ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଗସ୍ତକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନାରୁ ବାହାରିଥିବା ରାଜନୀତିକ ତରଙ୍ଗ କେବଳ ବିଦେଶ ନୀତି ସହିତ ଜଡ଼ିତ ନୁହେଁ। ଏହା ଭାରତୀୟ ବିରୋଧୀ ରାଜନୀତିର ଭିତରେ ଥିବା ଆଲୋଚନା, ଅନିଶ୍ଚିତତା ଓ ନେତୃତ୍ୱ ଚାଲେଞ୍ଜର ଉଜାଗରର ଚିତ୍ର। ପୁତିନ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ କେବଳ ସରକାରୀ ମିଟିଂ ପର୍ଯ୍ୟନ୍ତ ସୀମିତ ରଖିଛନ୍ତି। ସେ ଭାରତର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତକୁ ଏଡ଼ାଇ ଯାଇଛନ୍ତି। ଏହା ଦେଶର ବିରୋଧୀଦଳ ରାଜନୀତିକ ପରିବେଶରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। କିନ୍ତୁ କଥା କେବଳ ଏତିକି ନୁହେଁ; ଏହି ଘଟଣା ଭାରତର ବିରୋଧୀ ଦଳ, ବିଶେଷକରି କଂଗ୍ରେସ ଭିତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଉଠୁଥିବା ଆସ୍ଥା ସଙ୍କଟକୁ ମଧ୍ୟ ଉଜାଗର କରିଛି।
ପୁତିନଙ୍କ ସାକ୍ଷାତ୍ ପାଇଁ ଅନୁମତି ନ ମିଳିବା ପ୍ରତି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମାଲୋଚନା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନେ ରାହୁଲଙ୍କୁ ସମର୍ଥନ କରି ସେଥିରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି। କଂଗ୍ରେସ ଭିନ୍ନ ବିରୋଧୀ ଦଳଗୁଡ଼ିକର ଏହି ନିରବତା ନିଶ୍ଚୟ ଏକ ଇଚ୍ଛାକୃତ ବ୍ୟବହାର ନୁହେଁ; ଏହା ବିରୋଧୀ ଶିବିରରେ ରାହୁଲ ଗାନ୍ଧିଙ୍କ ପ୍ରତି ବଢ଼ୁଥିବା କଂଗ୍ରେସ-ସମ୍ବନ୍ଧୀୟ ବିଶ୍ୱାସଘାତର ଜୀବନ୍ତ ଚିତ୍ର।
୨୦୧୮ର ରାଫେଲ ଘଟଣା: ପୁରୁଣା ଛାୟା ଆଜିଯାଏ ଘୁରି ବୁଲୁଛି
କଥାରେ ଅଛି ପାଗଳ ହାତରେ ନିଆଁ ଖପରା ରହିଲେ ସେ କ’ଣ କରିବ କେହି ପୂର୍ବାନୁମାନ କରିପାରିବେ ନାହିଁ। ସେହିପରି ରାହୁଲ ଗାନ୍ଧିଙ୍କୁ ଯଦି କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ସାକ୍ଷାତ୍ କରିବାର ସୁଯୋଗ ମିଳେ ତେବେ ସେ କ’ଣ କହିବେ ଓ ପରେ ଏ ସମ୍ପର୍କରେ କି ବୟାନ ଦେବେ ତାହା ମଧ୍ୟ ଆକଳନ କରିହେବ ନାହିଁ। ଅତୀତରେ ରାହୁଲ ଗାନ୍ଧୀ ଏପରି ବ୍ୟବହାର କରିସାରିଛନ୍ତି।
