“ଓଡ଼ିଶାର ଲୋକେ ହିଁ ମୋର ଉତ୍ତରାଧିକାରୀ ବାଛିବେ, ମୋ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ।” — ଥରେ କି ଦୁଇଥର ନୁହେଁ, ବିଗତ ୭ ବର୍ଷ ମଧ୍ୟରେ ୭ରୁ ଅଧିକ ଥର ଓଡ଼ିଶାବାସୀଙ୍କ ସାମ୍ନାରେ ଏହି ବଡ଼ ବୟାନ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କଥା କଥାକେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କୁ ନିଜର ପରିବାର କହି ଡିଣ୍ଡିମ ପିଟୁଥିବା ନବୀନ ବାବୁ ଶେଷରେ ଓଡ଼ିଶାବାସୀଙ୍କୁ ବଡ଼ ଧୋକା ଦେଇଛନ୍ତି କି?
ଓଡ଼ିଶା ରାଜନୀତିରୁ ଏବେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ସାରା ରାଜ୍ୟରେ ଚର୍ଚ୍ଚାର ନିଆଁ ଲଗାଇ ଦେଇଛି। ନବୀନ ପଟ୍ଟନାୟକ ନିଜେ ହିଁ ନିଜର ଉତ୍ତରାଧିକାରୀ ବାଛି ସାରିଛନ୍ତି। ତାମିଲନାଡୁର ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡିରେ ସାଧାରଣ କର୍ମକର୍ତ୍ତା ଭାବେ ସାମିଲ କରାଯାଇଛି ସତ, କିନ୍ତୁ ତାଙ୍କୁ ଯେଉଁ ଅସାଧାରଣ ଗୁରୁତ୍ୱ ମିଳୁଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦଳର ନେତୃତ୍ୱ ଏବେ ତାମିଲନାଡ଼ୁ ନିବାସୀ ପାଣ୍ଡିଆନ ଦମ୍ପତିଙ୍କ ହାତକୁ ଟେକି ଦେବା ପାଇଁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇସାରିଛି।
ଶଙ୍ଖ ଭବନରେ ସୁଜାତାଙ୍କ ଗ୍ରାଣ୍ଡ ଏଣ୍ଟ୍ରି ଏବେ ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ଖବର। ପରଦା ପଛରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଆଉ ପରଦା ସାମ୍ନାରେ ସୁଜାତା ରାଉତ କାର୍ତ୍ତିକେୟନ — ଏମାନେ ହିଁ କଣ ବିଜେଡିର ପରବର୍ତ୍ତୀ ସର୍ବେସର୍ବା? ନବୀନଙ୍କ ଏହି ବ୍ୟାକଡୋର ବା ପଛଦ୍ୱାର ରାଜନୀତି ଏବେ ରାଜ୍ୟବାସୀ ଓ ଲକ୍ଷ ଲକ୍ଷ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ଆମେ ଏହି ଭିଡିଓରେ ସମ୍ପୂର୍ଣ୍ଣ ଘଟଣାର ପୋଷ୍ଟମର୍ଟମ କରିବୁ ଏବଂ ଦେଖାଇବୁ କେମିତି ନବୀନ ବାବୁଙ୍କ ଦୋହରା ଚରିତ୍ର ପଦାରେ ପଡ଼ିଛି।
ବିଗତ ଚାରି ଦିନ ଧରି ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଚିତ୍ର ପୁରା ବଦଳିଯାଇଛି। ଜୁନ୍ ୨୫ ତାରିଖରେ ସୁଜାତାଙ୍କ ଆନୁଷ୍ଠାନିକ ମିଶ୍ରଣ ପରଠାରୁ ଦଳର ବଡ଼ ବଡ଼ ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାମାନେ ହାତରେ ଫୁଲତୋଡ଼ା ଧରି ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି। ଯେଉଁ ନେତାମାନେ ଦିନେ ଓଡ଼ିଶାର ଜନତାଙ୍କ ଆଗରେ ବଡ଼ ବଡ଼ ଭାଷଣ ଦେଉଥିଲେ, ସେମାନେ ଆଜି ସୁଜାତା ରାଉତ କାର୍ତ୍ତିକେୟନଙ୍କ ସହ ଗୋଟିଏ ଫଟୋ ଉଠାଇବା ପାଇଁ ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଠେଲାପେଲା ହେଉଛନ୍ତି।
