ପିଲାବେଳେ ମିଛିମିଛିକା ଚୋର-ପୁଲିସ ଖେଳ ପ୍ରାୟତଃ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀ ପିଲା ପାଇଁ ଏକ ନିହାତି ପରିଚିତ ଖେଳ। ପଡ଼ିଆରେ ହେଉ ବା ଘରେ ବସିଥିବାବେଳେ ହେଉ ଆମେ ସମୟ ପାଇଲେ ଗୋଷ୍ଠୀରେ ଏ ଖେଳ ଖେଳିଥାଉ। ଏବେ କିନ୍ତୁ ସମ୍ଭ୍ରାନ୍ତ ଶ୍ରେଣୀର ରାଜନୀତି ଖେଳରେ ଏହା ଦେଖିବାକୁ ମିଳୁଛି। କିଏ କୁଆଡ଼େ କେତେବେଳେ କାହାକୁ ସମର୍ଥନ ବା ବିରୋଧ କରୁଛି ତାହା ସାଧାରଣ ରାଜନେତାଙ୍କୁ ଜାଣିବା କାଠିକର ପାଠ। ଆଉ ଏମିତି ଏକ ଅବୁଝା ସମୀକରଣକୁ ସମାଧାନ କରିବାକୁ ଯାଉଛି ନୂଆପଡ଼ା ଉପ ନିର୍ବାଚନ। ଯେଉଁଥିରେ ଦୁଇ ପରସ୍ପର ବିରୋଧୀଙ୍କୁ ଏକାଠି ଅବତାରଣା ପାଇଁ ଦିଲ୍ଲୀରେ ଚାଲିଛି ମସୁଧା।
ଓଡ଼ିଶା ରାଜନୀତିରେ ନୂଆପଡ଼ା ଉପ ନିର୍ବାଚନ ଏକ ମୋଡ଼ ପରିବର୍ତ୍ତନକାରୀ ପର୍ଯ୍ୟାୟ। ଐତିହାସିକ ପୃଷ୍ଠଭୂମିରେ ତଥ୍ୟ ସହ ମୁଁ ଆପଣଙ୍କୁ ୧୧ ତାରିଖରେ ଏ ବିଷୟ କହିଥିଲି। ଆପଣ ଚାହିଁଲେ ଡେସ୍କ୍ରିପସନ୍ ବକ୍ସରେ ଥିବା ଲିଙ୍କକୁ ଯାଇ ସେ ଅଧ୍ୟାୟକୁ ଦେଖିପାରିବେ।
ସେ ଅଧ୍ୟାୟରେ ୧୯୯୭ ମସିହାରେ ନୂଆପଡ଼ାର ପ୍ରଥମ ଉପ ନିର୍ବାଚନ କଥା କହିଥିଲି। କେମିତି ତାହା ବିଜୁ ବାବୁଙ୍କ ପାଇଁ ଅସ୍ତିତ୍ୱ ସଙ୍କଟକୁ ଆଣିଥିଲା ସେ ବିଷୟ ବି କହିଥିଲି। ଆଉ ଏବେକାର ଉପ ନିର୍ବାଚନ ଠିକ୍ ସେମିତି ପରିସ୍ଥିତିରେ ହେଉଥିବାରୁ ଏହା ମଧ୍ୟ ବିଜେଡି ପାଇଁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହେଉଥିବା ଉପସ୍ଥାପନ କରିଥିଲି। ହେଲେ ଏବେ ପରିସ୍ଥିତି ବଦଳିଛି। ଏ ବଦଳୁଥିବା ପରିସ୍ଥିତିରେ ବିଜେଡିକୁ ହରାଇ ଶାସନକୁ ଆସିଥିବା ବିଜେପି ଏହି ଆସନରେ ପୁଣିଥରେ ବିଜେଡିକୁ ବିଜେତା କରିବାକୁ ଚାହୁଁଛି।
ନୂଆପଡ଼ାକୁ ନେଇ ବିଜେପି ନୀରବ କାହିଁକି?
