ଅପରେସନ ସିନ୍ଦୂର ପରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବାରେ ଲାଗିଛି । ସଦ୍ୟ ଘଟଣାରେ ଏହା ଏକ ନୂଆ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ ପ୍ରସ୍ତୁତ କରିଛି । ଯାହା ବ୍ରହ୍ମୋସଠାରୁ ଅଧିକ ଦ୍ରୁତ ଏବଂ ଅଗ୍ନି କ୍ଷେପଣାସ୍ତ୍ରଠାରୁ ଅଧିକ ଘାତକ । ଏହାର ଗତି ଶବ୍ଦ ବେଗଠାରୁ ୮ ଗୁଣା ଅଧିକ। ୧୫ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ଏହା ଶତ୍ରୁପକ୍ଷକୁ ଟାର୍ଗେଟ୍ କରିପାରିବ ।
‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ ଏହି ‘ଏକ୍ସଟେଣ୍ଡେଡ୍ ଟ୍ରାଜେକ୍ଟୋରି ଲଙ୍ଗ୍ ବ୍ୟୁରେସନ ହାଇପରସୋନିକ୍ କ୍ରୁଜ ମିସାଇଲ ବା ଇଟି- ଏଲ୍ଏନ୍ସିଏମ୍’କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ଵାରା ପ୍ରସ୍ତୁତ କରାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଅପରେସନ ସିନ୍ଦୂର ଚଳାଇଥିଲା । ଏହାପରେ ଦୁଇଦେଶ ମଧ୍ୟରେ ସଂକ୍ଷିପ୍ତ ମୁହାଁମୁହିଁ ହୋଇ ଯୁଦ୍ଧବିରତି ହୋଇଥିଲା । ସେବେଠାରୁ ଭାରତ ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାରେ ଲାଗିଛି। ଆଧୁନିକୀକରଣକୁ ଅଧିକ ଫୋକସ୍ କରୁଛି । ଏହି କ୍ରମରେ ବ୍ରହ୍ମାସ, ଅଗ୍ନି-୫ ଓ ଆକାଶ ସିଷ୍ଟମ୍ ଆଦିର ବିକଶିତ ଭର୍ସନ ଅଣାଯାଉଛି। ଇଟି-ଏଲ୍ଡିଏସିଏମ୍ରେ ‘ଗ୍ରାମଜେଟ୍ ଇଞ୍ଜିନ୍’ ରହିଛି, ଯାହା ‘ଏୟାର-ବ୍ରିଦିଙ୍ଗ୍ ପ୍ରପଲ୍ସନ୍’କୁ ବ୍ୟବହାର କରିଛି। ପାରମ୍ପରିକ କମ୍ପ୍ରେସର ବଦଳରେ ଏହା ବାୟୁମଣ୍ଡଳୀୟ ଅମ୍ଳଜାନ ଉପରେ ଅଧିକ ନିର୍ଭରଶୀଳ । ଏହାଦ୍ୱାରା ମିସାଇଲ ମକ୍-୮ ବା ଶବ୍ଦର ୮ ଗୁଣା ଅର୍ଥାତ ଘଣ୍ଟା ପିଛା ୧୧ ହଜାର କିଲୋମିଟର ବେଗରେ ଗତି କରିପାରିବ। ବ୍ରହ୍ମୋସ କ୍ଷେତ୍ରରେ ଏହା ମାକ୍-୩ ବା ପାଖାପାଖି ଘଣ୍ଟା ପିଛା ୩ ହଜାର ୬୭୫ କିମି ରହିଛି ।
