ଗୋଟିଏ ପ୍ରବାଦ ଅଛି— “ନିଜ ଘରେ ଯଦି ଶତ୍ରୁ ଥାଏ, ତେବେ ନିଜ ଘରକୁ ଧ୍ୱଂସ କରିବା ପାଇଁ ବାହାର ଶତ୍ରୁର ଆବଶ୍ୟକତା ପଡ଼େ ନାହିଁ।” ଏହି କଥାଟି ଆଜି ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହେଉଛି ଓଡ଼ିଶାର ବର୍ତ୍ତମାନର ରାଜନୀତିରେ।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାକୁ ଏବଂ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବାକୁ ବେଶୀ ଦିନ ହୋଇନାହିଁ। ହେଲେ ଏହି ଅଳ୍ପ ସମୟ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାରିପଟୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ବାହାରର ବିରୋଧୀ ଦଳ ଯେତିକି ନୁହଁନ୍ତି, ତାହାଠାରୁ ବହୁଗୁଣ ଅଧିକ ସମସ୍ୟା ତାଙ୍କ ନିଜ ମନ୍ତ୍ରିମଣ୍ଡଳରୁ ହିଁ ସୃଷ୍ଟି ହେଉଛି।
ବିଶେଷ କରି ରାଜ୍ୟ କ୍ୟାବିନେଟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ— ପୃଥ୍ୱୀରାଜ ହରିଚନ୍ଦନ। ଆଜି ଦଳୀୟ ମହଲରେ ଏବଂ ରାଜନୈତିକ କରିଡରରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରେ ଆଉ କାହାର ଶତ୍ରୁତାର ଆବଶ୍ୟକତା ନାହିଁ, ଯେତେବେଳେ ଘର ଭିତରେ ଏଭଳି ସହଯୋଗୀ ଅଛନ୍ତି! ଆଜି ଆମେ ଆଲୋଚନା କରିବା, କିପରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିଭାଗୀୟ ଦାୟିତ୍ୱହୀନତା ଏବଂ ବିବାଦୀୟ ପଦକ୍ଷେପଗୁଡ଼ିକ ମୁଖ୍ୟମନ୍ତ୍ରୀ ଏବଂ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।
ଅବକାରୀ ବିଭାଗ: ମଦ ମୃତ୍ୟୁଠାରୁ ଆରମ୍ଭ କରି ରାଜସ୍ୱର ଅନ୍ଧପୁଟୁଳି
ଆସନ୍ତୁ ପ୍ରଥମେ ନଜର ପକାଇବା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପାଖରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଉପରେ। ତାଙ୍କ ହାତରେ ରହିଛି ଆଇନ, ଅବକାରୀ ଏବଂ ପୂର୍ତ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ। ଗୋଟିଏ ପରେ ଗୋଟିଏ ବିଭାଗରେ କିପରି ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ତାହା ଆଜି ଲୁଚି ରହି ନାହିଁ। ସରକାରୀ ଦଳର ବିଧାୟକ ଓ ସାଂସଦମାନେ ପୃଥ୍ୱୀରାଜଙ୍କ ବିରୋଧରେ ଖୋଲାଖୋଲି ଚିଠି ଲେଖି ଅଭିଯୋଗ କରୁଥିବାବେଳେ ତାଙ୍କ ବିରୋଧରେ ନାଁ ଦଳ ନାଁ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉଛନ୍ତି। ଯାହାଫଳରେ ତୃଣମୂଳ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଛବି ଖରାପ ହେବା ସହିତ ଦଳ ବଦନାମ ହେବାରେ ଲାଗିଛି।