ରାଜନୀତିକ ମହଲରେ ଏ ଚର୍ଚ୍ଚା ସୃଷ୍ଟି ହେବାର କାରଣ ପଛରେ ଅନେକ ସମୀକରଣକୁ ଦର୍ଶାଯାଉଛି। କିନ୍ତୁ ସବୁଠାରୁ ବଡ଼ କଥା ହେଲା କଂଗ୍ରେସକୁ ଦୂରେଇ ରଖିବା। କାରଣ ଯଦି ବିଜେପି ଓ ବିଜେଡି ଭିତରେ ମତଭେଦ ଗୁରୁତର ହୁଏ ତେବେ ତାହା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ସୁବିଧା ବିଜୟ ଦେବାରେ ସହାୟକ ହେବ। ଏହା ରାଜନୀତିକ ଗୁଇନ୍ଦା ସ୍ପଷ୍ଟ କରିବା ପରେ ବିଜେପି ନୀରବ ରହିଛି। ଆଉ ବିଜେଡି ପ୍ରାର୍ଥୀ ଖୋଜିବା ଲାଗି ପାଣ୍ଡିଆନ୍ ଦୂତ ତଥା ପୂର୍ବତନ ସାଂଗଠନିକ ସମ୍ପାଦକଙ୍କୁ ନୂଆପଡ଼ା ପଠାଇଛି। କୁହାଯାଉଛି ନବୀନଙ୍କ ଦିଲ୍ଲୀ ଗସ୍ତ କୁଆଡ଼େ ଏହାର ମୂଳ ଭିତ୍ତିଭୂମି ପକାଇଛି।
ଏହା ସ୍ପଷ୍ଟ ଯେ ରାଜ୍ୟରେ ବିଜେଡି ଭଙ୍ଗୁର ଅବସ୍ଥାରେ ରହିଛି। ଭବିଷ୍ୟତକୁ ନେଇ ନବୀନଙ୍କ କୌଣସି ଆଗ୍ରହ ନାହିଁ। ପରିସ୍ଥିତି ଓ ପରିବେଶକୁ ନେତା, କର୍ମୀ ଅପେକ୍ଷା କରିଛନ୍ତି। ଅନେକେ ତ ସୁଯୋଗ ଦେଖି ଅନ୍ୟ ଦଳକୁ ଡେଇଁ ସାରିଲେଣି ଆଉ କିଛି ଦଳରୁ ଭାଗେ ବା ସମ୍ପୂର୍ଣ୍ଣ ଦଖଲ କରିବାକୁ ଯୋଜନା ରାଜ୍ୟ ରାଜନୀତି ସମ୍ବନ୍ଧରେ ରୁଚି ରଖୁଥିବା ଆବାଳ ବୃଦ୍ଧବନୀତା ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ଜାଣନ୍ତି। ଏଣୁ ଏ ବିଷୟରେ ଅଧିକ କହିବାର ଆବଶ୍ୟକତା ନାହିଁ।
ପାଣ୍ଡିଆନ୍ଙ୍କ ଅସ୍ତିତ୍ୱ ରକ୍ଷା ଚିନ୍ତା
ଏହିକ୍ରମରେ କ୍ଷମତାଶାଳୀ ଥିବା ନବୀନଙ୍କ ସେବକ ତଥା ତଥାକଥିତ ସନ୍ନ୍ୟାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଦଳକୁ ନିଜ ଅକ୍ତିଆରରେ ରଖିବା ଲାଗି ପ୍ରୟାସ ଚଳାଇଛନ୍ତି। ହେଲେ ତାଙ୍କୁ ବିଜେଡିର ବରିଷ୍ଠ ରାଜନେତାମାନଙ୍କ ଭିତରୁ ଅଧିକାଂଶ ସମର୍ଥନ କରୁନାହାନ୍ତି। ଏବେ ସେ ସୃଷ୍ଟି କରିଥିବା ଯୁବା ବ୍ରିଗେଡିୟରମାନେ ମଧ୍ୟ ହାତରୁ ଖସିବାରେ ଲାଗିଛନ୍ତି। ଏଭଳି ଏକ ପରିସ୍ଥିତିରେ ପାଣ୍ଡିଆନ୍ ନିଜର ଅସ୍ତିତ୍ୱ ରକ୍ଷା କରିବା ଲାଗି ନୂଆପଡ଼ାକୁ ଜିତିବା ଲାଗି ଉଦ୍ୟମ କରୁଛନ୍ତି। ବିଧାୟକ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ମୃତ୍ୟୁ ପରଠାରୁ ଏହି ଉଦ୍ୟମ ଚାଲିଛି। ହେଲେ କ୍ଷମତାସୀନ ଦଳଠାରୁ ଉପ ନିର୍ବାଚନ ଜିତିବା କେତେ କଷ୍ଟକର ତାହା ପାଣ୍ଡିଆନ୍ ନିଜେ ଜାଣନ୍ତି। ଏଣୁ ସେ ପଛଦ୍ୱାର ଦେଇ ନୂଆ ରାଜନୀତିକ ବୀଜ ବୁଣିଥିବା ନେଇ ଚର୍ଚ୍ଚା ହେଉଛି।
