ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ନିର୍ବାଚନ ବିଧିବ୍ୟବସ୍ଥା ଅନୁସାରେ ଆସନ୍ତା ୬ ମାସ ଭିତରେ ଏହି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ନିର୍ବାଚନ କେବଳ ବିଜେଡି ଆଗରେ ଭାବମୂର୍ତ୍ତି ରକ୍ଷାର ପରିଚୟ ହେବ ନାହିଁ ବରଂ ବିଜେପି ନେତୃତ୍ୱାଧୀନ ‘ଲୋକଙ୍କ ସରକାର’ ପାଇଁ ଏକ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି। ଅନେକଙ୍କ ଭାଷାରେ ଏହା ଓଡ଼ିଶା ରାଜନୀତିର ବର୍ତ୍ତମାନର ଷ୍ଟାଟସ୍କୁ ଜଣାଇବାରେ ସକ୍ଷମ ହେବ। କିନ୍ତୁ ନୂଆପଡ଼ାର ରାଜନୀତିକ ଇତିହାସ କିଛି ପରିବର୍ତ୍ତନକୁ ଇଙ୍ଗିତ କରୁଛି। ଏ ପରିବର୍ତ୍ତନ ସହ ୧୯୯୭ର ଉପନିର୍ବାଚନ ସାମଞ୍ଜସ୍ୟ ରକ୍ଷା କରିପାରେ। ଏପରିକି ସେତେବlଳେ ବିଜୁଙ୍କ ଜନତା ଦଳ ଯେମିତି ଅବସ୍ଥା ଭୋଗିଥିଲା ଏବେ ତାହା ବିଜୁ ଜନତା ଦଳ ପାଇଁ ପୁନରାୟ ଘଟିପାରେ।
ନୂଆପଡ଼ାରେ ଦ୍ୱୈତ ପ୍ରତିନିଧିତ୍ୱ ବ୍ୟବସ୍ଥା
ଓଡ଼ିଶାର ରାଜନୀତିକ ଇତିହାସରେ ନୂଆପଡ଼ା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ୧୯୫୧ ମସିହାରେ ଯେତେବେଳେ ପ୍ରଥମ ନିର୍ବାଚନ ହେଲା ସେତେବେଳେ ଏହି ନିର୍ବାଚନମଣ୍ଡଳିରୁ ଦୁଇଜଣ ସଦସ୍ୟ ନିର୍ବାଚିତ ହେଉଥିଲେ। ଜଣେ ଅନୁସୂଚିତ ଜନଜାତି ସମୁଦାୟ ଆଉ ଜଣେ ସାଧାରଣ ବର୍ଗର ପ୍ରତିନିଧି। ଏଭଳି ଦ୍ୱୈତ ପ୍ରତିନିଧିତ୍ୱ ବ୍ୟବସ୍ଥା ୧୦ ବର୍ଷ ଚାଲିଥିଲା। ଆଉ ଏହି ଦଶବର୍ଷ ସାଧାରଣ ବର୍ଗର ପ୍ରତିନିଧି ଭାବେ ଖଡ଼ିଆରର ରାଜା ଅନୁପ ସିଂହଦେଓ ନୂଆପଡ଼ାକୁ ପ୍ରତିନିଧିତ୍ୱ କରୁଥିଲେ। ୧୯୬୧ ମସିହାରେ ଦ୍ୱୈତ ସଦସ୍ୟତା ରଦ୍ଦ ହେବା ପରେ ଏହି ନିର୍ବାଚନ ମଣ୍ଡଳୀ ଜଣେ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଦେଇ ଆସୁଛି।
ନୂଆପଡ଼ା ସମବେଦନାକୁ ଖାରଜ କରିଛି
ଏ ଭିତରେ ୧୮ଟି ନିର୍ବାଚନ ନୂଆପଡ଼ା ଦେଖିଛି। ସେଥିରେ ଗୋଟିଏ ଥର ଉପନିର୍ବାଚନ ବି ହୋଇଛି। ସେ ପୁଣି ଜଣେ ବର୍ଷୀୟାନ ନେତା ତଥା ୭ଥରର ବିଧାୟକ ଘାସିରାମ ମାଝିଙ୍କ ପରଲୋକ ହେବା ହେତୁ। କିନ୍ତୁ ଏହି ଉପନିର୍ବାଚନ ନୂଆପଡ଼ା ରାଜନୀତିରେ ଏକ ଭିନ୍ନ ସମୀକରଣ ସୃଷ୍ଟି କରିଥିଲା। ମୋଡ଼ ପରିବର୍ତ୍ତନକାରୀ ହୋଇଥିଲା। କହିବାକୁ ଗଲେ ଏହା କୌଣସି ସମବେଦନା, ସାନ୍ତ୍ୱନାକୁ ରକ୍ଷା କରିନଥିଲା। ବରଂ ଘାସିରାମଙ୍କ ବିରୋଧୀ ଦଳଙ୍କୁ କୁର୍ସି ଦେଇଥିଲା। ଏବେ ପୁଣିଥରେ ସେ ପରିସ୍ଥିତିରେ ଉପନୀତ ନୂଆପଡ଼ା ୧୯ତମ ନିର୍ବାଚନକୁ ଆସନ୍ନ କରିଛି। ରାଜନୀତିକ ଦଳ ତ ପ୍ରସ୍ତୁତ ହେଲେଣି କିନ୍ତୁ ଇତିହାସର ଘଟଣା କେବେ ହଜିଯାଏ ନାହିଁ। ବିଶେଷ କରି ରାଜନୀତି ଯେପରି ସମୟ ଖୋଜୁଥାଏ ଠିକ୍ ସେମିତି ଏକ ଦେଶ-କାଳ-ପାତ୍ର ପାଇଁ ମଧ୍ୟ। ଯେହେତୁ ଏପରି ଏକ ବିରଳ ସଂଯୋଗ ଘଟିଛି, ଆପଣଙ୍କ ଆଗରେ ମୁଁ ଏ ବିଷୟକୁ ଉଲ୍ଲେଖ କରିବାକୁ ଯାଉଛି।
ବିଜୁଙ୍କ ଜନତା ଦଳକୁ ପ୍ରତ୍ୟାଖ୍ୟାନ
ଆଜିକୁ ପ୍ରାୟ ୨୮ ବର୍ଷ ତଳର କଥା। ୧୯୯୭ ମସିହା ଜାନୁୟାରୀ ଶେଷ ଦିନରେ ଏମିତି ଏକ ଉପ ନିର୍ବାଚନ ହୋଇଥିଲା। ସେତେବେଳେ ଘାସିରାମ ମାଝୀ ପ୍ରତିନିଧିତ୍ୱ କରୁଥିବା ଜନତା ଦଳ ଅତ୍ୟନ୍ତ ସମ୍ବେଦନଶୀଳ ପରିସ୍ଥିତି ଦେଇ ଗତି କରୁଥିଲା। ଅବଶ୍ୟ ବିଜୁବାବୁ ସେତେବେଳେ ବଞ୍ଚିଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା। ଦେଶର ରାଜନୀତି ଅସ୍ଥିରତା ଭିତରେ ଗତିକରୁଥିବାବେଳେ ନୂଆପଡ଼ାର ଜନତା ବିଜୁଙ୍କ ଜନତା ଦଳକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଉପର ଆସ୍ଥା ପ୍ରକଟ କରିଥିଲେ। ଆଜି ପୁଣିଥରେ ସେହି ପରିସ୍ଥିତି ସାମ୍ନାରେ ଉପସ୍ଥିତ।
ନୂଆପଡ଼ାରୁ ବିଜୁଙ୍କୁ ପରାଜୟର ସଂକେତ
ସେଦିନକୁ ମୁଁ ଏଠାରେ ଉପସ୍ଥାପନ କରିବାର କାରଣ ହେଉଛି ବର୍ତ୍ତମାନ ବିଜେଡିର ପରିସ୍ଥିତି। ଆପଣମାନେ ମନେପକାନ୍ତୁ ସେ ସମୟକୁ। ୧୯୯୦ରୁ ୯୫ ମସିହା ଯାଏ ନିରଙ୍କୁଶ ଜନ ସମର୍ଥନ ଲାଭ କରି କ୍ଷମତା ଉପଭୋଗ କରିଥିଲେ ବିଜୁ ବାବୁ। ତାଙ୍କ ଆଗରେ ବିରୋଧୀ ଦଳ ଏତେ କ୍ଷୀଣ ହୋଇଯାଇଥିଲା ଯେ ସାମ୍ବିଧାନିକ ଭାବେ କୌଣସି ନେତାଙ୍କୁ ବିରୋଧୀ ଦଳ ନେତାର ଆଖ୍ୟା ମିଳିପାରିନଥିଲା। ନୂଆପଡ଼ା ଉପନିର୍ବାଚନରୁ ବିଜୁ ପଟ୍ଟନାୟକଙ୍କୁ ୧୯୯୫ ନିର୍ବାଚନ ସଂକେତ ମିଳିଥିଲା। ବିଜୁ ୧୯୯୫ନିର୍ବାଚନରେ ଚିତପଟାଙ୍ଗ ମାରିଥିଲେ। ଏହାପରେ ସେ ବିରୋଧୀ ଦଳ ନେତା ଭାବେ ବିଧାନସଭାରେ ବସିବାକୁ ବାଧ୍ୟ ହେଲେ। କିନ୍ତୁ ଏହା ବିଜୁଙ୍କୁ କେବେ ଭଲ ଲାଗୁ ନ ଥାଏ। ପୁଣି ନିଜ ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ଅଶୋକ ଦାସଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦେଇ ସେ ଦିଲ୍ଲୀରେ ରହିବା ଆରମ୍ଭ କରିଲେ। ସେତେବେଳେ ଦିଲ୍ଲୀପ ରାୟ ତାଙ୍କର ସେବା ଶୁଶ୍ରୁଶା କରୁଥିବା କୁହାଯାଏ।
