ଦେଶରୁ ସନ୍ତ୍ରାସବାଦ ଓ ଆତଙ୍କବାଦୀ ନେଟୱାର୍କକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ର ସରକାରଙ୍କ ‘ଜିରୋ ଟଲରାନ୍ସ ନୀତି’ ଅଧୀନରେ କଠୋର ଆଇନ ୟୁଏପିଏ ବା ‘ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ’ ର ଧାରା ୩୫ ଅନୁଯାୟୀ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ରୁ ସକ୍ରିୟ ଥିବା ୨୩ ଜଣ ମୁଖ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆନୁଷ୍ଠାନିକ ଭାବେ ‘ଆତଙ୍କବାଦୀ’ ଘୋଷଣା କରାଯାଇଛି। ଏହି ୨୩ ଜଣଙ୍କ ମଧ୍ୟରେ ୧୭ ଜଣ ପାକିସ୍ତାନୀ ନାଗରିକ ଥିବାବେଳେ ୬ ଜଣ ଭାରତୀୟ ନାଗରିକ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ପାକିସ୍ତାନରେ ଆଶ୍ରୟ ନେଇ ଭାରତ ବିରୋଧୀ ଷଡ଼ଯନ୍ତ୍ର ଚଳାଇଛନ୍ତି। ସେମାନେ ପ୍ରସିଦ୍ଧ ଆତଙ୍କବାଦୀ ସଂଗଠନ ଯେପରିକି ଜୈଶ୍-ଏ-ମହମ୍ମଦ , ଲସ୍କର-ଏ-ତାଇବା, ଜମାତ-ଉଦ-ଦାୱା ଏବଂ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ସହ ଜଡ଼ିତ ଅଛନ୍ତି।

ଆତଙ୍କବାଦୀ ମଡ୍ୟୁଲ୍ ଧ୍ୱଂସ ହେବ: ଅମିତ ଶାହ
ଏହି ବଡ଼ ନିଷ୍ପତ୍ତି ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ଏକ୍ସ (X) ରେ ପୋଷ୍ଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷିତ ଭାରତର ସଂକଳ୍ପ ଅନୁଯାୟୀ ପ୍ରତ୍ୟେକ ଆତଙ୍କବାଦୀ ମଡ୍ୟୁଲକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ସରକାର ପ୍ରତିବଦ୍ଧ। ନୂତନ ଭାବେ ଚିହ୍ନଟ ହୋଇଥିବା ଏହି ଆତଙ୍କବାଦୀମାନେ ଭାରତରେ ଆକ୍ରମଣ ଯୋଜନା କରିବା, ଯୁବପୀଢ଼ିଙ୍କୁ ଉଗ୍ରପନ୍ଥୀ କରି ଶିବିରରେ ସାମିଲ କରିବା, ସୀମାପାର ଅନୁପ୍ରବେଶ କରାଇବା, ନିଶାଦ୍ରବ୍ୟ ଏବଂ ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିବା ସହ ଆତଙ୍କବାଦ ପାଇଁ ପାଣ୍ଠି ସଂଗ୍ରହ ଭଳି ଜଘନ୍ୟ ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ୨୦୧୯ ୟୁଏପିଏ ସଂଶୋଧନ ପରେ କେନ୍ଦ୍ର ସରକାରଙ୍କୁ କୌଣସି ସଂଗଠନ ବ୍ୟତୀତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସିଧାସଳଖ ଆତଙ୍କବାଦୀ ଘୋଷଣା କରିବାର କ୍ଷମତା ମିଳିଛି। ଏହି ନୂତନ ତାଲିକା ପରେ ଦେଶରେ ମୋଟ ଚିହ୍ନଟ ଆତଙ୍କବାଦୀଙ୍କ ସଂଖ୍ୟା ୮୦ ରେ ପହଞ୍ଚିଛି।

