ଅଗ୍ନି-୬ କୁ ନେଇ ବଢ଼ିଲା ସସପେନ୍ସ; ଭାରତର ମିସାଇଲ୍ ଶକ୍ତିକୁ ନେଇ ଚିନ୍ତାରେ ଚୀନ ଓ ପାକିସ୍ତାନ
ଭାରତର ଉନ୍ନତ ବାଲିଷ୍ଟିକ ମିସାଇଲ୍ ପ୍ରୋଗ୍ରାମ ‘ଅଗ୍ନି ସିରିଜ୍’କୁ ନେଇ ପୁଣିଥରେ ଆନ୍ତର୍ଜାତିକ ମଞ୍ଚରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ରହସ୍ୟମୟ ‘ଅଗ୍ନି-୬’ ମିସାଇଲ୍କୁ ନେଇ ଚୀନ ଓ ପାକିସ୍ତାନରେ ଚିନ୍ତା ବଢ଼ୁଥିବା ଦେଖାଯାଉଛି। ଭାରତର ମିସାଇଲ୍ କ୍ଷମତା ଓ ଆତ୍ମନିର୍ଭର ପ୍ରତିରକ୍ଷା ବ୍ୟବସ୍ଥା ଏବେ ଦକ୍ଷିଣ ଏସିଆର ସାମରିକ ସନ୍ତୁଳନକୁ ନୂଆ ଦିଗ ଦେଉଛି।
ପାକିସ୍ତାନର ପୂର୍ବତନ ହାଇକମିଶନରଙ୍କ ସ୍ୱୀକାରୋକ୍ତି
ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ ସମ୍ପ୍ରତି ଏକ ବୟାନରେ ସ୍ୱୀକାର କରିଛନ୍ତି ଯେ, ଭାରତର ‘ଅଗ୍ନି-୫’ ଏବଂ ସମ୍ଭାବ୍ୟ ‘ଅଗ୍ନି-୬’ ଭଳି ଦୀର୍ଘ ପାଳ୍ଲାର ବାଲିଷ୍ଟିକ ମିସାଇଲ୍ ସାମ୍ନାରେ ପାକିସ୍ତାନର ସାମରିକ କ୍ଷମତା ଦୁର୍ବଳ ପଡ଼ିପାରେ।
ବିଶେଷଜ୍ଞମାନଙ୍କ ମତରେ, ଏହି ବୟାନ ଭାରତର ବଢ଼ୁଥିବା ସାମରିକ ଶକ୍ତିକୁ ନେଇ ପାକିସ୍ତାନର ଚିନ୍ତାକୁ ସ୍ପଷ୍ଟ କରୁଛି।
ଭାରତର BMD ସିଷ୍ଟମ୍ ବଢ଼ାଇଛି ଶକ୍ତି
ପ୍ରତିରକ୍ଷା ବିଶ୍ଳେଷକମାନଙ୍କ କହିବା ଅନୁସାରେ, ଭାରତ କେବଳ ଦୀର୍ଘ ପାଳ୍ଲାର ମିସାଇଲ୍ ତିଆରି କରୁନାହିଁ, ବରଂ ଶତ୍ରୁର ବାଲିଷ୍ଟିକ ମିସାଇଲକୁ ଆକାଶରେ ଧ୍ୱଂସ କରିବା ପାଇଁ ଉନ୍ନତ ‘ବାଲିଷ୍ଟିକ ମିସାଇଲ ଡିଫେନ୍ସ’ (BMD) ସିଷ୍ଟମ୍ ମଧ୍ୟ ଗଠନ କରିଛି।
ବର୍ତ୍ତମାନ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ସେହି ଗଣନୀୟ ଦେଶମାନଙ୍କ ମଧ୍ୟରେ ସାମିଲ ଯେଉଁମାନଙ୍କ ପାଖରେ ଏପରି ପ୍ରତିରକ୍ଷା କବଚ ରହିଛି।
‘ନୋଟାମ’ ପରେ ବଢ଼ିଲା ଅଗ୍ନି-୬ ଚର୍ଚ୍ଚା
୨୦୨୫ ଅକ୍ଟୋବର ୯ ତାରିଖରେ ଭାରତ ସରକାର ବଙ୍ଗୋପସାଗର ଉପରେ ପ୍ରାୟ ୩୫୦୦ କିଲୋମିଟର ଅଞ୍ଚଳ ପାଇଁ ‘ନୋଟିସ୍ ଟୁ ଏୟାରମ୍ୟାନ୍’ (NOTAM) ଜାରି କରିଥିଲେ। ଏହି ନୋଟିସ୍ରେ ୧୫ ରୁ ୧୭ ଅକ୍ଟୋବର ମଧ୍ୟରେ ସେହି ଅଞ୍ଚଳରେ ବିମାନ ଓ ଜାହାଜ ଚଳାଚଳ ଉପରେ ନିଷେଧ ଲାଗିଥିଲା।
ଏହା ପରେ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଭାରତ ସମ୍ଭବତଃ ନିଜର ନୂତନ ଦୀର୍ଘ ପାଳ୍ଲାର ‘ଅଗ୍ନି-୬’ ମିସାଇଲ୍ର ପରୀକ୍ଷା କରିପାରେ।
ଯଦିଓ ପରେ ସରକାର ଏହି NOTAM କୁ ରଦ୍ଦ କରିଦେଇଥିଲେ, କିନ୍ତୁ ଏହାକୁ ନେଇ ଚୀନ ଓ ପାକିସ୍ତାନରେ ଚିନ୍ତା ବଢ଼ିଥିବା ଦେଖାଯାଇଥିଲା।
କେତେ ଶକ୍ତିଶାଳୀ ହୋଇପାରେ ଅଗ୍ନି-୬?
