ଦେଶରେ E20 ପେଟ୍ରୋଲ୍ କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ‘ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ’ ର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ, E10 ଇନ୍ଧନ ପାଇଁ ପ୍ରସ୍ତୁତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ E20 ପେଟ୍ରୋଲ୍ ବ୍ୟବହାର କରିବା ଦ୍ୱାରା ଗାଡ଼ିର ମାଇଲେଜ୍ କମିବା ସହ ଇଞ୍ଜିନର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ନଷ୍ଟ ହେବାର ଆଶଙ୍ଗା ରହିଛି।

ରବର ଅଂଶ ଏବଂ ଟର୍ବୋ ଇଞ୍ଜିନ ଉପରେ ଖରାପ ପ୍ରଭାବ
ରିପୋର୍ଟ ଅନୁଯାୟୀ, E10 କମ୍ପାଟିବଲ୍ ଗାଡ଼ିଗୁଡ଼ିକରେ ଲଗାତାର E20 ପେଟ୍ରୋଲ୍ ବ୍ୟବହାର କଲେ ତାହାର ଫ୍ୟୁଲ୍ ସିଷ୍ଟମରେ ଥିବା ରବର ଏବଂ ପ୍ଲାଷ୍ଟିକ୍ ଅଂଶ ଯେପରିକି ହୋଜ୍ (ପାଇପ୍), ଗ୍ୟାସକେଟ୍, ସିଲ୍ ଏବଂ O-ରିଙ୍ଗ୍ ଗୁଡ଼ିକ ଧୀରେ ଧୀରେ ଖରାପ ହୋଇଯାଏ। ଦୀର୍ଘ ସମୟ ଧରି ଏହି ଇନ୍ଧନର ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ପାର୍ଟସ୍ ଗୁଡ଼ିକୁ ବଦଳାଇବାକୁ ପଡ଼ିପାରେ ବୋଲି ARAI କହିଛି।
ଏହା ସହିତ ଇଞ୍ଜିନର ସ୍ଥାୟୀତ୍ୱ କୁ ନେଇ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ, BS-VI (ବିଏସ୍-୬) ମାନକ ବିଶିଷ୍ଟ ଟର୍ବୋ-ଚାର୍ଜଡ୍ ଇଞ୍ଜିନଗୁଡ଼ିକରେ ୨୬୫ ଘଣ୍ଟାର ବ୍ୟବହାର ପରେ କିଛି ସମସ୍ୟା ଦେଖାଦେଇଥିଲା। ଜଣେ ନିର୍ମାତାଙ୍କ କ୍ଷେତ୍ରରେ ୮୦୯ ଘଣ୍ଟାର ପରୀକ୍ଷଣ ପରେ ଅତ୍ୟଧିକ ଗରମ ଓ କ୍ରମାଗତ ଚାପ ଯୋଗୁଁ ଇଞ୍ଜିନର ଏକ୍ଜଷ୍ଟ ବାଲ୍ଭ୍ ବାଙ୍କିଯିବା କିମ୍ବା ଭାଙ୍ଗିଯିବା ଭଳି ‘ଥର୍ମୋମେକାନିକାଲ୍ ଫେଲ୍ୟୁଅର୍’ ଦେଖିବାକୁ ମିଳିଥିଲା। ତେବେ ଏହି ଫେଲ୍ୟୁଅର୍ ପଛରେ ଅନ୍ୟ କିଛି ବୈଷୟିକ କାରଣ ମଧ୍ୟ ଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

୨ରୁ ୬% ଯାଏଁ କମୁଛି ମାଇଲେଜ୍
ସାଧାରଣ ଗ୍ରାହକଙ୍କ ପାଇଁ ସବୁଠାରୁ ବଡ଼ ଝଟ୍କା ହେଉଛି ଗାଡ଼ିର ମାଇଲେଜ୍। E10 ତୁଳନାରେ E20 ପେଟ୍ରୋଲ ବ୍ୟବହାର କଲେ ଗାଡ଼ିଗୁଡ଼ିକର ଇନ୍ଧନ ବ୍ୟବହାର ପ୍ରାୟ ୨ରୁ ୬% ପର୍ଯ୍ୟନ୍ତ ବୃଦ୍ଧି ପାଉଛି, ଯାହାଫଳରେ ଗାଡ଼ିର ମାଇଲେଜ୍ କମିଯାଉଛି। ଗାଡ଼ିର ମଡେଲ୍ ଏବଂ କ୍ୟାପାସିଟି ଅନୁସାରେ ଏହି ମାଇଲେଜ୍ ହ୍ରାସର ପରିମାଣ ଅଲଗା ଅଲଗା ହୋଇଥାଏ।
ଦୁଇ ଚକିଆ ଗାଡ଼ି ଏବଂ ମେଟାଲ୍ ପାର୍ଟସ୍ ସୁରକ୍ଷିତ

ଏହି ରିପୋର୍ଟରେ କିଛି ଆଶ୍ୱସ୍ତିକର ଖବର ମଧ୍ୟ ରହିଛି। ତିନୋଟି ପ୍ରମୁଖ ଦୁଇ ଚକିଆ (Two-Wheeler) ଗାଡ଼ି ନିର୍ମାତାଙ୍କ ଦ୍ୱାରା କରାଯାଇଥିବା ପରୀକ୍ଷଣରେ ଇଞ୍ଜିନ ଉପରେ କୌଣସି ଖରାପ ପ୍ରଭାବ ପଡ଼ିନାହିଁ ଏବଂ ଏହାର ପ୍ରଦର୍ଶନ ସନ୍ତୋଷଜନକ ରହିଛି। ଏହାଛଡ଼ା, E20 ପେଟ୍ରୋଲ୍ ଯୋଗୁଁ ଗାଡ଼ିର କୌଣସି ଧାତୁ (Metallic) ଅଂଶ ନଷ୍ଟ ହେଉନାହିଁ ଏବଂ ଗାଡ଼ିରୁ ନିର୍ଗତ ହେଉଥିବା ବାଷ୍ପ ବା ପ୍ରଦୂଷଣର ମାତ୍ରା ମଧ୍ୟ ଆଇନଗତ ସୀମା ମଧ୍ୟରେ ରହୁଛି।
ଭାରତ ସରକାର ସାରା ଦେଶରେ E20 ପେଟ୍ରୋଲ୍ ଲାଗୁ କରିସାରିଥିବା ବେଳେ ପୁରୁଣା ଗାଡ଼ିର ମାଲିକମାନଙ୍କ ପାଇଁ ଏହି ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ସାଜିଛି। ଆଗାମୀ ଦିନରେ ପୁରୁଣା ମଡେଲ୍ ଗାଡ଼ିଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ପାର୍ଟସ୍ ବଦଳାଇବା ଉପରେ ଗ୍ରାହକମାନଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ।


