୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଭାରତଠାରୁ ଅତି ଅପମାନଜନକ ପରାଜୟ ପରେ, ପାକିସ୍ତାନ ନୌସେନା ବଙ୍ଗୋପସାଗରରୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଥିଲା। କିନ୍ତୁ ଏବେ ଦୀର୍ଘ ଦଶନ୍ଧି ପରେ ପାକିସ୍ତାନ ପୁଣିଥରେ ଚୀନର ସାହାଯ୍ୟ ନେଇ ବଙ୍ଗୋପସାଗରରେ ନିଜର ବୁଡ଼ାଜାହାଜ ବା ସବ୍ମେରିନ୍ ରଖିବାକୁ ସ୍ୱପ୍ନ ଦେଖୁଛି। ଚୀନ୍ ନିର୍ମିତ ଅତ୍ୟାଧୁନିକ ‘ହଙ୍ଗୋର କ୍ଲାସ ସବ୍ମେରିନ୍’ (Hangor-class Submarine) ଜରିଆରେ ପାକିସ୍ତାନ ଭାରତର ପୂର୍ବ ସାମୁଦ୍ରିକ ସୀମାରେ ନିଜର ଦବଦବା ଫେରାଇ ଆଣିବାକୁ ଏକ ବଡ଼ ଚକ୍ରାନ୍ତ କରୁଛି।
ପାକିସ୍ତାନ ନୌସେନାର ଜଣେ ବରିଷ୍ଠ କମାଣ୍ଡର ଉମର ଫାରୁକ୍ କଲମ୍ବୋର ଏକ ନ୍ୟୁଜ୍ ଆଉଟ୍ଲେଟ୍କୁ ସାକ୍ଷାତକାର ଦେଇ ଖୋଲାଖୋଲି କହିଛନ୍ତି ଯେ, ଏହି ନୂଆ ବୁଡ଼ାଜାହାଜ ଆସିବା ପରେ ପାକିସ୍ତାନ ଏବେ ବଙ୍ଗୋପସାଗରରେ ସବୁଦିନ ପାଇଁ ନିଜର ସାମରିକ ଉପସ୍ଥିତି ବଜାୟ ରଖିବ। କିନ୍ତୁ ପ୍ରକୃତ ସତ୍ୟ କଣ ଜାଣନ୍ତି? ଏକ ରିପୋର୍ଟ ଅନୁସାରେ, ପାକିସ୍ତାନର ଏହି ମେଗା ସବ୍ମେରିନ୍ ପ୍ରୋଗ୍ରାମ ଏବେ ସମ୍ପୂର୍ଣ୍ଣ ଭାବେ ଫେଲ୍ ହେବାକୁ ବସିଛି। ଯେଉଁ ବୁଡ଼ାଜାହାଜକୁ ନେଇ ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖୁଛି, ତାହା ଚୀନର ଖରାପ ଟେକ୍ନୋଲୋଜି ଏବଂ ବଡ଼ ବଡ଼ ପ୍ରତିବନ୍ଧକ ଯୋଗୁଁ ବର୍ଷ ବର୍ଷ ଧରି ବିଳମ୍ବର ଶିକାର ହୋଇ ଚାଲିଛି।
ଏହି ବୁଡ଼ାଜାହାଜର ନାଁ ‘ହଙ୍ଗୋର’ କାହିଁକି ରଖାଯାଇଛି। ଏହା ପଛରେ ୧୯୭୧ ମସିହା ଯୁଦ୍ଧର ଏକ କଳା ଏବଂ ଦୁଃଖଦାୟକ ଇତିହାସ ରହିଛି। ୧୯୭୧ ଯୁଦ୍ଧ ସମୟରେ ପାକିସ୍ତାନର ତତ୍କାଳୀନ ଫ୍ରେଞ୍ଚ ନିର୍ମିତ ‘ହଙ୍ଗୋର’ ସବ୍ମେରିନ୍ ଭାରତୀୟ ନୌସେନାର ଏକ ପ୍ରସିଦ୍ଧ ଯୁଦ୍ଧପୋତ INS ଖୁକ୍ରୀ (INS Khukri) ଉପରେ ଗୁପ୍ତ ଆକ୍ରମଣ କରି ତାକୁ ସମୁଦ୍ରରେ ବୁଡ଼ାଇ ଦେଇଥିଲା। ଏହି ଦୁଃଖଦ ଘଟଣାରେ ଭାରତର ଅନେକ ବୀର ନୌସେନା ଯବାନ ଶହୀଦ ହୋଇଥିଲେ। ପାକିସ୍ତାନ ନିଜର ସେହି ପୁରୁଣା ଅପରେସନକୁ ଗର୍ବର ସହ ଦେଖାଇବା ପାଇଁ ଏବଂ ଭାରତକୁ ଉସୁକାଇବା ପାଇଁ, ଚୀନ୍ ଠାରୁ କିଣୁଥିବା ନୂଆ ବୁଡ଼ାଜାହାଜର ନାଁ ମଧ୍ୟ ‘PNS ହଙ୍ଗୋର’ ରଖିଛି।
