୨୦୨୪ ନିର୍ବାଚନ ବିଜେଡି ହାରିବା ପରେ ବିବାଦ ଓ ଅପବାଦ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପିଛା ଛାଡ଼ୁନାହିଁ। ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଯେବେଠାରୁ ନବୀନଙ୍କୁ ଦିଲ୍ଲୀରୁ କୋଏମ୍ବାଟୁର ବୁଲାଇ ନେଇ ଫେରିଛନ୍ତି ଏହି ଚର୍ଚ୍ଚା ପୁଣି ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକି ଦେଇଛି ସୁଜାତା ଆର କାର୍ତ୍ତିକେୟନଙ୍କ ଚାକିରି ଛାଡ଼ିବା ଘଟଣା।
ଗୋଟିଏ ନିର୍ବାଚନ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କ ଚାକିରି ଖାଇବା ଓଡ଼ିଶା ରାଜନୀତି ଓ ପ୍ରଶାସନ ପାଇଁ ସମ୍ପୂର୍ଣ୍ଣଭାବେ ଏକ ବିରଳ ଘଟଣା। ପୁଣି ଏ ଭିତରେ ପାଣ୍ଡିଆନ୍ ଓଡ଼ିଶା ଛାଡ଼ି ଚାଲିଯିବେବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କ ନାଁ’ରେ ଅର୍ଥ ହେରଫେର, ବିଜେଡିର ଗୁପ୍ତ ପାଣ୍ଠି ପରିଚାଳନା ପ୍ରଭୃତିକୁ ନେଇ ଏମିତି ଅନେକ ଆରୋପ ଆସିଛି। ପ୍ରଶ୍ନ ହେଉଛି ପାଣ୍ଡିଆନ ଏଭଳି ଅପବାଦ ମୁଣ୍ଡାଇ ବିଦେଶ ଯିବେ ନା ଅପବାଦକୁ ସ୍ପଷ୍ଟ କରିବେ? ଏହାକୁ ନେଇ ଆଜିର ଆଲୋଚନା।
୨୦୨୪ ନିର୍ବାଚନ, ଓଡ଼ିଶା ରାଜନୀତିରେ ଏକ ପଟ୍ଟ ପରିବର୍ତ୍ତନକାରୀ ମୁହୂର୍ତ୍ତଭାବେ ସାବ୍ୟସ୍ତ ହୋଇଛି। କେବଳ ରାଜନୀତିକ ଦୃଷ୍ଟିକୋଣରୁ ନୁହେଁ, ପ୍ରଶାସନର ଅଳିନ୍ଦ ଓ ମୁଖା ଭିତରେ ରହି ରାଜନୀତିକ ଗୋଟି ଚାଳନା କରୁଥିବା ଅଧିକାରୀମାନଙ୍କୁ ମଧ୍ୟ ଏହା ଉଚିତ ଶିକ୍ଷା ଦେଇଥିବା ନିର୍ବାଚନଭାବେ ସାବ୍ୟସ୍ତ ହୋଇଛି।
ମୂଳତଃ ତିନିଟି କାରଣ ପାଇଁ ଏହି ନିର୍ବାଚନ ଆମ ସମସ୍ତଙ୍କର ମନେ ରହିବ। ପ୍ରଥମଟି ହେଉଛି ୨୪ ବର୍ଷର ନବୀନ ପଟ୍ଟନାୟକଙ୍କ ଅଫିସରଙ୍କ ହୁକୁମାତି ଶାସନର ଅନ୍ତ। ଦ୍ୱିତୀୟରେ ଆଶା ନ ଥାଇ ଅପ୍ରତ୍ୟାଶିତ ଭାବରେ ବିଜେପି ସରକାରକୁ ଆସିବା ଏବଂ ତୃତୀୟଟି ହେଉଛି ଆଇଏଏସ୍ ଦମ୍ପତ୍ତିଙ୍କ ବାଧ୍ୟତାମୂଳକ ଇସ୍ତଫା।
ଏ ତିନିଟି କାରଣ ବିଷୟରେ ଆପଣ ଅଳ୍ପ ବହୁତେ ଅବଗତ ଥିବେ ନିଶ୍ଚୟ। ଆଜି ସେ ବିଷୟରେ ଆଉଥରେ କହିବାର କାରଣ ହେଉଛି ନିର୍ବାଚନ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ରାଜନୀତିକ ଚର୍ଚ୍ଚା ଓ ଗୁଜବ ସମ୍ପର୍କରେ ଆପଣଙ୍କୁ ସଚେତନ କରିବା। ଏ ଚର୍ଚ୍ଚା ରହିଛି ପାଣ୍ଡିଆନ୍ ଦମ୍ପତ୍ତିକୁ ନେଇ। ଗଣମାଧ୍ୟମର ପୃଷ୍ଠା ହେଉ ବା ସୋସିଆଲ୍ ମିଡିଆର ରିପୋର୍ଟରେ ଏହି କଥାକୁ ବାରମ୍ବାର ଚର୍ଚ୍ଚା କରାଯାଉଛି, ତାହା ହେଲା ବିଜେଡିର ଟଙ୍କା।
କୋଟିଏ ନୁହେଁ କି ଦୁଇକୋଟି, ୨୪ ବର୍ଷ ଶାସନରେ ବିଜେଡି ଅର୍ଜନ କରିଛି ୬୫୦ କୋଟି ଧଳା ଟଙ୍କା। କଳା ଟଙ୍କା କଥା କହିବା ମୁସ୍କିଲ୍। କାରଣ ଯେଉଁଭଳି ଭାବେ ଶାସନରେ ଥିବାବେଳେ ବିଜେଡି ନେତାମାନେ ବିଭିନ୍ନ ଖଣି, କାରଖାନା, ଜମିବାଡ଼ି କିଣିଛନ୍ତି ଓ ଗଣମାଧ୍ୟମ ସଂସ୍ଥା ଚଳାଉଛନ୍ତି ତାହାକୁ ଦେଖିଲେ ଏହାର ଅନୁମାନ ଆପଣ କରିପାରୁଥିବେ !
