ଅପରାଧିକ ମାମଲାର ଶୁଣାଣି ଏବଂ ଅଭିଯୁକ୍ତଙ୍କ ଜାମିନ ପ୍ରକ୍ରିୟାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ‘ସୁପ୍ରିମକୋର୍ଟ’ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସୁଦୂରପ୍ରସାରୀ ରାୟ ଶୁଣାଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, “ଯଦି ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅଦାଲତରେ ଚାର୍ଜସିଟ୍ (ପୋଲିସ ରିପୋର୍ଟ) ଦାଖଲ କରିସାରିଛି, ତେବେ ଅଭିଯୁକ୍ତଙ୍କୁ ଚାର୍ଜସିଟ୍ର କପି ବା ନକଲ ମିଳିବାରେ ବିଳମ୍ବ ହେଲେ ମଧ୍ୟ ସେ ‘ଡିଫଲ୍ଟ ଜାମିନ’ (Default Bail) ପାଇବାକୁ ହକଦାର ହେବେ ନାହିଁ । ଚାର୍ଜସିଟ୍ର ଅତିରିକ୍ତ କପି ଜମା ନକରିବା କିମ୍ବା ଅଭିଯୁକ୍ତଙ୍କୁ ତାହା ନମିଳିବା କାରଣରୁ ପୋଲିସ ରିପୋର୍ଟ ଅମାନ୍ୟ ବୋଲି ବିବେଚନା କରାଯାଇପାରିବ ନାହିଁ।”

ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ. କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଦ୍ୱିସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏକ ଅନଲାଇନ୍ ପ୍ରତାରଣା ମାମଲାର ଅଭିଯୁକ୍ତଙ୍କ ଦ୍ୱାରା ଦାୟର କରାଯାଇଥିବା ଆବେଦନକୁ ଖାରଜ କରି ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି । ଉକ୍ତ ମାମଲାରେ ସିବିଆଇ (CBI) ଗତବର୍ଷ ଜୁଲାଇ ୧୩ରେ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ସେପ୍ଟେମ୍ବର ୨ ତାରିଖରେ ନିର୍ଦ୍ଧାରିତ ୬୦ ଦିନର ସମୟ ସୀମା ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ମାତ୍ର ଅଭିଯୁକ୍ତ ଜଣକ ସେପ୍ଟେମ୍ବର ୨୩ରେ ଚାର୍ଜସିଟ୍ର କପି ପାଇବା ପରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଦର୍ଶାଇଥିଲେ ଯେ, ସେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ର କପି ପାଇନଥିବାରୁ ତାଙ୍କୁ ‘ଡିଫଲ୍ଟ ଜାମିନ’ ପ୍ରଦାନ କରାଯାଉ।
ନୂଆ ଆଇନ ‘BNSS’ ରେ ମଧ୍ୟ ସ୍ଥିତି ସମାନ
ଖଣ୍ଡପୀଠ ନିଜ ରାୟରେ ପୂର୍ବତନ ସିଆରପିସି ଏବଂ ବର୍ତ୍ତମାନର ଭାରତୀୟ ନାଗରିକ ସୁରକ୍ଷା ସଂହିତା , ୨୦୨୩ର ନିୟମାବଳୀକୁ ଉଲ୍ଲେଖ କରି କହିଛନ୍ତି ଯେ, ନୂଆ ଆଇନର ଧାରା ୧୯୩(୩) ଅନୁଯାୟୀ ଯଦି ନିର୍ଦ୍ଧାରିତ ସମୟ ସୀମା (୬୦ କିମ୍ବା ୯୦ ଦିନ) ଭିତରେ ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇଯାଏ, ତେବେ ଅଭିଯୁକ୍ତଙ୍କର ‘ଡିଫଲ୍ଟ ଜାମିନ’ ପାଇବାର ଅଧିକାର ସେହିକ୍ଷଣି ସମାପ୍ତ ହୋଇଯାଏ । ବିଏନଏସଏସର ଧାରା ୧୯୩(୮)ର କେତେକ ବ୍ୟବସ୍ଥାର ଅନୁପାଳନ ନହେବା କାରଣରୁ ଏହାକୁ ଧାରା ୧୮୭(୩)ର ମାଣ୍ଡେଟୋରୀ କ୍ଲଜ୍ (ବାଧ୍ୟତାମୂଳକ ନିୟମ) ର ଉଲ୍ଲଂଘନ ବୋଲି ଧରାଯିବ ନାହିଁ ।
ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ, ‘ଡିଫଲ୍ଟ ଜାମିନ’ର ସୁବିଧା କେବଳ ସେତିକି ବେଳେ ମିଳିଥାଏ, ଯେତେବେଳେ ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥାଏ । ଯଦି ରେକର୍ଡ ଅନୁସାରେ ଚାର୍ଜସିଟ୍ ସଠିକ୍ ସମୟରେ ଅଦାଲତରେ ପହଞ୍ଚି ଯାଇଛି, ତେବେ ଅଭିଯୁକ୍ତଙ୍କୁ ଚାର୍ଜସିଟ୍ ମିଳିବାରେ ବିଳମ୍ବ ହେଲେ ତାହାକୁ ଆଧାର କରି ଜାମିନ ମଗାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ବ୍ୟାଖ୍ୟା ପରେ ଏବେ ଅପରାଧିକ ମାମଲାରେ ଚାର୍ଜସିଟ୍ର କପି ମିଳିବାରେ ଥିବା ବୈଷୟିକ ତ୍ରୁଟିର ସୁଯୋଗ ନେଇ ଅଭିଯୁକ୍ତମାନେ ଜାମିନ ପାଇବାର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।