ପ୍ରତିରକ୍ଷା ମହଳରେ ଚର୍ଚ୍ଚା ହେଉଛି ଯେ, ‘ଅଗ୍ନି-୬’ ର ସମ୍ଭାବ୍ୟ ରେଞ୍ଜ୍ ୮,୦୦୦ ରୁ ୧୨,୦୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଯଦି ଏହା ସତ୍ୟ ହୁଏ, ତେବେ ଏହା ଭାରତକୁ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ୍ (ICBM) କ୍ଷମତା ଥିବା ଦେଶମାନଙ୍କ ଶ୍ରେଣୀରେ ଆହୁରି ମଜବୁତ ଭାବେ ସ୍ଥାପିତ କରିବ।
ଏପରି ମିସାଇଲ୍ ଦ୍ୱାରା ଏସିଆ, ୟୁରୋପ ଏବଂ ଅନ୍ୟାନ୍ୟ ଦୂରସ୍ଥ ଅଞ୍ଚଳ ମଧ୍ୟ ଭାରତର ସାମରିକ ପହଞ୍ଚ ଭିତରକୁ ଆସିପାରିବ।
ଅଗ୍ନି ସିରିଜ୍ର ସଫଳ ପରୀକ୍ଷଣ
୨୦୨୫ ମସିହାରେ ଭାରତ କ୍ରମାଗତ ଭାବେ ଅଗ୍ନି ସିରିଜ୍ର ଅନେକ ମିସାଇଲ୍ ପରୀକ୍ଷା କରିଥିଲା।
- ୧୭ ଜୁଲାଇ ୨୦୨୫: ଓଡ଼ିଶାର ଚାନ୍ଦିପୁରରୁ ଅଗ୍ନି-୧ ର ନୂଆ ଭାରିଆଣ୍ଟର ପରୀକ୍ଷା।
- ୨୦ ଅଗଷ୍ଟ ୨୦୨୫: ୫୦୦୦ କିଲୋମିଟରରୁ ଅଧିକ ରେଞ୍ଜ୍ ବିଶିଷ୍ଟ ଅଗ୍ନି-୫ ର ସଫଳ ପରୀକ୍ଷା।
- ୨୫ ସେପ୍ଟେମ୍ବର ୨୦୨୫: ଚଲନ୍ତି ରେଳ ପ୍ଲାଟଫର୍ମରୁ ‘ଅଗ୍ନି ପ୍ରାଇମ’ ମିସାଇଲ୍ର ସଫଳ ଉତକ୍ଷେପଣ।
ଏହି ସଫଳତା ସହ ଭାରତ ରୁଷିଆ, ଚୀନ ଓ ଉତ୍ତର କୋରିଆ ପରେ ଏପରି କ୍ଷମତା ରଖୁଥିବା ଚତୁର୍ଥ ଦେଶ ହୋଇଥିଲା।
MIRV ଟେକ୍ନୋଲୋଜିକୁ ନେଇ ଚୀନର ଚିନ୍ତା
‘ଅଗ୍ନି-୫’ ମିସାଇଲ୍ରେ ବ୍ୟବହୃତ MIRV (Multiple Independently Targetable Re-entry Vehicle) ଟେକ୍ନୋଲୋଜିକୁ ନେଇ ଚୀନ ବିଶେଷ ଭାବେ ଚିନ୍ତିତ ଥିବା କୁହାଯାଉଛି।
ଏହି ପ୍ରଯୁକ୍ତି ମାଧ୍ୟମରେ ଗୋଟିଏ ମିସାଇଲ୍ ଏକା ସମୟରେ ଅନେକ ଲକ୍ଷ୍ୟକୁ ଆକ୍ରମଣ କରିପାରିବ। ବିଶେଷଜ୍ଞମାନଙ୍କ ମତରେ, ଏହା ଭାରତର କୌଶଳଗତ କ୍ଷମତାକୁ ବହୁଗୁଣ ବଢ଼ାଇଛି।
ମାର୍ଚ୍ଚ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଦିବ୍ୟାସ୍ତ୍ର’ ଘୋଷଣା କରିଥିଲେ, ଯାହା ପରେ ଭାରତ ଏହି ଆଧୁନିକ କ୍ଷମତା ଥିବା ଦେଶମାନଙ୍କ ଶ୍ରେଣୀରେ ସ୍ଥାନ ପାଇଥିଲା।
ପ୍ରତିରକ୍ଷା ମନ୍ତ୍ରୀଙ୍କ ସଙ୍କେତପୂର୍ଣ୍ଣ ବୟାନ
