- ଦ୍ୱିଗୁଣିତ ହେବ ମେଡିକାଲ କଲେଜ ପିଜିସିଟ୍
- ୨୭ ହଜାର ହସ୍ପିଟାଲରେ ମିଳିବ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା
- ପ୍ରତି ପଂଚାୟତରେ ହେବ ୱେଲନେସ ସେଣ୍ଟର
ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ “ଭିଜନ ଓଡ଼ିଶା ହେଲ୍ଥ କନକ୍ଲେଭ ୨୦୨୪” ଅବସରରେ ରାଜ୍ୟରେ ମଜଭୁତ ସ୍ୱାସ୍ଥ୍ୟ ସଂରଚନା ଓ ଚିକିତ୍ସାକ୍ଷେତ୍ରରେ ମାନବ ସମ୍ପଦକୁ ଅଧିକ ଦକ୍ଷ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଏହାସହ ଓଡ଼ିଶାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆଧୁନିକ ଯନ୍ତ୍ରପାତି ଚଳାଇବା ପାଇଁ ଆବଶ୍ୟକ ପ୍ରଶିକ୍ଷିତ କର୍ମଚାରୀ ଓ ପର୍ଯ୍ୟାପ୍ତ ଚିକିତ୍ସକମାନଙ୍କର ଯେଉଁ ଅଭାବ ରହିଛି ତାହା ଯେତେ ଶୀଘ୍ର ସମ୍ଭବ ପୂରଣ ହେବା ଆବଶ୍ୟକ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଲେ ଯେ ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏବେ ରାଜ୍ୟରେ ଏବେ ପ୍ରାୟ ୧୧ଶହ ପିଜିସିଟ ଥିବା ବେଳେ ଆଗାମୀ ପାଂଚ ବର୍ଷରେ ଏହାକୁ ଦ୍ୱିଗୁଣିତ କରାଯିବ । ଏହାଛଡା ଆଗାମୀ ଦିନରେ ରାଜ୍ୟରେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଖୁବ୍ ଶ୍ରୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏକାବେଳକେ ସାଢେ ତିନିକୋଟି ଲୋକଙ୍କୁ ଏଥିରେ ପ୍ରାୟ ଦେଶର ୨୭ ହଜାର ଡାକ୍ତରଖାନାରେ ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇଦିଆଯିବ ବୋଲି ସେ କହିଥିଲେ । ଏହାସହ ପ୍ରତିପଞ୍ଚାୟତରେ ଓ୍ୱେଲନେସ ସେଣ୍ଟର ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଦୃଢ ସଙ୍କଳ୍ପବଦ୍ଧ ବୋଲି ଡ଼ଃ ମହାଲିଙ୍ଗ କହିଥିଲେ । କେନ୍ଦ୍ରର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଏବଂ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ)ର ଦୁଇଟି ସ୍ୱାସ୍ଥ୍ୟ ଯୋଜନାରେ ଓଡ଼ିଶାର ପ୍ରାୟ ୩.୫ କୋଟି ଜନସଂଖ୍ୟା ଅନ୍ତର୍ଭୁକ୍ତ ହେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରବିବାର କହିଛନ୍ତି। ପୂର୍ବ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ତୁଳନାରେ ଦୁଇଟି ସ୍ୱାସ୍ଥ୍ୟ ଯୋଜନା ଅଧିକ ଲୋକଙ୍କୁ ଉପକୃତ କରିବ ବୋଲି ଦର୍ଶାଇ ମହାଲିଙ୍ଗ କହିଛନ୍ତି ଯେ ପର୍ଯ୍ୟାୟକ୍ରମେ ରାଜ୍ୟର ସମଗ୍ର ୪.୩ କୋଟି ଜନସଂଖ୍ୟାକୁ ଏହା ପ୍ରଦାନ କରାଯିବ।
ଏହି ଯୋଜନାରେ ଅଧିକ ରୁ ଅଧିକ ଲୋକଙ୍କୁ ସାମିଲ କରାଯିବା ସହ ଅଧିକ ହସ୍ପିଟାଲରେ ଚିକିତ୍ସା କରାଯିବ । ହିତାଧିକାରୀମାନେ ବିଏସକେୱାଇ କାର୍ଡ ଅଧୀନରେ ୯୫୬ଟି ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏବି ପିଏମ-ଜେଏୱାଇ ଏବଂ ଜିଜେଏୱାଇ ଦେଶର ଅଧିକ ଡାକ୍ତରଖାନାରେ ଚିକିତ୍ସା ପ୍ରଦାନ କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇଟି ଯୋଜନା ପାଇଁ ବଜେଟ୍ ବ୍ୟବସ୍ଥା ହୋଇସାରିଛି ଏବଂ ଖୁବଶୀଘ୍ର ହିତାଧିକାରୀଙ୍କୁ ସେମାନଙ୍କ କାର୍ଡ ପ୍ରଦାନ କରାଯିବ। ହିତାଧିକାରୀଙ୍କୁ ଆଶ୍ୱାସନା ମାଧ୍ୟମରେ ଏହି ସୁବିଧା ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର ବର୍ତ୍ତମାନର ବିଜେପି ସରକାର ରାଜ୍ୟର ରୋଗୀଙ୍କୁ କ୍ୟାସଲେସ୍ ଚିକିତ୍ସା ଯୋଗାଇବା ପାଇଁ ବିଏସକେୱାଇ ବଦଳରେ ପିଏମ-ଜେଏୱାଇ ସହିତ ଜିଜେଏୱାଇ କୁ ବଦଳାଇଦେଇଛନ୍ତି ।
previous article:https://purvapaksa.com/when-did-home-registration-begin-in-india/
