ପୁରିଲା ବର୍ଷେ ଭାଙ୍ଗିଲା ସ୍ବପ୍ନ। ଓଡ଼ିଶାରେ ଆଉ ଗଡି ନପାରେ ମେଟ୍ରୋ। ମନ୍ତ୍ରୀଙ୍କ ବାଚଳାମି ସାଙ୍ଗକୁ ବିରୋଧୀଙ୍କ ଆକ୍ରମଣ ଦେଖି ମେଟ୍ରୋ ଭବିଷ୍ୟତ ଏବେ ଅନ୍ଧାରରେ ବୋଲି କୁହାଯାଉଛି। ତଳେ ଯିବ ନାଁ ଉପରେ ଗଡ଼ିବ ତାକୁ ନେଇ ଦ୍ବନ୍ଦରେ ସରକାର ରହିଥିବା ବେଳେ ଏବେ ବିଭିନ୍ନ ଦିଗରୁ ବଢୁଛି ଚାପ। ବେଜ୍ଜିତ୍ ହେଉଛି ବିଜେପି ସରକାର। ମେଟ୍ରୋ ପାଇଁ ସାଧରଣ ଲୋକରୁ ବଡ ବଡ ପୂର୍ବତନ ବାବୁ ବି ପ୍ରଶ୍ନ କଲେଣି। ବିଜେପି ସରକାରକୁ ବର୍ଷେ ପୁରିଲା ହେଲେ ମେଟ୍ରୋ କାମ ଆରମ୍ଭ ନହେବାରୁ ବଢୁଛି ଅସନ୍ତୋଷ ପଡୁଛି ଗାଳି, ଛିଗୁଲେ଼ଇ ହେଉଛନ୍ତି ବିରୋଧୀ। ମୋହନଙ୍କ ୧୨ ମାସର ତପସ୍ୟା ଏବେ ଶୁଖୁଆ ପୋଡ଼ାରେ ଗଲା ବୋଲି ଚର୍ଚ୍ଚା ହେଉଛି। ମନ୍ତ୍ରୀମାନଙ୍କର ଘଡ଼ିକୁ ଘଡ଼ି ମତ ପରିବର୍ତ୍ତନ ଏବେ ରାଜ୍ୟର ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାର କରିଦେଇଛି ବୋଲି କୁହାଯାଉଛି। ଟ୍ୱିନ୍ ସିଟିରେ ମେଟ୍ରୋ ନିର୍ମାଣ କାମ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିବାବେଳେ ଜଣକ ପରେ ଜଣେ ମନ୍ତ୍ରୀ ରାଜ୍ୟବାସୀଙ୍କୁ ନୂଆ ନୂଆ ସ୍ୱପ୍ନ ଦେଖାଇବାରେ ଲାଗିଛନ୍ତି, ଯାହା ବିରୋଧିଙ୍କ ପାଇଁ ବଡ ଅସ୍ତ୍ର ପାଲଟିଛି। ମେଟ୍ରୋ ସଂପର୍କରେ ମନ୍ତ୍ରୀମାନଙ୍କ ଘଡ଼ିକି ଘଡ଼ି ମତ ପରିବର୍ତ୍ତନ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ସହ ସରକାର ଉପରୁ ବିଶ୍ୱାସ ତୁଟେଇଛି।
କିଛି ଦିନ ତଳେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ଉପରେ ଉପରେ ଯିବ ବୋଲି କହିଥିବା ବେଳେ ଏବେ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମେଟ୍ରୋ ପ୍ରକଳ୍ପ ମାଟି ତଳେ ହେବ ବୋଲି କହିଛନ୍ତି। ତେଣୁ ରାଜ୍ୟର ପ୍ରଥମ ମେଟ୍ରୋ ପ୍ରକଳ୍ପ ମାଟି ତଳେ ଯିବ ନା ଶୂନ୍ୟେ ଶୂନ୍ୟେ ଯିବ ତାହା ବୁଝି ହେଉନାହିଁ। ପୂର୍ବ ସରକାର ୨୦୨୬ ସୁଦ୍ଧା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଥିଲେ, ଏଥିପାଇଁ ବଜେଟରେ ଆନୁଷଙ୍ଗିକ ଅର୍ଥ ବ୍ୟବସ୍ଥା ବି କରିଥିଲେ। ସରକାର ପରିବର୍ତ୍ତନ ପରେ ଏବେ ମେଟ୍ରୋ ସ୍ୱପ୍ନ ସ୍ବପ୍ନରେ ରହିବା ଭଳି ଲାଗୁଛି। କେବଳ ଗାଲୁ ଗପ କହି ମନ୍ତ୍ରୀମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କୁହାଯାଉଛି। ଖାଲି ଉପର ତଳ ଲାଇନ୍ ରେ ମନ୍ତ୍ରୀମାନଙ୍କ ଗାଲୁ ଗପ ସୀମିତ ନାହିଁ ଏହାର ପ୍ରଶସ୍ତିକରଣ ନେଇ ଲମ୍ବା ଲମ୍ବା ବୟାନ ବାଜି ହେଉଛି ମଧ୍ୟ। କିଏ କଟକ ଏସ୍ସିବି ଯାଏଁ ନେଲାଣି ତ କିଏ ମେଟ୍ରୋ ଟ୍ରେନ୍କୁ ୧୩ ମିଟର ଉପରେ ଉଡ଼ାଉଛି। ତେବେ ମନ୍ତ୍ରୀଙ୍କ ବାଚଳାମି ଦେଖି ବିଜେଡି ମୋହନ ସରକାରକୁ ନିଧୁମ୍ ଧୋଇବା ସହ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ ଭାଇରାଲ୍ କରୁଛି। ଭାବନାରେ ବର୍ଷେ ସାରିଦେଲେ ଏମାନେ କଣ ମେଟ୍ରୋ କରିବେ ବୋଲି ବିଜେଡି କହୁଛି। ବିଜେପିର ଅଯୋଗ୍ୟତା ପାଇଁ ମେଟ୍ରୋ ସ୍ବପ୍ନ, ସ୍ୱପ୍ନରେ ହିଁ ରହିଗଲା କହି ସୋସିଆଲ ମିଡିଆରେ ଚହଳ ଖେଳାଉଛି ବିଜେଡି।
https://x.com/punarbashu/status/1934782162496311460
ଅନ୍ୟପଟେ ଲୋକେ କହୁଛନ୍ତି ସରକାର ପାଖରେ ମେଟ୍ରୋ ପାଇଁ ଟଙ୍କା ନାହିଁ ବା ଏମାନଙ୍କର ମେଟ୍ରୋ କରିବାର ଇରଦା ନାହିଁ, ଏମିତି ଭୁଆଁ ବୁଲେଇ ବୁଲେଇ ମେଟ୍ରୋ ବନ୍ଦ କରିଦେବେ। କିଛି ଲୋକ ଛିଗୁଲେଇ କହିଛନ୍ତି, ତଳ ଉପର ନୁହେଁ ଆକାଶରେ ମୋହନ ସରକାର ମେଟ୍ରୋ ନେଲେ ଭଲ ହେବ। ସେପଟେ ଜଣେ ପୂର୍ବତ୍ତନ ଆଇଏଏସ ଅଧିକାରୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଦେଖି ଲାଗୁଛି ରାଜ୍ୟରେ ଆଉ ମେଟ୍ରୋ ଗଡ଼ିବା ସମ୍ଭବ ନୁହେଁ। ପୂର୍ବତ୍ତନ ଆଇଏଏସ ପ୍ରସନ୍ନ ମିଶ୍ର ତାଙ୍କ ଏକ୍ସରେ ଗୋଟିଏ ପୋଷ୍ଟ କରି ଲେଖିଛନ୍ତି ଭୁବନେଶ୍ୱର ମେଟ୍ରୋ ପାତାଳି ବି ହେବନି ? ତାହାହେଲେ କେମିତି ହବ ? ମର୍ତ୍ତ୍ୟ ତ ମନା, ଏବେ ପାତାଳ ବି ମନା । ତେବେ ଏହାକୁ ଶୂନ୍ୟରେ ନିର୍ମାଣ କରାଯାଉ । ଯାହାକୁ ଦେଖି ଲୋକଙ୍କ ରାଗ ମୋହନ ସରକାର ଉପରେ ବର୍ଷୀ ଯାଇଛି। କେହି କେହି ମୋହନ ସରକାରଙ୍କ ମନ୍ତ୍ରୀଙ୍କ ବୟାନ ନେଇ ଟାହୁଲି କରୁଥିବା ବେଳେ ଆଉ କେହି କେହି ପ୍ରବଳ ଗାଳି ଦେଉଛନ୍ତି। ପ୍ରସନ୍ନ ମିଶ୍ରଙ୍କ ପୋଷ୍ଟରେ କିଛି ଲୋକ ମନ୍ତବ୍ୟ ଦେଇ ଲେଖିଛନ୍ତି ଖାଲି ଗପ କୁହାଯାଉଛି, ଜନତାଙ୍କୁ ଭକୁଆ ବନାଯାଉଛି। ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି ଶୂନ୍ୟ ମାନେ ଶୂନ. … ପୁଣି କେହି କେହି ଲେଖିଛନ୍ତି ଦିଗ ହିନ ସରକାର। ଗୁଡ଼ାଏ ପବନ କଥା ଖାଲି । କିଛି ଡହରା ଅଛନ୍ତି ।
ସେପଟେ କିଛିଦିନ ତଳେ ବିଜେଡି ବିଧାୟକ ଅରୁଣ ସାହୁ ମେଟ୍ରୋ ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରି କହିଥିଲେ, ତଳେ କିମ୍ବା ଉପରେ ନହଲେ ଏ ସରକାର ଜଳ ସ୍ରୋତ ସୃଷ୍ଟି କରି ପାଣିରେ ମେଟ୍ରୋ ନେଉ। ଏମାନଙ୍କ ପାଇଁ କିଛି ଅସମ୍ଭବ ନୁହେଁ ଏମାନେ କଥାରେ କଥାରେ ବିକାଶ କରନ୍ତି। ଖାଲି ସେତିକି ନୁହେଁ ବିଜେପି ମନ୍ତ୍ରୀମାନଙ୍କୁ ତୈଳ ଖୁଣ୍ଟିର ମାଙ୍କଡ କହିବାକୁ ପଛେଇ ନଥିଲେ ଅରୁଣ। ତେବେ ଏଭଳି ସ୍ଥିତିରେ ସରକାର ମେଟ୍ରା ପ୍ରକଳ୍ପ କରିବେ କି ନାହିଁ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ପୂର୍ବରୁ ଏଲିଭେଟେଡ୍ ମେଟ୍ରୋ ପାଇଁ ଡିପିଆର୍ ପ୍ରସ୍ତୁତ କରାଯାଇ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଲିଭେଟେଡ୍ କରିଡର ପାଇଁ ରାଜକୋଷରୁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଛି। ତଥାପି କାହା ସ୍ୱାର୍ଥରେ ଏହାକୁ ବଦଳାଇ ଅଣ୍ଡରଗ୍ରାଉଣ୍ଡ୍ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ହେଲେ ଖର୍ଚ୍ଚ ପ୍ରାୟ ୩ ଗୁଣା ବଢିଯିବ ବୋଲି କୁହାଯାଉଛି। ତେବେ ଦେଖାଯାଉ ଓଡ଼ିଶାରେ ମେଟ୍ରୋ ଲାଇନ୍ ଯାଉଛି ନାଁ ଏମିତି ଖାଲି ଗୁଲି ଗପ ହୋଇ ହେଡଲାଇନ୍ ରେ ରହି ଯାଉଛି।
Also read https://purvapaksa.com/woman-kills-husband-in-odisha-ganjam/
