ଭାରତୀୟ ଗଣତନ୍ତ୍ରର ମୂଳ ଆଧାର ହେଉଛି ନିର୍ବାଚନ ପ୍ରକ୍ରିୟା । ଏହି ପ୍ରକ୍ରିୟା ଯେତେ ସ୍ୱଚ୍ଛ, ନିଷ୍ପକ୍ଷ ଓ ବିଶ୍ୱସନୀୟ, ଗଣତନ୍ତ୍ର ସେତେ ଶକ୍ତିଶାଳୀ। କିନ୍ତୁ ଯଦି ଏହି ପ୍ରକ୍ରିୟାର ମୂଳଭିତ୍ତି ଭୋଟର ତାଲିକା ହିଁ ସନ୍ଦେହାସ୍ପଦ, ତେବେ ଗଣତନ୍ତ୍ରର ଗଣ୍ଡି ଧୀରେଧୀରେ ଫମ୍ପା ହୋଇଯାଏ । ପଶ୍ଚିମବଙ୍ଗରେ ଏବେ ଯାହା ଘଟୁଛି, ତାହା କେବଳ ଏକ ରାଜ୍ୟର ରାଜନୀତିକ ଘଟଣା ନୁହେଁ; ଏହା ଭାରତୀୟ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ଏକ ଗମ୍ଭୀର ସତର୍କ ସଙ୍କେତ।
ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR)ର ଡ୍ରାଫ୍ଟ ରିପୋର୍ଟରୁ ସାମ୍ନାକୁ ଆସିଥିବା ତଥ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ନୁହେଁ, ଆତଙ୍କ ଲାଗେ । ୫ ବର୍ଷ ବୟସରେ ନାଗରିକ ଭୋଟର ଏବଂ ସେହି ବୟସରେ ବି ବାପା–ମାଆ ହୋଇଛନ୍ତି ! ଏହା କୌଣସି ରାଜନୈତିକ ଅଭିଯୋଗ ନୁହେଁ, ଏହା ନିର୍ବାଚନ କମିଶନଙ୍କ ନିଜ ତଥ୍ୟରୁ ମିଳିଥିବା ଚିତ୍ର । ଏଭଳି ମାମଲାର ସଂଖ୍ୟା ୧୧ ଲକ୍ଷ ୯୫ ହଜାର ୨୩୦—ଗୋଟିଏ କି ଦୁଇଟି ଭୁଲ ନୁହେଁ, ବରଂ ଏକ ସଂଗଠିତ ଢାଞ୍ଚା।
ଆଜିର ପ୍ରସଙ୍ଗ ଚିନ୍ତାରେ ମମତା- ଏସ୍ଆଇଆର୍ ଖୋଲୁଛି ତୃଣମୂଳର ଗୁମର ।

ଏସ୍ଆଇଆର୍: କାହିଁକି ମମତା ଚିନ୍ତିତ?
ବିଧାନସଭା ନିର୍ବାଚନ ପୂର୍ବରୁ ଏସ୍ଆଇଆର୍ ଆରମ୍ଭ ହେବା ମୁହୂର୍ତ୍ତରୁ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସର ଅସ୍ୱସ୍ଥତା ସ୍ପଷ୍ଟ ଥିଲା। ରାଜ୍ୟ ସରକାରରୁ ଆରମ୍ଭ କରି ଦଳୀୟ ସାଂସଦ ପର୍ଯ୍ୟନ୍ତ, ଏସ୍ଆଇଆର୍କୁ “ଲୋକତନ୍ତ୍ର ବିରୋଧୀ”, “ରାଜନୈତିକ ଷଡ଼ଯନ୍ତ୍ର” ବୋଲି ଚିତ୍କାର ହେଉଥିଲା। କିନ୍ତୁ ପ୍ରଶ୍ନ ହେଉଛି—ଯଦି ଭୋଟର ତାଲିକା ସଠିକ୍, ତେବେ ସଂଶୋଧନକୁ ନେଇ ଏତେ ଭୟ କାହିଁକି? ଏସ୍ଆଇଆର୍ ଡ୍ରାଫ୍ଟ ପ୍ରକାଶ ପରେ ଏହି ପ୍ରଶ୍ନର ଉତ୍ତର ଧୀରେଧୀରେ ସାମ୍ନାକୁ ଆସୁଛି। ଏହା କେବଳ ଭୁଲ ତଥ୍ୟର କଥା ନୁହେଁ; ଏହା ଦୀର୍ଘବର୍ଷ ଧରି ଚାଲିଥିବା ଭୋଟ ବ୍ୟାଙ୍କ ରାଜନୀତିର ଏକ ନଗ୍ନ ଚିତ୍ର।
୫୮ ଲକ୍ଷ ନାମ ବାଦ, ୧.୨୩ କୋଟି ସ୍କାନରରେ, ପଶ୍ଚିମବଙ୍ଗରେ ରାଜନୈତିକ ଭୂକମ୍ପ
ସଂଶୋଧିତ ଡ୍ରାଫ୍ଟ ଭୋଟର ତାଲିକାରେ ୫୮ ଲକ୍ଷ ମତଦାତାଙ୍କ ନାମ ବାଦ ପଡ଼ିବା ଓ ୧ କୋଟି ୨୩ ଲକ୍ଷ ମତଦାତା ନିର୍ବାଚନ କମିଶନଙ୍କ ସ୍କାନରରେ ଆସିବା- ଏହା କୌଣସି ସାଧାରଣ ପ୍ରଶାସନିକ ତ୍ରୁଟି ନୁହେଁ। ଏହା ଏକ ରାଜନୈତିକ ଭୂକମ୍ପ। ଯଦି ଏତେ ବଡ଼ ସଂଖ୍ୟାର ମତଦାତା ସନ୍ଦେହରେ, ତେବେ ବିଗତ ନିର୍ବାଚନଗୁଡ଼ିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। କିଏ କେମିତି ଜିତିଲା? କେଉଁମାନେ ଭୋଟ ଦେଲେ? ଭୋଟ ବାକ୍ସରେ ପଡ଼ିଥିବା ମତ କେତେଟା ସତ୍ୟ ଭୋଟରଙ୍କ ଥିଲା?
୮୫ ଲକ୍ଷ ବାପାଙ୍କ ନାମ ଭୁଲ: ଭୁଲ ନା ଯୋଜନା?
ଏସ୍ଆଇଆର୍ର ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ—୮୫ ଲକ୍ଷ ୧ ହଜାର ୪୮୬ ମତଦାତାଙ୍କ ବାପାଙ୍କ ନାମ ଭୁଲ। ଏହା ରାଜ୍ୟର ମୋଟ ମତଦାତାଙ୍କ ପ୍ରାୟ ୧୧.୦୯ ପ୍ରତିଶତ। ଏତେ ବଡ଼ ସଂଖ୍ୟାକୁ “ଟାଇପିଂ ଏରର୍” ବୋଲି କହିବା ମାନେ ଗଣତନ୍ତ୍ର ସହ ପରିହାସ କରିବା।
ଭୋଟର ତାଲିକାରେ ବାପା କିମ୍ବା ମାଆଙ୍କ ନାମ ହେଉଛି ମୂଳ ପରିଚୟ। ଏଠାରେ ଭୁଲ ଥିଲେ, ଏକ ନକଲି ପରିଚୟ ସୃଷ୍ଟି କରିବା ଅତ୍ୟନ୍ତ ସହଜ। ଏହା ଏକାଧିକ ଭୋଟରକୁ ଗୋଟିଏ ଠିକଣାରେ ଗଢ଼ିବାର ସୁଯୋଗ ଦିଏ।
୬ରୁ ଅଧିକ ପିଲାଛୁଆ—ଭୋଟ ବଢ଼ାଇବାର ଫର୍ମୁଲା?

