ଇତିହାସ କହେ—ଯେତେବେଳେ ବଡ଼ ବଡ଼ ନେତାମାନେ ଅସାଧାରଣ ସଫଳତା ହାସଲ କରନ୍ତି, ସେତେବେଳେ ସେମାନେ ଅଜାଣତରେ ନିଜେ ନିଜ ପ୍ରତିଛବି ବା ‘ଇମେଜ୍’ର କଏଦୀ ପାଲଟିଯାଆନ୍ତି। ସେମାନଙ୍କୁ ଲାଗେ ସେମାନେ ସବୁଠୁ ଶକ୍ତିଶାଳୀ, ସେମାନେ ଯାହା କରିବେ ସେୟା ଠିକ୍। କିନ୍ତୁ ଏହି ଭ୍ରମ କେବେ କେବେ ଗୋଟିଏ ପୂରା ଦେଶକୁ, ଗୋଟିଏ ପରିବାରକୁ ଏବଂ ସେନାକୁ କେତେ ବଡ଼ ଦର ଦେବାକୁ ପଡ଼େ—ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭାରତର ଶ୍ରୀଲଙ୍କା ନୀତି।
ଆଜି ଆମେ ସେହି କାହାଣୀ ଉପରୁ ପରଦା ହଟାଇବୁ, ଯାହା ଭାରତୀୟ ରାଜନୀତିର ଏକ ବଡ଼ କଳା ଅଧ୍ୟାୟ ହୋଇ ରହିଯାଇଛି।
କଥାଟି ହେଉଛି ୧୯୮୦ ଦଶକର। ୧୯୭୧ ଯୁକ୍ତରେ ପାକିସ୍ତାନକୁ ଧୂଳିସାତ୍ କରି ବାଂଲାଦେଶ ସୃଷ୍ଟି କରିଥିଲେ ଇନ୍ଦିରା ଗାନ୍ଧୀ। ସେତେବେଳେ ସମସ୍ତେ ତାଙ୍କୁ ‘ଦୁର୍ଗା’ ବୋଲି ସମ୍ବୋଧନ କଲେ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାଙ୍କ ତାଲିକାରେ ତାଙ୍କ ନାଁ ଯୋଡ଼ି ହେଲା। କିନ୍ତୁ ଏହାର ଠିକ୍ ପରେ, ଶ୍ରୀଲଙ୍କାରେ ଆରମ୍ଭ ହେଲା ସିଂହଳୀ ଓ ତାମିଲମାନଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ।
ଶ୍ରୀଲଙ୍କା ସରକାର ଓ ସେନା ସେଠାକାର ତାମିଲମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲା। ଭାରତରେ, ବିଶେଷକରି ଦକ୍ଷିଣ ଭାରତ ଓ ତାମିଲନାଡ଼ୁରେ ଏହାକୁ ନେଇ କ୍ଷୋଭ ପ୍ରକାଶ ପାଇଲା। ଇନ୍ଦିରା ଗାନ୍ଧୀଙ୍କୁ ପରାମର୍ଶ ଦିଆଗଲା—ଯଦି ଆପଣ ଏଥିରେ ହସ୍ତକ୍ଷେପ ନ କରନ୍ତି, ତେବେ ଆପଣଙ୍କ ଇମେଜ୍ ଜଣେ ଦୁର୍ବଳ ନେତା ଭାବେ ତିଆରି ହେବ। ଆଉ ଇନ୍ଦିରାଜୀ ଠିକ୍ ଏଇଠି ଭୁଲ୍ କରି ବସିଲେ। ସେ ନିଜର ଗୁଇନ୍ଦା ମୁଖ୍ୟ ଆର.ଏନ୍. କାଓଙ୍କୁ ଡାକି କହିଲେ—ଯେପରି ବାଂଲାଦେଶରେ ‘ମୁକ୍ତି ବାହିନୀ’କୁ ଟ୍ରେନିଂ ଦିଆଯାଇଥିଲା, ସେହିପରି ଶ୍ରୀଲଙ୍କାର ଏଲ୍.ଟି.ଟି.ଇ ଲଢ଼ୁଆମାନଙ୍କୁ ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ତାଲିମ ଦିଆଯାଉ।