ରାହୁଲ ଗାନ୍ଧୀଙ୍କ ସହିତ ବିଦେଶୀ ନେତାଙ୍କ ସାକ୍ଷାତ୍କୁ ନେଇ ରାଜନୀତିକ ଆଶଙ୍କାର ମୂଳ ୨୦୧୮ର ଫ୍ରାନ୍ସ ଦୃଶ୍ୟପଟ୍ଟରେ ରହିଯାଇଛି। ସେହି ବର୍ଷ ମାର୍ଚ୍ଚ ୧୩ରେ ରାହୁଲ ଗାନ୍ଧୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟିବାର କେବଳ ମାତ୍ର ଏକଘଣ୍ଟା ମଧ୍ୟରେ ସେ ଦେଶକୁ କହିଥିଲେ- “ରାଫେଲ ଡିଲରେ କୌଣସି ସିକ୍ରେଟ କଥା ନାହିଁ”।
ଏହି କଥା ପରେ ତତ୍କାଳୀନ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତୁରନ୍ତ କହିଥିଲେ-ରାହୁଲଙ୍କ ଦାବି ସର୍ବଥା ମିଥ୍ୟା। ପରବର୍ତ୍ତୀ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଅଫିସିଆଲ ସ୍ତରରେ ଏହାକୁ ଖଣ୍ଡନ କରି ଲିଖିତ ବିବୃତ୍ତି ଜାରି କରି କହିଥିଲା ଯେ ରାହୁଲଙ୍କ ସହିତ ରାଷ୍ଟ୍ରପତି ମାକ୍ରୋନଙ୍କର ଏପରି କିଛି ଆଲୋଚନା ହୋଇନାହିଁ।
ରାହୁଲ ଗାନ୍ଧୀଙ୍କ ଏହି ଅନୁଭବହୀନ ଓ କେବେ କେବେ ଅସ୍ପଷ୍ଟ ବିବୃତି ବିରୋଧୀ ଦଳମାନଙ୍କୁ ଅଡ଼ୁଆରେ ପକାଇ ଦେଇଥାଏ। କାରଣ ବିଦେଶୀ ରାଷ୍ଟ୍ରନେତାଙ୍କ ସହିତ ସାକ୍ଷାତ୍ ଏକ ସମ୍ବେଦନଶୀଳ ରାଜନୈତିକ ମଞ୍ଚ- ଏଠାରେ ଏକ କଥାର ଭୁଲ ବର୍ଣ୍ଣନା କରିବା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭୟାନକ ପରିଣାମ ତିଆରି କରିପାରେ।
ଏହି ଛବି ଆଜିଯାଏ ରାହୁଲଙ୍କୁ ଅନୁସରଣ କରୁଛି- ଏବଂ ବିରୋଧୀ ଦଳଗୁଡ଼ିକର ମନରେ ତାଙ୍କୁ ନେଇ ଥିବା ଆଶଙ୍କାକୁ ଦୃଢ଼ କରୁଛି।
ରାହୁଲଙ୍କ ରାଜନୀତିକ ନାରେଟିଭ୍: ଛେପ ପକାଇ ପୁଣି ଚାଟିବାର ଅଭ୍ୟାସ?
ରାଫେଲ ଘଟଣାରେ କେବଳ ମାକ୍ରୋନଙ୍କ ବିବୃତି ନୁହେଁ- ସୁପ୍ରିମକୋର୍ଟ ମୋଦୀଙ୍କୁ ଚୋର କହିଛି ବୋଲି ରାହୁଲ ଦେଇଥିବା ବକ୍ତବ୍ୟ ବଡ଼ ରାଜନୀତିକ ଝଡ଼ ତିଆରି କରିଥିଲା। ପରେ ସେଇ ବକ୍ତବ୍ୟକୁ ନେଇ ରାହୁଲଙ୍କୁ କୋର୍ଟରେ ସତ୍ୟପାଠ ଦେଇ କ୍ଷମା ନିଃସର୍ତ୍ତ ମାଗିବାକୁ ପଡ଼ିଥିଲା। ଏହାପରେ ବିପକ୍ଷ ଶିବିରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଥିଲା।