୨୪ ଲକ୍ଷ ୨୧ ହଜାର ୧୩୩ ମତଦାତା ଏପରି ଅଛନ୍ତି, ଯେଉଁମାନଙ୍କ ପିଲାଛୁଆ ସଂଖ୍ୟା ୬ରୁ ଅଧିକ। ସାମାଜିକ ବାସ୍ତବତା, ଜନସଂଖ୍ୟା ଧାରା ଓ ପରିବାର ଗଠନକୁ ଧ୍ୟାନରେ ରଖିଲେ, ଏହି ସଂଖ୍ୟା ସାଧାରଣ ନୁହେଁ। ଏହା ଇଙ୍ଗିତ କରେ ଯେ ଗୋଟିଏ ପରିବାର ଢାଞ୍ଚାକୁ ବ୍ୟବହାର କରି ଏକାଧିକ ଭୋଟର ସୃଷ୍ଟି କରାଯାଇଥିଲା।
୫ ବର୍ଷରେ ବାପା: ଡାଟା ଏରର୍ ନା ଗଣତାନ୍ତ୍ରିକ ଅପରାଧ?
ଏସ୍ଆଇଆର୍ର ସବୁଠୁ ଭୟଙ୍କର ତଥ୍ୟ ହେଉଛି ବୟସ ପାର୍ଥକ୍ୟ ସମ୍ପର୍କିତ ବିସଙ୍ଗତି।
• ୧୧ ଲକ୍ଷ ୯୫ ହଜାର ୨୩୦ ମାମଲାରେ ବାପା–ପୁଅ କିମ୍ବା ମାଆ–ଝିଅଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ୫ରୁ ୧୦ ବର୍ଷ।
• ୮ ଲକ୍ଷ ୭୭ ହଜାର ୭୩୬ ମାମଲାରେ ବାପା–ମାଆଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ୫୦ ବର୍ଷରୁ ଅଧିକ।
ଏହା କେବଳ ତଥ୍ୟ ତ୍ରୁଟି ନୁହେଁ; ଏହା ଗଣତନ୍ତ୍ରୀୟ ବ୍ୟବସ୍ଥା ଉପରେ ଏକ ସଂଗଠିତ ଆକ୍ରମଣ।
ନୂଆ ଭୋଟର, କିନ୍ତୁ ବୟସ ୪୫ ପରେ!
ଏଥର ୨୦ ଲକ୍ଷ ୭୪ ହଜାର ୨୫୬ ଜଣଙ୍କୁ ନୂଆ ଭୋଟର ଭାବେ ଚିହ୍ନଟ କରାଯାଇଛି, ଯାହାଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୪୫ ବର୍ଷରୁ ଅଧିକ। ସାଧାରଣତଃ ନୂଆ ଭୋଟର ମାନେ ୧୮–୨୫ ବୟସ ଶ୍ରେଣୀରେ ଥାଆନ୍ତି। ତେବେ ଏହି “ହଠାତ୍” ୪୫ ପରେ ଭୋଟର କେଉଁଠୁ ଆସିଲେ—ଏହା ଏକ ଗମ୍ଭୀର ପ୍ରଶ୍ନ।
ଏସ୍ଆଇଆର୍—ଗଣତନ୍ତ୍ରର ଆବଶ୍ୟକ ସର୍ଜରୀ
ଏସ୍ଆଇଆର୍ ହେଉଛି ଗଣତନ୍ତ୍ରର ଏକ କଠୋର କିନ୍ତୁ ଆବଶ୍ୟକ ସର୍ଜରୀ। ଏହା ବେଦନାଦାୟକ, କିନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଅନିବାର୍ଯ୍ୟ। ଯେତେ ଆଗକୁ ଏହି ପ୍ରକ୍ରିୟା ବଢ଼ିବ, ସେତେ ଅଧିକ ଗୁମର ସାମ୍ନାକୁ ଆସିବ।
ପ୍ରଶ୍ନ ଏବେ ଗୋଟିଏ—ଗଣତନ୍ତ୍ର ରକ୍ଷା ପାଇଁ ସତ୍ୟକୁ ସ୍ୱୀକାର କରାଯିବ, ନା ଭୋଟ ବ୍ୟାଙ୍କ ପାଇଁ ମିଥ୍ୟାକୁ ଆଉ ଦୀର୍ଘ କରାଯିବ? ଏସ୍ଆଇଆର୍ ଏହି ପ୍ରଶ୍ନର ଉତ୍ତର ଧୀରେଧୀରେ ଦେଉଛି।
also read https://purvapaksa.com/7-arrested-over-hindu-mans-lynching-in-bangladesh/