ହେଲେ ଏହି ସବୁର ଅପବାଦ ଏବେ ଜଣଙ୍କ ମୁଣ୍ଡରେ ଥୋପିବାକୁ ଚେଷ୍ଟା କରାଯାଉଛି। ଆଉ ଏହି ଅଭିଯୁକ୍ତ ହେଲେ ୨୦୦୦ ବ୍ୟାଚ୍ର ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଏବଂ ତାଙ୍କର ପତ୍ନୀ ସୁଜାତା ଯିଏକି ଚାକିରିରୁ ଅବସର ନେଇଛନ୍ତି।
ଏହି ଦୁଇଜଣଙ୍କ ଭିତରୁ ଜଣେ ନିର୍ବାଚନ ପୂର୍ବରୁ ଆଉଜଣେ ନିର୍ବାଚନ ପରେ ଚାକିରିରୁ ସ୍ୱତଃ ଅବସର ନେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ଏହି ଦୁଇ ଅଧିକାରୀ ସରକାରୀ କ୍ଷମତାର ଦୁରୂପଯୋଗ କରୁଥିବା ଅଭିଯୋଗ ହୋଇଥିଲା। ସରକାରୀ ପାଣ୍ଠିରେ ନିର୍ବାଚନ ଜିତିବାକୁ ବିଜେଡିକୁ ସହାୟତା କରୁଥିବା ଅଭିଯୋଗ ହୋଇଥିଲା। ସେ ଅଭିଯୋଗ ଏତେ ସଂଗଠିତ ଥିଲା ଯେ, ସେଥିରୁ ମୁହଁ ଏଡ଼ାଇବାକୁ ଯେତେ ଚାହିଁଲେ ମଧ୍ୟ ପାଣ୍ଡିଆନ୍ ଦମ୍ପତ୍ତି ସକ୍ଷମ ହୋଇନଥିଲେ। ଫଳରେ ସେମାନେ ଇସ୍ତଫା ଦେଇଛନ୍ତି।
କିନ୍ତୁ ସେମାନଙ୍କ ଉପରେ ନବୀନଙ୍କ ଆଶୀର୍ବାଦ ଏ ଯାଏ ରହିଛି। ନବୀନ ବିଧାନସଭା ଚାଲୁଥିଲେ ମଧ୍ୟ ବିଧାନସଭା ନ ଆସି ପାଣ୍ଡିଆନ୍ଙ୍କ ସହ ବିଭିନ୍ନ ରାଜ୍ୟ ବୁଲୁଥିବା ଅଭିଯୋଗ ହୋଇଛି। ନବୀନଙ୍କ ସେବକଭାବେ ପରିଚିତ ହେଉଥିବା ଏହି ଆଇଏଏସ୍ ଅଧିକାରୀ ଏବେ ବିଦେଶ ଚାଲିଯିବେ ବୋଲି ହେଉଥିବା ଚର୍ଚ୍ଚାରେ ତାଙ୍କ ଦ୍ୱାରା ଉପକୃତ ହୋଇ କୋଟି କୋଟି ଟଙ୍କାର ସମ୍ପତ୍ତି ଧାରଣ କରିଥିବା ନେତାଏଁ ତାଙ୍କରି ମୁଣ୍ଡରେ ଦୋଷ ଲଦିବାକୁ ଅପଚେଷ୍ଟା କରୁଛନ୍ତି। ଏପରିକି ବିଜେଡିର କଳାଟଙ୍କା ପାଣ୍ଡିଆନ୍ ନେଇ ବିଦେଶ ଚାଲିଯାଉଥିବା ମଧ୍ୟ ଚର୍ଚ୍ଚା ହେଲାଣି। ଏହାର କୌଣସି ପ୍ରମାଣ ନ ଥିବାରୁ ଆମେ ଏହାକୁ ଗୁଜବ ଆଖ୍ୟା ଦେଇଛୁ। କିନ୍ତୁ ନିଆଁ ନ ଥିଲେ ତ ଧୂଆଁ ଆସିବ ନାହିଁ। ଏହି ନ୍ୟାୟରେ ଆପଣ ବିଚାର କରନ୍ତୁ ଏ ଗୁଜବ କିଏ ପ୍ରଚାର କରୁଛି?