ପ୍ରଥମେ କଥା ହେବା ଅବକାରୀ ବିଭାଗ ବିଷୟରେ। ମନ୍ତ୍ରୀ ଭାବେ ଶ୍ରୀ ହରିଚନ୍ଦନ ଦାୟିତ୍ୱ ନେବା ପରେ ପରେ ରାଜ୍ୟର ଗଞ୍ଜାମ ଓ ଭୁବନେଶ୍ୱରରେ ଦୁଇ ଦୁଇଟି ବଡ଼ ମଦମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଏହି ଅଭାବନୀୟ ଘଟଣା ପରେ ସରକାରଙ୍କ ତରଫରୁ ବଡ଼ ବଡ଼ କଡ଼ା ତଦନ୍ତ ଘୋଷଣା କରାଗଲା। ଜନସାଧାରଣ ଭାବିଲେ ଯେ, ଦୋଷୀମାନେ ନିଶ୍ଚୟ ଦଣ୍ଡ ପାଇବେ ଏବଂ ଏଭଳି କାଣ୍ଡ ଆଉ ପୁନରାବୃତ୍ତି ହେବ ନାହିଁ। କିନ୍ତୁ ସାଧାରଣ ଲୋକଙ୍କ ଆଶା କେବଳ ଘୋଷଣାରେ ହିଁ ସିମୀତ ରହିଗଲା! କେବଳ ଘୋଷଣା ହେଲା, କିନ୍ତୁ କାର୍ଯ୍ୟାନୁଷ୍ଠାନର କୌଣସି ଖବର ନାହିଁ।
ଏହାପରେ ଆସୁଛି ମଦ ଦୋକାନ ବଣ୍ଟା ନୀତି। ଗତ କିଛିଦିନ ତଳେ ରାଜ୍ୟରେ ମଦ ରାଜସ୍ୱ ବୃଦ୍ଧି କରିବା ନାଁରେ ଯେଉଁଭଳି ଭାବେ ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଧିକରୁ ଅଧିକ ମଦ ଦୋକାନ ବଣ୍ଟାଗଲା, ତାହାକୁ ରାଜ୍ୟର ସଚେତନ ଜନସାଧାରଣ କିମ୍ବା ବୁଦ୍ଧିଜୀବୀ କେହି ବି ସହଜରେ ଗ୍ରହଣ କରିପାରି ନାହାନ୍ତି। ମାତ୍ର କିଛି ରାଜସ୍ୱ ପାଇଁ ସମାଜକୁ ବିପଦ ମୁହଁକୁ ଠେଲିଦେବାର ଏହି ନୀତି ସରକାରଙ୍କ ପ୍ରତି ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆଇନ ବିଭାଗ ଓ ଧାର୍ମିକ ଭାବନା: ଆଡଭୋକେଟ ଜେନେରାଲଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଓପାସ ପର୍ଯ୍ୟନ୍ତ
ଏବେ ଆସନ୍ତୁ ଆଉ ଏକ ସମ୍ବେଦନଶୀଳ ବିଭାଗକୁ— ଆଇନ ବିଭାଗ। ଆଇନ ମନ୍ତ୍ରୀ ହିସାବରେ ପୃଥ୍ୱୀରାଜ ହରିଚନ୍ଦନଙ୍କ କାର୍ଯ୍ୟଶୈଳୀ ମଧ୍ୟ ସମାନ ଭାବେ ପ୍ରଶ୍ନ ଘେରରେ। ରାଜ୍ୟର ସର୍ବୋଚ୍ଚ ଆଇନଗତ ପଦବୀ ଅର୍ଥାତ୍ ଆଡଭୋକେଟ ଜେନେରାଲ (AG) ନିଯୁକ୍ତି ହେଉ କିମ୍ବା ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ହେଉ— ପ୍ରତ୍ୟେକ କ୍ଷେତ୍ରରେ କେବଳ ଟାଳଟୁଳ ନୀତି ଏବଂ ବିଳମ୍ବ ଦେଖିବାକୁ ମିଳିଛି। ଯେଉଁଠି ସରକାରଙ୍କୁ ଆଇନଗତ ଭାବେ ଦୃଢ଼ ରହିବା କଥା, ସେଠାରେ ବିଭାଗୀୟ ଦାୟିତ୍ୱହୀନତା ଯୋଗୁଁ ସରକାର ଅନେକ ସମୟରେ ଅସୁବିଧାରେ ପଡ଼ୁଛନ୍ତି।
କେବଳ ଏତିକି ନୁହେଁ, ଓଡ଼ିଶାର ଧର୍ମପ୍ରାଣ ଜନସାଧାରଣଙ୍କ ଆବେଗ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକ ମଧ୍ୟ ଆଇନ ମନ୍ତ୍ରୀଙ୍କ ବିଭାଗ ଅଧୀନରେ ଆସେ।
- ଗତ ତିନି ବର୍ଷ ଭତରେ ୩ଟି ରଥଯାତ୍ରା ସମୟରେ ଯେଉଁଭଳି ଅଘଟଣ ଏବଂ ଶ୍ରଦ୍ଧାଳୁଙ୍କର ଲଗାତାର ମୃତ୍ୟୁ ଘଟଣା ସାମ୍ନାକୁ ଆସିଲା, ତାହା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି।
- ଗତ ନିର୍ବାଚନ ସମୟରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନ ଗଣତିମଣତି କରି ରାଜ୍ୟବାସୀଙ୍କୁ ତାର ହିସାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଣ୍ରୁତି ଦେଇଥିଲେ। ମୋଦୀଙ୍କ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତାଙ୍କୁ ମିଛୁଆ ପ୍ରମାଣିତ କରିବା ପାଇଁ ପଦକ୍ଷେପ ନେବାରେ ଲାଗିଛନ୍ତି। କାରଣ ଶ୍ରୀ ମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପ୍ରବେଶ ପାଇଁ ଖୋଲୁନଥିବାବେଳେ ରତ୍ନ ଭଣ୍ଡାର ଗଣତି ମଣତି ପରେ ତାହା ସାର୍ବଜନୀନ ହେବ ନାହିଁ ବୋଲି କହି ମୋଦୀଙ୍କୁ ଭାଣ୍ଡିଆ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି।
