ଭାରତୀୟ ରାଜନୀତିରେ ଆଜି ଏକ ଏଭଳି ମହା-ପରିବର୍ତ୍ତନର ସମୟ ଆସିଛି, ଯାହା ଆଗାମୀ କିଛି ଦଶନ୍ଧିର ଗଣତାନ୍ତ୍ରିକ ଭବିଷ୍ୟତକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଯାଉଛି। କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ଼ ଆତ୍ମବିଶ୍ୱାସର ସହ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ଦେଶରେ ଏକ ବଡ଼ ଧରଣର ଆର୍ଥିକ ସୁନାମି ଆସିବାକୁ ଯାଉଛି, ମହଙ୍ଗା ମାଡ଼ ଆକାଶଛୁଆଁ ହେବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନିୟନ୍ତ୍ରଣ କରିପାରିବେ ନାହିଁ ଏବଂ ତାଙ୍କ ସରକାର ବେଶୀ ଦିନ ତିଷ୍ଠିବ ନାହିଁ। ରାହୁଲଙ୍କ ଯୁକ୍ତି ଥିଲା ଯେ ଭାରତୀୟ ଅର୍ଥବ୍ୟବସ୍ଥାକୁ ରକ୍ଷା କରୁଥିବା ଆନ୍ତର୍ଜାତୀୟ ଶିଲ୍ଡ ବା କବଚକୁ ମୋଦୀ ସରକାର ଭାଙ୍ଗି ଦେଇଛନ୍ତି।
କିନ୍ତୁ ବାସ୍ତବତା କଣ? ନିକଟରେ ଆସିଥିବା ସରକାରୀ ଆର୍ଥିକ ପରିସଂଖ୍ୟାନ ଓ ଆରବିଆଇ (RBI)ର ରିପୋର୍ଟ ଦର୍ଶାଉଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ବିଭିନ୍ଧ ଯୁଦ୍ଧ ଓ ସଂକଟ ସତ୍ତ୍ୱେ ଅତି ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ମହଙ୍ଗା ଦର ଆରବିଆଇର ନିର୍ଦ୍ଧାରିତ ସୀମା (୨ ରୁ ୬ ପ୍ରତିଶତ) ମଧ୍ୟରେ ନିୟନ୍ତ୍ରିତ ହୋଇ ରହିଛି। ଅର୍ଥାତ, ଆର୍ଥିକ କବଚ ଭାଙ୍ଗିବା ନେଇ ରାହୁଲ ଗାନ୍ଧୀ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି।
ବାସ୍ତବରେ, କଂଗ୍ରେସ ଦଳ ଚାରିପାଖରେ ଯେଉଁ ‘ରାଜନୈତିକ କବଚ’ (Political Shield) ଥିଲା, ତାହା ଏବେ ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇ ଭୁଶୁଡ଼ି ପଡ଼ିବାକୁ ଆରମ୍ଭ କଲାଣି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କବଚକୁ ବଞ୍ଚାଇବା ପାଇଁ କଂଗ୍ରେସ ପାଖରେ କୌଣସି ରଣନୀତି ନାହିଁ।
ଦେଶରେ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି— କଣ ବିଜେପି ଜାଣିଶୁଣି ସମସ୍ତ ଆଞ୍ଚଳିକ ଦଳଗୁଡ଼ିକୁ ଶେଷ କରିଦେବାକୁ ଚାହୁଁଛି? କଣ ଦେଶରେ ବିରୋଧୀ ଶୂନ୍ୟ ସ୍ଥିତି ସୃଷ୍ଟି କରାଯାଉଛି? ଆଜି ଆମେ ଇତିହାସର ପୃଷ୍ଠା ଓଲଟାଇ ଏହି ସମଗ୍ର ଘଟଣାକ୍ରମର ଏକ ଅତି ଗମ୍ଭୀର ଓ ନିରପେକ୍ଷ ବିଶ୍ଳେଷଣ ଆପଣଙ୍କ ସାମ୍ନାରେ ରଖିବୁ।
