ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ସଂରକ୍ଷଣ ନିୟମ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଖୋଲା ଉଲଂଘନ ହୋଇଛି ସଚିବାଳୟର ଗୃହ ବିଭାଗରେ। ନା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇନକୁ ମାନିଲେ, ନା ମୁଖ୍ୟମନ୍ତ୍ରୀ ତା’କୁ ତର୍ଜ୍ଜମା କଲେ। ସଚିବ ଯାହା ସୁପାରିଶ କଲେ, ମୁଖ୍ୟମନ୍ତ୍ରୀ ତା’କୁ ଯଥା ପ୍ରସ୍ତାବିତର ମୋହର ଲଗାଇଲେ। ଅଭିଯୋଗ ହେଉଛି– ସତେ ଯେପରି ଦେଶର ଆଇନକୁ ସମ୍ମାନ ଦେବାକୁ କାହାରି ସମୟ ନାହିଁ, କେହି ଯତ୍ନବାନ ନୁହନ୍ତି।
ବିଗତ ୨୦୦୭ ବର୍ଷରୁ ରାଜ୍ୟର ସମସ୍ତ ସେବାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ନିର୍ଦ୍ଧାରିତ “ପଦବୀ ଭିତ୍ତିକ” ନିୟମ ପଦୋନ୍ନତି କ୍ଷେତ୍ରରେ ଲାଗୁ ହୋଇ ଆସୁଛି। ସେହି ସମାନ ନ୍ୟାୟରେ ସଚିବାଳୟ ସେବାର ବିଭିନ୍ନ କ୍ୟାଡରରେ ଏ ନିୟମ ଲାଗୁହୋଇଛି। ଅର୍ଥାତ ୨୦୦୭ ବର୍ଷ ଓ ତା’ ପରବର୍ତ୍ତୀ ବର୍ଷମାନଙ୍କରେ ସଚିବାଳୟ ସେବାର ଉପବିଭାଗ ଅଧିକାରୀ, ଡେସ୍କ ଅଫିସର ଓ ଅନୁଶାସନ ସଚିବ ପାହ୍ୟାରେ ସାଧାରଣ ବର୍ଗ, ତଫସିଲ ଭୁକ୍ତ ଜନଜାତି ଓ ଜାତି ବର୍ଗର କର୍ମଚାରୀମାନେ ତାଙ୍କର ନିର୍ଦ୍ଧାରିତ ସଂରକ୍ଷଣ ଅନୁପାତରେ ନିଜ ନିଜର ଯୋଗଦାନ ପାଇ ଆସିଛନ୍ତି। କୌଣସି ବର୍ଷ ସଂରକ୍ଷିତ ବର୍ଗର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ଖାଲି ପଡ଼ିନାହିଁ। କେବଳ ସେତିକି ନୁହେଁ, ଏ ନିୟମ ଆଧାରରେ ଇତିମଧ୍ୟରେ ଚାରିଥର ଯଥା – ୨୦୧୨, ୨୦୧୫, ୨୦୧୯ ଓ ୨୦୨୪ ବର୍ଷରେ ସଚିବାଳୟ ସେବାର ମୂଳ ପଦବୀ “ସହକାରୀ ଉପବିଭାଗ ଅଧିକାରୀ”ରେ ନିଯୁକ୍ତି ମଧ୍ୟ କରାଯାଉଛି। ଏଠାରେ ପ୍ରକାଶ ଯୋଗ୍ୟଯେ ଏ ସଂକ୍ରାନ୍ତରେ କେବେ କାହାର ଅଭିଯୋଗ ନ ଥିଲା କି କେହି କେବେ ଏହା ଉପରେ ମାମଲା ଅଦାଲତକୁ ନେଇ ନାହାନ୍ତି। ସର୍ବୋଚ୍ଚ ନ୍ୟାୟଳୟଙ୍କ ରାୟ ଓ ୬ ମଇର.୨୦୨୪ତାରିଖର ନିର୍ଦ୍ଦେଶାବଳୀ ଅନୁଯାୟୀ ସଚିବାଳୟ ସେବାରେ ପଦୋନ୍ନତି କ୍ଷେତ୍ରରେ ଆଉ ସଂରକ୍ଷଣ ନିୟମ ଲାଗୁ ହେବ ନାହିଁ।