ଏହି ନିଷ୍ପତ୍ତିର ଆଇନଗତ ପ୍ରଭାବ
ଏହି ଘୋଷଣା ପରେ ଭାରତର ପ୍ରମୁଖ ଆତଙ୍କବାଦ ନିରୋଧୀ ସଂସ୍ଥା ‘ଜାତୀୟ ଅନୁସନ୍ଧାନ ସଂସ୍ଥା’ (NIA) ଏବଂ ଅନ୍ୟାନ୍ୟ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ବ୍ୟାପକ କ୍ଷମତା ମିଳିବ। ଏବେ ଏହି ଆତଙ୍କବାଦୀମାନଙ୍କର ସମସ୍ତ ଆର୍ଥିକ ଆକାଉଣ୍ଟ ଏବଂ ପାଣ୍ଠି ଯୋଗାଣ ମାଧ୍ୟମକୁ ବ୍ଲକ୍ କରାଯାଇପାରିବ। ଏହା ସହିତ ଭାରତରେ ଥିବା ସେମାନଙ୍କର କୌଣସି ପ୍ରକାରର ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତିକୁ ବ୍ୟାଜାପ୍ତ ବା ଜବତ କରାଯାଇପାରିବ, ଯାହା ସେମାନଙ୍କ ଆତଙ୍କବାଦୀ ନେଟୱାର୍କକୁ ଆର୍ଥିକ ସ୍ତରରେ ସମ୍ପୂର୍ଣ୍ଣ ପଙ୍ଗୁ କରିଦେବ।
ଚିହ୍ନଟ ହୋଇଥିବା ମୁଖ୍ୟ ଆତଙ୍କବାଦୀ

ନୂତନ ଭାବେ ଆତଙ୍କବାଦୀ ତାଲିକାଭୁକ୍ତ ହୋଇଥିବା ପ୍ରମୁଖ ନାମଗୁଡ଼ିକ ମଧ୍ୟରେ ଜୈଶ୍-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମସୁଦ ଇଲିୟାସ କାଶ୍ମୀରୀ ଅଛି, ଯିଏ ୨୨ ଅପ୍ରେଲ ୨୦୨୨ ରେ ଜାମ୍ମୁର ସୁଞ୍ଜୱାନ ସେନା କ୍ୟାମ୍ପ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ। ଏହା ସହିତ ଜୈଶ୍ର ସୀମାପାର ଅନୁପ୍ରବେଶ ହ୍ୟାଣ୍ଡଲର ମହମ୍ମଦ ମୁସାଦିକ୍ ଓରଫ୍ ଡକ୍ଟର, ଏବଂ ୨୦୧୬ ନଗ୍ରୋଟା ସେନା ଶିବିର ଆକ୍ରମଣର ମାଷ୍ଟରମାଇଣ୍ଡ ମୁଫ୍ତି ମହମ୍ମଦ ଅସଘର ଖାନ୍ ମଧ୍ୟ ଏହି ତାଲିକାରେ ଅଛନ୍ତି। ସେହିପରି ଲସ୍କର ପ୍ରତିଷ୍ଠାତା ହାଫିଜ୍ ସୟିଦର ଅତି ନିକଟତର ସହଯୋଗୀ ଅବଦୁଲ ରଉଫ୍, ହାଫିଜ୍ ଖାଲିଦ ୱାଲିଦ୍ ଏବଂ ୨୦୧୨ ବେଙ୍ଗାଲୁରୁ ଷଡ଼ଯନ୍ତ୍ର ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଶାହିଦ ଫୈସଲ ମଧ୍ୟ ଏଥିରେ ସାମିଲ ଅଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଦୃଢ଼ ଆଇନଗତ ଆଭିମୁଖ୍ୟ ପାକିସ୍ତାନର ଛତ୍ରଛାୟାରେ ଚାଲୁଥିବା ଆତଙ୍କବାଦୀ ବ୍ୟବସ୍ଥା ଉପରେ ଏକ ବଡ଼ ଆଘାତ ବୋଲି ପ୍ରମାଣିତ ହେବ।