ଆଞ୍ଚଳିକ ଦଳଗୁଡ଼ିକର ଜନ୍ମ ଓ କଂଗ୍ରେସର ସୁରକ୍ଷା କବଚ
ଆଜି ଯେଉଁ ଆଞ୍ଚଳିକ ଦଳଗୁଡ଼ିକ ଗୋଟିଏ ପରେ ଗୋଟିଏ ଭାଙ୍ଗିବାକୁ ଲାଗିଛନ୍ତି, ସେମାନଙ୍କର ଅସ୍ତିତ୍ୱ ଏବଂ ଜନ୍ମର ଇତିହାସକୁ ବୁଝିବା ଅତ୍ୟନ୍ତ ଜରୁରୀ। ଏହି ଆଞ୍ଚଳିକ ଦଳଗୁଡ଼ିକ କାହିଁକି ଗଠନ ହୋଇଥିଲେ? ଯଦି ଆପଣ ସ୍ୱାଧୀନତା ପରର ରାଜନୀତିକୁ ଦେଖିବେ, ତେବେ ଜାଣିପାରିବେ ଯେ ଯେତେବେଳେ ଦେଶରେ ଏକମାତ୍ର ଜାତୀୟ ଦଳ ଭାବେ କଂଗ୍ରେସ ଦୁର୍ବଳ ହେବାକୁ ଆରମ୍ଭ କଲା, ସେତେବେଳେ ସେହି ଖାଲି ସ୍ଥାନ ବା ପଲିଟିକାଲ ଭାକ୍ୟୁମ୍ (Political Vacuum) କୁ ପୂରଣ କରିବା ପାଇଁ ଆଞ୍ଚଳିକ ଦଳଗୁଡ଼ିକର ଜନ୍ମ ହେଲା।
ଏହାର ପ୍ରଥମ ବଡ଼ ଉଦାହରଣ ଥିଲା ତାମିଲନାଡୁ। ୧୯୫୨ ରୁ ୧୯୬୭ ପର୍ଯ୍ୟନ୍ତ ସେଠାରେ କଂଗ୍ରେସ ଶାସନରେ ଥିଲା। କିନ୍ତୁ ୧୯୭ ନିର୍ବାଚନରେ ସି. ରାଜଗୋପାଳାଚାରୀ (ରାଜାଜୀ) କଂଗ୍ରେସରୁ ବାହାରି ଏକ ନୂଆ ଆଞ୍ଚଳିକ ମେଣ୍ଟ ଗଠନ କଲେ ଏବଂ କଂଗ୍ରେସ ସେଠାରେ କ୍ଷମତାରୁ ବେଦଖଲ ହେଲା। ଆଜି ପର୍ଯ୍ୟନ୍ତ କଂଗ୍ରେସ ତାମିଲନାଡୁକୁ ଫେରିପାରିନାହିଁ। ସେଠାରେ ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ଭଳି ଆଞ୍ଚଳିକ ଦଳ ରାଜ୍ କଲେ। ଏପରିକି ଚଳିତ ୨୦୬ ମସିହାରେ ସେଠାରେ ସୁପରଷ୍ଟାର ଜୋସେଫ ବିଜୟଙ୍କ ନେତୃତ୍ୱରେ ‘ଟିଭିକେ’ (TVK) ନାମରେ ଆଉ ଏକ ନୂଆ ଆଞ୍ଚଳିକ ଦଳର ଆବିର୍ଭାବ ହୋଇଛି, ଯାହା ଶାସନ ଗାଦିକୁ ଆସିଛି।
୧୯୭ ପରେ ୧୯୬୯ରେ କଂଗ୍ରେସ ଦଳ ଦୁଇ ଭାଗରେ ବିଭକ୍ତ ହେଲା। ଏହା ପରେ ସାରା ଦେଶରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ ବଢ଼ିବାକୁ ଲାଗିଲା। ଉତ୍ତର ଭାରତରେ ମଣ୍ଡଳ କମିଶନଙ୍କ ସୁପାରିଶ ଲାଗୁ ହେବା ପରେ ଜାତିଭିତ୍ତିକ ରାଜନୀତି ଚରମ ସୀମାରେ ପହଞ୍ଚିଲା ଏବଂ ସମାଜବାଦୀ ପାର୍ଟି, ଆରଜେଡି, ବିଏସପି ଭଳି ଦଳଗୁଡ଼ିକ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ଉଭା ହେଲେ।
