ଯେଉଁ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’କୁ ନେଇ ବଡ଼ ବଡ଼ ଭାଷଣ ଦିଆଯାଉଛି, ସେହି ଓଡ଼ିଶାରେ ଓଡ଼ିଆ ମାଧ୍ୟମ ସ୍କୁଲ୍ ଏବଂ ଆମ ମାତୃଭାଷାକୁ ସମୂଳେ ଧ୍ୱଂସ କରିବା ପାଇଁ କଣ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଛି କି?
ସରକାର ବଦଳିଲେ ମଧ୍ୟ ଓଡ଼ିଆ ସ୍କୁଲ୍ଗୁଡ଼ିକର ଭାଗ୍ୟ ବଦଳୁ ନାହିଁ। ଶିକ୍ଷା ବ୍ୟବସ୍ଥାରେ ଯେଉଁ ବ୍ୟଭିଚାର ଏବଂ ଚକ୍ରାନ୍ତ ଚାଲିଛି, ସେଥିପାଇଁ ଆମେ କାହାକୁ ଦାୟୀ କରିବା? ଓଡ଼ିଆ ପାଠ୍ୟପୁସ୍ତକଗୁଡ଼ିକରେ ଏମିତି ମାରାତ୍ମକ ଭୁଲ୍ ସବୁ ରହିଛି, ଯାହା ଆମ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସରକାର ଏହି ଭୁଲ୍ ବହିଗୁଡ଼ିକୁ ସଂଶୋଧନ କରି ନୂଆ ବହି ଛାପିବା ପରିବର୍ତ୍ତେ, ଏକ ବିଚିତ୍ର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ହେଉଛି— ଭୁଲ୍ ବହି ବଦଳାଯିବ ନାହିଁ, ବରଂ ପିଲାମାନେ ନିଜେ ସେହି ଭୁଲ୍କୁ ସଂଶୋଧନ କରି ପଢ଼ିବେ! ଏହା କଣ ଏକ ଶିକ୍ଷା ବ୍ୟବସ୍ଥା ନା ଓଡ଼ିଆ ସ୍କୁଲ୍ ବନ୍ଦ କରିବାର ଶେଷ କଫିନ୍ ପ୍ରସ୍ତୁତି?
SCERT କହୁଛି ଯେ ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ପିଲାମାନେ ନିଜେ ନିଜର ବହି ସଂଶୋଧନ କରିବେ। ମୋବାଇଲ୍ରେ ‘ଅଟୋ-କରେକ୍ସନ’ (Auto-Correction) ହେବା ପରି ପିଲାମାନେ ନିଜ ମଗଜ ଖଟାଇ ବହିର ଭୁଲ୍ ଠିକ୍ କରିବେ! ଆରେ ବାବୁ, ସରକାରୀ ସ୍ତରରେ ଯେଉଁ ବଡ଼ ବଡ଼ ବିଜ୍ଞ ଲୋକମାନେ ବହି ଲେଖିଲେ, ସେମାନେ ଭୁଲ୍ କଲେ। ଆଉ ସେହି ଭୁଲ୍କୁ ସଂଶୋଧନ କରିବେ କୁନି କୁନି ସ୍କୁଲ୍ ପିଲା? ସେମାନେ କେମିତି ଜାଣିବେ କେଉଁଠି ହ୍ରସ୍ବ-ଇ (ହି) ହେବ ଆଉ କେଉଁଠି ଦୀର୍ଘ-ଇ (ହୀ) ହେବ?