କିନ୍ତୁ ଇତିହାସ କେବେ ଚୁପ୍ ରହେ ନାହିଁ। ୧୯୮୩ ଜୁଲାଇ ୧୩ ତାରିଖରେ ଏଲ୍.ଟି.ଟି.ଇ ଲଢ଼ୁଆମାନେ ଶ୍ରୀଲଙ୍କା ସେନାର ୧୩ ଜଣ ସୈନିକଙ୍କୁ ମାରିଦେଲେ। ଏହାପରେ ଶ୍ରୀଲଙ୍କା ସେନା ଯେଉଁ ନୃଶଂସତା ଚଳାଇଲା, ତାହା ମାନବିକତାକୁଥରାଇ ଦେଇଥିଲା। ପ୍ରାୟ ୩ ହଜାରରୁ ଅଧିକ ତାମିଲଙ୍କୁ ହତ୍ୟା କରାଗଲା, ହଜାର ହଜାର ଘର ଜାଳି ଦିଆଗଲା, ଏବଂ ଏକ ଲକ୍ଷରୁ ଅଧିକ ଲୋକ ଶରଣାର୍ଥୀ ପାଲଟିଗଲେ।
ଏହାପରେ କ’ଣ ହେଲା? ଇନ୍ଦିରା ଗାନ୍ଧୀ ଶ୍ରୀଲଙ୍କା ରାଷ୍ଟ୍ରପତି ଜୟବର୍ଦ୍ଧନେଙ୍କ ସହ କଥା ହେଲେ ଏବଂ ନିଜର ବୈଦେଶିକ ମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କୁ ପଠାଇଲେ। କିନ୍ତୁ କୌଣସି ଠୋସ୍ ସମାଧାନ ବାହାରିଲା ନାହିଁ। ଇନ୍ଦିରାଜୀ ଏହାକୁ ଶ୍ରୀଲଙ୍କାର ଆଭ୍ୟନ୍ତରୀଣ ମାମଲା ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ।
ଏହାର ପ୍ରମୁଖ ପ୍ରମାଣ ମିଳିଲା, ଯେତେବେଳେ ଲଣ୍ଡନର ‘ନ୍ୟାସନାଲ୍ ଆର୍କାଇଭ୍ସ’ କିଛି ଗୁପ୍ତ ଡକ୍ୟୁମେଣ୍ଟ ଡି-କ୍ଲାସିଫାଏ କଲା। ସେଥିରୁ ଜଣାପଡ଼ିଲା ଯେ, ସେହି ସମୟରେ ଇନ୍ଦିରା ଗାନ୍ଧୀ ବ୍ରିଟେନର ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥେଚର୍ଙ୍କୁ ଚିଠି ଲେଖି କହିଥିଲେ ଯେ, ବ୍ରିଟେନର ସ୍ପେଶାଲ୍ ସ୍କାଏ ସର୍ଭିସ୍ (SAS) ଯାହା ଶ୍ରୀଲଙ୍କା ସେନାକୁ ତାଲିମ ଦେଉଛି, ତାହା ବନ୍ଦ କରାଯାଉ। ଅର୍ଥାତ୍, ଭାରତ ସରକାର ସିଧାସଳଖ ଶ୍ରୀଲଙ୍କା ଭିତରେ ହସ୍ତକ୍ଷେପ କରୁଥିଲେ।