ଆଜି ନବୀନ ଦୀର୍ଘକାଳ ନିରଙ୍କୁଶ କ୍ଷମତା ଉପଭୋଗ କରିବା ପରେ ବିରୋଧୀ ଦଳ ନେତା ଭୂମିକାରେ ରହିଛନ୍ତି। ତାଙ୍କର ବି ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। କେତେବେଳେ ଦିଲ୍ଲୀ ଓ କେତେବେଳେ ଭୁବନେଶ୍ୱର ହେଉଛନ୍ତି ନବୀନ। ପୁଣି ସେ ସଭାପତି ଥିବା ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଛି। ଏଭଳି କ୍ଷେତ୍ରରେ ନୂଆପଡ଼ାର ବିଧାୟକଙ୍କ ପରଲୋକ ହେତୁ ନିର୍ବାଚନ ଆସନ୍ନ ହୋଇଛି।
ବିଜେଡି ପାଇଁ ସତର୍କର ବେଳ
ଏ ନିର୍ବାଚନରେ କିଏ ଜିତିବ ବା କିଏ ହାରିବ ତାହା ତ କେବଳ ନୂଆପଡ଼ାର ଜନତା ଜାଣିଥିବେ କିନ୍ତୁ ଏହା ବିଜେଡି ପାଇଁ ଏକ ସତର୍କର ବେଳ ହେବାକୁ ଯାଉଛି। କାରଣ ଘାସିରାମ ମାଝୀଙ୍କ ନେତୃତ୍ୱରେ ଜନତା ଦଳକୁ ନୂଆପଡ଼ାବାସୀ ଲଗାତାର ତିନିଥର ଭୋଟ୍ ଦେଇଥିଲେ ମଧ୍ୟ ତାଙ୍କ ପରେ ଆଉ ତାଙ୍କ ଦଳକୁ ପଚାରି ନ ଥିଲେ। ନୂଆପଡ଼ାବାସୀ କଂଗ୍ରେସକୁ ବାଛିଥିଲେ। ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ ପ୍ରତିନିଧି ଭାବେ ଉପ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ତିନିବର୍ଷ ସେ ବିଧାୟକ ରହିଥିଲେ। କିନ୍ତୁ ଯେତେବଳେ ୨୦୦୦ ମସିହାରେ ନିର୍ବାଚନ ହେଲା ସେ ଆଉ ଲୋକଙ୍କ ସମର୍ଥନ ହାସଲ କରିପାରିଲେ ନାହିଁ। ଫଳରେ ପ୍ରଥମଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା। ଜନତା ଦଳ କି ବିଜୁ ବାବୁ ଆଉ ସେତେବେଳେ ନ ଥିଲେ। ବିଜୁଙ୍କ ଜନତା ଦଳ ଭାଙ୍ଗି ବିଜୁ ଜନତା ଦଳରେ ପରିଣତ ହୋଇଥିଲା। ଲୋକମାନେ ଅଣ କଂଗ୍ରେସ ବିକଳ୍ପ ଖୋଜି ଦୁଇ ଦଳର ମେଣ୍ଟକୁ ସମର୍ଥନ କରିଥିଲେ। ଆଉ ବିଜେପି ଏଠାରେ ନିଅଁ ପକାଇଥିଲା।
ନୂଆପଡ଼ାରୁ କଂଗ୍ରେସ ମାତ୍ର ୪ଥର ଜିତିଛି
୧୯୬୧ ଦ୍ୱୈତ ସଦସ୍ୟତା ରଦ୍ଦ ହେବା ପରେ ନୂଆପଡ଼ାରେ ହୋଇଥିବା ୧୬ଟି ସାଧାରଣ ନିର୍ବାଚନ ଭିତରୁ ମାତ୍ର ୪ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ବାକି ସବୁଥିରେ ଅଣ କଂଗ୍ରେସ ଦଳ ହିଁ ନିର୍ବାଚନ ମଣ୍ଡଳୀର ହର୍ତ୍ତାକର୍ତ୍ତା ହୋଇଛନ୍ତି। ଅର୍ଥାତ୍ ଏବେ ଆଉ କଂଗ୍ରେସ ନୂଆପଡ଼ାରେ ଏକ କାରକ ହୋଇ ନାହିଁ। ବରଂ ଲଢ଼େଇ ବିଜେଡି ବନାମ ବିଜେପି ହୋଇଛି। ଏହା ୨୦୨୫ ଉପ ନିର୍ବାଚନରେ ଦୋହରାଇବାକୁ ଯାଉଛି। ନ ହେଲେ ରାଜନୀତି ବିଜେଡି ବନାମ ବିଜେଡି ହେବ ବୋଲି କିଛି ସମୀକ୍ଷକ କହୁଛନ୍ତି।
ନୂଆପଡ଼ାରେ ପାଣ୍ଡିଆନ୍ ବନାମ ପାଣ୍ଡିଆନ୍ ବିରୋଧୀ ଲଢ଼େଇ!
