ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ହେବାର ଦୁଇ ବର୍ଷ ପୂର୍ଣ୍ଣ ହୋଇସାରିଛି। ଏହି ଅବସରକୁ ରାଜ୍ୟ ସରକାର ବହୁତ ଧୂମଧାମରେ ପାଳନ କରୁଛନ୍ତି। ଗଣମାଧ୍ୟମ, ସୋସିଆଲ ମିଡିଆ ଏବଂ ସରକାରୀ ପ୍ରଚାର ମାଧ୍ୟମରେ ଦୁଇ ବର୍ଷର ସଫଳତା, ବିଭିନ୍ନ ଯୋଜନା ଏବଂ ନୂଆ ପଦକ୍ଷେପକୁ ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜ ସରକାରଙ୍କ ଦୁଇ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ସରକାର ନିଜର ସଫଳତା ବିଷୟରେ କହିବେ, ଏହା ସ୍ୱାଭାବିକ କଥା। କିନ୍ତୁ ଗଣତନ୍ତ୍ରରେ କେବଳ ସରକାରଙ୍କ କଥା ଶୁଣିଲେ ଚାଲିବ ନାହିଁ। ସରକାରଙ୍କ ଦାବିର ସତ୍ୟତା ଯାଞ୍ଚ କରିବା ଏବଂ ଜନସାଧାରଣଙ୍କ ପ୍ରଶ୍ନକୁ ସାମ୍ନାକୁ ଆଣିବା ଦାୟିତ୍ୱ ବିରୋଧୀ ଦଳର ମଧ୍ୟ ଅଛି।
ଆଉ ଏଠାରେ ହିଁ ଉଠୁଛି ସବୁଠାରୁ ବଡ଼ ପ୍ରଶ୍ନ।
ଓଡ଼ିଶାର ବିରୋଧୀ ଦଳ ଏବେ କେଉଁଠି?
ଗତ କିଛି ସପ୍ତାହ ଧରି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ଯେତେ ଚର୍ଚ୍ଚା ହେଉଛି, ସେତେ ଜୋରଦାର ଭାବେ ବିରୋଧୀ ଦଳ ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ହେଉ କି କଂଗ୍ରେସ, କେହି ବି ସରକାରଙ୍କ ଦୁଇ ବର୍ଷର ରିପୋର୍ଟ କାର୍ଡକୁ ବିସ୍ତୃତ ଭାବେ ଖଣ୍ଡନ କରୁଥିବାର ଦେଖାଯାଉନାହିଁ।
ସାଧାରଣତଃ ଯେତେବେଳେ କୌଣସି ସରକାର ନିଜର ବାର୍ଷିକ କିମ୍ବା ଦୁଇ ବର୍ଷର ସଫଳତା ଉପସ୍ଥାପନ କରେ, ସେତେବେଳେ ବିରୋଧୀ ଦଳ ମଧ୍ୟ ନିଜର ଏକ ବିକଳ୍ପ ରିପୋର୍ଟ କାର୍ଡ ଜାରି କରିଥାଏ। ସରକାର କଣ କହୁଛି ଏବଂ ବାସ୍ତବରେ କଣ ଘଟିଛି, ତାହାର ତୁଳନା କରିଥାଏ।
କିନ୍ତୁ ଓଡ଼ିଶାରେ ସେହି ଚିତ୍ର ଦେଖାଯାଉନାହିଁ।
ସବୁଠାରୁ ପ୍ରଥମେ ଯଦି ଆମେ ବିଜୁ ଜନତା ଦଳ କଥା କହିବା, ତେବେ ଦେଖିବାକୁ ମିଳୁଛି ଯେ ନିର୍ବାଚନ ପରାଜୟ ପରେ ଦଳ ଏବେ ବି ନିଜର ଆଭ୍ୟନ୍ତରୀଣ ସମସ୍ୟା ଓ ଭବିଷ୍ୟତ ନେତୃତ୍ୱ ପ୍ରଶ୍ନକୁ ନେଇ ବ୍ୟସ୍ତ ଅଛି।
ନବୀନ ପଟ୍ଟନାୟକ ଏବେ ବି ଦଳର ସର୍ବୋଚ୍ଚ ନେତା। କିନ୍ତୁ ଗତ ଦୁଇ ବର୍ଷ ଭିତରେ ସରକାରଙ୍କ ବିରୋଧରେ ଏକ ବଡ଼ ଜନଆନ୍ଦୋଳନ କିମ୍ବା ବ୍ୟାପକ ରାଜନୈତିକ ଅଭିଯାନ ବିଜେଡି ପକ୍ଷରୁ ଦେଖିବାକୁ ମିଳିନାହିଁ।
ଏଠାରେ ପ୍ରଶ୍ନ ହେଉଛି—ବିରୋଧୀ ଦଳର କାମ କେବଳ ନିର୍ବାଚନ ଲଢ଼ିବା ନା ଦିନକୁ ଦିନ ସରକାରଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା?
ଯଦି ସରକାର ଦୁଇ ବର୍ଷର ସଫଳତା ଦାବି କରୁଛନ୍ତି, ତେବେ ବିଜେଡି ମଧ୍ୟ ପ୍ରଶ୍ନ କରିପାରୁଥାନ୍ତା—
କେତେ ପ୍ରତିଶ୍ରୁତି ପୂରଣ ହୋଇଛି?
କେତେ ପ୍ରତିଶ୍ରୁତି ଅଧାରେ ଅଟକିଛି?
କେଉଁ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି?
କିନ୍ତୁ ଏଭଳି ସମନ୍ୱିତ ଏବଂ ତଥ୍ୟଭିତ୍ତିକ ଆକ୍ରମଣ ଏପର୍ଯ୍ୟନ୍ତ ଦେଖାଯାଇନାହିଁ।
ଏଠାରେ ଆଉ ଗୋଟିଏ କଥା ମନେ ପକାଇବା ଦରକାର।
ନିର୍ବାଚନ ପରେ ବିଜେଡି ଏକ ନୂଆ ଧାରଣା ଆଣିଥିଲା—ଶ୍ୟାଡୋ କ୍ୟାବିନେଟ୍, ଅର୍ଥାତ୍ ଛାୟା ମନ୍ତ୍ରିମଣ୍ଡଳ।
ଏହାର ଉଦ୍ଦେଶ୍ୟ ଥିଲା ସରକାରଙ୍କ ପ୍ରତ୍ୟେକ ବିଭାଗ ଉପରେ ନଜର ରଖିବା। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଅଲଗା ଅଲଗା ନେତାଙ୍କୁ ଦାୟିତ୍ୱ ଦିଆଯାଇଥିଲା।
ସେତେବେଳେ ଲାଗୁଥିଲା ଯେ ବିଜେଡି ଏକ ଆଧୁନିକ ଓ ସକ୍ରିୟ ବିରୋଧୀ ଦଳ ଭାବେ କାମ କରିବ।
କିନ୍ତୁ ଆଜି ପ୍ରଶ୍ନ ହେଉଛି—ସେହି ଛାୟା ମନ୍ତ୍ରିମଣ୍ଡଳ ଏବେ କେଉଁଠି?
ଦୁଇ ବର୍ଷ ପୂର୍ତ୍ତି ଅବସରରେ ଶିକ୍ଷା ବିଭାଗର ଛାୟା ମନ୍ତ୍ରୀ କୌଣସି ରିପୋର୍ଟ ଦେଇଛନ୍ତି କି?
ସ୍ୱାସ୍ଥ୍ୟ ବିଭାଗର ଛାୟା ମନ୍ତ୍ରୀ କୌଣସି ସମୀକ୍ଷା ରଖିଛନ୍ତି କି?
ପଞ୍ଚାୟତିରାଜ କିମ୍ବା ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କୌଣସି ବିକଳ୍ପ ରିପୋର୍ଟ କାର୍ଡ ଜନସାଧାରଣଙ୍କ ସାମ୍ନାକୁ ଆସିଛି କି?
ଯଦି ନାହିଁ, ତେବେ ସ୍ୱାଭାବିକ ଭାବେ ଜନସାଧାରଣ ପ୍ରଶ୍ନ କରିବେ ଯେ ଏହି ବ୍ୟବସ୍ଥା କେବଳ ଘୋଷଣାରେ ସୀମିତ ରହିଗଲା କି?