ଏବେ ପ୍ରଶ୍ନ ଉଠୁଛି, ଏହି ଆଞ୍ଚଳିକ ଦଳଗୁଡ଼ିକ କଂଗ୍ରେସ ପାଇଁ ‘କବଚ’ କେମିତି ଥିଲେ? ବାସ୍ତବରେ, ଏହି ଦଳଗୁଡ଼ିକ କଂଗ୍ରେସର ଭୋଟ୍ ବ୍ୟାଙ୍କ୍କୁ ନେଇହିଁ ଗଢ଼ି ଉଠିଥିଲେ, କିନ୍ତୁ ଜାତୀୟ ସ୍ତରରେ ଏମାନଙ୍କର ସର୍ବପ୍ରଥମ ନୀତି ଥିଲା ‘ବିଜେପି ବିରୋଧୀ’ ରାଜନୀତି। ସେକୁଲାରିଜିମ୍ ବା ଧର୍ମନିରପେକ୍ଷତା ଏବଂ ସମାଜବାଦର ଏକ ମିଥ୍ୟା ଆବରଣ ତିଆରି କରି ଏହି ଦଳଗୁଡ଼ିକ ନିଜ ନିଜ ରାଜ୍ୟରେ ବିଜେପିକୁ ରୋକିବାରେ ସଫଳ ହେଉଥିଲେ। ଯେଉଁଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିଲା, ସେଠାରେ ପ୍ରାୟତଃ ବିଜେପି ଜିତୁଥିଲା। କିନ୍ତୁ ଯେଉଁଠାରେ ଆଞ୍ଚଳିକ ଦଳଗୁଡ଼ିକ ମଝିରେ ପାଚେରୀ ଭଳି ଛିଡ଼ା ହେଉଥିଲେ, ସେଠାରେ ବିଜେପି ଅଟକି ଯାଉଥିଲା। ଏହିପରି ଭାବେ, ଏମାନେ ପରୋକ୍ଷରେ କଂଗ୍ରେସ ପାଇଁ ଏକ ସୁରକ୍ଷା କବଚ ସାଜିଥିଲେ।
ଅଣ-କଂଗ୍ରେସବାଦ ବନାମ ଅଣ-ବିଜେପିବାଦର ପରିବର୍ତ୍ତନ
ଇତିହାସରେ ଏକ ସମୟ ଥିଲା ଯେତେବେଳେ ଦେଶରେ ‘ଅଣ-କଂଗ୍ରେସବାଦ’ (Non-Congressism)ର ରାଜନୀତି ଚାଲିଥିଲା। ସେତେବେଳେ କଂଗ୍ରେସକୁ କ୍ଷମତାରୁ ହଟାଇବା ପାଇଁ ସମସ୍ତ ବିରୋଧୀ ଏକାଠି ହେଉଥିଲେ ଏବଂ ସେହି ସମୟରେ କଂଗ୍ରେସ ଭିତରୁହିଁ ଭାଙ୍ଗି ଅନେକ ଦଳ ସୃଷ୍ଟି ହୋଇଥିଲେ। କାରଣ ସେତେବେଳେ କଂଗ୍ରେସର ଜନାଧାର ଭିତରୁ ଓ ବାହାରୁ ସଙ୍କୁଚିତ ହେଉଥିଲା।
କିନ୍ତୁ ଆଜିର ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଆଜି ‘ଅଣ-ବିଜେପିବାଦ’ (Non-BJPism)ର ରାଜନୀତି କରିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଏହି ଚେଷ୍ଟା ସଫଳ ହୋଇପାରୁ ନାହିଁ। କାହିଁକି? କାରଣ ଅଣ-କଂଗ୍ରେସବାଦ ସମୟରେ କଂଗ୍ରେସ ଦୁର୍ବଳ ହେଉଥିଲା, କିନ୍ତୁ ଆଜି ଯେତେବେଳେ ଅଣ-ବିଜେପିବାଦର ନାରା ଦିଆଯାଉଛି, ସେତେବେଳେ ଭାରତୀୟ ଜନତା ପାର୍ଟି ଦିନକୁ ଦିନ ଆହୁରି ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ବିଜେପିର ସାମାଜିକ ବିସ୍ତାର ଏବଂ ଭୌଗୋଳିକ ବ୍ୟାପ୍ତି କ୍ରମାଗତ ଭାବେ ବଢ଼ିଚାଲିଛି।
ଏହାର ପରିଣାମ ସ୍ୱରୂପ, ବିରୋଧୀ ଦଳଗୁଡ଼ିକ କେବଳ ନିର୍ବାଚନ ହାରୁନାହାନ୍ତି, ବରଂ ସେମାନଙ୍କର ଦଳୀୟ ସଂଗଠନ ସମ୍ପୂର୍ଣ୍ଣ ଭାବେ ବିଖଣ୍ଡିତ ହୋଇଯାଉଛି। କଂଗ୍ରେସକୁ ସୁରକ୍ଷା ଦେଉଥିବା ଏହି ଆଞ୍ଚଳିକ ପାଚେରୀଗୁଡ଼ିକରେ ଏବେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି।
କାଶ୍ମୀରରୁ କନ୍ୟାକୁମାରୀ— ଆଞ୍ଚଳିକ ଦଳଗୁଡ଼ିକର ମହା-ପତନ
ଆସନ୍ତୁ ଭାରତର ରାଜନୈତିକ ମାନଚିତ୍ର ଉପରେ ନଜର ପକାଇବା ଏବଂ ଦେଖିବା କେମିତି ଗୋଟିଏ ପରେ
ଗୋଟିଏ ଆଞ୍ଚଳିକ ଦଳ ଶେଷ ହେବାକୁ ବସିଲେଣି:
• ପଶ୍ଚିମବଙ୍ଗ (TMC): ନିକଟରେ ଆପଣ ଦେଖିଥିବେ, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ କେମିତି ବଡ଼ ବିଦ୍ରୋହ ହୋଇଛି। ପ୍ରାୟ ୬୧ ରୁ ୬୪ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦ ଦଳରୁ ଅଲଗା ହୋଇ ନିଜର ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିଛନ୍ତି। ମମତା ବାନାର୍ଜୀ ଯେଉଁ ପଶ୍ଚିମବଙ୍ଗର ଏକଛତ୍ରୀ ନେତ୍ରୀ ଥିଲେ, ଆଜି ସେ ନିଜ ଦଳକୁ ସମ୍ଭାଳି ପାରୁନାହାନ୍ତି।
• ଜମ୍ମୁ-କାଶ୍ମୀର (PDP): ମେହବୁବା ମୁଫ୍ତିଙ୍କ ପିଡିପି ଦଳର ଅସ୍ତିତ୍ୱ ଆଜି କେଉଁଠି ଅଛି, ତାହା ଖୋଜିବା ମୁସ୍କିଲ। ସେ କେବଳ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ଭୂମି ସ୍ତରରେ ତାଙ୍କ ଦଳର ସଂଗଠନ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଛି।
• ହରିୟାଣା (INLD): ଚୌଧୁରୀ ଦେବୀଲାଲ ଓ ଓମ୍ ପ୍ରକାଶ ଚୌଟାଲାଙ୍କ ଇଣ୍ଡିଆନ ନ୍ୟାସନାଲ ଲୋକଦଳ (INLD) ଏକ ସମୟରେ ହରିୟାଣାର ଶାସନ ଗାଦି ଚଲାଉଥିଲା। ଆଜି ସେହି ଦଳ କେଉଁ କୋଣରେ ପଡ଼ିଛି, ତାହା ଜାଣିବା କଷ୍ଟକର। ସେହିପରି ଚୌଧୁରୀ ବଂଶୀଲାଲଙ୍କ ହରିୟାଣା ବିକାଶ ପାର୍ଟିର ନାମନିଶାନ ମଧ୍ୟ ଆଉ ନାହିଁ।
• କର୍ଣ୍ଣାଟକ (JDS): ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ଜେଡିଏସ୍ (JDS) ଏକଦା କର୍ଣ୍ଣାଟକ ରାଜନୀତିର କିଙ୍ଗ୍ମେକର ଥିଲା। ଆଜି ସେହି ଦଳ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରି ଏକ ପ୍ରକାର ତା’ର ଲାଙ୍ଗୁଡ଼ ଦଳ ପାଲଟିଯାଇଛି। ଏହି ମେଣ୍ଟ ଯୋଗୁଁହିଁ ଏଚ୍.ଡି. କୁମାରସ୍ୱାମୀ କେନ୍ଦ୍ରରେ ମନ୍ତ୍ରୀ ହୋଇପାରିଛନ୍ତି।
• ତେଲେଙ୍ଗାନା (BRS): ଏକ ସ୍ୱତନ୍ତ୍ର ରାଜ୍ୟ ଗଠନର ଶ୍ରେୟ ନେଇ କେ. ଚନ୍ଦ୍ରଶେଖର ରାଓ (KCR) ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଆଜି ତାଙ୍କ ବିଆରଏସ ଦଳର ଅବସ୍ଥା ଏମିତି ଯେ, ଆଗାମୀ ୨୦୮ ବିଧାନସଭା ନିର୍ବାଚନ ବେଳକୁ ଏହି ଦଳର ଚିହ୍ନବର୍ଣ୍ଣ ରହିବ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନବାଚୀ।
• ପଞ୍ଜାବ (Shiromani Akali Dal): ପଞ୍ଜାବ ରାଜନୀତିରେ କଂଗ୍ରେସ ଓ ଅକାଳୀ ଦଳ ମଧ୍ୟରେ ଅଦଳବଦଳ ଶାସନ ଚାଲୁଥିଲା। ଆଜି ସୁଖବୀର ସିଂହ ବାଦଲଙ୍କ ନେତୃତ୍ୱରେ ଅକାଳୀ ଦଳର ସାଙ୍ଗଠନିକ ସ୍ଥିତି ଓ ବିଶ୍ୱସନୀୟତା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଆଗାମୀ ୨୦୭ ନିର୍ବାଚନରେ ସେ ନିଜ ଆସନ ବଞ୍ଚାଇ ପାରିବେ କି ନାହିଁ, ତାହା କହିବା ମଧ୍ୟ ମୁସ୍କିଲ। ଶିଖ୍ ପନ୍ଥର ପ୍ରତିନିଧିତ୍ୱ କରୁଥିବା ଏହି ଦଳ ଆଜି ସେହି ସମାଜ ମଧ୍ୟରେ ସବୁଠାରୁ ଅଧିକ ଅପ୍ରାସଙ୍ଗିକ ହୋଇପଡ଼ିଛି।
• ବିହାର (RJD): ଲାଲୁ ପ୍ରସାଦ ଯାଦବ ଓ ରାବଡ଼ି ଦେବୀ ଯେଉଁଠି ୧୫ ବର୍ଷ ଏକଛତ୍ର ଶାସନ କରିଥିଲେ, ଆଜି ସେଠାରେ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ବିରୋଧୀ ଦଳ ନେତା ପଦ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡ଼ୁଛି। ବିଧାନସଭାରେ ବିରୋଧୀ ଦଳ ନେତା ପଦ ପାଇଁ ଆବଶ୍ୟକ ସର୍ବନିମ୍ନ ସୀମାରୁ ମାତ୍ର ଗୋଟିଏ କିମ୍ବା ଦୁଇଟି ସିଟ୍ ଅଧିକ ପାଇ ସେ କୌଣସି ମତେ ବଞ୍ଚିଛନ୍ତି।
• ଉତ୍ତର ପ୍ରଦେଶ (BSP): ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (BSP), ଯିଏ କି ୨୦୦୭ରେ ସଂପୂର୍ଣ୍ଣ ବହୁମତ ସହ ୫ ବର୍ଷ ସରକାର ଚଲାଇଥିଲେ, ସେ ଆଜି ୟୁପି ରାଜନୀତିର ସୀମାନ୍ତରେ (Margin) ପହଞ୍ଚି ଯାଇଛନ୍ତି। କେବଳ ତାଙ୍କର ନିଜ ଜାତିର ୧୨ ରୁ ୧୩ ପ୍ରତିଶତ ଭୋଟ୍କୁ ଛାଡ଼ିଦେଲେ, ଦଳିତ, ଓବିସି ଏବଂ ମୁସଲିମ୍ ଭୋଟ୍ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ବିଜେପି ଏବଂ ସମାଜବାଦୀ ପାର୍ଟି ଆଡ଼କୁ ଚାଲିଯାଇଛି।