ବିଜେଡି ବନାମ ବିଜେଡି କହିବାର ଅର୍ଥ ହେଉଛି ପାଣ୍ଡିଆନ୍ ବନାମ ପାଣ୍ଡିଆନ୍ ବିରୋଧୀ ନେତା। ଯଦିଓ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଦୂରେଇଛନ୍ତି ବୋଲି କୁହାଯାଉଛି କିନ୍ତୁ ପାର୍ଟିର ସବୁ ନିଷ୍ପତ୍ତି ତାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପରେ ହୋଇଚାଲିଛି। ଏବେ କିଛିଦିନ ହେଲା ଏହି ହସ୍ତକ୍ଷେପ ଆହୁରି ବଢ଼ିଥିବା ବି ବିଜେଡି ନେତାଏଁ କହିବୁଲିଲେଣି। ଏଣୁ ନୂଆପଡ଼ାରେ ପ୍ରାର୍ଥୀ ଯିଏ ହେବେ ତାଙ୍କରି ସୁପାରିସରେ ହିଁ ଟିକଟ ପାଇବେ। ପରିବାରରୁ ତାଙ୍କ ପୁଅ ପ୍ରାର୍ଥୀ ହେଲେ ବି ଯଦି ପାଣ୍ଡିଆନଙ୍କ ପ୍ରଭାବ ରହିଥିବା ଜଣାଯାଏ ତେବେ ତାହାକୁ ଏଡ଼ାଇବା ପାଇଁ କିଛି ବିଜେଡି ନେତା ଚେଷ୍ଟା କରିବେ। କାରଣ ଏହି ନିର୍ବାଚନରେ ବିଜେଡିର ବିଜୟକୁ ପାଣ୍ଡିଆନଙ୍କ ବିଜୟ ବୋଲି କୁହାଯିବ ଅର୍ଥାତ୍ ତାଙ୍କ ହାତମୁଠାକୁ ଅଧିକ ଶକ୍ତ କରିବ ବୋଲି କୁହାଯାଏ। ଆଉ ଏହା କେବେ ଅସନ୍ତୁଷ୍ଟ ଗୋଷ୍ଠୀ ଚାହିଁବେ ନାହିଁ।
ଚାପରେ ରହିବେ ବିଜେଡି ପ୍ରାର୍ଥୀ
ଏଣୁ ବିଜେଡି ପ୍ରାର୍ଥୀଙ୍କ ଉପରେ ଦୁଇଟି ପ୍ରମୁଖ ଚ୍ୟାଲେଞ୍ଜ ରହିବ। ଗୋଟିଏ ହେଉଛି ନିଜ ଦଳ ଓ ଅନ୍ୟଟି ସରକାର। ସରକାରଙ୍କୁ ଆସିବା ପରେ ପ୍ରଥମ ନିର୍ବାଚନ ହୋଇଥିବାରୁ ବିଜେପି ଏହି ନିର୍ବାଚନରେ କଳ, ବଳ ଓ କୌଶଳ ଲଗାଇବାକୁ ଚେଷ୍ଟା କରିବ। କାରଣ ଏହା ନ ହେଲେ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ତିଆରି ହୋଇଥିବା ଜାଲ ଆହୁରି ଶକ୍ତ ହେବ। ସେଥିରେ ଫଶିଯାଇପାରନ୍ତି ମୋହନ-ମନମୋହନ ଯୋଡ଼ି।
ଏଭଳି ଏକ ପରସ୍ପର ଆହ୍ୱାନର ପରିସ୍ଥିତି ଭିତରେ ନୂଆପଡ଼ାରେ ଇତିହାସର ପୁନରାବୃତ୍ତି ହେବ କି? ଯଦି ହୁଏ ସେଥିରେ କିଏ ବିଜୟୀ ହେବ। ଆପଣ ବିଚାର କରିବେ, ଭୋଟ ଦେବେ ତା’ ପରେ ସବୁକିଛି ସ୍ପଷ୍ଟ ହେବ।
Also readhttps://purvapaksa.com/what-is-the-deep-state-and-how-is-it-working-for-americas-interests/