ତଫସିଲଭୁକ୍ତ ଜନଜାତି ଓ ଜାତି ଉନ୍ନୟନ ବିଭାଗଦ୍ଵାରା ଗତ ୬ ମଇର.୨୦୨୪ ତାରିଖରେ ପ୍ରକାଶିତ ନିର୍ଦ୍ଦେଶାବଳୀ ଯାହା ୧୩.ମଇ.୨୦୨୪ ରିଖରେ ପ୍ରତ୍ୟାହୃତ ହୋଇଯାଇଥିଲା ଓ ଏ ନୂଆ ମୋହନ ସରକାର ଯାହାକୁ ଗତ ୨୭.ଫେବୃୟାରୀ.୨୦୨୫ ତାରିଖରେ ପୁନଃ ଲାଗୁକଲେ, ତା’କୁ ନେଇ ଏବେ ସାରାରାଜ୍ୟରେ ସମସ୍ତ ସେବାରେ ପଦୋନ୍ନତି କ୍ଷେତ୍ରରେ ଜଟିଳ ପରିସ୍ଥିତି ଦେଖାଦେଇଛି। ନିର୍ମାଣ ବିଭାଗର ଯନ୍ତ୍ରୀ ସେବା, ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ କର୍ମୀସେବା, ରାଜସ୍ୱ ବିଭାଗର ଅମିନ ସେବା ପରି କେତେକ ସେବାର ପଦୋନ୍ନତି କ୍ଷେତ୍ରରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି। ଏ ରାୟ ପ୍ରତି ଗୃହ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ ଲିଖିତଭାବେ କରାଯାଇଥିଲେ ହେଁ, ସେ ଏହାକୁ କର୍ଣ୍ଣପାତ ନ କରି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଡେସ୍କ ଅଫିସରମାନଙ୍କୁ ଅନୁଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଦେଲେ। ଏଥିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଇନ, ୦୬.ମଇ.୨୦୨୪ ତାରିଖର ନିର୍ଦ୍ଦେଶାବଳୀକୁ ଅଣଦେଖାକରି ୩୪ ଗୋଟି ଅଣସଂରକ୍ଷିତ ପଦବୀକୁ ସଂରକ୍ଷିତ କର୍ମଚାରୀଙ୍କୁ ପଦୋନ୍ନତି ଦେଇଦେଲେ। ସଚିବ ମହାଶୟ ତୃତୀୟ ମହଲାର ଚାପରେ ଏପରି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି ସଚିବାଳୟରେ ଖୋଲା ଖୋଲି ଆଲୋଚନା ହେଉଛି।
ଏ ବେଆଇନ କାର୍ଯ୍ୟକୁ ସାଧାରଣ ବର୍ଗର କର୍ମଚାରୀ ରୋକି ପାରିଲେ ନାହିଁ। ଏବେ ଉପବିଭାଗ ଅଧିକାରୀ ଓ ଡେସ୍କ ଅଫିସର ପାହ୍ୟାକୁ ପଦୋନ୍ନତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ମଧ୍ୟ ଆଇନ, ନିର୍ଦ୍ଦେଶାବଳୀର କୌଣସି ତର୍ଜମା ନ କରି ସେହି ସମାନ ଚାପରେ ସଂରକ୍ଷଣ ନିୟମ ଲଗାଇ ପଦୋନ୍ନତି ଦେବାକୁ ମସୁଧା ଚାଲିଛି। ବିଭାଗ ଓ ସରକାର ନିଜ ଆଇନ ନିଜେ ମାନୁନାହାନ୍ତି। ପୁଣି ଶହ ଶହ ସଂଖ୍ୟାରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ସଂରକ୍ଷିତ ବର୍ଗଙ୍କ ପାଖକୁ ଚାଲିଯିବ। ଗୋଟିଏ ପକ୍ଷରେ ଅଧିକ ସଂଖ୍ୟକ ସଂରକ୍ଷିତ କର୍ମଚାରୀ ପଦୋନ୍ନତି ପାଉଥିବାବେଳେ, ଅପରପକ୍ଷରେ ସାଧାରଣ ବର୍ଗଙ୍କ ପଦୋନ୍ନତି କମିବାରେ ଲାଗିଛି। ଏ’ ଏକ ଅସନ୍ତୁଳନ ପରିସ୍ଥିତିକୁ ଜନ୍ମ ଦେଇଛି। ପ୍ରଶ୍ନ ଉଠିଛି– ଏ’ ସରକାରଙ୍କ ହାତରେ ଆଇନ କେତେ ସଂରକ୍ଷିତ? ଆଇନର ରକ୍ଷକ ଯଦି ଭକ୍ଷକ ସାଜେ, ନ୍ୟାୟର ଗତି କୁଆଡ଼େ?
Also readhttps://purvapaksa.com/slander-in-the-name-of-pandian/
