ଓଡ଼ିଶାର ରାଜନୀତିରେ ଏମିତି କିଛି ମୁହୂର୍ତ୍ତ ଆସେ, ଯେଉଁଠି ପ୍ରଶ୍ନଟି ଘଟଣାଠାରୁ ବଡ଼ ହୋଇଯାଏ। “କିଏ ଏଠି ବିଶ୍ୱାସଘାତକ?”—ଏହି ପ୍ରଶ୍ନ ଆଜି କେବଳ ଗୋଟିଏ ଟ୍ୱିଟ୍, ଗୋଟିଏ ଫେସବୁକ ପୋଷ୍ଟ ବା ଗୋଟିଏ ରାଜନୈତିକ ବକ୍ତବ୍ୟ ନୁହେଁ; ଏହା ଏକ ଗଭୀର ରାଜନୈତିକ ସଙ୍କେତ। ଏବଂ ଏହି ପ୍ରଶ୍ନଟି ଯିଏ ଉଠାଇଛନ୍ତି, ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଦୀର୍ଘ ସମୟ ଧରି ବିଜୁ ଜନତା ଦଳରେ ଥିବା ଏହି ନେତ୍ରୀ, ଦଳରୁ ନିଲମ୍ବିତ ହେବା ପରେ ଲଗାତାର ଭାବେ ଦଳୀୟ ନେତୃତ୍ୱକୁ ପ୍ରଶ୍ନ କରିଆସୁଛନ୍ତି। ପ୍ରଥମେ ଟାର୍ଗେଟରେ ଥିଲେ ଭିକେ ପାଣ୍ଡିଆନ, ପରେ ଦଳୀୟ ଗଠନ, ସଂଗଠନ, ନିଷ୍ପତ୍ତି ପ୍ରକ୍ରିୟା। କିନ୍ତୁ ଏଥର ଚିତ୍ରଟି ଅଲଗା। ଏଥର ଟାର୍ଗେଟରେ ସିଧାସଳଖ ଦଳର ସର୍ବୋଚ୍ଚ ମୁହଁ—ନବୀନ ପଟ୍ଟନାୟକ।

ରାଜନୀତିରେ ଆରୋପ ନୂଆ ନୁହେଁ। କିନ୍ତୁ ଯେତେବେଳେ ଗୋଟିଏ ଦଳର ନିଜ ନେତ୍ରୀ ସାର୍ବଜନୀନ ଭାବେ “ବିଶ୍ୱାସଘାତ” ଶବ୍ଦଟି ବ୍ୟବହାର କରି ନେତୃତ୍ୱକୁ ପ୍ରଶ୍ନ କରନ୍ତି, ସେଠି ପ୍ରସଙ୍ଗଟି କେବଳ ବ୍ୟକ୍ତିଗତ ଅସନ୍ତୋଷରେ ସୀମିତ ରହେନି। ଏହା ଦଳର ଭିତରକୁ ଥିବା ଅସ୍ୱସ୍ଥତାକୁ ସାର୍ବଜନୀନ ମଞ୍ଚକୁ ଆଣିଦିଏ। ଶ୍ରୀମୟୀ ମିଶ୍ରଙ୍କ ପ୍ରଶ୍ନର ମୂଳ ଅର୍ଥ ହେଉଛି, ଦଳ ଯାହା ଆଜି ହୋଇଯାଇଛି, ସେଥିପାଇଁ ଦାୟୀ କିଏ? ନେତା? ସଂଗଠନ? ନା ନେତୃତ୍ୱର ନିଷ୍ପତ୍ତି?
ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜନୀତିରେ ଏକ ଅଦ୍ୱିତୀୟ ଚରିତ୍ର । ନିରବ, ଶାନ୍ତ, ଅଳ୍ପକଥା, କିନ୍ତୁ ଦୃଢ଼ ନିଷ୍ପତ୍ତି। ଏହି ଛବି ତାଙ୍କର ଶକ୍ତି ଥିଲା। କିନ୍ତୁ ଏବେ ସେଇ ନିରବତା ଉପରେ ହିଁ ପ୍ରଶ୍ନ ଉଠୁଛି।
ଶ୍ରୀମୟୀଙ୍କ ପ୍ରଶ୍ନ ଏହା ନୁହେଁ ଯେ ନବୀନ ଭୁଲ କଲେ କି ଠିକ କଲେ। ପ୍ରଶ୍ନ ହେଉଛି—ଦଳ ଭିତରେ ଯେ ଲୋକମାନେ ଆଜି ଅସନ୍ତୁଷ୍ଟ, ସେମାନଙ୍କ ସ୍ୱର କାହିଁକି ଶୁଣାଗଲା ନାହିଁ? ଯେଉଁ ନେତାମାନେ ବର୍ଷରୁ ବର୍ଷ ସଂଗଠନ ଗଢ଼ିଥିଲେ, ସେମାନେ କାହିଁକି ପଛକୁ ସରିଗଲେ? “ବିଶ୍ୱାସଘାତ” ଶବ୍ଦଟି ରାଜନୀତିରେ ଅତ୍ୟନ୍ତ ଭାରୀ। ଏହା କେବଳ ଆରୋପ ନୁହେଁ; ଏହା ନୀତିଗତ ପ୍ରଶ୍ନ। ଶ୍ରୀମୟୀ ମିଶ୍ର ଏହି ଶବ୍ଦ ବ୍ୟବହାର କରି ଯାହା କରୁଛନ୍ତି, ସେଟା ହେଉଛି ଦଳର ଆତ୍ମାକୁ ପ୍ରଶ୍ନ କରିବା। ତାଙ୍କ କଥା ଅନୁଯାୟୀ, ଯଦି ଦଳର ଆଦର୍ଶ, କାର୍ଯ୍ୟକର୍ତ୍ତା ଏବଂ ପୁରୁଣା ନେତାମାନେ ଅପେକ୍ଷିତ ହେଲେ, ତେବେ ସେଠି ବିଶ୍ୱାସ ଭଙ୍ଗ ହୋଇଛି। ଏହି ପ୍ରଶ୍ନର ଉତ୍ତର ଦେବା ଦାୟିତ୍ୱ କେବଳ ଗୋଟିଏ ବ୍ୟକ୍ତିର ନୁହେଁ, କିନ୍ତୁ ନେତୃତ୍ୱର। ଶ୍ରୀମୟୀଙ୍କ ଏହି ଆକ୍ରମଣ କ’ଣ କେବଳ ରାଗର ପରିଣାମ? ନା ଏହା ଗୋଟିଏ ଆଗାମୀ ରାଜନୈତିକ ଚାଲ? ଏହାର ଉତ୍ତର ଆସନ୍ତା ଦିନରେ ମିଳିବ। କିନ୍ତୁ ଏତିକି ସ୍ପଷ୍ଟ—ବିଜେଡି ଭିତରେ ଥିବା ଅସନ୍ତୋଷ ଏବେ ଆଉ ଚୁପ୍ଚାପ ରହିବାରେ ନାହିଁ।
“କିଏ ଏଠି ବିଶ୍ୱାସଘାତକ?”—ଏହି ପ୍ରଶ୍ନର ଉତ୍ତର ସହଜ ନୁହେଁ। କାରଣ ରାଜନୀତିରେ ବିଶ୍ୱାସ ଏକପକ୍ଷୀୟ ନୁହେଁ। ଏହା ନେତା ଓ କାର୍ଯ୍ୟକର୍ତ୍ତା, ନେତୃତ୍ୱ ଓ ସଂଗଠନ—ସମସ୍ତଙ୍କ ମଧ୍ୟରେ ଥିବା ଗୋଟିଏ ସମ୍ପର୍କ। ଶ୍ରୀମୟୀ ମିଶ୍ର ଏହି ପ୍ରଶ୍ନ ଉଠାଇ ଓଡ଼ିଶାର ରାଜନୀତିକୁ ଆଉ ଗୋଟିଏ ଚର୍ଚ୍ଚାରେ ଠେଲିଦେଇଛନ୍ତି। ଏବେ ଦେଖିବାକୁ ରହିଲା—ଏହା କେବଳ ଗୋଟିଏ ନେତ୍ରୀର ସ୍ୱର ରହିଯିବ, ନା ଏହି ସ୍ୱର ଦଳ ଭିତରର ଅନେକ ଅକଥିତ କଥାକୁ ସାର୍ବଜନୀନ କରିଦେବ। ଶ୍ରୀମୟୀ ଙ୍କ ହିସାବରେ ।

୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି “ଅନୁଶାସନ”ର ପାଠ ପଢ଼ାଯାଉଛି। କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ। କିନ୍ତୁ ପ୍ରଶ୍ନ ଉଠୁଛି— କିଏ କାହା ସହ ବିଶ୍ୱାସଘାତକତା କରିଛି? ପ୍ରକୃତ ବିଶ୍ୱାସଘାତକ କିଏ?
ପଚାରିବାକୁ ଚାହୁଁଛି:-
-କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା, ଆଉ ବିଧାୟକ ସଂଖ୍ୟା ୫୧ ରେ ସୀମିତ ରହିଲା?
-କାହାର ବିଶ୍ୱାସଘାତକତା ପାଇଁ ଲୋକସଭାରେ ଦଳ “ଶୂନ” ହୋଇଗଲା?
-କାହାର ଷଡ଼ଯନ୍ତ୍ର ପାଇଁ ଦଳ ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିଲା ?
ଯେତେବେଳେ Hoarding ରୁ ନିଜ ବାପାଙ୍କ ଫଟୋ ହଟି ତାମିଲ୍ ଫଟୋ ରହିଲା, କୁଆଡ଼େ ଯାଇଥିଲା ସେ, zero Tolerance?
କିଏ ସେହି ବିଭୀଷଣ-ବିଶ୍ବାସଘାତକ, ଯିଏ କୋଟିଏ କର୍ମୀ-ନେତାଙ୍କ ପଛରେ ଛୁରୀମାଡ଼ କଲା ସତ୍ତ୍ୱେ ଦଳପତି ତାକୁ “ପ୍ରିୟପାତ୍ର” କରି ରଖିଛନ୍ତି ଓ କ’ଣ ବାଧ୍ୟବାଧକତା ରହିଛି?
ସେତେବେଳେ ଆପଣଙ୍କ ‘ଅନୁଶାସନ’ କୁଆଡ଼େ ଯାଇଥିଲା, ଯେତେବେଳେ:-
୧. ଜଣେ ଅଣଓଡ଼ିଆ ବ୍ୟକ୍ତି ହସ୍ପିଟାଲ ପରିସରରେ ଦଳର ନେତାମାନଙ୍କୁ “I am down but not out” କହି ଧମକାଉଥିଲେ?
୨. ଦଳର ଜଣେ ନେତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରାଗଲା ଏବଂ ଶଙ୍ଖଭବନର ବୈଠକର ଭିଡିଓକୁ ଭାଇରାଲ୍ କରିବାର ଧମକ ଦିଆଗଲା?
୩. ଜଣେ ବରିଷ୍ଠ ନେତାଙ୍କ ଝିଅର ବାହାଘର ଭାଙ୍ଗିବା ପର୍ଯ୍ୟନ୍ତ କଥା ଗଲା?
୪. ଅତୀତରେ ଦଳକୁ ସବୁଠୁ ଅଧିକ ଗାଳି କରୁଥିବା ଲୋକଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେଇ ଟିକେଟ୍ ବଣ୍ଟାଗଲା? କୁଆଡ଼େ ଗଲା ସେହି “Zero Tolerance” ଆଉ “Discipline” ?
ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି ଭଣ୍ଡ ସନ୍ୟାସୀ କୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ବାସଘାତକର ଆଖ୍ୟା ଦିଆଯିବ ! ଏବେ ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି। ବୟସ୍କ ବ୍ୟକ୍ତି ବୋଲି ସମ୍ମାନ ଦେଉଛୁ ସତ କିନ୍ତୁ ତାଙ୍କର ଅଣ ଓଡ଼ିଆ ମୋହ ଆଜି ଓଡ଼ିଶାବାସୀଙ୍କୁ ବାରମ୍ବାର ଅପମାନିତ କରୁଛି। ଜଣେ ଭଣ୍ଡ ସନ୍ୟାସୀ ଙ୍କ ହାତରେ ସର୍ବସ୍ୱ ଟେକି ଦେଇ, ଅନେକ କର୍ମୀଙ୍କ ରକ୍ତ ଓ ଝାଳରେ ଗଢ଼ା ହୋଇଥିବା ଏହି ଦଳକୁ ସେ ଆଜି ତିଳ ତିଳ କରି ନଷ୍ଟ କରିବାରେ ଲାଗିଛନ୍ତି।

ସେହି ଦୁଇ ବିଧାୟକଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳପତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ? ଦଳର ବରିଷ୍ଠ ନେତାମାନେ କାହିଁକି ଚୁପ୍, କ’ଣ ଅନ୍ୟାୟ ଏବେ ସୀମା ଲଙ୍ଘିଲାଣି ବୋଲି ହୃଦବୋଧ ହଉଛି ନା ଆଜ୍ଞା ହଜୁରୀ ଅଭ୍ୟାସ ଯାଇନି? ବୋଧହୁଏ ଓଡ଼ିଆଙ୍କ ସ୍ୱାଭିମାନକୁ ଦଳିଦେବା ପାଇଁ ଦଳପତି ଜାଣିଶୁଣି ଏହି ତାମିଲ ଦମ୍ପତି ଙ୍କୁ ଦାୟିତ୍ୱ ଟେକି ଦେଇଛନ୍ତି। ଏହା କୌଣସି ରାଜନୀତି ନୁହେଁ, ବରଂ ନିଜ ଲୋକଙ୍କୁ କଷ୍ଟ ଦେଇ “Sadistic Pleasure” ପାଇବାର ଏକ ହୀନ ପ୍ରୟାସ। କ୍ଷମତାରେ ଥିଲାବେଳେ ପରା ଗୁଇନ୍ଦା ସଂସ୍ଥା ଫେଲ୍ ମାରିଲା, ସତ ଖବର ପହଞ୍ଚି ପାରିଲାନି। ଆଉ ଏବେ କ’ଣ ସେହି ତାମିଲ ସଂସ୍ଥା ର ରିପୋର୍ଟ ଆଧାରରେ ଗୁଇନ୍ଦା ତଥ୍ୟ ପହଞ୍ଚି ଯାଉଛି? ମନେରଖନ୍ତୁ, ଓଡ଼ିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ କେବେ କ୍ଷମା ଦେବନାହିଁ।
ALSO READ https://purvapaksa.com/gas-pipeline-bursts-in-cuttack-panic-created/
Gas pipeline bursts in Cuttack; panic created || କଟକରେ ଫାଟିଲା ଗ୍ୟାସ ପାଇପଲାଇନ; ସୃଷ୍ଟି ହେଲା ଆତଙ୍କ