ଦଳ ଭିତରେ ସୁଜାତାଙ୍କୁ ଏବେଠାରୁ ହିଁ ‘ନମ୍ବର-ଟୁ’ ବରଂ କହିବାକୁ ଗଲେ ‘ଅଘୋଷିତ ନମ୍ବର-ୱାନ୍’ ଭାବେ ଗ୍ରହଣ କରାସାରିଲାଣି। ଖାଲି ଶଙ୍ଖ ଭବନ ନୁହେଁ, ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସୁଜାତା ଯିବା ସମୟରେ ତାଙ୍କୁ ଯେଉଁଭଳି ଭବ୍ୟ ସମ୍ବର୍ଦ୍ଧନା ଦିଆଗଲା, ସେଥିରୁ ସ୍ପଷ୍ଟ ସନ୍ଦେଶ ମିଳୁଛି ଯେ ନବୀନ ବାବୁ ଦଳୀୟ ନେତା ଓ କର୍ମୀଙ୍କ ଆଗରେ ସୁଜାତାଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିବାରେ ସଫଳ ହୋଇଛନ୍ତି।
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ଶାସନ କଲେ, ସେ ଏବେ କେଉଁ ବାଧ୍ୟବାଧକତାରେ ପଡ଼ି ତାମିଲନାଡ଼ୁ ନିବାସୀ ପାଣ୍ଡିଆନ ଦମ୍ପତିଙ୍କ ହାତରେ ଦଳର ନେତୃତ୍ୱକୁ ଟେକି ଦେଉଛନ୍ତି? କଣ ଏହା ନବୀନ ପଟ୍ଟନାୟକଙ୍କ ଓଡ଼ିଶାବାସୀଙ୍କ ପ୍ରତି ଛଳନା ନୁହେଁ?
ଆସନ୍ତୁ ଟିକେ ଇତିହାସର ସେହି ପୃଷ୍ଠା ଉପରେ ନଜର ପକାଇବା, ଯେଉଁଠି ନବୀନ ବାବୁ ବାରମ୍ବାର ଓଡ଼ିଶାର ଜନତାଙ୍କୁ ଭ୍ରମିତ କରି ଆସିଥିଲେ। ଏହା ଆମେ କହୁନୁ, ସରକାରୀ ଏବଂ ରାଜନୈତିକ ଦସ୍ତାବିଜ୍ ଏହାର ସାକ୍ଷୀ ଦେଉଛି।
• ୨୦୧୯ ସେପ୍ଟମ୍ବର ୨୨: ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ଜାତୀୟ କାର୍ଯ୍ୟକ୍ରମରେ ନବୀନ କହିଥିଲେ, “ମୋର ଉତ୍ତରାଧିକାରୀ ଓଡ଼ିଶାର ଲୋକେ ବାଛିବେ।”
• ୨୦୧୯ ଡିସେମ୍ବର ୨: ବିଜେଡି ପ୍ରତିଷ୍ଠା ଦିବସରେ ସେ ସମାନ କଥା ଦୋହରାଇଥିଲେ।
• ୨୦୨୨ ଅକ୍ଟୋବର: ‘ଇଣ୍ଡିଆ ଟୁଡେ’ ସାକ୍ଷାତକାରରେ ମଧ୍ୟ ସେ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ।
• ୨୦୨୪ ଜୁନ୍ ୧: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ମଧ୍ୟ ସେ ଲୋକଙ୍କୁ ଏହି ଆଶ୍ୱାସନା ଦେଇଥିଲେ।
• ୨୦୨୪ ଜୁନ୍ ୮: ଦଳର ଶୋଚନୀୟ ପରାଜୟ ପରେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ନବୀନ କହିଥିଲେ ଯେ ଓଡ଼ିଶାର ଲୋକେ ହିଁ ତାଙ୍କ ଉତ୍ତରାଧିକାରୀ ବାଛିବେ।
• ୨୦୨୪ ଡିସେମ୍ବର ୨: ପୁଣି ଥରେ ଦଳର ପ୍ରତିଷ୍ଠା ଦିବସରେ ସେହି ସମାନ ବୟାନ ଦିଆଯାଇଥିଲା।