ଚୀନ୍ ସହ ହୋଇଥିବା ଚୁକ୍ତି ଅନୁସାରେ, ପାକିସ୍ତାନ ଚୀନ୍ ଠାରୁ ଏଭଳି ମୋଟ୍ ୮ଟି ଅତ୍ୟାଧୁନିକ ବୁଡ଼ାଜାହାଜ କିଣିବାକୁ ଯୋଜନା କରିଛି, ଯାହା ଚୀନର ପ୍ରସିଦ୍ଧ ‘Type-39A’ ସବ୍ମେରିନ୍ ଉପରେ ଆଧାରିତ। ପାକିସ୍ତାନ ଭାବୁଛି ଯେ ଏହି ୮ଟି ଯାକ ବୁଡ଼ାଜାହାଜ ମିଳିଗଲା ପରେ ତା’ର ସବ୍ମେରିନ୍ ସଂଖ୍ୟା ୫ ରୁ ବଢ଼ି ୧୩ ହୋଇଯିବ ଏବଂ ସେ ସମୁଦ୍ରରେ ଭାରତ ସହ ସହଜରେ ଲଢ଼ିପାରିବ। କିନ୍ତୁ ଚୀନରୁ ମିଳୁଥିବା ଏହି ବୁଡ଼ାଜାହାଜ ପ୍ରୋଗ୍ରାମ ଏବେ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି।
ଏହି ଚୁକ୍ତି ଅନୁସାରେ ଚୀନ୍ ୪ଟି ବୁଡ଼ାଜାହାଜ ନିଜ ଦେଶରେ ତିଆରି କରି ପାକିସ୍ତାନକୁ ଦେବ ଏବଂ ବାକି ୪ଟି ବୁଡ଼ାଜାହାଜ ପାକିସ୍ତାନର କରାଚି ସିପ୍ୟାର୍ଡରେ ତିଆରି କରାଯିବ। ନିୟମ ଅନୁସାରେ, ପ୍ରଥମ ବୁଡ଼ାଜାହାଜ ପାକିସ୍ତାନକୁ ୨୦୨୨ କିମ୍ବା ୨୦୨୩ ମସିହା ସୁଦ୍ଧା ମିଳିଯିବା କଥା। କିନ୍ତୁ ଆଜି ୨୦୨୬ ମସିହା ହୋଇଥିଲେ ମଧ୍ୟ ପାକିସ୍ତାନ ନୌସେନାକୁ ମାତ୍ର ଗୋଟିଏ ହେଲେ ବି ବୁଡ଼ାଜାହାଜ ସଠିକ୍ ଭାବେ ହସ୍ତାନ୍ତର କରାଯାଇ ପାରିନାହିଁ। ଏହି ପ୍ରୋଜେକ୍ଟ ପ୍ରାୟ ୪ ରୁ ୫ ବର୍ଷ ବିଳମ୍ବରେ ଚାଲିଛି।
ଏହି ବିଳମ୍ବ ପଛର ସବୁଠାରୁ ବଡ଼ କାରଣ ହେଉଛି—ଏହାର ‘ଇଞ୍ଜିନ୍’। ଚୀନ୍ ଏହି ବୁଡ଼ାଜାହାଜରେ ଜର୍ମାନୀର ଅତ୍ୟାଧୁନିକ ‘MTU-396’ ଡିଜେଲ୍ ଇଞ୍ଜିନ୍ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଚୀନର ସାମ୍ରାଜ୍ୟବାଦୀ ନୀତିକୁ ଦେଖି ଜର୍ମାନୀ ସରକାର ଏହି ଇଞ୍ଜିନର ରପ୍ତାନି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଜର୍ମାନୀ ସିଧା ମନା କରିଦେଲା ଯେ ସେ ନିଜର ପ୍ରତିରକ୍ଷା ଇଞ୍ଜିନ୍ ପାକିସ୍ତାନ କିମ୍ବା ଚୀନକୁ ଦେବ ନାହିଁ।