ମହାରାଷ୍ଟ୍ରର ଖେଳ ଏବଂ ସାଧୁଙ୍କ ଅଭିଶାପ
ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ନାଟକୀୟ ଖେଳ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ୧୯୯ ମସିହାରେ ଶରଦ ପାୱାର କଂଗ୍ରେସରୁ ଅଲଗା ହୋଇ ଏନସିପି (NCP) ଗଠନ କରିଥିଲେ। ସେ ସବୁବେଳେ କ୍ଷମତାର ଗୋଟି ଚାଳନା କରିବାରେ ମାହିର ଥିଲେ। କିନ୍ତୁ ଆଜି ତାଙ୍କର ସେହି ଚାଣକ୍ୟ ନୀତି ବିଫଳ ହୋଇଛି। ତାଙ୍କ ନିଜ ପୁତୁରା ଅଜିତ ପାୱାର ସମଗ୍ର ଦଳ ଓ ଚିହ୍ନ ନେଇ ଚାଲିଗଲେ। ଏବେ ଚର୍ଚ୍ଚା ହେଉଛି ଯେ ଶରଦ ପାୱାର ନିଜର ବଳକା ଅସ୍ତିତ୍ୱକୁ ରକ୍ଷା କରିବା ପାଇଁ ଏନସିପିକୁ ପୁଣି କଂଗ୍ରେସ ସହ ମିଶ୍ରଣ କରିବାକୁ ଯାଉଛନ୍ତି। କିନ୍ତୁ ଏହି ମିଶ୍ରଣ ଦ୍ୱାରା କଂଗ୍ରେସ କିମ୍ବା ପାୱାର କାହାରିକୁ କିଛି ଲାଭ ହେବାର ନାହିଁ।
ସେହିପରି ଶିବସେନାର ଅବସ୍ଥା ଦେଖନ୍ତୁ। ବାଲାସାହେବ ଠାକରେଙ୍କ ଆଦର୍ଶକୁ ଜଳାଞ୍ଜଳି ଦେଇ ଉଦ୍ଧବ ଠାକରେ କେବଳ ୨.୫ ବର୍ଷର ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ଓ ଏନସିପି ସହ ହାତ ମିଳାଇଥିଲେ। ପରିଣାମ ସ୍ୱରୂପ, ଏକନାଥ ସିନ୍ଦେ ସମଗ୍ର ସଙ୍ଗଠନକୁ ନେଇ ଅଲଗା ହୋଇଗଲେ। ଉଦ୍ଧବ ଠାକରେ ଆଜି ଏଭଳି ସ୍ଥିତିରେ ଅଛନ୍ତି ଯେ, କେତେବେଳେ କେଉଁ ନେତା ତାଙ୍କୁ ଛାଡ଼ି ଚାଲିଯିବ, ସେ ନିଜେ ଜାଣିପାରୁ ନାହାନ୍ତି।
ରାଜନୈତିକ ସମୀକରଣ ବାହାରକୁ ଯାଇ ଯଦି ଆମେ ଏକ ମାନବୀୟ ବା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିବା, ତେବେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପାଲଘରଠାରେ ନିରୀହ ସାଧୁମାନଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଗଲା, ସେହି ସାଧୁମାନଙ୍କର ଅଶ୍ରୁ ଓ ଅଭିଶାପ ଆଜି ଉଦ୍ଧବଙ୍କ ରାଜନୈତିକ ସାମ୍ରାଜ୍ୟକୁ ଧ୍ୱଂସ କରିଦେଇଛି। ସେ ନିଜକୁ ମୁଖ୍ୟମନ୍ତ୍ରୀ ଭାବି ଅହଂକାରରେ ଅନ୍ଧ ହୋଇଯାଇଥିଲେ, ହିନ୍ଦୁତ୍ୱବାଦୀ ଆଦର୍ଶରୁ ଓହରି ଯାଇ ହିନ୍ଦୁତ୍ୱ ବିରୋଧୀ ସାଜିଥିଲେ। ଆଜି ସେ ନା କାହାକୁ ନିର୍ବାଚନ ଜିତାଇବା ସ୍ଥିତିରେ ଅଛନ୍ତି, ନା କାହାକୁ କ୍ଷମତା ଦେବା ସ୍ଥିତିରେ ଅଛନ୍ତି। ଆଗାମୀ ନିର୍ବାଚନ ବେଳକୁ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ନିଜ ଆସନ ବଞ୍ଚାଇ ପାରିବେ ନାହିଁ।