ବିଜେପି-ବିଜେଡି ଡିଲ୍
ଆଉ ସେଥିରେ ବି ନବୀନ ତାଙ୍କୁ ସହାୟକ ହୋଇଥିବା ଆଲୋଚନା ହେଲାଣି। ବିଧାନସଭା ଚାଲିଥିବାବେଳେ ଦିଲ୍ଲୀରେ ରହିବା ଏହାର ସବୁଠାରୁ ବଡ଼ ଉଦାହରଣ ବୋଲି କୁହାଯାଉଛି।
ଏହି ପଛଦ୍ୱାର ଆଲୋଚନାରେ ବିଜେପିର ଦିଲ୍ଲୀ ନେତୃତ୍ୱଙ୍କ ସହ କିଛି ବଡ଼ ଡିଲ୍ ହେଉଛି। ସେହି ଡିଲ୍ ଅନୁସାରେ ବିଜେଡି ସଂସଦରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଲାଗି ଭୋଟ୍ ଦେବାରୁ ଅନୁପସ୍ଥିତ ରହିଥିଲା। ଆଉ ସେହି ଡିଲ୍ ଅନୁସାରେ ରାଜ୍ୟରେ ବିଜେପି ସରକାରଙ୍କୁ ଆଗକୁ ବିରୋଧ କରିବ ନାହିଁ ବୋଲି ଚୁକ୍ତି ସାମଲ ରହିଛି। ସୂଚନା ଅନୁସାରେ ଏ ଡିଲ୍କୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟରେ ବିଜେପି ସରକାରଙ୍କୁ ବିଜେଡି ହରଡ଼ଘଣାରେ ପକାଇବ ନାହିଁ। କୌଣସି ଅନାସ୍ତା ଆଲୋଚନା ଆଣିବ ନାହିଁ। ବରଂ ରାଜ୍ୟରେ କଂଗ୍ରେସର ପ୍ରସାରକୁ ରୋକ ଦେବା ଲାଗି ଉଭୟେ ଏକାଠି କାର୍ଯ୍ୟ କରିବେ।
ବିଜେଡି ନେତାଙ୍କ ଅଘୋଷିତ ହ୍ୱିପ୍ କ’ଣ?
ସାଧାରଣତଃ ମୁଖ୍ୟ ବିରୋଧୀ ଦଳ ଭାବେ ଶାସନ କଳକୁ ସମାଲୋଚନା କରିବା ଏବଂ ଲୋକଙ୍କ ପ୍ରଶ୍ନକୁ ବିଧାନସଭାରେ ଉଠାଇବା ହେଉଛି ବିଜେଡିର ମୁଖ୍ୟ କାମ। କିନ୍ତୁ ଏହା ବିଜେଡି କରୁ ନାହିଁ। ଏପରିକି ଯେଉଁ ଚାଷୀଙ୍କ ପାଇଁ ସାର ସମସ୍ୟା କଂଗ୍ରେସ ଉଠାଉଛି ସେ ବାବଦରେ ଆଲୋଚନା କରିବା ବଦଳରେ ଗୃହକୁ ମୁଲତବୀ କରି କୌଣସି ଆଲୋଚନାର ବାଟ ଛାଡ଼ୁ ନାହିଁ ବିଜେଡି। ପୁଣି ଏହିପରିପ୍ରେକ୍ଷୀରେ ବିଜେଡିର ବିଧାୟକମାନଙ୍କୁ ଏକ ଅଘୋଷିତ ହ୍ୱିପ୍ ଜାରି କରାଯାଇଥିବା ସୂଚନା ମିଳିଛି। ଏହି ହ୍ୱିପ୍ ଦ୍ୱାରା ସେମାନେ ବିଧାନସଭାରେ ବିଜେପି ସରକାର ବିରୋଧରେ କିଛି କହିବେ ନାହିଁ।
ବିଜେଡି ପ୍ରାର୍ଥୀଙ୍କୁ ଅଘୋଷିତ ସମର୍ଥନ ଦେବ କି ବିଜେପି?