ସପ୍ତାହେ ହେଲା ରାଜ୍ୟରେ ଜଣେ ମହିଳା ସରପଞ୍ଚଙ୍କ ଯେଭଳି ନିର୍ଯାତନା ଦିଆଗଲା ସେଥିରେ ବିଜେଡିର ପଞ୍ଚାୟତିରାଜ ବିଭାଗର ଛାୟା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମହିଳା ଓ ଶିଷୁ କଲ୍ୟାଣ ବିଭାଗର ଛାୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ମନୋରମା ମହାନ୍ତି ପଦୁଟିଏ ବି ପ୍ରତିବାଦ କି ନାହାନ୍ତି।
ସେହିପରି ରାଜ୍ୟର କୋମଳମତି ପିଲାଙ୍କୁ ଭୁଲ ତଥ୍ୟ ଦେଇ ପାଠପଢ଼ାଇବାକୁ ବିଜେପି ସରକାର ଅପଚେଷ୍ଠା କରିଛନ୍ତି। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଛାୟା ମନ୍ତ୍ରୀ ହୋଇଥିବା ରୂପେଶ କୁମାର ପାଣିଗ୍ରାହୀଙ୍କ ଦେଖା ଦର୍ଶନ ନାହିଁ।
ଆଉ କେବଳ ବିଜେଡି ନୁହେଁ, କଂଗ୍ରେସର ଅବସ୍ଥା ମଧ୍ୟ ଖୁବ ଅଲଗା ନୁହେଁ।
ରାଜ୍ୟରେ କଂଗ୍ରେସ ନିଜକୁ ଏକ ବିକଳ୍ପ ଶକ୍ତି ଭାବେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି। କିନ୍ତୁ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ଏକ ବଡ଼ ରାଜନୈତିକ ଅଭିଯାନ କିମ୍ବା ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ କରିଥିବାର ଦେଖାଯାଇନାହିଁ।
ଏହାର ଫଳ କଣ?
ଫଳ ହେଉଛି ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଦୁର୍ବଳ ହେଉଛି।
କାରଣ ଏକ ଶକ୍ତିଶାଳୀ ସରକାର ଯେତେ ଜରୁରୀ, ସେତିକି ଜରୁରୀ ଏକ ଶକ୍ତିଶାଳୀ ବିରୋଧୀ ଦଳ।
ବିରୋଧୀ ଦଳ ନଥିଲେ କିମ୍ବା ସକ୍ରିୟ ନ ଥିଲେ, ସରକାରଙ୍କ ନିଷ୍ପତ୍ତି ଉପରେ ଜନସାଧାରଣଙ୍କ ପ୍ରଶ୍ନ ଉଠିବାର ସୁଯୋଗ କମିଯାଏ। ଜନମତର ପ୍ରତିଫଳନ ମଧ୍ୟ ଦୁର୍ବଳ ହୋଇଯାଏ।
ତେଣୁ ଆଜିର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—
ବିରୋଧୀ ଦଳମାନେ ସତରେ ନିଜର ଦାୟିତ୍ୱ ପାଳନ କରୁଛନ୍ତି କି?
ନା କି ସେମାନେ ନିଜ ଆଭ୍ୟନ୍ତରୀଣ ରାଜନୀତି ଏବଂ ସଂଗଠନୀୟ ସମସ୍ୟାରେ ଏତେ ବ୍ୟସ୍ତ ଯେ ସରକାରଙ୍କ ଉତ୍ତୟଦାୟିତ୍ୱ ନିଶ୍ଚିତ କରିବାର ମୂଳ କାମକୁ ପଛକୁ ଠେଲି ଦେଇଛନ୍ତି?
ଏହି ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ବିରୋଧୀ ଦଳମାନଙ୍କ କାର୍ଯ୍ୟକଳାପ ହିଁ ଦେବ।
AlsoRead; https://purvapaksa.com/pakistans-hangor-submarine-fails/
ପାକିସ୍ତାନର ‘ହଙ୍ଗୋର ସବ୍ମେରିନ୍’ ଫେଲ୍! || Pakistan’s ‘Hangor Submarine’ fails!


