ନୂଆପଡ଼ା ଉପନିର୍ବାଚନ ପାଇଁ ଚା’ ଖଟିର ଆଲୋଚନା କିମ୍ବା ରାଜନୀତିରେ ରୁଚି ରଖୁଥିବା ସଚେତନ ନାଗରିକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ତା ମଧ୍ୟରୁ ଯେଉଁ କିଛି ପ୍ରଶ୍ନ ସାମ୍ନାକୁ ଆସୁଛି ସେ ଭିତରେ କିଛି ସାଧାରଣ ପ୍ରଶ୍ନ ହେଲା- ସ୍ଥିତି କେମତି ଅଛି, ଜିତିବ କିଏ? ‘ଜୟ ଢୋଲକିଆ’ ବିଜେପିର ସମ୍ପତ୍ତି ହେବ କି ବିପତ୍ତି? ଆଦିବାସୀ ଭୋଟ୍ ’ଘାସିରାମ ମାଝି’ଙ୍କ ଆଡ଼କୁ ଢଳିବ ନା ନାହିଁ? ମହିଳା ଓ ଦଳିତଙ୍କ ଭୋଟ କ’ଣ ବିଜେଡି ପାଇଁ ନିର୍ଣ୍ଣାୟକ ହେବ?
ନୂଆପଡ଼ା ଉପନିର୍ବାଚନ ଭାବପ୍ରବଣଶୂନ୍ୟ

ଏ ପ୍ରଶ୍ନଗୁଡ଼ିକୁ ସବୁ ସମସାମୟିକ ରାଜନୀତି ସହ ଜଡ଼ିତ, ଯାହାର ପୃଷ୍ଠଭୂମି ଆଲୋଚନା କରିବା ଅନାବଶ୍ୟକ। କିନ୍ତୁ ସ୍ପଷ୍ଟ ଉତ୍ତର ରଖିବା କଷ୍ଟକର ବ୍ୟାପାର। ଏହାର କାରଣ ହେଲା, ନିର୍ବାଚନୀ ମଇଦାନରେ ଥିବା ୧୪ ଜଣ ପ୍ରାର୍ଥୀଙ୍କ ଭିତରୁ କେହି ବି ଯୁଦ୍ଧ ପରିହାର କରିବାକୁ ପ୍ରସ୍ତୁତ ନୁହଁନ୍ତି କି କୌଣସି ପ୍ରାର୍ଥୀ ଭାବପ୍ରବଣ ହୋଇ ନିର୍ବାଚନ ଲଢ଼ୁ ନାହାନ୍ତି। ସବୁଠାରୁ ବଡ଼ କଥା ହେଲା କିଛିଦିନ ହେଲା ଏଠାରେ ପୁଣିଥରେ ସକ୍ରିୟ ହୋଇଥିବା ନିର୍ବାଚନ ରାଜନୀତିକୁ ନେଇ ଲୋକେ ଉତ୍ସାହୀ ଥିଲେ ବି ପ୍ରତିକ୍ରିୟାଶୀଳ ନାହାନ୍ତି। ଯେଉଁଠି ଯେଉଁ ପ୍ରାର୍ଥୀ କର୍ମୀ ବା କୁଜି ନେତା ଯାହାର ପତକା, ପୋଷ୍ଟର ଦେଉଛନ୍ତି ତାହାକୁ ମତଦାତାମାନେ ଅସମ୍ମାନ କରୁନାହାନ୍ତି। ତାଙ୍କ ଘରେ ଲଗାଇଲେ ମନା କରୁନାହାନ୍ତି। ପଚାରିଲେ କହୁଛନ୍ତି, ‘ଯିଏ ଯାହା ଲଗାଉଛି ଲଗାଉ, କାହାକୁ ମନା କରୁନାହୁଁ’। କିନ୍ତୁ ଭୋଟ୍ ଦେଲା ବେଳକୁ କାହାକୁ ଭୋଟ୍ ଦେବେ ପଚାରିଲେ ଚୁପ୍ ରହୁଛନ୍ତି। ଅର୍ଥାତ୍ ଜନତା ସଚେତନ ରହିଛନ୍ତି, ଠିକ୍ ସମୟରେ ଠିକ୍ ପ୍ରାର୍ଥୀଙ୍କୁ ବାଛିବା ଲାଗି। ସଂକ୍ଷେପରେ କହିବାକୁ ଗଲେ ଭୋଟରଙ୍କ ଭିତରେ ଯେମିତି ଆତ୍ମୀୟତା କି ଭାବପ୍ରବଣତାର ଅଭାବ ରହିଛି, ତାହା ପ୍ରାର୍ଥୀଙ୍କ ପାଖରେ ବି ଅଭାବ ରହିଛି। ଅର୍ଥାତ୍ ଏ ନିର୍ବାଚନ ଆତ୍ମୀୟତା ବା ଭାବପ୍ରବଣତାକୁ ଆଧାର କରିବ ନାହିଁ।
ଭାବାବେଗ ଆଚ୍ଛାଦିତ ନୁହେଁ
‘ଆତ୍ମୀୟତା ଓ ଭାବପ୍ରବଣତା’ ବିଷୟ ନୂଆପଡ଼ା ନିର୍ବାଚନରେ ଉଠିବାର କାରଣ ପଛରେ ରହିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନୂଆପଡ଼ାବାସୀଙ୍କ ସହ ସମ୍ପର୍କ। ସେ ନୂଆପଡ଼ାର ମୂଳବାସିନ୍ଦା ନ ହେଲେ ବି ଲୋକମାନେ ତାଙ୍କୁ ୪ ଥର ନିର୍ବାଚିତ କରିଥିବାର କାରଣ ପଛରେ ‘ଆତ୍ମୀୟତା ବା ଭାବପ୍ରବଣତା’ ଥିଲା ବୋଲି ଲୋକମାନେ କହନ୍ତି। ଏପରିକି ସେ କିପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନୂଆପଡ଼ା ଲୋକଙ୍କ ସହ ମିଶି କରି ରହିଥିଲେ ତାହାକୁ ବଖାଣୁଛନ୍ତି। କେତେବେଳେ କାହାର ଝିଅ ବାହାଘର ପାଇଁ ସାହାଯ୍ୟ ହେଉ ବା ସାମୁହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ ଅଥବା ଡାକ୍ତରଖାନାରେ ସହାୟତା ବା ମୃତକଙ୍କ କ୍ରିୟାକର୍ମରେ ସିଧାସଳଖ ଆର୍ଥିକ ସହାୟତା ପାଇଁ ରାଜେନ୍ଦ୍ର ତାଙ୍କ ଦୁଆର ଆଗରେ ସ୍ୱୟଂ ପ୍ରତ୍ୟକ୍ଷ ଭାବେ ଠିଆ ହେଉଥିଲେ ବୋଲି ଲୋକ କହନ୍ତି। ହେଲେ ସେହି ଭୋଟ୍ର ଆଜି ତାଙ୍କ ପରିବାର ହେଉ ବା ତାଙ୍କ ଦଳ ହେଉ କେଉଁଠି ତାହାକୁ ଦେଖୁ ନ ଥିବା କହିଛନ୍ତି। ଅର୍ଥାତ୍ ଏ ନିର୍ବାଚନ କୌଣସି ଭାବେ ଆତ୍ମୀୟତା ବା ଭାବପ୍ରବଣତାରେ ଆଚ୍ଛାଦିତ ହେବ ନାହିଁ।
‘ବାପଭଳି ପୁଅ ହେଲାନି’!