ଅଗ୍ନି-୬ ନେଇ ବଢ଼ୁଥିବା ଚର୍ଚ୍ଚା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ସାକ୍ଷାତକାରରେ କହିଥିଲେ, “ଟିକେ ଅପେକ୍ଷା କରନ୍ତୁ, ସବୁ ଭଲ ହିଁ ହେବ।”
ତାଙ୍କ ଏହି ସଂକ୍ଷିପ୍ତ ବୟାନକୁ ନେଇ ପ୍ରତିରକ୍ଷା ମହଳରେ ବିଭିନ୍ନ ଅନୁମାନ ଲଗାଯାଉଛି।
ପୂର୍ବତନ DRDO ଡାଇରେକ୍ଟର ଡ଼ଃ ଭି.କେ. ସାରସ୍ୱତ ପୂର୍ବରୁ କହିଥିଲେ ଯେ, ଭାରତ ପାଖରେ ୧୦,୦୦୦ କିଲୋମିଟର ରେଞ୍ଜ୍ର ମିସାଇଲ୍ ତିଆରି କରିବାର ପ୍ରଯୁକ୍ତି ରହିଛି।
ଭାରତର ବଢ଼ୁଥିବା ମିସାଇଲ୍ ଭଣ୍ଡାର
‘ଗ୍ଲୋବାଲ ଫାୟାରପାୱାର’ ରିପୋର୍ଟ ଅନୁସାରେ, ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି।
ଭାରତ ପାଖରେ ବର୍ତ୍ତମାନ ଅଗ୍ନି, ବ୍ରହ୍ମୋସ, କେ-ସିରିଜ୍, ପୃଥ୍ୱୀ, ପ୍ରଳୟ, ନିର୍ଭୟ, ରୁଦ୍ରମ ଓ ଅସ୍ତ୍ର ଭଳି ଅନେକ ସ୍ୱଦେଶୀ ମିସାଇଲ୍ ବ୍ୟବସ୍ଥା ରହିଛି।
ମହାକାଶରେ ମଧ୍ୟ ଭାରତର କ୍ଷମତା
‘ମିଶନ ଶକ୍ତି’ ଅଧୀନରେ ଭାରତ ଆଣ୍ଟି-ସାଟେଲାଇଟ୍ (A-SAT) ମିସାଇଲ୍ର ସଫଳ ପରୀକ୍ଷା କରିଥିଲା। ଏହି ପରୀକ୍ଷାରେ ମହାକାଶରେ ଥିବା ଏକ ସାଟେଲାଇଟ୍କୁ ସଫଳ ଭାବେ ଧ୍ୱଂସ କରାଯାଇଥିଲା।
ବିଶେଷଜ୍ଞମାନଙ୍କ ମତରେ, ଏହା ଭାରତର ପ୍ରତିରକ୍ଷା ଓ ମହାକାଶ କ୍ଷମତାକୁ ବିଶ୍ୱସ୍ତରରେ ନୂଆ ପରିଚୟ ଦେଇଛି।
ଆତ୍ମନିର୍ଭର ପ୍ରତିରକ୍ଷା ଦିଗରେ ଭାରତର ଅଗ୍ରଗତି
ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ପ୍ରଯୁକ୍ତି ଓ ଆତ୍ମନିର୍ଭରତା ଉପରେ ଭାରତର ଜୋର ଦେଶକୁ ବିଶ୍ୱ ମଞ୍ଚରେ ଆହୁରି ଶକ୍ତିଶାଳୀ କରୁଛି।
ବିଶ୍ଳେଷକମାନଙ୍କ ମତରେ, ଅଗ୍ନି-୬ କୁ ନେଇ ସସପେନ୍ସ ଯେପର୍ଯ୍ୟନ୍ତ ରହିବ, ସେପର୍ଯ୍ୟନ୍ତ ଚୀନ ଓ ପାକିସ୍ତାନର ଚିନ୍ତା ମଧ୍ୟ ବଢ଼ିବା ଜାରି ରହିବ।
AlsoRead; https://purvapaksa.com/sir-during-heatwave-advisory-issued/
SIR ବେଳେ ଗ୍ରୀଷ୍ମ ପ୍ରବାହ; ଜାରି ହେଲା ପରାମର୍ଶ || SIR during heatwave; advisory issued