କେବଳ ଏତିକି ନୁହେଁ, ଏଲ୍.ଟି.ଟି.ଇ ମୁଖ୍ୟ ପ୍ରଭାକରନ୍ଙ୍କୁ ଶ୍ରୀଲଙ୍କା ଭିତରେ ଏବଂ ବାହାରେ ନିଜର ସହଯୋଗୀମାନଙ୍କ ପାଖକୁ ବାର୍ତ୍ତା ପଠାଇବା ପାଇଁ ଏକ ରେଡିଓ ଟ୍ରାନ୍ସମିସନ୍ ଷ୍ଟେସନ୍ ସ୍ଥାପନ କରିବାରେ ମଧ୍ୟ ଭାରତ ସରକାର ପରୋକ୍ଷରେ ସାହାଯ୍ୟ କରିଥିଲେ। କିନ୍ତୁ ଭାଗ୍ୟର ପରିହାସ ଦେଖନ୍ତୁ—ଏହି ସମୟରେ ପଞ୍ଜାବରେ ଖାଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକିଲା, ଇନ୍ଦିରା ଗାନ୍ଧୀ ସେଥିରେ ଉଲ୍ଝିଗଲେ ଏବଂ ଅକ୍ଟୋବର ୧୯୮୪ରେ ତାଙ୍କର ନିଜର ଅଙ୍ଗରକ୍ଷକମାନେ ତାଙ୍କୁ ହତ୍ୟା କଲେ। ମା’ଙ୍କ ଜୀବନ ଚାଲିଗଲା, କିନ୍ତୁ ଏହି ଅଧୁରା ଏଜେଣ୍ଡା ସେମିତି ରହିଗଲା।
ମା’ଙ୍କ ମୃତ୍ୟୁ ପରେ ଦେଶର ପ୍ରଧାନମନ୍ତ୍ରୀ ହେଲେ ଯୁବ ନେତା ରାଜୀବ ଗାନ୍ଧୀ। ତାଙ୍କୁ ଲାଗିଲା ଯେ ଏହା ତାଙ୍କ ମା’ଙ୍କର ‘ଅଧୁରା ଏଜେଣ୍ଡା’ ଥିଲା, ଯାହାକୁ ପୂରା କରିବା ତାଙ୍କର କର୍ତ୍ତବ୍ୟ।
ସେ ପ୍ରଭାକରନଙ୍କୁ ଦିଲ୍ଲୀ ଡକାଇଲେ, ବୁଝାଇବାକୁ ଚେଷ୍ଟା କଲେ। ଯେତେବେଳେ ପ୍ରଭାକରଣ ବୁଝିଲେ ନାହିଁ, ସେତେବେଳେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍.ଜି. ରାମଚନ୍ଦ୍ରନଙ୍କୁ ଦିଲ୍ଲୀ ଡକାଗଲା। ଏମଜିଆରଙ୍କ ବୁଝାଇବା ପରେ ପ୍ରଭାକରନ ପ୍ରଥମେ ରାଜି ହେଲେ, କିନ୍ତୁ ଦିଲ୍ଲୀରୁ ଶ୍ରୀଲଙ୍କା ଫେରିବା ପରେ ସେ ନିଜ କଥାରୁ ଓହରିଗଲେ।
ଏଠାରୁ ଆରମ୍ଭ ହେଲା ସବୁଠୁ ବଡ଼ ତ୍ରୁଟି। ରାଜୀବ ଗାନ୍ଧୀଙ୍କୁ ଲାଗିଲା ଯେ ଏବେ ପ୍ରଭାକରଣ ଏବଂ ଏଲ୍.ଟି.ଟି.ଇକୁ ଶିକ୍ଷା ଦେବା ଜରୁରୀ। ଭାରତ ସରକାର ପଠାଇଲେ ଆଇପିକେଏଫ୍ ଅର୍ଥାତ୍ ଭାରତୀୟ ଶାନ୍ତି ରକ୍ଷା ସେନା।
ଆଜିର ପ୍ରଶ୍ନ ହେଉଛି—ଶ୍ରୀଲଙ୍କାର ସିଂହଳୀ ଓ ତାମିଲମାନଙ୍କ ଆଭ୍ୟନ୍ତରୀଣ ଝଗଡ଼ା ସହିତ ଭାରତର କ’ଣ ସମ୍ପର୍କ ଥିଲା? ଆମର ସେନାକୁ ସେଠାକୁ ପଠାଇବାର ଆବଶ୍ୟକତା କ’ଣ ଥିଲା?