କେହି କହୁଛନ୍ତି ସୁଜାତା ଏବେ ବିଜେଡିର ଆର୍ଥିକ କାରବାରକୁ ପରିଚାଳନା କରିବେ। ନବୀନ ତାଙ୍କୁ ଏହି ଆଶୀର୍ବାଦ ଦେଇଛନ୍ତି। ଆଉ କେହି କହୁଛନ୍ତି ଏ ଦୁଇଜଣଯାକ ବିଦେଶ ପଳାଇବେ। ଏଠି ରହିଲେ ତାଙ୍କୁ ଇଡି, ସିବିଆଇ ଡର ରହିଛି।
ଏପରିକି ଏ କଥାକୁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ରଙ୍କ ପୁତ୍ର ବିଧାୟକ ଅରବିନ୍ଦ ମହାପାତ୍ର ପ୍ରକାରାନ୍ତେ ବିଧାନସଭାରେ ଉଠାଇଛନ୍ତି। ବିଜେପିର କିଛି ନେତା ପାଣ୍ଡିଆନ୍ଙ୍କ ବିରୋଧରେ ଅଭିଯୋଗ ଆଣୁଥିବାରୁ ଅରବିନ୍ଦ କହିଛନ୍ତି, ଯଦି ଆପଣଙ୍କ ପାଖରେ ଇଡି, ସିବିଆଇ ରହିଛି ଆପଣ ତଦନ୍ତ କରନ୍ତୁ।
ଅରବିନ୍ଦ ନୂଆା ନେତା ହେଲେ ବି ପୁରୁଣା ନେତାଙ୍କ ସୁପୁତ୍ର। ରାଜନୀତିକ ପରିବାରରୁ ଆସିଥିବାରୁ ରାଜନୀତି ବାବଦରେ ସମ୍ପୂର୍ଣ୍ଣ ଜ୍ଞାତ। ଏଣୁ ଏ ପ୍ରକାରାନ୍ତ ବକ୍ତବ୍ୟରେ ଇଙ୍ଗିତ କେଉଁଆଡ଼କୁ ତାହାକୁ ନେଇ ଚର୍ଚ୍ଚା କରାଯାଉଛି।
ଅର୍ଥାତ୍ ଯଦି ବିଜେପି ନେତାଙ୍କର ବିଜେଡି ସହ ଗୋପନ ସମ୍ପର୍କ ନାହିଁ ତେବେ ଏବେଠାରୁ ତଦନ୍ତ ଆଦେଶ ଦିଆଯାଉ। ନ ହେଲେ ଏ ଗୋପନ ସମ୍ପର୍କ ୨୦୨୯ରେ ବିଜେପି ପାଇଁ ଖୋଲା-ବିପର୍ଯ୍ୟୟରେ ପରିଣତ ହୋଇପାରେ। କିନ୍ତୁ ରାଜ୍ୟ ବିଜେପି ନେତୃତ୍ୱ ଏହା କରିପାରିବ ନାହିଁ। କାରଣ ପୂର୍ବରୁ ନବୀନ ବିଜେପିର ମେଣ୍ଟ ଅଦୃଶ୍ୟ ସହଯୋଗୀ ଥିଲେ। ଆଉ ଏବେବି କେନ୍ଦ୍ରୀୟ ନେତା ନବୀନଙ୍କୁ ନିଜର ସପକ୍ଷବାଦୀଭାବେ ଗ୍ରହଣ କରିଛନ୍ତି। ନିର୍ବାଚନ ପରେ କୌଣସି ମଞ୍ଚରେ ବି କେନ୍ଦ୍ରୀୟ ନେତା ନବୀନଙ୍କ ବିରୁଦ୍ଧରେ ପଦୁଟିଏ କହିନାହାନ୍ତି। ବରଂ, ପାଣ୍ଡିଆନ୍ ଦମ୍ପତ୍ତି ଅବସର ଆବେଦନ କରିବା ପରେ ତୁରନ୍ତ ଗ୍ରହଣ କରାଇବାରେ ନବୀନଙ୍କ ହାତ ରହିଛି ବୋଲି ଆଲୋଚନା ହେଉଛି।
ଏଥିରୁ ସ୍ପଷ୍ଟ ଯେ, ପାଣ୍ଡିଆନ୍ ଯଦି ବିଦେଶ ଯାଆନ୍ତି ତେବେ ଅପବାଦ ମୁଣ୍ଡାଇ ଯିବେ। ଆଉ ଯଦି ତାହା ନ ଚାହାନ୍ତି ତେବେ ହୁଏତ ବିଜେଡିର ଖାତା, ନଥି ହିସାବକୁ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିବେ, ନୁହେଁ କି?
Also readhttps://purvapaksa.com/rss-100-years/

