ଭାରତ ତିନି ପାର୍ଶ୍ୱରୁ ସମୁଦ୍ର ଦ୍ୱାରା ଘେରି ରହିଥିବାରୁ ସାମୁଦ୍ରିକ ସୀମାର ସୁରକ୍ଷା ଦେଶ ପାଇଁ ସବୁଠାରୁ ବଡ଼ ଦାୟିତ୍ୱ। ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ନିଜର ଶକ୍ତିକୁ ଦ୍ରୁତ ଗତିରେ ବୃଦ୍ଧି କରିବାରେ ଲାଗିଛି। ସମୁଦ୍ରରେ ଶତ୍ରୁପକ୍ଷର ଯେକୌଣସି ଦୁଃସାହସର ମୁହଁତୋଡ଼ ଜବାବ ଦେବା ପାଇଁ ବ୍ରହ୍ମୋସ ଭଳି ବିଧ୍ୱଂସକାରୀ ମିସାଇଲ୍ରେ ସଜ୍ଜିତ ଆଧୁନିକ ଷ୍ଟେଲ୍ଥ ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୋୟର (ଯୁଦ୍ଧପୋତ) ଗୁଡ଼ିକ ଭାରତୀୟ ନୌସେନାର ଅସଲ ଶକ୍ତି ପାଲଟିଛନ୍ତି।

କ’ଣ ଏହି ‘ଡେଷ୍ଟ୍ରୋୟର’ ଏବଂ ଏହାର ଗୁରୁତ୍ୱ ?
ନୌସେନାରେ ‘ଡେଷ୍ଟ୍ରୋୟର’ ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଆକାରରେ ବଡ଼ ଯୁଦ୍ଧପୋତ, ଯାହାର ମୁଖ୍ୟ କାର୍ଯ୍ୟ ହେଉଛି ସମୁଦ୍ର ମଧ୍ୟରେ ଶତ୍ରୁପକ୍ଷର ଜାହାଜ, ବୁଡ଼ାଜାହାଜ ଏବଂ ଯୁଦ୍ଧବିମାନ ଆକ୍ରମଣରୁ ଦେଶକୁ ରକ୍ଷା କରିବା। ଏହା ଏକାସଙ୍ଗେ ଏକାଧିକ ମିଶନ୍ ସମ୍ପନ୍ନ କରିବା ସହ ଅନ୍ୟ ଛୋଟ ଯୁଦ୍ଧପୋତଗୁଡ଼ିକୁ ମଧ୍ୟ ସୁରକ୍ଷା ବଳୟ ଯୋଗାଇଥାଏ। ଭାରତରେ ନିର୍ମିତ ଏହି ସମସ୍ତ ଯୁଦ୍ଧପୋତ ସମ୍ପୂର୍ଣ୍ଣ ଭାବେ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ସ୍ୱଦେଶୀ ଜ୍ଞାନକୌଶଳର ଶ୍ରେଷ୍ଠ ନିଦର୍ଶନ। ମୁମ୍ବାଇର ମଜଗାଓଁ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଏଗୁଡ଼ିକର ସଫଳ ନିର୍ମାଣ କରାଯାଇଛି।
ନୌସେନାର ପ୍ରମୁଖ ସାମୁଦ୍ରିକ ପ୍ରହରୀ

୧. ଆଇଏନଏସ୍ ବିଶାଖାପତ୍ତନମ (INS Visakhapatnam – D66) : ଏହା ପ୍ରୋଜେକ୍ଟ ୧୫ବି ଅଧୀନରେ ନିର୍ମିତ ଭାରତର ସବୁଠାରୁ ଆଧୁନିକ ଷ୍ଟେଲ୍ଥ ଡେଷ୍ଟ୍ରୋୟର। ଏହା ଶତ୍ରୁର ରଡାର ଆଖିରେ ଧୂଳି ଦେଇ ଅତି ଚତୁରତାର ସହ ଆଗକୁ ବଢ଼ିପାରେ। ସୁପରସୋନିକ୍ ବ୍ରହ୍ମୋସ କ୍ରୁଜ୍ ମିସାଇଲ୍ ଏବଂ ଭାରତ-ଇସ୍ରାଏଲ୍ର ମିଳିତ ଜ୍ଞାନକୌଶଳରେ ନିର୍ମିତ ‘ଏମଆର-ସାମ’ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ୍ରେ ଏହା ସଜ୍ଜିତ, ଯାହା ୧୦୦ କିଲୋମିଟର ଦୂରରୁ ଶତ୍ରୁ ବିମାନକୁ ଧ୍ୱଂସ କରିପାରେ।
୨. ଆଇଏନଏସ୍ ସୁରଟ୍ (INS Surat – D69) : ବିଶାଖାପତ୍ତନମ ଶ୍ରେଣୀର ଏହି ଚତୁର୍ଥ ତଥା ସର୍ବଶେଷ ଯୁଦ୍ଧପୋତଟି ଭାରତୀୟ ସାମୁଦ୍ରିକ ସେନାରେ ସାମିଲ ହୋଇ ପ୍ରତିରକ୍ଷା ବ୍ୟବସ୍ଥାକୁ ଶୀର୍ଷରେ ପହଞ୍ଚାଇଛି। ଏହା ଭାରତରେ ସବୁଠାରୁ କମ୍ ସମୟ (ମାତ୍ର ୩୧ ମାସ) ମଧ୍ୟରେ ନିର୍ମିତ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ବ୍ୟତୀତ ଆଇଏନଏସ୍ ମୋରମୁଗାଓ, ଆଇଏନଏସ୍ କୋଲକାତା ଏବଂ ଆଇଏନଏସ୍ ଚେନ୍ନାଇ ଭଳି ସୁପର-ପାୱାରଫୁଲ୍ ଯୁଦ୍ଧପୋତ ଏବେ ସମୁଦ୍ରରେ ଭାରତର ସାର୍ବଭୌମତ୍ୱ ରକ୍ଷା କରୁଛନ୍ତି।
ଆତ୍ମନିର୍ଭରଶୀଳତାର ନୂଆ ପରିଚୟ
ଏହି ସମସ୍ତ ଯୁଦ୍ଧପୋତରେ ପ୍ରାୟ ୭୫% ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି। ଶତ୍ରୁ ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଥିରେ ‘ଏକେ-୬୩୦ କ୍ଲୋଜ୍-ଇନ୍ ୱେପନ୍ ସିଷ୍ଟମ୍’ (AK-630 CIWS) ସହ ଆଧୁନିକ ରଡାର ଓ ଟର୍ପେଡୋ ଲଞ୍ଚର ଖଞ୍ଜାଯାଇଛି। ଆଜି ଭାରତୀୟ ନୌସେନା କେବଳ ଭାରତ ମହାସାଗର ନୁହେଁ, ବରଂ ସମଗ୍ର ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ନିଜର ଶକ୍ତିଶାଳୀ ଉପସ୍ଥିତି ଜାହିର କରି ବିଶ୍ୱକୁ ସ୍ପଷ୍ଟ ସଙ୍କେତ ଦେଇଛି ଯେ, ନିଜର ସୀମା ରକ୍ଷା କରିବା ପାଇଁ ଦେଶ ସମ୍ପୂର୍ଣ୍ଣ ସକ୍ଷମ।


