ସମୟ ଆଜି ବଦଳିଯାଇଛି ଦିନ ଥିଲା, ଯେତେବେଳେ ଭାରତ ଅନ୍ୟ ଦେଶମାନଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଲାଇନରେ ଛିଡ଼ା ହେଉଥିଲା। କିନ୍ତୁ ଆଜି, ମଧ୍ୟପ୍ରାଚ୍ୟ ବା ମିଡିଲ୍ ଇଷ୍ଟର ସବୁଠାରୁ ଆଧୁନିକ ଏବଂ ସମୃଦ୍ଧ ଦେଶ ୟୁନାଇଟେଡ୍ ଆରବ ଏମିରେଟ୍ସ ଅର୍ଥାତ୍ ୟୁ.ଏ.ଇ (UAE) ଆଜି ଭାରତର ଦୁଇଟି ମାଘାତକ ହତିଆର ପାଇଁ ଆଗ୍ରହ ପ୍ରକାଶ କରିଛି।
ୟୁ.ଏ.ଇ କହିଛି—ଆମକୁ ଭାରତର ‘ବ୍ରହ୍ମୋସ’ (BrahMos) ସୁପରସୋନିକ କ୍ରୁଜ୍ ମିସାଇଲ୍ ଏବଂ ‘ଆକାଶତୀର’ (Akashteer) ଏୟାର ଡିଫେନ୍ସ ସିଷ୍ଟମ ଦରକାର। କିନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି—ଟ୍ରାଡିସନାଲି ବା ପାରମ୍ପରିକ ଭାବେ ୟୁ.ଏ.ଇ, ସାଉଦି ଆରବ, କତାର୍ କିମ୍ବା ଓମାନ ଭଳି ଆରବ ଦେଶଗୁଡ଼ିକ ସବୁବେଳେ ଆମେରିକା କିମ୍ବା ୟୁରୋପର ସୁପର ଆଧୁନିକ ହତିଆର କିଣିବାକୁ ପସନ୍ଦ କରନ୍ତି। ସେମାନଙ୍କ ପାଖରେ ପଇସାର କୌଣସି ଅଭାବ ନାହିଁ। ତେବେ ହଠାତ୍ ଏମିତି କଣ ହେଲା ଯେ ୟୁ.ଏ.ଇ ପାଖରେ ଆମେରିକାର ପେଟ୍ରିଅଟ୍ (Patriot) ଏବଂ ଥାଡ୍ (THAAD) ଭଳି ମହଙ୍ଗା ମିସାଇଲ୍ ଡିଫେନ୍ସ ସିଷ୍ଟମ ଥାଇ ମଧ୍ୟ ସେମାନଙ୍କୁ ଭାରତରେ ତିଆରି ହତିଆରର ଆବଶ୍ୟକତା ପଡ଼ିଲା? କଣ ରହିଛି ଏହା ପଛର ଅସଲ କାରଣ?
ଏହି ପୂରା ଘଟଣାକୁ ବୁଝିବା ପାଇଁ ଆମକୁ ଟିକେ ମିଡିଲ୍ ଇଷ୍ଟରେ ଚାଲିଥିବା ଘନଘଟା ଉପରେ ନଜର ପକାଇବାକୁ ହେବ। ବିଗତ ଦିନଗୁଡ଼ିକରେ ଯେଉଁ ଯୁଦ୍ଧ ଚାଲିଥିଲା, ସେଥିରେ ୟୁ.ଏ.ଇ ଉପରକୁ ପ୍ରବଳ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଥିଲା। ଇରାନ ଏବଂ ତାର ସମର୍ଥିତ ସଂଗଠନଗୁଡ଼ିକ ୟୁ.ଏ.ଇକୁ ଟାର୍ଗେଟ୍ କରିଥିଲେ। ସେଠାରେ ଆମେରିକାର ମିଲିଟାରୀ ବେସ୍ ଅଛି, ଆମେରିକାର ସବୁଠାରୁ ମହଙ୍ଗା ଡିଫେନ୍ସ ସିଷ୍ଟମ ପେଟ୍ରିଅଟ୍ ମଧ୍ୟ ଅଛି। କିନ୍ତୁ ଯେତେବେଳେ ଶତ୍ରୁ ପକ୍ଷରୁ ଶସ୍ତା ଡ୍ରୋନ୍ ଓ କ୍ରୁଜ୍ ମିସାଇଲ୍ ବର୍ଷା ହେଲା, ସେତେବେଳେ ଆମେରିକାର ଏହି ବଡ଼ ବଡ଼ ସିଷ୍ଟମଗୁଡ଼ିକ ସଂପୂର୍ଣ୍ଣ ଭାବେ ଫଳପ୍ରଦ ପ୍ରମାଣିତ ହୋଇପାରିଲେ ନାହିଁ।
ଚିନ୍ତା କରନ୍ତୁ, ଯଦି ଆପଣଙ୍କ ଦେଶରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ବେସ୍ ଥିବ, ଆପଣ ଆମେରିକାକୁ ଅରବ ଆରବ ଡଲାର ଦେଇ ହତିଆର କିଣିଥିବେ, ଆଉ ସଙ୍କଟ ସମୟରେ ସେହି ହତିଆର ଯଦି ଆପଣଙ୍କୁ ସୁରକ୍ଷା ଦେଇ ନ ପାରିବ, ତେବେ ଆପଣଙ୍କର ଚିନ୍ତା ବଢ଼ିବା ସ୍ୱାଭାବିକ।