ରାଜନୀତିରେ ବକ୍ତବ୍ୟ ହେଉଛି ଶକ୍ତି- କିନ୍ତୁ ସେହି ବକ୍ତବ୍ୟ ଯଦି ପରେ ସତ୍ୟପାଠ ମାଧ୍ୟମରେ ପ୍ରତ୍ୟାହୃତ କରିବାକୁ ପଡ଼େ, ତେବେ ଏହା ନେତାଙ୍କ ଆଧାରଭୂତ ନିଷ୍ପକ୍ଷତାକୁ ଆଘାତ ଦେଇଥାଏ। ପୁତିନଙ୍କ ସହିତ ସାକ୍ଷାତ୍ ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ନିରବତା ପଛରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସାକ୍ଷାତ୍ ଘଟଣା ହୁଏତ ଲୁଚିକି ରହିଛି। ତେଣୁ କଂଗ୍ରେସ ନେତୃତ୍ୱ ଆଜିର ନିରବତା ନେଇ ଆତ୍ମସମୀକ୍ଷା କରିବା ଆବଶ୍ୟକ। କିନ୍ତୁ ରାହୁଲ ଗାନ୍ଧି ଓ କଂଗ୍ରେସଠାରୁ ଏପରି ଆତ୍ମସମୀକ୍ଷା କଥା ଆଶା କରିବା ବୃଥା।
ଭାଙ୍ଗିବାରେ ଲାଗିଛି ଇଣ୍ଡିଆ ବ୍ଲକ

ବିରୋଧୀ ଦଳମାନଙ୍କ ସଂଘବଦ୍ଧ ପ୍ଲାଟଫର୍ମ ‘ଇଣ୍ଡିଆ ବ୍ଲକ୍’ ଆରମ୍ଭରେ ବଡ଼ ଆଶା ତିଆରି କରିଥିଲା। କିନ୍ତୁ ବାସ୍ତବତା ମଧ୍ୟ ପ୍ରକୃତ ଛବିକୁ ତାଲା ଲଗାଇ ଦେଲା।
ଟିଏମସି, ଆପ୍, ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାୱାର) ଏହି ମୋର୍ଚ୍ଚାରେ ଆରମ୍ଭରେ ଥିଲେ, କିନ୍ତୁ କ୍ରମେ ସେମାନେ କଂଗ୍ରେସ ନେତୃତ୍ୱରୁ ଦୂରେଇବାର ମେସେଜ୍ ଦେଲେ।
ଏବେ ସ୍ଥିତି ଏପରି—
• ଡିଏମକେ ତାମିଲନାଡୁରେ ଅଳ୍ପ ସୂଚନାରେ ଅସନ୍ତୁଷ୍ଟ।
• ଜେଏମଏମ ଝାଡ଼ଖଣ୍ଡରେ କଂଗ୍ରେସ ସହିତ ଭବିଷ୍ୟତ ମେଣ୍ଟ ପ୍ରତି ସନ୍ଦେହ ପ୍ରକାଶ କରିଛି।
• ଆରଜେଡି ଓ ସମାଜବାଦୀପାର୍ଟି- ଏହି ଦୁଇ ଉତ୍ତର ଭାରତୀୟ ଦଳ ମଧ୍ୟ ସେମାନଙ୍କ ରାଜ୍ୟରେ କଂଗ୍ରେସ ଦ୍ୱାରା ରାଜନୀତିକ ସଫଳତା ହାସଲ କରିବା ପ୍ରତି ଅସୁବିଧା ବ୍ୟକ୍ତ କରି ଦୂରେଇବାର ଇଙ୍ଗିତ ଦେଇସାରିଲେଣି।
ବିହାର ନିର୍ବାଚନ ଫଳ ମଧ୍ୟ ଇଣ୍ଡିଆ ବ୍ଳକ ପାଇଁ ସତର୍କ ସଙ୍କେତ। କେବଳ ରାଜନୀତିକ ସମୀକ୍ଷା କରାଗଲେ ଦେଖାଯାଏ-
ଯେଉଁଠାରେ କଂଗ୍ରେସ ଅଧିକ ଦୃଶ୍ୟମାନ, ସେଠାରେ ଇଣ୍ଡିଆ ବ୍ଳକକୁ କ୍ଷତି ସହିବାକୁ ପଡ଼ୁଛି; ଯେଉଁଠାରେ କଂଗ୍ରେସ ପଛରେ, ସେଠାରେ ଇଣ୍ଡିଆ ବ୍ଳକ ସୁବିଧାରେ ରହୁଛି।
ଏହି ଗୁରୁତ୍ୱପୂର୍ଣ୍ଣ ବିଚାର ଆଜିର ବିରୋଧୀ ରାଜନୀତିରେ କଂଗ୍ରେସ ନେତୃତ୍ୱକୁ ଏକ ଦୁର୍ବଳ କେନ୍ଦ୍ରବିନ୍ଦୁରେ ପରିଣତ କରିଦେଇଛି।
ଉତ୍ତରପ୍ରଦେଶ ଓ ପଞ୍ଚାୟତ ନିର୍ବାଚନ: କଂଗ୍ରେସ ହାତ ଛାଡ଼ିଲା ସମାଜବାଦୀ ପାର୍ଟି
