ଦେଶରେ ଅଙ୍ଗଦାନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଥିବା ବେଳେ ୨୦୨୫ ମସିହାରେ ଭାରତରେ ସର୍ବାଧିକ ୨୦,୧୩୮ଟି ଅଙ୍ଗ ପ୍ରତ୍ୟାରୋପଣ କରାଯାଇ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି ହୋଇଛି। ୧୬ଶ ‘ଭାରତୀୟ ଅଙ୍ଗଦାନ ଦିବସ’ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୩ରେ ଜାତୀୟ ଡିଜିଟାଲ୍ ପୋର୍ଟାଲ୍ ଶୁଭାରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ନାଗରିକ ଆଧାର-ସତ୍ୟାପିତ ଅଙ୍ଗଦାନ ଶପଥ ଗ୍ରହଣ କରିସାରିଛନ୍ତି।

ବିଶ୍ୱର ତୃତୀୟ ସ୍ଥାନରେ ଭାରତ, ଜୀବିତ ଦାତା ପ୍ରତ୍ୟାରୋପଣରେ ଶୀର୍ଷରେ
ସୁପର ସ୍ପେଶାଲିଟି ସେବା ଓ ନୀତିଗତ ସୁଧାର ଯୋଗୁଁ ବିଶ୍ୱ ସ୍ତରରେ ଭାରତର ସ୍ଥିତି ମଜବୁତ୍ ହୋଇଛି:
- ଅଭିବୃଦ୍ଧି : ୨୦୧୩ ମସିହାରେ ଦେଶରେ ମାତ୍ର ୪,୯୯୦ଟି ଅଙ୍ଗ ପ୍ରତ୍ୟାରୋପଣ ହୋଇଥିବା ବେଳେ ୨୦୨୫ ସୁଦ୍ଧା ଏହା ବୃଦ୍ଧି ପାଇ ୨୦,୧୩୮ରେ ପହଞ୍ଚିଛି।
- ବ୍ରେନ୍-ଡେଡ୍ ଦାତା : ମୃତ ଅଙ୍ଗଦାତାଙ୍କଠାରୁ ପ୍ରତ୍ୟାରୋପଣ ସଂଖ୍ୟା ୨୦୧୩ର ୮୩୭ ରୁ ବୃଦ୍ଧି ପାଇ ୨୦୨୫ରେ ୩,୫୨୬ରେ ପହଞ୍ଚିଛି।
- ବିଶ୍ୱ ସ୍ତରୀୟ ସ୍ଥାନ : ମୋଟ ଅଙ୍ଗ ପ୍ରତ୍ୟାରୋପଣ ମାମଲାରେ ଆମେରିକା ଓ ଚୀନ୍ ପଛକୁ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି, ଯେତେବେଳେ କି ‘ଜୀବିତ ଅଙ୍ଗଦାତା’ ପ୍ରତ୍ୟାରୋପଣ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନ ବଜାୟ ରଖିଛି।
‘ଯୁଗ୍-ଯୁଗ୍ ଜୀଓ’ ଅଭିଯାନ ଓ ନୂଆ ଆପ୍ ଶୁଭାରମ୍ଭ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଙ୍ଗଦାନ ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ ଓ ସହଜ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି:
- ‘ଯୁଗ୍-ଯୁଗ୍ ଜୀଓ’ ଅଭିଯାନ : ବର୍ଷବ୍ୟାପୀ ଚାଲିବାକୁ ଥିବା ଏହି ଜାତୀୟ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
- ‘ଇ-ପ୍ରତ୍ୟାରୋପଣ’ ଓ ମୋବାଇଲ୍ ଆପ୍ : ‘ନ୍ୟାସନାଲ୍ ଅର୍ଗାନ୍ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍’ ର ନୂଆ ମୋବାଇଲ୍ ଆପ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି।
- ସ୍ୱାପ୍ ଟ୍ରାନ୍ସପ୍ଲାଣ୍ଟେସନ୍ ମାର୍ଗଦର୍ଶିକା : ‘ନ୍ୟାସନାଲ୍ ବ୍ରେନ୍ ଷ୍ଟେମ୍ ଡେଥ୍ ସର୍ଟିଫିକେସନ୍’ ଏବଂ ‘ସ୍ୱାପ୍ ଟ୍ରାନ୍ସପ୍ଲାଣ୍ଟ’ ପାଇଁ ନୂଆ ସରକାରୀ ନିୟମାବଳୀ ଜାରି କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ, “କୌଣସି ପ୍ରମୁଖ ଧର୍ମ ଅଙ୍ଗଦାନକୁ ବାରଣ କରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ ଆହ୍ୱାନ ଏବଂ ନିରନ୍ତର ସଚେତନତା ପ୍ରଚାର ଯୋଗୁଁ ଅଙ୍ଗଦାନ ଏବେ ଦେଶରେ ଏକ ଜନ-ଆନ୍ଦୋଳନର ରୂପ ନେଉଛି।”