ଜର୍ମାନୀ ମନା କରିବା ପରେ ଚୀନ୍ ନିଜର ଏକ ସ୍ଥାନୀୟ ଖରାପ କ୍ୱାଲିଟିର ଇଞ୍ଜିନ୍ ଏଥିରେ ଲଗାଇବାକୁ ଚେଷ୍ଟା କରୁଛି, ଯାହାକୁ ନେଇ ପାକିସ୍ତାନ ନୌସେନା ନିଜେ ସନ୍ତୁଷ୍ଟ ନାହିଁ। କାରଣ ଚୀନର ଇଞ୍ଜିନ୍ ବହୁତ ଜୋରରେ ଶବ୍ଦ କରେ, ଯାହା ଫଳରେ ସମୁଦ୍ର ଭିତରେ ଭାରତୀୟ ସୋନାର୍ (Sonar) ସିଷ୍ଟମ ଏହାକୁ ବହୁତ ସହଜରେ ଧରିନେବ।
ଏବେ ପ୍ରଶ୍ନ ଆସୁଛି, ନିଜ ଦେଶରେ ଖାଇବାକୁ ପଇସା ନ ଥିବା ପାକିସ୍ତାନ ହଠାତ୍ ଆରବ ସାଗର ଛାଡ଼ି ଭାରତର ପୂର୍ବ ପଟେ ଥିବା ବଙ୍ଗୋପସାଗରକୁ କାହିଁକି ଆସିବାକୁ ଚାହୁଁଛି?
ଏହା ପଛରେ ଏକ ବଡ଼ ଜିଓ-ପଲିଟିକାଲ୍ ଚକ୍ରାନ୍ତ ରହିଛି। ବର୍ତ୍ତମାନ ସମୟରେ ଭାରତର ପୂର୍ବ ନୌସେନା କମାଣ୍ଡ (Eastern Naval Command) ବିଶାଖାପାଟଣାରେ ଅବସ୍ଥିତ। ଭାରତର ସବୁଠାରୁ ଗୁପ୍ତ ଓ ଶକ୍ତିଶାଳୀ ପରମାଣୁ ବୁଡ଼ାଜାହାଜ ‘INS ଅରିହନ୍ତ’ ମଧ୍ୟ ଏହି ଅଞ୍ଚଳରେ ହିଁ ଅପରେଟ୍ କରେ। ଏହା ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ମଧ୍ୟ ଏହି ସମୁଦ୍ରର ଅତି ନିକଟରେ ଅଛି, ଯେଉଁଠାରୁ ଭାରତ ସାରା ବିଶ୍ୱର ବାଣିଜ୍ୟ ପଥ ଉପରେ ନଜର ରଖେ।
ବଙ୍ଗୋପସାଗର ଦେଇ ଭାରତ, ବାଂଲାଦେଶ, ମ୍ୟାନ୍ମାର, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ ଭଳି ଦେଶଗୁଡ଼ିକ ମଧ୍ୟରେ ବିରାଟ ଶକ୍ତି ଓ ବାଣିଜ୍ୟ କାରବାର ହୋଇଥାଏ। ଚୀନ୍ ଚାହୁଁଛି ପାକିସ୍ତାନର ଏହି ବୁଡ଼ାଜାହାଜଗୁଡ଼ିକୁ ବଙ୍ଗୋପସାଗରରେ ରଖି ଭାରତୀୟ ନୌସେନାର ଗତିବିଧି ଏବଂ ଭାରତର ବାଣିଜ୍ୟ ପଥ ଉପରେ ଗୁପ୍ତଚରୀ କରିବା ପାଇଁ। ବିଶେଷ କରି ବର୍ତ୍ତମାନ ବାଂଲାଦେଶ ସହ ପାକିସ୍ତାନର ସମ୍ପର୍କ ସାମାନ୍ୟ ମଜବୁତ ହେଉଥିବାରୁ, ପାକିସ୍ତାନ ଭାବୁଛି ଯେ ସେ ବାଂଲାଦେଶର ସାହାଯ୍ୟ ନେଇ ଏହି ସମୁଦ୍ର ଭିତରେ ନିଜର ଆସ୍ଥାନ ଜମାଇ ପାରିବ। କିନ୍ତୁ ଭାରତୀୟ ନୌସେନାର ଶକ୍ତି ଆଗରେ ପାକିସ୍ତାନର ଏହି ସ୍ୱପ୍ନ କେବଳ ଏକ ଦେବାସ୍ୱପ୍ନ ଭଳି ମନେହୁଏ।