ଓଡ଼ିଶାର ସ୍ଥିତି ଓ ଅବଶିଷ୍ଟ କବଚ
ଓଡ଼ିଶାରେ ବିଜୁ ଜନତା ଦଳ (BJD) ଦୀର୍ଘ ଦଶନ୍ଧି ଧରି ଶାସନରେ ରହିବା ପରେ ଏବେ ବିରୋଧୀ ଆସନରେ ଅଛି। କିନ୍ତୁ ବିଜେଡିର ଭବିଷ୍ୟତ କଣ? ଏହା ଏକ ଖୋଲା ସତ୍ୟ ଯେ, ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଅଛନ୍ତି, ସେପର୍ଯ୍ୟନ୍ତହିଁ ଦଳ ଏକାଠି ରହିଛି। ନବୀନ ବାବୁଙ୍କ ପରେ ବିଜେଡିର ସ୍ଥିତି କଣ ହେବ, ଦଳର ସ୍ଥିତି କେମିତି ବିଖଣ୍ଡିତ ହେବ, ତାହା ସମସ୍ତେ ଅନୁମାନ କରିପାରୁଛନ୍ତି।
ବର୍ତ୍ତମାନ ସାରା ଦେଶରେ କଂଗ୍ରେସ ପାଇଁ କେବଳ ଦୁଇଟି ମାତ୍ର ଶକ୍ତିଶାଳୀ କବଚ ବାକି ରହିଛି। ଗୋଟିଏ ହେଉଛି ତାମିଲନାଡୁରେ ଡିଏମକେ (DMK) ଏବଂ ଅନ୍ୟଟି ହେଉଛି ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (SP)। ଏହି ଦୁଇଟି ଦଳ ଯୋଗୁଁହିଁ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହୋଇପାରୁ ନାହିଁ।
କିନ୍ତୁ ଯେମିତି ଏହି ଦଳଗୁଡ଼ିକର ଜନାଧାର ଆହୁରି ସଙ୍କୁଚିତ ହେବ, ସେତେବେଳେ ଦେଶର ରାଜନୀତି ସମ୍ପୂର୍ଣ୍ଣ ଭାବେ ଦୁଇ ଭାଗରେ ବିଭକ୍ତ ହୋଇଯିବ— ଗୋଟିଏ ପଟେ ବିଜେପି ଏବଂ ଅନ୍ୟପଟେ କଂଗ୍ରେସ। ଆଉ ଯେଉଁଦିନ ଏହି ଆଞ୍ଚଳିକ କବଚଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ହଟିଯିବେ, ସେଦିନ କଂଗ୍ରେସ ଏଭଳି ଭାବେ ଭୁଶୁଡ଼ି ପଡ଼ିବ ଯେ, ତାହାକୁ ସମ୍ଭାଳିବା ଅସମ୍ଭବ ହୋଇପଡ଼ିବ।
ଏହା ଅତ୍ୟନ୍ତ ସହଜ ଯେ ବିରୋଧୀ ଦଳଗୁଡ଼ିକ ନିଜର ଦୁର୍ବଳତା ଲୁଚାଇବା ପାଇଁ ସବୁବେଳେ ଭାରତୀୟ ଜନତା ପାର୍ଟି ଉପରେ ଦୋଷ ଲଦି ଦିଅନ୍ତି। ସେମାନେ କୁହନ୍ତି ଯେ ବିଜେପି କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି କିମ୍ବା ଟଙ୍କା ବଳରେ ଦଳ ଭାଙ୍ଗୁଛି। ଯଦି ଆମେ କିଛି ସମୟ ପାଇଁ ଏହି ଅଭିଯୋଗକୁ ସତ ବୋଲି ମଧ୍ୟ ମାନିନେବା, ତେବେ ପ୍ରଶ୍ନ ଉଠୁଛି— ଆପଣଙ୍କ ଦଳର ନେତାମାନେ ବିକ୍ରି ହେବା ପାଇଁ କିମ୍ବା ଦଳ ଛାଡ଼ିବା ପାଇଁ ପ୍ରସ୍ତୁତ କାହିଁକି ଅଛନ୍ତି?