୨୦୨୪ର ଲୋକସଭା ନିର୍ବାଚନରେ କଂଗ୍ରେସ ଉତ୍ତରପ୍ରଦେଶରେ ଖରାପ ନୁହେଁ- କିଛି ସିଟ୍ ଜିତିଥିଲା। ଏହା ଦଳର ପୁନରୁତ୍ଥାନ ପାଇଁ ଏକ ସ୍ୱଳ୍ପ ସନ୍ତୋଷଜନକ ଚିହ୍ନ ଥିଲା।
କିନ୍ତୁ ସେହି ଆଶା ଅଧିକ ଦିନ ରହିଲା ନାହିଁ। ଉପନିର୍ବାଚନ, ସାଂଗଠନିକ ପରିସ୍ଥିତି ଓ ମୁଖ୍ୟତଃ ଏସପି ନେତା ଅଖିଳେଶ ଯାଦବଙ୍କ ଦୃଢ଼ ବାର୍ତ୍ତା- “ପଞ୍ଚାୟତରେ ଆମେ କଂଗ୍ରେସ ସହିତ ମେଣ୍ଟ କରିବୁ ନାହିଁ, ଏକାକୀ ଲଢ଼ିବୁ”
-ଏହା ବିରୋଧୀ ଏକତାର ମଧ୍ୟରେ ଗଭୀର ବିଭାଜନକୁ ସ୍ପଷ୍ଟ କରିଛି।
ଅଖିଳେଶଙ୍କ ଅସନ୍ତୁଷ୍ଟ ହେବା ଫଳରେ କଂଗ୍ରେସ ଉତ୍ତରପ୍ରଦେଶରେ ଏକାକୀ ହୋଇଯାଇଛି। ସଂଗଠନ ନ ଥିବା କଂଗ୍ରେସ ତା’ର ସ୍ଥିତି ପଞ୍ଚାୟତ ନିର୍ବାଚନରେ ଜାଣିପାରିବ ବୋଲି ରାଜନୀତିକ ମହଲ ଆଲୋଚନା କରୁଛନ୍ତି। କାରଣ ଗତ ଲୋକସଭା ନିର୍ବାଚନରେ ଅଖିଳେଶଙ୍କ ଦୟାରୁ କଂଗ୍ରେସ କିଛି ଆସନରେ ଜିତିବାକୁ ସକ୍ଷମ ହୋଇଥିଲା। ଏବେ ଉତ୍ତରପ୍ରଦେଶରେ ଭିନ୍ନତା ଇଣ୍ଡିଆ ବ୍ଲକ ପାଇଁ ପ୍ରାଣଘାତୀ ଅସୁବିଧାର ଆରମ୍ଭର ଅଧ୍ୟାୟ ହେବାକୁ ଯାଉଛି।
ବିରୋଧୀ ଚିତ୍ର: କେନ୍ଦ୍ରରୁ ଦୂରେଇ ଯାଉଥିବା କଂଗ୍ରେସ
କେବଳ ଏସପି-ଆରଜେଡି-ଡିଏମକେ ନୁହେଁ- ବାସ୍ତବରେ ଭାରତର ବହୁ ରାଜ୍ୟ ଭିତରେ କଂଗ୍ରେସ ଦ୍ୱାରା ସଂଘବଦ୍ଧ ରାଜନୀତି ଚଳାଇବା ଉପରେ ସନ୍ଦେହ ଭୟଙ୍କର ଭାବରେ ବଢ଼ିଛି।
• ମହାରାଷ୍ଟ୍ରରେ- ଶରଦ ପାୱାର ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀ ଦୁହେଁ ଏବେ କଂଗ୍ରେସ ସହିତ ବିନା ମେଣ୍ଟରେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛନ୍ତି।
• ପଞ୍ଜାବ ଓ ଦିଲ୍ଲୀରେ- ଆମ ଆଦମୀ ପାର୍ଟି ‘କଂଗ୍ରେସ ବନାମ ଆପ୍’ ଛବିକୁ ରଖିବାକୁ ଚାହୁଁଛି।
• ପଶ୍ଚିମବଙ୍ଗରେ- ଟିଏମସି କଂଗ୍ରେସ ପ୍ରତି ମୁକ୍ତ ମଞ୍ଚରେ ଅସନ୍ତୁଷ୍ଟ।
• ଦକ୍ଷିଣରେ ଆଞ୍ଚଳିକ ଦଳମାନେ କଂଗ୍ରେସର ନେତୃତ୍ୱ ନେଇ ସନ୍ଦେହ କରୁଛନ୍ତି।
ଏହା ବିରୋଧୀ ଶିବିରରେ ନେତୃତ୍ୱ ସଙ୍କଟର ମୁଖ୍ୟ କେନ୍ଦ୍ରବିନ୍ଦୁକୁ ସ୍ପଷ୍ଟ କରେ, କାରଣ କଂଗ୍ରେସ ନେତୃତ୍ୱ ଆଜିର ରାଜନୀତିକ ଅବସ୍ଥା ଅନୁସାରେ ଅନ୍ୟ ବିରୋଧୀ ଦଳପାଇଁ ପ୍ରେରଣାଦାୟକ କେନ୍ଦ୍ର ହୋଇପାରୁନାହିଁ ।
ରାହୁଲଙ୍କ ବିଶିଷ୍ଟ ରାଜନୀତିକ ଶୈଳୀ: ନାରେଟିଭ୍ କି ନେତୃତ୍ୱ?