ବ୍ରହ୍ମାସ କ୍ଷେପଣାସ୍ତ୍ରର ରେଞ୍ଜ୍ ଘଣ୍ଟା ପିଛା ୨୯୦ରୁ ୪୫୦ କିଲୋମିଟର ହୋଇଥିବା ବେଳେ ନୂଆ ହାଇପରସୋନିକ୍ କ୍ରୁଜ୍ ମିସାଇଲର ରେଞ୍ଜ ୧୫୦୦ କିଲୋମିଟର। ଏହାଦ୍ଵାରା ଭାରତର ରଣନୀତିକ ଷ୍ଟ୍ରାଇକ୍ ରେଞ୍ଜ୍ ବୃଦ୍ଧି ହୋଇପାରିବ।
ଏହି ମିସାଇଲ୍ ୧ ହଜାରରୁ ୨ ହଜାର କିଲୋଗ୍ରାମ୍ ଓଜନର ପେ-ଲୋଡ୍ ବହନ କରିପାରିବ । ଉଭୟ ପାରମ୍ପରିକ ଓ ପରମାଣୁ ଦ୍ଵାରହେଡ୍ ନେଇପାରିବ। ଏହାର ‘ଲୋ-ଆଲ୍ଟିଚ୍ୟୁଡ୍ ଫ୍ଲାଇଟ୍’ (କମ୍ ଉଚ୍ଚତାରେ ଉଡ଼ାଣ) କ୍ଷମତା ରହିଛି। ଫଳରେ ଏହା ଶତ୍ରୁପକ୍ଷର ରାଡାର୍ ଡିଟେକ୍ସନ୍ ବ୍ୟବସ୍ଥାକୁ ଚକମା ଦେଇପାରିବ। ଏହାଛଡ଼ା ଏଥିରେ ‘ହାଇ-ପ୍ରିସିଜନ୍’ କ୍ଷମତା ଥିବାରୁ ଏହା ଆଦୌ ବାଟବଣା ନ ହୋଇ ଶତ୍ରୁପକ୍ଷର ଗୁରୁତ୍ଵପୂର୍ଣ୍ଣ ଭିତ୍ତିଭୂମି (ସେନା କିମ୍ବା ଆତଙ୍କୀ ଠିକଣା)କୁ ଧ୍ୱଂସ କରିଦେଇ ପାରିବ ।
ଆହୁରି ମଧ୍ୟ ଏହି ହାଇପରସୋନିକ୍ ମିସାଇଲକୁ ଭୂମି, ସମୁଦ୍ର ଓ ବାୟୁରୁ ମାଡ଼ କରାଯାଇ ପାରିବ। ସବୁଠୁ ବଡ଼ କଥା ହେଲା ଏହା ବାୟୁରେ ଗତି କରୁଥିବା ବେଳେ ମଧ୍ୟ ଏହାର । ଲକ୍ଷ୍ୟକୁ ବଦଳାଇହେବ। ଫଳରେ କୌଣସି କ୍ଷତି ନ ଘଟାଇ ଏହା ଟାର୍ଗେଟ୍ ସ୍ଥଳକୁ ଧ୍ଵଂସ କରିଦେବ । ପ୍ରତିକୂଳ ପାଣିପାଗରେ ବି ଏହା କାର୍ଯ୍ୟ କରିପାରିବ। ହାଇପରସୋନିକ୍ ଯାତ୍ରା ବେଳେ ତାପମାତ୍ରା ଯଦି ୨୦୦୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଏଁ, ତଥାପି ଏହି ମିସାଇଲ୍ ତା’ର କାର୍ଯ୍ୟ କରିଚାଲିବ ।
ବର୍ତ୍ତମାନ କେବଳ ରୁଷ, ଆମେରିକା ଓ ଚୀନ୍ ପାଖରେ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ ଟେକ୍ନୋଲୋଜି ରହିଛି। ଯଦି ଭାରତର ଇଟି- ଏଲ୍ଏସ୍ଏମ୍ ପରୀକ୍ଷଣ ସଫଳ ହୁଏ, ତେବେ ଏହା ସ୍ଵଦେଶୀ ହାଇପରସୋନିକ୍ କ୍ଷମତା ସହ ଉକ୍ତ କ୍ଷୁଦ୍ର ଗୋଷ୍ଠୀରେ ସାମିଲ ହୋଇପାରିବ। ପାକିସ୍ତାନ ଓ ଚୀନ୍ ସହ ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବାରୁ ଭାରତ ପାଇଁ ଏହି ମିସାଇଲ୍ ବିଶେଷ ସହାୟକ ହୋଇପାରିବ ।
ALSO READ https://purvapaksa.com/odishas-statistics-on-crimes-against-women-are-telling-many-things/
