ଥାଇଲ୍ୟାଣ୍ଡର ଫୁକେଟ୍ରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI 2379) ଆକାଶମାର୍ଗରେ ଭୀଷଣ ବିମାନ ବିଭ୍ରାଟର ସମ୍ମୁଖୀନ ହୋଇଛି। ବିମାନଟି ୩୬,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ସମୟରେ ଅଚାନକ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିପଡ଼ିବାରୁ ବିମାନ ଭିତରେ ଆତଙ୍କରାଜ ଖେଳିଯାଇଥିଲା। ଏହି ଅଭାବନୀୟ ଘଟଣାରେ ବିମାନରେ ଥିବା କ୍ରୁ’ ସଦସ୍ୟଙ୍କ ସମେତ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତେବେ ଚାଳକଦଳର ସାହସିକତା ଯୋଗୁଁ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି।

ଛାତରେ ପିଟିହେଲେ ଯାତ୍ରୀ, ଫିଙ୍ଗିହୋଇ ପଡ଼ିଲା ଜିନିଷପତ୍ର
ଯାତ୍ରୀଙ୍କ କହିବା ଅନୁଯାୟୀ, ବିମାନଟି ସ୍ୱାଭାବିକ ଭାବେ ଉଡ଼ୁଥିବା ବେଳେ ହଠାତ୍ ଏକ ଭାରୀ ଝଟକା ଲାଗିଥିଲା। ସୀଟ୍ ବେଲ୍ଟ ବାନ୍ଧିନଥିବା ଯାତ୍ରୀମାନେ ଉପରକୁ ଫିଙ୍ଗିହୋଇ ବିମାନର ଛାତରେ ପିଟିହୋଇଯାଇଥିଲେ। ବିମାନ ଭିତରେ ଥିବା ଲଗେଜ୍ ବକ୍ସଗୁଡ଼ିକ ଖୋଲିଯାଇ ଜିନିଷପତ୍ର ଓ ମୋବାଇଲ୍ ଫୋନ୍ ତଳେ ପଡ଼ିଯାଇଥିଲା। ଏପରିକି ଜଣେ ଶିଶୁ ଏବଂ କେତେକ ବୃଦ୍ଧ ଯାତ୍ରୀ ମଧ୍ୟ ମୁଣ୍ଡ ଓ ପିଠିରେ ଆଘାତ ପାଇଛନ୍ତି। ଯାତ୍ରୀମାନେ ଏହାକୁ “ନୂଆ ଜୀବନ ପାଇବା” ସହ ସମାନ ବୋଲି ବର୍ଣ୍ଣନା କରିଛନ୍ତି।
ବିମାନବନ୍ଦରରେ ଆମ୍ବୁଲାନ୍ସ ମୁତୟନ, ଡାକ୍ତରଖାନାରେ ଭର୍ତ୍ତି

ଦିଲ୍ଲୀରେ ବିମାନର ଅବତରଣ ପୂର୍ବରୁ ଆଲର୍ଟ ଜାରି କରାଯାଇଥିଲା।
- ଡାକ୍ତରୀ ସେବା : ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ପ୍ରାଥମିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ପ୍ରସ୍ତୁତ ଥିଲେ।
- ହସ୍ପିଟାଲ୍ରେ ଭର୍ତ୍ତି : ଆହାତ ଯାତ୍ରୀ ଓ ୪ ଜଣ କ୍ରୁ’ ସଦସ୍ୟଙ୍କୁ ଗୁରୁଗ୍ରାମର ମେଦାନ୍ତ ଏବଂ ବସନ୍ତ କୁଞ୍ଜର ଫୋର୍ଟିସ୍ ହସ୍ପିଟାଲ୍ ଓ ଇଣ୍ଡିଆନ୍ ସ୍ପାଇନାଲ୍ ଇଞ୍ଜୁରୀ ସେଣ୍ଟରରେ ଭର୍ତ୍ତି କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନିଜେ ହସ୍ପିଟାଲ ପରିଦର୍ଶନ କରି ଆହାତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।
କାରଣ ଖୋଜୁଛି DGCA

ଏୟାରବସ୍ A320neo ବିମାନରେ ୧୩୭ ଜଣ ଯାତ୍ରୀ ଓ ୮ ଜଣ କ୍ରୁ’ ସଦସ୍ୟ ଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଉଡ଼ାଣ ସମୟରେ ବାୟୁମଣ୍ଡଳୀୟ ଅସ୍ଥିରତା (‘Clear Air Turbulence’) ଯୋଗୁଁ ସାମୟିକ ଭାବେ ଉଚ୍ଚତା ପରିବର୍ତ୍ତନ ଘଟିଥିଲା। ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଏବଂ ସମ୍ପୃକ୍ତ ବିମାନଟିକୁ ତଦନ୍ତ ଶେଷ ନହେବା ଯାଏଁ ଉଡ଼ାଣ ବନ୍ଦ ରଖାଯାଇଛି।
Also read : https://purvapaksa.com/record-20138-organ-transplants-in-2025-more-than-5-lakh-citizens-pledge-to-donate/


