟ ନୁହେଁ। ତିବ୍ବତ ଉପରେ ନିୟନ୍ତ୍ରଣ ପରେ ହିଁ ଇତିହାସରେ ପ୍ରଥମ ଥର ପାଇଁ ଚୀନ୍ ସୀମା ଭାରତ ସହ ସିଧାସଳଖ ଯୋଡ଼ିହେଲା। ଏବେ ଚୀନ୍ ଭାରତର ଅତିରିକ୍ତ ସୀମାନ୍ତ ଅଞ୍ଚଳଗୁଡ଼ିକ ଉପରେ ନିଜର ଦାବି ଜାହିର କରୁଛି।’
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଚୀନ୍ର ଏହି ସାମ୍ରାଜ୍ୟବାଦୀ ନୀତି କେବଳ ଭାରତ ମଧ୍ୟରେ ସୀମିତ ନୁହେଁ। “କେବଳ ଭାରତ ନୁହେଁ, ବରଂ ଛୋଟ ପଡ଼ୋଶୀ ଦେଶ ଭୂଟାନ ମଧ୍ୟ ଚୀନ୍ର ଏହି କୁଦୃଷ୍ଟିରୁ ବଞ୍ଚିପାରି ନାହିଁ।” ଚୀନ୍ ନିଜର ସୀମା ବିବାଦୀୟ ନୀତି ଦ୍ୱାରା ଭୂଟାନର ଭୂଖଣ୍ଡ ଉପରେ ମଧ୍ୟ ସାମ୍ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛି।’
ଚୀନ୍ର ଆପତ୍ତି ଓ ଆନ୍ତର୍ଜାତୀୟ ପ୍ରତିକ୍ରିୟା

ସୂଚନାଯୋଗ୍ୟ ଯେ, ଭାରତ ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନର ନାମ ନିର୍ଦ୍ଧାରିତ କରିବା ପରେ ଚୀନ୍ର କୂଟନୀତିଜ୍ଞ ଓ ବିଶେଷଜ୍ଞମାନେ ଏହାକୁ ନେଇ ଆପତ୍ତି ଜେତାଛନ୍ତି। ଚୀନ୍ କହିଛି ଯେ, ଭାରତର ଏହି କଦମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବ ଏବଂ ସୀମା ସମସ୍ୟା ସମାଧାନକୁ ଅଧିକ ଜଟିଳ କରିଦେବ।
ତେବେ କଂୱଲ ସିବଲଙ୍କ ଏହି ବକ୍ତବ୍ୟ ଭାରତର ଦୃଢ଼ ସାର୍ବଭୌମତ୍ୱ ଓ ସୀମା ସୁରକ୍ଷା ନୀତିକୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ସ୍ପଷ୍ଟ କରିଛି। ସେ କହିଛନ୍ତି ଯେ, ‘ନିଜ ଭୂଖଣ୍ଡର ସୁରକ୍ଷା ଓ ସରକାରୀ ନାମକରଣ କରିବା ଭାରତର ସମ୍ପୂର୍ଣ୍ଣ ସାର୍ବଭୌମ ଅଧିକାର, ଯାହା ଉପରେ ପ୍ରଶ୍ନ ଉଠାଇବାର କୌଣସି ଅଧିକାର ବୈଦେଶିକ ଶକ୍ତିର ନାହିଁ।’