- ଏହାଠାରୁ ଆଉ ବଡ଼ ଦୁର୍ଭାଗ୍ୟର କଥା କ’ଣ ହୋଇପାରେ ଯେ, ରାଜଧାନୀର ଅଧିଷ୍ଠାତା ଦେବତା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଠିକ୍ ସମୟରେ ନ ହେବା କାରଣରୁ ପ୍ରଭୁଙ୍କୁ ବାରମ୍ବାର ଓପାସ ରହିବାକୁ ପଡ଼ିଛି।
ଏହିସବୁ ଘଟଣା କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ରାଜ୍ୟରେ ଶାସନ ଚଳାଇଥିବା ସରକାରଙ୍କ ପ୍ରକୃତ ନିୟତକୁ ମଧ୍ୟ ସାଧାରଣ ଜନତାଙ୍କ ଆଗରେ ପଦାରେ ପକାଇ ଦେଇଛି। ଭକ୍ତମାନଙ୍କ ଭାବନାକୁ ଆଘାତ ଲାଗିଥିବାବେଳେ ଆଇନ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି।
ପୂର୍ତ୍ତ ବିଭାଗ: ବିରୋଧୀ ନୁହେଁ, ନିଜ ଦଳର ସାଂସଦମାନଙ୍କ ଅଭିଯୋଗ
ଏବେ ଆସନ୍ତୁ ତୃତୀୟ ବିଭାଗଟି ଉପରେ— ପୂର୍ତ୍ତ ବିଭାଗ। ସାଧାରଣତଃ ଏହି ବିଭାଗଟି ନିଜର ବିକାଶମୂଳକ କାମ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ଜଣାଶୁଣା। କିନ୍ତୁ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧୀନରେ ଏହି ବିଭାଗର କାମଗୁଡ଼ିକ ଏପରି ନିମ୍ନମାନର ହେଉଛି ଯେ, ଯାହାର ପ୍ରଚାର ହେବା ଦୂରର କଥା, ଏହାର ଗୁଣବତ୍ତାକୁ ନେଇ କୌଣସି ବିରୋଧୀ ଦଳର ନେତା ନୁହେଁ, ବରଂ ଶାସକ ଦଳର ନିଜର ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି!
ଚିନ୍ତା କରନ୍ତୁ, ବିରୋଧୀ ଦଳ ଅଭିଯୋଗ କଲେ ତାହାକୁ ରାଜନୈତିକ ବୋଲି କୁହାଯାଇପାରେ, କିନ୍ତୁ ଯେତେବେଳେ ନିଜ ଦଳର ସାଂସଦମାନେ— ଯେପରିକି ସାଂସଦ ସଙ୍ଗୀତା ସିଂହଦେଓ, ବଳଭଦ୍ର ମାଝୀ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତାମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ପୂର୍ତ୍ତ ବିଭାଗର ନିମ୍ନମାନର କାମ ଓ ଦାୟିତ୍ୱହୀନତା ବିଷୟରେ ଅଭିଯୋଗ କରନ୍ତି, ସେତେବେଳେ ବୁଝିବାକୁ ବାକି ରହେ ନାହିଁ ଯେ ଘର ଭିତରେ ସ୍ଥିତି କେତେ ଜଟିଳ ହୋଇସାରିଛି।
ତେବେ ପରିଶେଷରେ କହିବାକୁ ଗଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସ୍ୱଚ୍ଛ, ଦକ୍ଷ ଏବଂ ଲୋକାଭିମୁଖୀ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ମନ୍ତ୍ରିମଣ୍ଡଳର ଏଭଳି କେତେଜଣ ମନ୍ତ୍ରୀଙ୍କ ଅପାରଗତା ଓ ବିବାଦୀୟ କାର୍ଯ୍ୟକଳାପ ଯୋଗୁଁ ସରକାରଙ୍କ ସ୍ୱଚ୍ଛ ଭାବମୂର୍ତ୍ତି କ୍ଷୁଣ୍ଣ ହେବାରେ ଲାଗିଛି।
ଯଦି ମୁଖ୍ୟମନ୍ତ୍ରୀ ସମୟ ଥାଉଥାଉ ନିଜ ମନ୍ତ୍ରିମଣ୍ଡଳର ଏଭଳି ‘ଘରୋଇ ଶତ୍ରୁ’ କିମ୍ବା ଦାୟିତ୍ୱହୀନ ମନ୍ତ୍ରୀମାନଙ୍କୁ ସଜାଡ଼ିବାରେ କଠିନ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଏହା କେବଳ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପାଇଁ ନୁହେଁ, ବରଂ ସମଗ୍ର ମୋହନ ସରକାରଙ୍କ ପାଇଁ ଏକ ବିରାଟ ବୁମେରାଂ ସାବ୍ୟସ୍ତ ହେବ।