ଅପରପକ୍ଷେ ବିଜେପି ନୂଆପଡ଼ାରେ ଜିତିବା ଲାଗି ଏକାକୀ ଲଢ଼ିବ ନାହିଁ। ଏଠାରେ କଂଗ୍ରେସକୁ ହରାଇବା ଲାଗି ବିଜେଡି ପ୍ରାର୍ଥୀଙ୍କୁ ଅଘୋଷିତ ସମର୍ଥନ ଦେବ। ଅର୍ଥାତ୍ ଦୁର୍ବଳ ପ୍ରାର୍ଥୀ ଦେବ। ଯାହାଫଳରେ ଲୋକେ ଜାଣିବେ ଯେ ବିଜେପି ବିରୋଧରେ ବିଜେଡି ରହିଛି କିନ୍ତୁ ବାସ୍ତବରେ ଦୁହେଁ ପରମ୍ପର ମିଳିମିଶି କାର୍ଯ୍ୟ କରିବେ। କାରଣ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪, ୮୧୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ। ଯଦି ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ରକୁ ବିଜେଡି ପ୍ରାର୍ଥୀ କରେ ସେ ଅନୁକମ୍ପାମୂଳକ ଭୋଟ୍ ପାଇବାର ବହୁତ ସମ୍ଭାବନା ରହିଛି। ଏପରି କ୍ଷେତ୍ରରେ ବିଜେପି ଦୁର୍ବଳ ପ୍ରାର୍ଥୀ ଦେଇ ବିଜେଡିକୁ ଭିତିରିଆ ସମର୍ଥନ ଦେବ, ହାରିଗଲେ କହିବ ବିଜେଡି ତାର ଆସନ ବଜାୟ ରଖିଲା। ଏହାଦ୍ୱାରା ବିଜେପିର ଶତ୍ରୁ କଂଗ୍ରେସ ମଧ୍ୟ ନିର୍ବାଚନ ହାରିଯିବ, ଯାହାଫଳରେ ବିଜେପି ଜାତୀୟ ସ୍ତରରେ ନିନ୍ଦିତ ହେବାରୁ ରକ୍ଷା ପାଇବ।
କାରଣ ଗତ ନିର୍ବାଚନରେ ସ୍ୱାଧୀନ ଲଢ଼ି ୫୦,୯୪୧ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିବା ଘାସିରାମଙ୍କୁ ଆଗାମୀ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି କଂଗ୍ରେସ ଘୋଷଣା କରିସାରିଛି। ନୂଆପଡ଼ା ବିଧାନସଭା ସାଧାରଣ ବର୍ଗଙ୍କ ପାଇଁ ଥିଲେ ହେଁ ସେଠାରେ ଅଧିକ ସଂଖ୍ୟକ ଅନୁସୂଚିତ ଜନଜାତି ବର୍ଗର ମତଦାତା ଅଛନ୍ତି। ଯେଉଁମାନେ କି ଗତ ନିର୍ବାଚନରେ ସେମାନେ ନିଜର ପ୍ରତିନିଧି ଭାବରେ ଘାସିରାମଙ୍କୁ ପ୍ରାର୍ଥୀ କରି ସମର୍ଥନ କରିଥିଲେ। ତେଣୁ ଘାସିରାମ କଂଗ୍ରେସ ପ୍ରାର୍ଥୀ ହେଲେ ତାଙ୍କର ଜିତିବା ସମ୍ଭାବନା ଅନ୍ୟମାନଙ୍କଠାରୁ ଅଧିକ ବୋଲି ଦଳୀୟ ରଣନୀତିକାରମାନେ ଚିନ୍ତା କରି ତାଙ୍କୁ ପ୍ରାର୍ଥୀ କରିଛନ୍ତି।
ବିଜେପି-ବିଜେଡିର ଏହି ଅଘୋଷିତ ମେଣ୍ଟ ହୁଏତ ଦୁଇ ଦଳକୁ ତତ୍କ୍ଷଣାତ ଲାଭ ପହଞ୍ଚାଇ ଦେଇପାରେ। କିନ୍ତୁ ଦୀର୍ଘକାଳୀନ ଭବିଷ୍ୟତକୁ ଦେଖିଲେ ଏହା ରାଜ୍ୟରେ କଂଗ୍ରେସକୁ ହିଁ ସହାୟକ ହେବ।
Also readhttps://purvapaksa.com/pruthviraj-showed-his-finger-to-the-chief-minister/
Pruthviraj showed his finger to the Chief Minister! II ମୁଖ୍ୟମନ୍ତ୍ରୀଙ୍କୁ ଆଙ୍ଗୁଳି ଦେଖାଇଲେ ପୃଥ୍ୱୀରାଜ!