ଯେତେବେଳେ ରାଜୁ ଭାଇଙ୍କ ପୁଅ ପ୍ରାର୍ଥୀ ହୋଇଛନ୍ତି, ତାଙ୍କ ଫଟୋ ଧରି ପ୍ରଚାର କରୁଛନ୍ତି, ସେ ସମୟରେ ଅନୁକମ୍ପା ତାଙ୍କ ପାଇଁ ସମ୍ପତ୍ତି ସାଜିବ କି ବୋଲି ପ୍ରଶ୍ନ ହୋଇଛି, ବୁଦ୍ଧିଜୀବୀ ଏଥିରେ ନାରାଜ ବ୍ୟକ୍ତ କରିଛନ୍ତି। ଏପରିକି କୋମନା ପଞ୍ଚାୟତର କିଛି ଭୋଟର ତାଙ୍କୁ କୁଆଡ଼ୁଆ ପୁଅ ବୋଲି ପ୍ରଶ୍ନ କରିଛନ୍ତି। ସେ ତ ତାଙ୍କ ଭାଇର ପୁଅ ବୋଲି ସ୍ପଷ୍ଟ କହିଛନ୍ତି। ’ବାପା ଯେଉଁ ଭଳି ଆମ ପାଖରେ ଠିଆ ହେଉଥିଲା ତାହା ପୁଅ ପାଖରେ ନାହିଁ’ ବୋଲି କହୁଛନ୍ତି। କେବଳ ସେତିକି ନୁହେଁ, ବିଜେପି ତାଙ୍କ ପୁଅକୁ ଚୋରି କରି ନେଇଯାଇଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ଏ ମତ କୌଣସି ଦଳୀୟ ନାରେଟିଭ୍କୁ ସୁହାଉ ଥାଇପାରେ, ହେଲେ ନିର୍ବାଚନ କ୍ଷେତ୍ରରେ ଏପରି ମନ୍ତବ୍ୟ ତଥା ପ୍ରତିକ୍ରିୟା ଭାତ ହାଣ୍ଡିର ଗୋଟିଏ ଭାତ ଭଳି ଏକ ପରୀକ୍ଷା ବି ହୋଇପାରେ!
ନୂଆପଡ଼ା ଉପନିର୍ବାଚନରେ ଆରଏସଏସ ତତ୍ପର
ତଥାପି କୋମନା ଓ ନୂଆପଡ଼ା ଏନ୍ଏସି ଅଞ୍ଚଳରେ ଢୋଲକିଆ ଓ ବିଜେପିର ପ୍ରଚାର ବେଶ୍ ଜୋରଦାର ରହିଛି। ଉତ୍ସବ, ସମାବେଶ ମାଧ୍ୟମରେ ରାଜନୀତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି। କେନ୍ଦ୍ରୀୟ ନେତା ନ ହେଲେ ବି ରାଜ୍ୟସ୍ତରୀୟ ନେତାମାନେ ନିର୍ଦ୍ଧାରଣ ରଣନୀତି ଅନୁସାରେ ଯୋଗଦେଇ କର୍ମୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରୁଛନ୍ତି। ନୀରବ ପ୍ରଚାରକ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀମାନେ ଏଥିରେ ଜଡ଼ିତ ରହିଛନ୍ତି। ସାଇକେଲରେ ଗେରୁଆ ବସ୍ତ୍ର ପିନ୍ଧି ‘ବଢ଼ିଚାଲ’ ବୋଲି ସ୍ଲୋଗାନ ଦେଉଛନ୍ତି। ଏହା ଗଳି କନ୍ଦିରେ ମାଇକ ନ ପହଞ୍ଚିପାରୁଥିବା ସ୍ଥାନରେ ଭୋଟ ପହଞ୍ଚାଇବାରେ ସହାୟକ ହେବ।
