ଅଯୋଧ୍ୟା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଦାନ କରାଯାଇଥିବା ଅର୍ଥ ହେରଫେର ଅଭିଯୋଗକୁ ନେଇ ଦେଶରେ ରାଜନୈତିକ ବାଦବିବାଦ ତେଜିବାରେ ଲାଗିଛି। ଏହି ସମୟରେ ଏକ ବଡ଼ ଆଇନଗତ ତଥ୍ୟ ସାମ୍ନାକୁ ଆସିଛି, ଯାହା ଚାଲିଥିବା ବିବାଦ ଉପରେ ଗଭୀର ପ୍ରଭାବ ପକାଇପାରେ। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କେନ୍ଦ୍ର ସରକାର କିମ୍ବା ଉତ୍ତର ପ୍ରଦେଶ ସରକାର କାହା ନିକଟରେ ବି ଜବାବଦାହୀ ନୁହେଁ।

RTI ପରିସରଭୁକ୍ତ ନୁହେଁ ଟ୍ରଷ୍ଟ
ଗତବର୍ଷ କେନ୍ଦ୍ର ଗୃହ ମନ୍ତ୍ରାଳୟ କେନ୍ଦ୍ରୀୟ ସୂଚନା କମିଶନ ଙ୍କୁ ଜଣାଇଥିଲା ଯେ, ରାମ ମନ୍ଦିର ପରିସରର ପରିଚାଳନା କରୁଥିବା ଏହି ଟ୍ରଷ୍ଟ ନିଜର ସମସ୍ତ ନିଷ୍ପତ୍ତି ଆଭ୍ୟନ୍ତରୀଣ ଭାବେ ଗ୍ରହଣ କରିଥାଏ ଏବଂ ଏହାର ସମସ୍ତ ଅଧିକାର ସ୍ଥାୟୀ ଟ୍ରଷ୍ଟିମାନଙ୍କ ନିକଟରେ ସୁରକ୍ଷିତ ରହିଛି। ଗୃହ ମନ୍ତ୍ରାଳୟର ଏହି ଜବାବ ଆଧାରରେ ସିଆଇସି ନିଷ୍ପତ୍ତି ଶୁଣାଇଛନ୍ତି ଯେ, ଏହି ଟ୍ରଷ୍ଟ ସରକାରଙ୍କ ଠାରୁ କୌଣସି ଆର୍ଥିକ ସହାୟତା କିମ୍ବା ପ୍ରଶାସନିକ ନିୟନ୍ତ୍ରଣ ପାଏନାହିଁ, ତେଣୁ ଏହା ସୂଚନା ଅଧିକାର ଆଇନ ର ପରିସରଭୁକ୍ତ ନୁହେଁ ଏବଂ ଏକ ସ୍ୱାଧୀନ ସଂସ୍ଥା ଅଟେ। ସୂଚନାଯୋଗ୍ୟ ଯେ, ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଫେବୃଆରୀ ୨୦୨୦ରେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା।
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଆଇସି ଏହି ମାମଲାର ଶୁଣାଣି କରୁଥିଲେ, ଯେଉଁଠାରେ ଆବେଦନକାରୀ ନୀରଜ ଶର୍ମା ଟ୍ରଷ୍ଟର ଜନ ସୂଚନା ଅଧିକାରୀଙ୍କ ବିଷୟରେ ସୂଚନା ମାଗିଥିଲେ।

୬ ଜୁଲାଇ ବୈଠକ ଉପରେ ନଜର
ଆସନ୍ତା ୬ ଜୁଲାଇରେ ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଚନ୍ଦା ଚୋରି ଅଭିଯୋଗ ପରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିବା ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଭବିଷ୍ୟତ ଉପରେ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। ଯେହେତୁ ଟ୍ରଷ୍ଟ ସ୍ୱାଧୀନ ଭାବେ କାର୍ଯ୍ୟ କରେ, ତେଣୁ କୌଣସି ସରକାରୀ କିମ୍ବା ଆଇନଗତ କର୍ତ୍ତୃପକ୍ଷ ଚମ୍ପତ ରାୟ କିମ୍ବା ଅନିଲ ମିଶ୍ରଙ୍କୁ ସେମାନଙ୍କ ପଦବୀରୁ ହଟାଇ ପାରିବେ ନାହିଁ। ଯଦି ସେମାନେ ନିଜ ପଦବୀରୁ ଓହରିଯାଆନ୍ତି, ତଥାପି ସେମାନେ ଟ୍ରଷ୍ଟର ସଦସ୍ୟ ଭାବେ ରହିପାରିବେ। ଟ୍ରଷ୍ଟରୁ କୌଣସି ସଦସ୍ୟଙ୍କୁ ବାହାର କରିବାର ନିୟମ ନଥିବାରୁ କେବଳ ନିଜେ ଇସ୍ତଫା ଦେବା ହିଁ ଏକମାତ୍ର ରାସ୍ତା।

ଟ୍ରଷ୍ଟର ଗଠନ ଓ ନିଷ୍ପତ୍ତି ପ୍ରକ୍ରିୟା
ଏହି ଟ୍ରଷ୍ଟରେ ସମୁଦାୟ ୧୫ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରୁ ୧୧ ଜଣ ସ୍ଥାୟୀ ସଦସ୍ୟ। ମହନ୍ତ ନୃତ୍ୟ ଗୋପାଳ ଦାସ ଏହାର ଅଧ୍ୟକ୍ଷ, ଚମ୍ପତ ରାୟ ସାଧାରଣ ସମ୍ପାଦକ ଏବଂ ଗୋବିନ୍ଦ ଗିରି ଦେବ କୋଷାଧ୍ୟକ୍ଷ ଅଟନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍ ମଧ୍ୟ ଏହାର ସ୍ଥାୟୀ ସଦସ୍ୟ ଏବଂ ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ହିଁ ଟ୍ରଷ୍ଟର ପଞ୍ଜୀକୃତ ଠିକଣା। ଟ୍ରଷ୍ଟରେ କୌଣସି ପ୍ରସ୍ତାବ ପାରିତ କରିବା ପାଇଁ ଭୋଟ୍ ଦେବାର ଅଧିକାର ଥିବା ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ଅତିକମରେ ୬ ଜଣଙ୍କ ସହମତି ଜରୁରୀ। କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ୪ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ଏହି ଟ୍ରଷ୍ଟର ସଦସ୍ୟ ଅଟନ୍ତି, କିନ୍ତୁ ସେମାନଙ୍କର ଭୋଟ୍ ଦେବାର କିମ୍ବା କୌଣସି ସ୍ୱତନ୍ତ୍ର ନିଷ୍ପତ୍ତି ନେବାର ଅଧିକାର ନାହିଁ।
Also read : https://purvapaksa.com/discussions-between-india-and-japan-on-the-construction-of-mogashi-class-warships/