ପାକିସ୍ତାନ ଯେଉଁ ‘ହଙ୍ଗୋର’ ସବ୍ମେରିନ୍ ପାଇଁ ଡେଉଁଛି, ସେଥିରେ AIP (Air Independent Propulsion) ଟେକ୍ନୋଲୋଜି ରହିଛି, ଯାହାଦ୍ୱାରା ବୁଡ଼ାଜାହାଜଟି ଅଧିକ ସମୟ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଲୁଚି ରହିପାରେ। କିନ୍ତୁ ଭାରତ ମଧ୍ୟ ଏହାର ଉପଯୁକ୍ତ ଜବାବ୍ ପ୍ରସ୍ତୁତ କରିସାରିଛି। ବର୍ତ୍ତମାନ ଭାରତୀୟ ନୌସେନା ପାଖରେ ୧୬ରୁ ଅଧିକ ଅତ୍ୟାଧୁନିକ ଆଟାକ୍ ସବ୍ମେରିନ୍ ଏବଂ ୩ଟି ଶକ୍ତିଶାଳୀ ପରମାଣୁ ବୁଡ଼ାଜାହାଜ ରହିଛି।
ଭାରତର କଲଭରୀ କ୍ଲାସ (Kalvari-class) ବୁଡ଼ାଜାହାଜଗୁଡ଼ିକ ପାଇଁ ଆମର ଦେଶୀ ସଂସ୍ଥା DRDO ନିଜସ୍ୱ AIP ସିଷ୍ଟମ ପ୍ରସ୍ତୁତ କରିସାରିଛି, ଯାହା ଚୀନର AIP ଠାରୁ ବହୁ ଗୁଣରେ ମଜବୁତ ଓ ଶାନ୍ତ। ଏହା ବ୍ୟତୀତ, ଜର୍ମାନୀ ଯେଉଁ ଇଞ୍ଜିନ୍ ପାକିସ୍ତାନକୁ ଦେବାକୁ ମନା କରିଦେଲା, ସେହି ଜର୍ମାନୀ ଏବେ ଭାରତ ସହ ମିଶି ପ୍ରାୟ ୭୦,୦୦୦ କୋଟି ଟଙ୍କାର ‘P-75I’ ପ୍ରୋଜେକ୍ଟ ଅଧୀନରେ ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସ୍ଟିଲ୍ଥ ‘Type-214’ ବୁଡ଼ାଜାହାଜ ଦେବାକୁ ଯାଉଛି। ଏହି ଜର୍ମାନୀ ବୁଡ଼ାଜାହାଜ ଆସିବା ପରେ ଚୀନ୍ ଏବଂ ପାକିସ୍ତାନର ମିଳିତ ନୌସେନା ମଧ୍ୟ ଭାରତ ଆଗରେ ସମ୍ପୂର୍ଣ୍ଣ ବେକାର ସାବ୍ୟସ୍ତ ହେବେ।
ଚୀନର ସାହାଯ୍ୟ ନେଇ ବଙ୍ଗୋପସାଗରରେ ଭାରତକୁ ଘେରିବା ପାଇଁ ପାକିସ୍ତାନ ଯେଉଁ ବଡ଼ ବଡ଼ ସ୍ୱପ୍ନ ଦେଖୁଥିଲା, ତାହା ପ୍ରକୃତରେ ମାଟିରେ ମିଶିଯାଇଛି। ଜର୍ମାନୀର ପ୍ରତିବନ୍ଧକ ଏବଂ ଚୀନର ଢିଲା କାମ ଯୋଗୁଁ ପାକିସ୍ତାନର ‘ହଙ୍ଗୋର’ ସବ୍ମେରିନ୍ ପ୍ରୋଜେକ୍ଟ ଏବେ ନିଜର ଶେଷ ସମୟ ଗଣୁଛି।
AlsoRead; https://purvapaksa.com/why-are-bjp-mlas-so-sympathetic-towards-the-accused-tmc-leaders/