ଆପଣଙ୍କ ଭିତରେ ସେହି ଆଦର୍ଶଗତ ଦୃଢ଼ତା କାହିଁକି ନାହିଁ?
ବାସ୍ତବରେ, ପଶ୍ଚିମବଙ୍ଗ ହେଉ କିମ୍ବା ମହାରାଷ୍ଟ୍ର, ଯେତେବେଳେ କୌଣସି ଦଳ ଜନସାଧାରଣଙ୍କ ବିଶ୍ୱାସ ହରାଏ ଏବଂ ଜନତାଙ୍କ ନଜରରୁ ତଳକୁ ଖସିଯାଏ, ସେତେବେଳେ ସେହି ଦଳକୁ ଭାଙ୍ଗିବା ପାଇଁ କାହାରିକୁ କୌଣସି ଚେଷ୍ଟା କରିବାକୁ ପଡ଼େନାହିଁ। ତାହା ନିଜ ଅହଂକାର ଓ ଦୁର୍ନୀତିର ବୋଝରେ ନିଜେ ଭୁଶୁଡ଼ି ଯାଏ।
ଅନ୍ୟପଟେ, ଭାରତୀୟ ଜନତା ପାର୍ଟିର ଇତିହାସକୁ ଦେଖନ୍ତୁ। ୧୯୫୧ ମସିହାରେ ଜନସଂଘ ଗଠନ ହେବା ପରଠାରୁ ବିଜେପି ଦଶନ୍ଧି ଦଶନ୍ଧି ଧରି କେବଳ ନିର୍ବାଚନ ହାରି ଚାଲିଥିଲା। ମାତ୍ର ୨ଟି ଲୋକସଭା ସିଟ୍କୁ ଖସି ଆସିବା ପରେ ମଧ୍ୟ ସେମାନେ ଭାଙ୍ଗି ପଡ଼ିନଥିଲେ। ସେମାନେ ନିଜର ଆଦର୍ଶକୁ ଛାଡ଼ିନଥିଲେ, ବରଂ ଧୂଳି ଝାଡ଼ି ପୁଣି ଛିଡ଼ା ହେଉଥିଲେ ଏବଂ ସଙ୍ଗଠନକୁ ମଜବୁତ କରୁଥିଲେ। ଆଜି ସେମାନେ ସେହି ଦୀର୍ଘକାଳୀନ ପରିଶ୍ରମ ଓ ସାଧନାର ରାଜନୈତିକ ଫଳ ପାଉଛନ୍ତି।
ତେଣୁ ବିରୋଧୀ ଦଳଗୁଡ଼ିକୁ ଅନ୍ୟ କାହା ଉପରେ ଆଙ୍ଗୁଠି ଉଠାଇବା ପୂର୍ବରୁ ନିଜ ଭିତରକୁ ଝାଙ୍କି ଦେଖିବାକୁ ହେବ। କଂଗ୍ରେସ ଯଦି ଭାବୁଛି ଯେ ସେ ଆଞ୍ଚଳିକ ଦଳଗୁଡ଼ିକର କାନ୍ଧରେ ବନ୍ଧୁକ ରଖି ସବୁଦିନ ପାଇଁ ରାଜନୀତି କରିବ, ତେବେ ସେ ବଡ଼ ଭ୍ରମରେ ଅଛି। କାରଣ ସେହି ରାଜନୈତିକ କବଚ ଏବେ ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇସାରିଛି।
AlsoRead; https://purvapaksa.com/the-real-story-behind-the-india-japan-alliance-and-chinas-sleep-deprivation/