ସବୁଠୁ ବଡ଼ କଥା ହେଲା, ଆଇପିକେଏଫ୍ ପଠାଇବା ପୂର୍ବରୁ ‘ର’ ର କୌଣସି ରିପୋର୍ଟ ନିଆଯାଇ ନଥିଲା। ଏଲ୍.ଟି.ଟି.ଇ କେତେ ଶକ୍ତିଶାଳୀ, ସେମାନଙ୍କ ପାଖରେ କେଉଁ କେଉଁ ଅସ୍ତ୍ରଶସ୍ତ୍ର ଅଛି—ସେନେଇ କୌଣସି ଆକଳନ କରାଯାଇନଥିଲା।
ଏହାର ପରିଣତି କ’ଣ ହେଲା?
ଯେଉଁ ଯୁଦ୍ଧ ସହିତ ଭାରତର କୌଣସି ଦୂରଦୂରାନ୍ତର ସମ୍ପର୍କ ନଥିଲା, ସେହି ଯୁଦ୍ଧରେ ଭାରତର ୧୨୦୦ ଜଣ ବୀର ସୈନିକ ପ୍ରାଣ ହରାଇଲେ! ଆମର ସେନାକୁ ଏମିତି ଏକ ପରିସ୍ଥିତିରେ ଠେଲି ଦିଆଗଲା, ଯାହାକୁ ଗାଁ ଢ଼ଙ୍ଗରେ କୁହାଯାଏ—”ବେଗାନୀ ଶାଦି ମେଁ ଅବ୍ଦୁଲ୍ଲା ଦିୱାନା”।
ଭାରତୀୟ ସେନାକୁ ଏପରି ଭାବେ ବଳି ପକାଯିବା କାରଣରୁ ଏଲ୍.ଟି.ଟି.ଇ ଏବଂ ପ୍ରଭାକରନ ଭାରତ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇଗଲେ। ସେମାନେ ମନରେ ଭାବିଲେ ଯେ ଭାରତ ସେମାନଙ୍କ ପିଠିରେ ଛୁରି ମାରିଛି।
ଏବଂ ତା’ର ପରିଣତି କ’ଣ ହେଲା?
୧୯୯୧ ମସିହାରେ, ଏକ ନିର୍ବାଚନୀ ପ୍ରଚାର ସମୟରେ, ଏଲ୍.ଟି.ଟି.ଇ ର ଜଣେ ଆତ୍ମଘାତୀ ମାନବ ବୋମା ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା।
ଗୋଟିଏ ବ୍ୟକ୍ତି ବା ନେତା ଯେତେବେଳେ ନିଜର ‘ଛବି’ (Image) ଏବଂ ଅହଂକାରର କଏଦୀ ପାଲଟିଯାଏ, ସେତେବେଳେ ତାକୁ କେତେ ଭୟଙ୍କର ମୂଲ୍ୟ ଦେବାକୁ ପଡ଼େ, ତାହାର ଏହାଠାରୁ ବଡ଼ ପ୍ରମାଣ ଆଉ କ’ଣ ହୋଇପାରେ?
ଇନ୍ଦିରା ଗାନ୍ଧୀ ଯାହା ଆରମ୍ଭ କରିଥିଲେ ଏବଂ ରାଜୀବ ଗାନ୍ଧୀ ଯାହାକୁ ପୂରା କରିବାକୁ ଚେଷ୍ଟା କରିଥିଲେ—ସେଥିପାଇଁ ଦୁହେଁ ନିଜ ଜୀବନ ଦେଲେ। ଆଉ ଆମ ଦେଶର ସୈନିକମାନେ ବେକାରରେ ରକ୍ତ ବୁହାଇଲେ।
ଇତିହାସ କହେ ଯେ ଶ୍ରୀଲଙ୍କାକୁ ଆଇପିକେଏଫ୍ ପଠାଇବା ଭାରତୀୟ ଇତିହାସର ସବୁଠୁ ବଡ଼ ଏବଂ ମାରାତ୍ମକ ରଣନୈତିକ ଭୁଲ୍ ଥିଲା। ଯଦି ଆମେ ସେତେବେଳେ ବୁଦ୍ଧିମତ୍ତା ଏବଂ କୂଟନୈତିକ ସଂଯମତା ଦେଖାଇଥା’ନ୍ତୁ, ତେବେ ହୁଏତ ଦେଶକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ି ନଥା’ନ୍ତା।
AlsoRead; https://purvapaksa.com/ranachhod-mamata/