ରାହୁଲ ଗାନ୍ଧୀଙ୍କ ରାଜନୀତିକ କାର୍ଯ୍ୟପଦ୍ଧତି ଅନ୍ୟସବୁ ଦଳଠାରୁ ଅଲଗା।
କିନ୍ତୁ ନେତୃତ୍ୱ ଉପରେ ସମଗ୍ର ଦେଶରେ ସଂଗଠନର ଦାୟିତ୍ୱ ଥାଏ; ଯାହାକି-
• ବକ୍ତବ୍ୟର ଯଥାର୍ଥତା
• ସାଂଗଠନିକ ସ୍ପଷ୍ଟତା
• ବନ୍ଧୁ ଦଳମାନଙ୍କ ସହିତ ବିଶ୍ୱାସ
• ବିଦେଶୀ ମଞ୍ଚକୁ ନେଇ ପ୍ରାଜ୍ଞତା
ଏହି ଚାରିଟି ପ୍ରସଙ୍ଗ ଯେତେବେଳେ ସମିଚୀନ ଭାବେ ରାଜନୀତିକ ଘଟଣାବଳୀରେ ମେଳ ଖାଉନାହିଁ, ତେବେ ରାଜନୀତିକ ଅବସ୍ଥାନ- ଯେତେ ଭଲ ପ୍ରଚାର ଥାଉ-ଦୀର୍ଘସ୍ଥାୟୀ ପ୍ରଭାବ ପକାଇ ପାରେନାହିଁ।
ରାହୁଲଙ୍କ ସଭା, ଯାତ୍ରା ଓ ମତାମତ ରାଜନୀତିକ ଆନ୍ଦୋଳନ ତିଆରି ହେଉଛି, କିନ୍ତୁ ସଂଘବଦ୍ଧ ବିରୋଧୀ ସଂକଳ୍ପ ଗଢ଼ିପାରୁ ନାହିଁ- ଏହା ବିରୋଧୀ ଶିବିର ପାଇଁ ସର୍ବାଧିକ ଚିନ୍ତାଜନକ ଦିଗ।
ଏକ ଘରିକିଆ ଭବିଷ୍ୟତ?
ସମସ୍ତ ବିଶ୍ଳେଷଣକୁ ଯଦି ଏକ ସୂତ୍ରରେ ବାନ୍ଧାଯାଏ- ତେବେ ପ୍ରଶ୍ନ ଅତ୍ୟନ୍ତ ସରଳ ଓ କଠିନ ହୋଇପଡ଼େ:-
ରାହୁଲ ଗାନ୍ଧୀ କ’ଣ ଭାରତୀୟ ବିରୋଧୀ ରାଜନୀତିରେ ଭବିଷ୍ୟତରେ ଏକ ଘରିକିଆ ହେବେ କି?