କିନ୍ତୁ ଏବେ ଦେଖନ୍ତୁ, ଏସବୁ ବୟାନ ଯେ କେବଳ ଲୋକଦେଖାଣିଆ ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି ଥିଲା, ତାହା ପ୍ରମାଣିତ ହୋଇସାରିଛି। ସୁଜାତାଙ୍କ ବିଜେଡିରେ ମିଶ୍ରଣ ଏବେ ସବୁ ସତ୍ୟକୁ ପଦାରେ ପକାଇ ଦେଇଛି।
ନବୀନ ପଟ୍ଟନାୟକଙ୍କ ଏହି ରାଜନୀତି କେବଳ ଦଳୀୟ ମିଶ୍ରଣରେ ସୀମିତ ନାହିଁ। ଏହା ପଛରେ ରହିଛି ଏକ ବଡ଼ ରଣନୀତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସରକାରୀ ଦସ୍ତାବିଜ୍ ଅନୁସାରେ ସୁଜାତାଙ୍କ ପୂରା ନାଁ ହେଉଛି ‘ସୁଜାତା ରାଉତ କାର୍ତ୍ତିକେୟନ’। କିନ୍ତୁ ନବୀନ ବାବୁ ଏବଂ ବିଜେଡିର ତୋଷାମଦକାରୀ ନେତାମାନେ ତାଙ୍କୁ କେବଳ ‘ସୁଜାତା ରାଉତ’ କହି ସମ୍ବୋଧନ କରୁଛନ୍ତି। ତାଙ୍କ ସ୍ୱାମୀ ଭୈରବ କାର୍ତ୍ତିତକୟନ ପାଣ୍ଡିଆନଙ୍କ ନାଁକୁ ଜାଣିଶୁଣି ବାଦ୍ ଦିଆଯାଉଛି, ଯେପରି ଓଡ଼ିଶାର ଲୋକେ ପାଣ୍ଡିଆନଙ୍କ ବିରୋଧରେ ଥିବା ଆକ୍ରୋଶକୁ ଭୁଲିଯିବେ। କଣ ଏହା ରାଜ୍ୟବାସୀଙ୍କୁ ‘ଡବଲ ଧୋକା’ ନୁହେଁ?
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ପୂର୍ବରୁ ଏକ ଟ୍ରଷ୍ଟ ଗଢ଼ି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସର୍ବେସର୍ବା କରି ନିଜର ଦିଲ୍ଲୀସ୍ଥିତ ବାସଭବନକୁ ଟେକି ଦେଇଥିବା ନବୀନ ଏବେ ତାଙ୍କ ପତ୍ନୀ ସୁଜାତାଙ୍କ ଜରିଆରେ ଦଳର ବିପୁଳ ପାଣ୍ଠି, ସମ୍ପତ୍ତି ଏବଂ ବିଜୁ ପଟ୍ଟନାୟକଙ୍କ ସନ୍ତକ ‘ନବୀନ ନିବାସ’କୁ ମଧ୍ୟ ଟେକି ଦେବାକୁ ମସୁଧା ଚଳାଇଛନ୍ତି।/sambad-english/media/post_attachments/wp-content/uploads/2017/03/naveen-niwas-road.jpg)
୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ମଧ୍ୟ ଦଳ ଭିତରେ କୌଣସି ଗଣତାନ୍ତ୍ରିକ ପ୍ରକ୍ରିୟା ଦେଖିବାକୁ ମିଳିନାହିଁ। ସକ୍ରିୟ ରାଜନୀତିରୁ ପାଣ୍ଡିଆନଙ୍କ ସନ୍ୟାସ ଘୋଷଣା ହେଉ, ଦେବୀ ମିଶ୍ରଙ୍କ ନେତୃତ୍ୱରେ ୧୫ ଜଣିଆ ସମନ୍ୱୟ କମିଟି ଗଠନ ହେଉ କିମ୍ବା ନୂଆପଡ଼ା ଉପନିର୍ବାଚନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବା — ଏସବୁ ନିଷ୍ପତ୍ତି କେବଳ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର ଥିଲା ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନବୀନ ପଟ୍ଟନାୟକଙ୍କୁ କେବଳ ଏକ ସଖୀ କଣ୍ଢେଇ ଭାବେ ଆଗରେ ରଖି ପଛରୁ ପୂରା ଦଳକୁ ନିୟନ୍ତ୍ରଣ କରାଯାଉଛି।
ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ବର୍ତ୍ତମାନର ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିଜେଡିର ଆଭ୍ୟନ୍ତରୀଣ ସ୍ଥିତି ଏବଂ ନେତାମାନଙ୍କ ଦାସତ୍ୱ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସୁଜାତା ରାଉତ କାର୍ତ୍ତିକେୟନ ଦଳରେ ଯୋଗଦେବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ଜଣେ ସାଧାରଣ କର୍ମୀ କହି ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଦଳର ନେତାମାନେ ଯେଭଳି ଠେଲାପେଲା ହେଉଛନ୍ତି, ସେଥିରୁ ସେ ଦଳର ‘ନମ୍ବର-ଟୁ’ ନୁହେଁ ବରଂ ‘ନମ୍ବର-ୱାନ୍’ ପାଇଁ ଏବେଠୁ ପ୍ରସ୍ତୁତି ଚାଲିଥିବା ସ୍ପଷ୍ଟ ହୋଇଛି। ନବୀନ ପଟ୍ଟନାୟକ ଯଦି କୌଣସି କାରଣରୁ ନିଷ୍କ୍ରିୟ ହୁଅନ୍ତି, ତା’ହେଲେ ତାଙ୍କ ସ୍ଥାନରେ ସୁଜାତା ରାଉତ କାର୍ତ୍ତିକେୟନ ନମ୍ବର ୱାନ୍ ହେବେ ବୋଲି ଏବେଠୁ ଜଣାପଡ଼ିଗଲାଣି।
ଶ୍ରୀ କାନୁନଗୋ ଆହୁରି ମଧ୍ୟ କହିଛନ୍ତି ଯେ, ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନା ରାଜ୍ୟବାସୀ ବାଛିଛନ୍ତି ନା ତାଙ୍କ ଦଳ? ନବୀନ ବାବୁଙ୍କ ଏହି ନିଷ୍ପତ୍ତି ପଛରେ ଓଡ଼ିଶାବାସୀଙ୍କର କୌଣସି ସମର୍ଥନ ନାହିଁ। ଦଳ ଭିତରେ ଥିବା ବିଦ୍ରୋହକୁ ଦବାଇବା ପାଇଁ ପ୍ରମିଳା ମଲ୍ଲିକଙ୍କୁ ‘ପବ୍ଲିକ ଆକାଉଣ୍ଟସ୍ କମିଟି’ (PAC) ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କରାଯାଇଛି। ରାଜନୈତିକ ଦୃଷ୍ଟିରୁ ଏହା ଏକ ଅସୁସ୍ଥ ପରମ୍ପରା ଏବଂ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର କଥା।
ଗତ କିଛି ବର୍ଷ ତଳେ ଯେତେବେଳେ କାର୍ତ୍ତିକେୟନ ପାଣ୍ଡିଆନ ଦଳ ଭିତରକୁ ଆସିଥିଲେ, ସେତେବେଳେ କିଛି ନେତା ନିଜ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ତାଙ୍କ ଗାଡ଼ି ସାମ୍ନାରେ ରାସ୍ତାରେ ଟ୍ରାଫିକ ସଫା କରୁଥିଲେ। ଆଜି ବାହାରେ ଆମେ ‘ଓଡ଼ିଆ ଅସ୍ମିତା’, ଗର୍ବ ଏବଂ ସ୍ୱାଭିମାନର ବଡ଼ ବଡ଼ କଥା କହୁଛୁ, କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଏହି ନେତାମାନଙ୍କର ସାମାନ୍ୟତମ ସ୍ୱାଭିମାନ ଥିବା ଭଳି ମନେ ହେଉନାହିଁ।
ତେବେ, ନବୀନ ପଟ୍ଟନାୟକଙ୍କ ଏହି ସୁଚିନ୍ତିତ ରଣନୀତି ଏବଂ ପାଣ୍ଡିଆନ ଦମ୍ପତିଙ୍କ ହାତକୁ ବିଜେଡିର କ୍ଷମତା ଟେକିଦେବା ଓଡ଼ିଶାର ଭବିଷ୍ୟତ ପାଇଁ କେତେ ଶୁଭଙ୍କର? ଯେଉଁ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କୁ ୨୪ ବର୍ଷ ଧରି ମୁଣ୍ଡରେ ବସାଇଥିଲେ, ସେମାନଙ୍କୁ ନିଜର ଉତ୍ତରାଧିକାରୀ ବାଛିବାର ସୁଯୋଗ ନଦେଇ ଜଣେ ଅଣ-ଓଡ଼ିଆ ଅଫିସରଙ୍କ ପତ୍ନୀଙ୍କୁ ଦଳର ସର୍ବେସର୍ବା କରିବା କେତେଦୂର ଯୁକ୍ତିଯୁକ୍ତ?