ଜାତି ଓ ମହିଳା କାର୍ଡ
![]()
ରାଜୁ ଭାଇଙ୍କ ଫଟୋ ନ ଧରିଲେ ବି ତାଙ୍କ ନାମ ଓ ଆଦର୍ଶକୁ ଭିତ୍ତି କରି ପ୍ରଚାର କରୁଥିବା ବିଜେଡି ଯେ ଏହାର ଫାଇଦା ପାଇବ ତାହା କୁହାଯାଇନପାରେ। ବରଂ ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଜାତି ଓ ଲିଙ୍ଗ ଦଳ ପାଇଁ ଶକ୍ତି ହେବାକୁ ଯାଉଛି। ଏହାସହ ନବୀନ ପଟ୍ଟନାୟକଙ୍କ ମଞ୍ଚ ଉପରେ ଅସୁସ୍ଥତା ପ୍ରଦର୍ଶନ ଏବଂ ବିରୋଧୀ ନେତାଙ୍କୁ ଶାଣିତ ଭାଷଣରେ ଇଙ୍ଗିତ ସ୍ନେହାଙ୍ଗିନୀଙ୍କୁ ସହାୟକ ହୋଇପାରେ।
ସ୍ନେହାଙ୍ଗିନୀ ନୂଆପଡ଼ା ମାଟିର ଝିଅ ନୁହନ୍ତି। ସେ ଏ ମାଟିର ଭାଣିଜୀ ବୋଲି ନିଜକୁ କହନ୍ତି। ଏହା ସ୍ନେହାଙ୍ଗିନୀଙ୍କ ପାଇଁ ଏକ ବିପତ୍ତି ହୋଇଥିଲେ ବି ନବୀନଙ୍କ ଭାଷଣ, ବିଜେଡିର ପୁରୁଣା ସଂଗଠନ, ସ୍ନେହାଙ୍ଗିନୀଙ୍କୁ ସହାୟକ ହୋଇପାରେ। ପୁଣି ସେ ହେଉଛନ୍ତି ଜଣେ ଅନୁସୂଚିତ ଜାତି ବର୍ଗର ମହିଳା। ଏଣୁ ନୂଆପଡ଼ାରେ ଥିବା ପଛୁଆ ଜାତିଙ୍କ ଭିତରୁ ବେଶ୍ କିଛି ଭୋଟ୍କୁ ଏହା ଆକର୍ଷିତ କରିପାରେ। ନୂଆପଡ଼ାରେ ବିଭାଜିତ ଆଦିବାସୀ ଭୋଟ୍, ଯାଦବ ଭୋଟ୍ ଏବଂ ଦଳିତ, ମହିଳା ଭୋଟ୍ ସ୍ନେହାଙ୍ଗିନୀଙ୍କ ପାଇଁ ଖୋଲା ମଇଦାନ ସୃଷ୍ଟି କରିପାରେ। ସେହିପରି ଆଖିଦୃଶିଆ ଭାବେ ପଞ୍ଚାୟତ ଓ ଓ୍ୱାର୍ଡ ଅନୁସାରେ ବିଜେଡି ନେତାଙ୍କ ପ୍ରଚାର ଅଭିଯାନ ଏହି ଭୋଟ୍ ମଇଦାନରେ ସ୍ନେହାଙ୍ଗିନୀଙ୍କୁ ଭୋଟ୍ ଦେଇପାରେ। ଯଦି ଏହା ହୁଏ ତେବେ ତାହା ବିଜେଡି ପାଇଁ ଏକ ଚମତ୍କାର ହେବ ବୋଲି ରାଜନୀତିକ ସମୀକ୍ଷକମାନେ କହୁଛନ୍ତି। ଏଥିରେ ବହୁଚର୍ଚ୍ଚିତ ଏବଂ ଭୋଟରଙ୍କ ଦ୍ୱାରା ପୂର୍ବରୁ ପ୍ରତ୍ୟାଖ୍ୟାତ ହୋଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ଦମ୍ଭକୁ ଏ ନିର୍ବାଚନରେ ବିଜେଡିର ବିଜୟ ଭାଙ୍ଗିଦେବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ରଣକ୍ଷେତ୍ରରେ ବିଜେଡି ନେତାଙ୍କ ଉପସ୍ଥିତି ତ ରହିଛି କିନ୍ତୁ ଏଥିରୁ ମନୋବୃତ୍ତିର ଅଭାବ ଏବଂ ନିରାଶା ରହିଥିବା ସ୍ପଷ୍ଟ ହେଉଛି। ଏଣୁ ବିଜେଡିକୁ ପ୍ରତିଯୋଗୀତାରେ ଜିତିବା ଲାଗି ନୂଆ ରଣନୀତି ଆପଣାଇବାକୁ ହେବ। ଅଧିକ ଆତ୍ମୀୟତା ପ୍ରଦର୍ଶନ କରିବାକୁ ହେବ।
ଏକାଠି ଉଡ଼ୁଛି ପଦ୍ମ ଓ ଶଙ୍ଖ ପତାକା
ଗାଁ ହେଉ ବା ସହର ଭିତରେ କୌଣସି ଘର ଅଥବା ଦୋକାନ ବଜାର ଉପରେ ଉଡ଼ୁଥିବା ଦଳୀୟ ପତାକାରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ପତାକା ଦେଖିବାକୁ ମିଳିନାହିଁ। ଅବଶ୍ୟ ଏଥିରେ ହାତ ଚିହ୍ନ କମ୍ ରହିଛି କିନ୍ତୁ ଅଧିକାଂଶ କ୍ଷେତ୍ରରେ ପଦ୍ମ ଓ ଶଙ୍ଖକୁ ଏକାଠି ଉଡୁଥିବାରୁ ଦେଖିବାକୁ ମିଳିଛି। ଏହା ପ୍ରମାଣିତ କରୁଛି ଯେ ଭୋଟର ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିନାହାନ୍ତି ଅଥବା ଭୋଟର ଏପରି ପ୍ରଚାରକୁ ଧ୍ୟାନ ଦେବାକୁ ଚାହାନ୍ତି ନାହିଁ। ସେମାନେ ଆଗୁଆ ସଚେତନ ରହି ନିଜର ପ୍ରାର୍ଥୀ ସ୍ଥିର କରି ସାରିଛନ୍ତି।
ଦ୍ୱିତୀୟ ସ୍ଥାନ ପାଇଁ ଲଢ଼େଇ
ଭୋଟ୍ରମାନଙ୍କ ମନରେ ଏମିତି ସ୍ଥିରତା ୨୦୨୪ ନିର୍ବାଚନରେ ବି ଦେଖିବାକୁ ମିଳିଥିଲା। ସେତେବେଳେ ବିଜେପିକୁ ଭୋଟ୍ର ପସନ୍ଦ କରିନଥିଲେ। ବରଂ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଅଧିକ ଭୋଟ୍ ଦେଇ ଦ୍ୱିତୀୟ ସ୍ଥାନରେ ରଖିଥିଲେ। ଗଣ୍ଡ ସମ୍ପ୍ରଦାୟର ଏହି ପ୍ରାର୍ଥୀଙ୍କ ପାଖରେ ସର୍ବାଧିକ ଆଦିବାସୀ ଭୋଟ୍ ସେତେବେଳେ ରହିଥିଲା। ହେଲେ ୨୦୨୫ ଉପ ନିର୍ବାଚନରେ ସେହିଧାରା ବଜାୟ ରହିନପାରେ। ବିଜେପି ସରକାରକୁ ଆସିବା ପରେ କଂଗ୍ରେସର ସ୍ଥାନ ଦୁର୍ବଳ ହୋଇଥିବା କୁହାଯାଉଛି। ପୁଣି ଯଦିଓ ପିସିସି ସଭାପତି, ଦଳୀୟ ପ୍ରଭାରୀ ନିର୍ବାଚନମଣ୍ଡଳିରେ ଦିନ ରାତି କାମ କରୁଛନ୍ତି କିନ୍ତୁ ଏହା କେବଳ ଗୋଟିଏ ବ୍ଲକ ସିନାପାଲି’ରେ ସୀମିତ ରହୁଥିବା କୁହାଯାଉଛି। ଯେହେତୁ ଅତୀତର ସଂସଦୀୟ ନିର୍ବାଚନ ସମୟରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ନୂଆପଡ଼ା ଓ କୋମନା ବ୍ଲକରୁ ଭୋଟ୍ ମିଳୁ ନ ଥିବା ଅଭିଯୋଗ ହୋଇଛି, ଏଣୁ ଭକ୍ତ ନୂଆପଡ଼ାରେ ଅସ୍ଥାୟୀ ବାସଗୃହ କରିଥିଲେ ବି ଏହି ଦୁଇ ବ୍ଲକକୁ ଗୁରୁତ୍ୱ ଦେଉନଥିବା ଆଲୋଚନା ହେଉଛି। ଏଣୁ ଏହି ରଣନୀତି ଘାସିରାମଙ୍କୁ ପଛୁଆ ଚାଲିବାକୁ ବାଧ୍ୟ କରୁଥାଇପାରେ। ଯଦି ଏହି ଦୁର୍ବଳତାକୁ କଂଗ୍ରେସ ସ୍ୱୀକାର କରିନିଏ ତେବେ ଏବେ ବି ସମୟ ଅଛି ସମୀକରଣ ପୁଣି ବଦଳିଯିବ!
ମନସ୍ଥିର କରିନାହାନ୍ତି ଜନତା, ଅପେକ୍ଷା ଅନ୍ଧାରୀ ବିଜେଡ଼ିକୁ
ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ବଦଳୁଥିବା ଏହି ରାଜନୀତିକ ସମୀକରଣର ଆଗରେ କ’ଣ ଅଛି ତାହା କୌଣସି ବ୍ୟକ୍ତି ବିଶେଷ କି ରାଜନେତା ଜାଣନ୍ତି ନାହିଁ। କିନ୍ତୁ ଆଜିର ମୁହୂର୍ତ୍ତରେ ଏହା କୁହାଯାଇପାରେ ଯେ, ଜନତା ନିର୍ଣ୍ଣାୟକ ହୋଇ ନାହାନ୍ତି। ଏବେ ବିଜେପି-ବିଜେଡି ଭିତରେ ମୁକାବିଲାକୁ ଦେଖୁଛନ୍ତି। ପରିସ୍ଥିତିକୁ ଅଧିକ ସକ୍ରିୟ ହେବାକୁ ସୁଯୋଗ ଦେଉଛନ୍ତି। ଏଣୁ ଆଗକୁ ପ୍ରଚଳିତ ପ୍ରଥା ଅନୁସାରେ ନେତାମାନଙ୍କର ଅନ୍ଧାରୀ ବିଜେ ସମୟରେ ଅର୍ଥ ସବୁ ଅନର୍ଥର କାରଣ ହୋଇପାରେ। ସେତେବେଳେ ସବୁ ରାଜନୀତି, ଭାବାବେଗ ଗୋଟିଏ ପଟେ ଆଉ ନିକିତିର ଆରପଟେ ଅର୍ଥ ପ୍ରଲୋଭନ ଗୁରୁତ୍ୱ ବହନ କରିପାରେ। ଏଣୁ ଅପେକ୍ଷା ପୁଲିସର କାର୍ଯ୍ୟାନୁଷ୍ଠାନକୁ, ପ୍ରଶାସନର ସକ୍ରିୟତାକୁ ଆଉ ସରକାରୀ କଳର ନିରପେକ୍ଷତାକୁ।
also read https://purvapaksa.com/baba-bhanga-predictions-for-gold-price-in-2026/