ଉତ୍ତର ଏବେ ମଧ୍ୟ ସ୍ପଷ୍ଟ ନୁହେଁ- କିନ୍ତୁ ଧାରାପରିବର୍ତ୍ତନ ପ୍ରଚ୍ଛନ୍ନ ଭାବେ ଜଣାଯାଉଛି।
• ସହଭାଗୀ ଦଳମାନଙ୍କ ଦୂରତା
• ନେତୃତ୍ୱ ଉପରେ ଉଠୁଥିବା ପ୍ରଶ୍ନ
• ନେତାଙ୍କ ଅସ୍ପଷ୍ଟ ବକ୍ତବ୍ୟ ଇତିହାସ
• ସମୀପରେ ଥିବା ନିର୍ବାଚନର ଫଳାଫଳ
ଏହି ସମସ୍ତ ଦିଗ କଂଗ୍ରେସ ପାଇଁ ତଥା ରାହୁଲଙ୍କ ନେତୃତ୍ୱ ପାଇଁ ସତର୍କ ସଙ୍କେତ।
ଭାରତୀୟ ରାଜନୀତିର ଅଭାବୀ ନିୟମ- ନେତା ଯେତେବେଳେ ବନ୍ଧନ ସୃଷ୍ଟି କରିପାରନ୍ତିନି, ନେତାଙ୍କୁ ବନ୍ଧନରୁ ବାହାରେ ରଖାଯାଏ।
ବିରୋଧୀ ରାଜନୀତିର ଭବିଷ୍ୟତ ଓ କଂଗ୍ରେସର ଦାୟିତ୍ୱ
ଭାରତୀୟ ଲୋକତନ୍ତ୍ର ପାଇଁ ବିରୋଧୀ ଦଳମାନଙ୍କ ସବଳ ଅବସ୍ଥିତି ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ସେହି ଅବସ୍ଥିତି ଯେତେବେଳେ ଅନ୍ତଃସଂଘର୍ଷ, ଅବିଶ୍ୱାସ ଓ ଅସ୍ପଷ୍ଟ ନେତୃତ୍ୱରେ ବଢ଼ି ଯାଇଥାଏ, ତେବେ ଲୋକତାନ୍ତ୍ରିକ ପ୍ରଣାଳୀ ଦୃଢ଼ ହେବା ପରିବର୍ତ୍ତେ ଅନିଶ୍ଚିତତାର ଛାୟାରେ ବୁଡ଼ିଯାଏ।
ରାହୁଲ ଗାନ୍ଧୀଙ୍କ ପାଇଁ ଏହା ଏକ ଅବସର-
• ନିଜର ନାରେଟିଭ୍କୁ ସ୍ପଷ୍ଟ କରିବା
• ସହଯୋଗୀ ଦଳମାନଙ୍କ ସହିତ ସମ୍ପର୍କ ମଜବୁତ କରିବା
• ବକ୍ତବ୍ୟ ଓ ରାଜନୀତିକ ବାର୍ତ୍ତାକୁ ଯଥାର୍ଥ ସୂଚନାରେ ପରିଣତ କରିବା
• ବିଦେଶୀ ନେତାଙ୍କ ସହିତ ସାକ୍ଷାତ୍ ସମୟରେ ନିଜକୁ ପ୍ରାଜ୍ଞ ନେତା ଭାବେ ପ୍ରତିଷ୍ଠା କରିବା
ସମୟ ଆସିଯାଇଛି-କଂଗ୍ରେସ ଯଦି ବିରୋଧୀ ରାଜନୀତିର କେନ୍ଦ୍ରରେ ରହିବାକୁ ଚାହୁଁଛି, ତେବେ ତାକୁ ନୂତନ ନେତୃତ୍ୱ ଶୈଳୀ, ସଂଘବଦ୍ଧ ରଣନୀତି ଓ ଦଳୀୟ ଏକତା ସୃଷ୍ଟିରେ ତୀବ୍ର ପଦକ୍ଷେପ ନେବାକୁ ପଡ଼ିବ।
ନ ହେଲେ- ରାହୁଲଙ୍କୁ ଏକଘରିକିଆ କରିଦେବା ଧାରା ଜାରି ରହିବ ଏବଂ ଏହା ବିଶେଷ କରି କଂଗ୍ରେସ ପାଇଁ ଅସ୍ତିତ୍ୱ ସଙ୍କଟର ନୂତନ ଅଧ୍ୟାୟ ଖୋଲିଯିବ।
also read https://purvapaksa.com/police-take-kantabanji-mla-councillor-into-custody/


