ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ନିଜକୁ ଫିଟ୍ ରଖିବା ଏବଂ ଓଜନ ନିୟନ୍ତ୍ରଣ କରିବା ଏକ ବଡ଼ ଆହ୍ୱାନ ପାଲଟିଛି। ଓଜନ କମାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ୍ ପ୍ଲାନ୍ ଆପଣାଉଛନ୍ତି, ଯାହା ମଧ୍ୟରୁ ‘ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ’ ବା ସମୟାନୁବର୍ତ୍ତୀ ଉପବାସ ସବୁଠାରୁ ଅଧିକ ଲୋକପ୍ରିୟ ହୋଇପାରିଛି।

ଏହି ପଦ୍ଧତିରେ ଲୋକମାନେ ସାଧାରଣତଃ ୧୬ ଘଣ୍ଟା ଭୋକିଲା ରହିବା ଓ ୮ ଘଣ୍ଟା ମଧ୍ୟରେ ଖାଇବା କିମ୍ବା ୫:୨ ରୁଟିନ୍ ଅନୁସରଣ କରିଥାନ୍ତି। ମାତ୍ର ନିକଟରେ ହୋଇଥିବା କେତେକ ଗବେଷଣାରୁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ଡାଏଟ୍ ପ୍ଲାନ୍ ଦୀର୍ଘ ସମୟ ଧରି କରିବା ଦ୍ୱାରା ହୃଦୟ ଜନିତ ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
କାହିଁକି ବଢ଼ୁଛି ହୃଦରୋଗର ବିପଦ ?
‘ଆମେରିକାନ୍ ହାର୍ଟ ଆସୋସିଏସନ’ (AHA) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦ ହଜାରରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, “ଯେଉଁମାନେ ୧୬ ଘଣ୍ଟାର ଉପବାସ ନିୟମ ପାଳନ କରୁଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ୯୧% ଲୋକଙ୍କ କ୍ଷେତ୍ରରେ ହୃଦରୋଗ ଜନିତ ସମସ୍ୟା ଦେଖାଦେବାର ଆଶଙ୍କା ଅଧିକ ଥିଲା।”
ଗବେଷକ ଏବଂ ଚିକିତ୍ସକଙ୍କ ମତରେ, ଆମ ଶରୀରର ହୃଦୟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଙ୍ଗ। ଦୀର୍ଘ ସମୟ ଧରି ଭୋକିଲା ରହିବା ଯୋଗୁଁ ଶରୀରର ଖାଦ୍ୟ ଗ୍ରହଣ ପ୍ରକ୍ରିୟା ଏବଂ ମେଟାବୋଲିଜିମ୍ ସମ୍ପୂର୍ଣ୍ଣ ବଦଳିଯାଏ। ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ କିଛି ଏହିଭଳି ପଡ଼ିଥାଏ:

- ଷ୍ଟ୍ରେସ୍ ହରମୋନ୍ ବୃଦ୍ଧି : ଅଧିକ ସମୟ ଭୋକିଲା ରହିବା ଦ୍ୱାରା ଶରୀରରେ ଷ୍ଟ୍ରେସ୍ ହରମୋନ୍ ବା କୋର୍ଟିସୋଲ୍ ର ମାତ୍ରା ବଢ଼ିଯାଏ । ଯାହା ରକ୍ତଚାପ ବଢ଼ାଇବାର ମୁଖ୍ୟ କାରଣ ସାଜିଥାଏ।
- ବ୍ଲଡ୍ ସୁଗାର୍ ସ୍ତରରେ ଅସ୍ଥିରତା : ମଧୁମେହ ବା ଡାଇବେଟିସ୍ ରୋଗୀ ଯଦି ଏହି ଫାଷ୍ଟିଙ୍ଗ୍ କରନ୍ତି, ତେବେ ହଠାତ୍ ସେମାନଙ୍କ ବ୍ଲଡ୍ ସୁଗାର୍ ସ୍ତର ବହୁତ କମିଯାଏ, ଯାହା ଶରୀର ପାଇଁ ବିପଜ୍ଜନକ।
- କୋଲେଷ୍ଟ୍ରଲ୍ ସମସ୍ୟା : ଖାଇବା ଶୈଳୀରେ ହେଉଥିବା ଅନିୟମିତତା ଯୋଗୁଁ ରକ୍ତରେ କୋଲେଷ୍ଟ୍ରଲ୍ ଏବଂ ଟ୍ରାଇଗ୍ଲିସେରାଇଡ୍ ର ସ୍ତର ବିଗିଡ଼ିଯାଏ, ଯାହା ହାର୍ଟ ଆଟାକ୍ ର ବିପଦକୁ ବଢ଼ାଇଥାଏ।
କେଉଁମାନଙ୍କ ପାଇଁ ଏହି ଫାଷ୍ଟିଙ୍ଗ୍ ମନା ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ୍ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ। ବିଶେଷ କରି ନିମ୍ନଲିଖିତ ବ୍ୟକ୍ତିମାନେ ଏହାଠାରୁ ଦୂରେଇ ରହିବା ଉଚିତ:

- ପୂର୍ବରୁ ହୃଦରୋଗ ବା ଷ୍ଟ୍ରୋକ୍ ର ଶିକାର ହୋଇଥିବା ବ୍ୟକ୍ତି।
- ଔଷଧ ସେବନ କରୁଥିବା ଡାଇବେଟିସ୍ ଏବଂ ହାଇ ବ୍ଲଡ୍ ପ୍ରେସର ରୋଗୀ।
- ଯେଉଁମାନଙ୍କର ଇଟିଙ୍ଗ୍ ଡିସଅର୍ଡର (ଖାଦ୍ୟ ଖାଇବାରେ ସମସ୍ୟା) ରହିଛି।
- ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଯେଉଁମାନେ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି।
ବଦଳରେ କ’ଣ କରିବା ଉଚିତ ?

- ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେସନ (NCBI) ଅନୁଯାୟୀ, ଓଜନ କମାଇବା ପାଇଁ ଭୋକିଲା ରହିବା ଅପେକ୍ଷା ପ୍ରତିଦିନ ସନ୍ତୁଳିତ ଏବଂ ସ୍ୱାସ୍ଥ୍ୟକର ଆହାର ଗ୍ରହଣ କରିବା ଶ୍ରେଷ୍ଠ ଅଟେ।
- ନିଜ ଦୈନନ୍ଦିନ ଡାଏଟ୍ରେ ସବୁଜ ପନିପରିବା, ତାଜା ଫଳ, ଶସ୍ୟଜାତୀୟ ଖାଦ୍ୟ, ବାଦାମ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
- ପ୍ରତିଦିନ ଅତି କମରେ ୨ ରୁ ୩ ଲିଟର ପାଣି ପିଅନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ।
- ଶରୀର ପାଇଁ ପର୍ଯ୍ୟାପ୍ତ ନିଦ୍ରା ନିହାତି ଆବଶ୍ୟକ, କାରଣ ନିଦର ଅଭାବ କ୍ଷୁଧା ନିୟନ୍ତ୍ରଣ କରୁଥିବା ହରମୋନ୍କୁ ପ୍ରଭାବିତ କରିଥାଏ।
ଯଦି ଆପଣ ଫାଷ୍ଟିଙ୍ଗ୍ ସମୟରେ ଅତ୍ୟଧିକ ଦୁର୍ବଳତା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା କିମ୍ବା ହୃଦସ୍ପନ୍ଦନ ବୃଦ୍ଧି ପାଇବା ଭଳି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କୌଣସି ବି ନୂଆ ଡାଏଟ୍ ପ୍ଲାନ୍ ଆରମ୍ଭ କରିବା ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବା ଡାଏଟିସିଆନ୍ଙ୍କ ମତାମତ ନେବା ନିହାତି ଜରୁରୀ।