ପ୍ରବୀଣ ଶିକ୍ଷକ ଏବଂ ଅଧ୍ୟାପକମାନଙ୍କ କହିବା କଥା ହେଉଛି, ବର୍ତ୍ତମାନର ଓଡ଼ିଆ ପାଠ୍ୟପୁସ୍ତକଗୁଡ଼ିକରେ ୨୫ରୁ ଅଧିକ ଗୁରୁତର ଭୁଲ୍ ରହିଛି। ବ୍ୟାକରଣ ବୋଲି କୌଣସି ଜିନିଷ ହିଁ ନାହିଁ। ଶିକ୍ଷକମାନେ ସ୍କୁଲରେ ପିଲାଙ୍କୁ କଣ ପଢ଼ାଇବେ? ଯଦି ବହିରେ ଭୁଲ୍ ଥିବ, ତେବେ ପିଲା ଭୁଲ୍ ହିଁ ଶିଖିବ।
ଆଜି ଓଡ଼ିଶାରେ ପ୍ରାୟ ୫୬ ଲକ୍ଷ ପିଲା ଓଡ଼ିଆ ମାଧ୍ୟମ ସ୍କୁଲରେ ପଢୁଛନ୍ତି। ପାଖାପାଖି ୫୦ ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ହଜାର ହଜାର ସ୍କୁଲ୍ ଏମିତି ଅଛି ଯେଉଁଠି ଜଣେ କିମ୍ବା ଦୁଇଜଣ ଶିକ୍ଷକ ପୂରା ସ୍କୁଲ୍ ସମ୍ଭାଳୁଛନ୍ତି। ଏଭଳି ସ୍ଥିତିରେ ଶିକ୍ଷକମାନେ ପିଲାଙ୍କୁ ପଢ଼ାଇବେ ନା ବହିର ଭୁଲ୍ ସଂଶୋଧନ କରିବାରେ ନିଜ ସମୟ ନଷ୍ଟ କରିବେ? ଏହା କଣ ‘ମହମ୍ମଦ ବିନ୍ ତୋଗଲକ’ଙ୍କ ଭଳି ଶାସନ ନୁହେଁ?
ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି— ଏହି ବିଚିତ୍ର ନିଷ୍ପତ୍ତି ପ୍ରକୃତରେ କାହାର?
• ଏହା ଗଣଶିକ୍ଷା ସଚିବଙ୍କ ନିଷ୍ପତ୍ତି?
• ନା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଷ୍ପତ୍ତି?
• ନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଗୋଚରରେ ଏସବୁ ଚାଲିଛି?
ଓଡ଼ିଶାର ଜନସାଧାରଣଙ୍କର ଏହା ଜାଣିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ଯେଉଁ ଅଫିସରମାନଙ୍କ ହାତରେ ଓଡ଼ିଆ ଭାଷା ଏବଂ ଶିକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କର ଓଡ଼ିଆ ଭାଷା ସହିତ କୌଣସି ସମ୍ପର୍କ ହିଁ ନାହିଁ। ଯେଉଁମାନେ ନିଜେ ଓଡ଼ିଆ ପଢ଼ିନାହାନ୍ତି, ଯେଉଁମାନଙ୍କର ଓଡ଼ିଆ ଅସ୍ମିତା ପ୍ରତି କୌଣସି ସମ୍ମାନ ନାହିଁ, ସେମାନେ ଆଜି କମିଟିର ମୁଖ୍ୟ ସାଜି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରୁଛନ୍ତି।
ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଓଡ଼ିଆ ସ୍କୁଲ୍ଗୁଡ଼ିକୁ ଆସ୍ତେ ଆସ୍ତେ ଦୁର୍ବଳ କରି ବନ୍ଦ କରିଦେବା ଏବଂ ବେସରକାରୀ ଇଂରାଜୀ ମାଧ୍ୟମ (English Medium) ସ୍କୁଲ୍ଗୁଡ଼ିକୁ ଫାଇଦା ପହଞ୍ଚାଇବା ପାଇଁ ଏହା ଏକ ପ୍ରକାର ବ୍ୟବସ୍ଥାଗତ ଚକ୍ରାନ୍ତ ନୁହେଁ ତ? ଘଣ୍ଟା ଘଣ୍ଟା ଭାଷଣ ଦେଇ ଆମକୁ ‘ଓଡ଼ିଆ ଅସ୍ମିତା’ର ସ୍ଲୋଗାନ ଶୁଣାଯାଉଛି, କିନ୍ତୁ ବାସ୍ତବରେ ଓଡ଼ିଆ ପିଲାଙ୍କ ଭବିଷ୍ୟତକୁ ବରବାଦ କରାଯାଉଛି।
ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ଦେଖନ୍ତୁ। ଜାତୀୟ ଶିକ୍ଷା ନୀତି (NEP) ଆଧାରରେ ବହିଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ସେଥିପାଇଁ NCERT ର ବହିଗୁଡ଼ିକୁ ଓଡ଼ିଆରେ ଅନୁବାଦ କରାଯାଉଛି। କିନ୍ତୁ ଅନୁବାଦ କରାଯାଉଛି କେମିତି? AI (Artificial Intelligence) ବା କମ୍ପ୍ୟୁଟର ସାହାଯ୍ୟରେ ‘କଟ୍-ପେଷ୍ଟ’ (Cut-Paste) କରାଯାଉଛି। କୌଣସି ପ୍ରୁଫ୍ ରିଡିଂ (Proof Reading) ହେଉନାହିଁ କି ପ୍ରୁଫ୍ ରିଡରଙ୍କର କୌଣସି ବ୍ୟବସ୍ଥା ନାହିଁ।
ଫଳ ସ୍ୱରୂପ, ଓଡ଼ିଶାର ପିଲାମାନେ ନିଜ ମାଟିର ମହାନଦୀ, ବ୍ରାହ୍ମଣୀ, କିମ୍ବା ଋଷିକୂଲ୍ୟା ବିଷୟରେ ଜାଣିବା ପୂର୍ବରୁ ବ୍ରହ୍ମପୁତ୍ର, ନର୍ମଦା ଏବଂ ତାପ୍ତୀ ନଦୀ ବିଷୟରେ ପଢୁଛନ୍ତି। ଓଡ଼ିଶାର ଭୂଗୋଳ, ଓଡ଼ିଶାର ସଂସ୍କୃତିକୁ ବହିରୁ ଗାୟବ କରିଦିଆଯାଉଛି।
ଏହାସହ ପାଠ୍ୟପୁସ୍ତକ ପ୍ରିଣ୍ଟିଂ ପାଇଁ ପ୍ରାୟ ୩୫ରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଅଭିଯୋଗ ହେଉଛି ଯେ, ଓଡ଼ିଶାର ସରକାରୀ ପ୍ରେସ୍କୁ ଗୁରୁତ୍ୱ ନ ଦେଇ ଦିଲ୍ଲୀର କିଛି ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟଙ୍କ ପ୍ରାଇଭେଟ୍ ପ୍ରିଣ୍ଟିଂ ପ୍ରେସ୍କୁ ଏହି କାମ ଦିଆଯାଉଛି। ଏହାର ଏକ ନିରପେକ୍ଷ ନ୍ୟାୟିକ ତଦନ୍ତ ହେବା ନିହାତି ଜରୁରୀ। କାହିଁକି ଆମ ରାଜ୍ୟର ଅର୍ଥ ବାହାରକୁ ଯାଉଛି ଏବଂ ବଦଳରେ ଆମ ପିଲାମାନଙ୍କୁ ଭୁଲ୍ଭାଲ୍ ବହି ମିଳୁଛି?
ଆଜି ଓଡ଼ିଶାର ଅଭିଭାବକ ମହାସଂଘ ଏହି ନିଷ୍ପତ୍ତି ବିରୋଧରେ ଦୃଢ଼ ଦାବି ଉପସ୍ଥାପନ କରିଛି ଏବଂ ଆମେ ସେମାନଙ୍କୁ ପୂର୍ଣ୍ଣ ନୈତିକ ସମର୍ଥନ ଜଣାଉଛୁ। ଓଡ଼ିଆ ସ୍କୁଲ୍ ଏବଂ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଏହି ଚକ୍ରାନ୍ତର ପର୍ଦ୍ଦାଫାଶ ହେବା ଆବଶ୍ୟକ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ବିନମ୍ର ଅନୁରୋଧ। ସାର୍, ଆପଣ ନିଜେ ଜଣେ ଶିକ୍ଷକ ଥିଲେ, ଜଣେ ଗୁରୁଜୀ ଥିଲେ। ଆପଣ ଓଡ଼ିଆ ମାଧ୍ୟମ ସ୍କୁଲର ସ୍ଥିତିକୁ ଭଲ ଭାବେ ବୁଝନ୍ତି। ଆପଣଙ୍କ ଶାସନ କାଳରେ ଓଡ଼ିଆ ଭାଷା ଏବଂ ଓଡ଼ିଆ ସ୍କୁଲ୍ ଯେମିତି କଫିନ୍ ଭିତରକୁ ନଯାଏ, ସେଥିପ୍ରତି ଦୟାକରି ଦୃଷ୍ଟି ଦିଅନ୍ତୁ। ଜାତୀୟ ଶିକ୍ଷା ନୀତି ନାମରେ ଓଡ଼ିଆ ଭାଷାର ଗଳା ରୋଧ କରୁଥିବା ଅଫିସରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
AlsoRead; https://purvapaksa.com/sujathas-entry-new-chapter-or-new-controversy-in-bjd/