ୟୁ.ଏ.ଇ ପାଖରେ ନିଜକୁ ବଞ୍ଚାଇବା ପାଇଁ ଏବଂ ନିଜର ଅରବ ଡଲାରର ତେଲ ବିଶୋଧନାଗାର (Oil Refineries)କୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ୱତନ୍ତ୍ର, ଶକ୍ତିଶାଳୀ ଏବଂ ବିଶ୍ୱାସଯୋଗ୍ୟ ପ୍ରତିରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଥିଲା। ଏହି ସମୟରେ ୟୁ.ଏ.ଇର ନଜର ପଡ଼ିଲା ଭାରତ ଉପରେ। ୟୁ.ଏ.ଇ ବୁଝିଗଲା ଯେ ଆମେରିକୀୟ ହତିଆର ଉପରେ ସଂପୂର୍ଣ୍ଣ ନିର୍ଭର କରିବା ଭୁଲ। ସେଥିପାଇଁ ସେମାନେ ଭାରତ ସହ ଆଲୋଚନା ଆରମ୍ଭ କରିଛନ୍ତି। ଯଦି ଏହି ଡିଲ୍ ଚୂଡ଼ାନ୍ତ ରୂପ ନିଏ, ତେବେ ଫିଲିପାଇନ୍ସ, ଭିଏତନାମ ଏବଂ ଇଣ୍ଡୋନେସିଆ ପରେ ୟୁ.ଏ.ଇ ହେବ ଚତୁର୍ଥ ଆନ୍ତର୍ଜାତୀୟ ଦେଶ, ଯିଏ ଭାରତଠାରୁ ବିଶ୍ୱ ପ୍ରସିଦ୍ଧ ବ୍ରହ୍ମୋସ ମିସାଇଲ୍ ସିଷ୍ଟମ କିଣିବ।
ଏହି ବ୍ରହ୍ମୋସ ମିସାଇଲ୍ ଯାହାକୁ ପ୍ରତିରକ୍ଷା ବିଶେଷଜ୍ଞମାନେ ‘ଅଜେୟ ତରବାରୀ’ ବୋଲି କୁହନ୍ତି। ବ୍ରହ୍ମୋସ ହେଉଛି ପୃଥିବୀର ସବୁଠାରୁ ଦ୍ରୁତତମ ସୁପରସୋନିକ କ୍ରୁଜ୍ ମିସାଇଲ୍। ଏହାର ବେଗ କେତେ ଜାଣନ୍ତି? ୨.୮ ରୁ ୩ ମାକ୍ (Mach 2.8 to 3)। ସହଜ ଭାଷାରେ କହିଲେ, ପ୍ରାୟ ୩୪୦୦ କିଲୋମିଟର ପ୍ରତି ଘଣ୍ଟା! ଶବ୍ଦର ବେଗଠାରୁ ପ୍ରାୟ ତିନି ଗୁଣ ଅଧିକ ଦ୍ରୁତ। ଦୁନିଆର କୌଣସି ବି ରାଡାର୍ ସିଷ୍ଟମ କିମ୍ବା ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଏତେ ଅଧିକ ବେଗରେ ଆସୁଥିବା ମିସାଇଲ୍କୁ ଟ୍ରାକ୍ କରି ଧ୍ୱଂସ କରିବା ପ୍ରାୟତଃ ଅସମ୍ଭବ।
ଏହାର ଆଉ ଏକ ବଡ଼ ବିଶେଷତ୍ୱ ହେଉଛି ଏହାର ଅପୂର୍ବ ସଠିକତା ବା High Accuracy। ବ୍ରହ୍ମୋସ ୩୦୦ କିଲୋମିଟର ଦୂରରୁ ଉଡ଼ିଆସି ମାତ୍ର ୧ ମିଟର ଦାୟିତ୍ୱ ଭିତରେ ଥିବା ଟାର୍ଗେଟକୁ ଧ୍ୱଂସ କରିପାରେ। ସରଳ ଭାବେ ବୁଝନ୍ତୁ, ଯଦି ଶତ୍ରୁର କୌଣସି ବଙ୍କରର ଗୋଟିଏ ନିର୍ଦ୍ଦିଷ୍ଟ କବାଟ କିମ୍ବା ଝରକା ଥାଏ, ବ୍ରହ୍ମୋସ ମିସାଇଲ୍ ସିଧା ସେହି ଝରକା ଦେଇ ଭିତରକୁ ପଶି ବ୍ଲାଷ୍ଟ କରିବାର କ୍ଷମତା ରଖେ। ଏହା ଏକ ପ୍ରକାରର ସ୍ନାଇପର ସଟ୍ ଭଳି କାମ କରେ, ଯାହା ଶହ ଶହ କିଲୋମିଟର ଦୂରରୁ ଅତି ସୂକ୍ଷ୍ମ ଭାବେ ଲକ୍ଷ୍ୟଭେଦ କରିପାରେ। ଏହା ସହିତ ଏହାର ରହିଛି Low Radar Signature ଏବଂ ଷ୍ଟେଲଥ୍ ଫିଚର୍ସ (Stealth Features), ଯାହା କାରଣରୁ ଶତ୍ରୁର ରାଡାର ଏହାକୁ ସହଜରେ ଚିହ୍ନଟ କରିପାରେ ନାହିଁ। ଏହି ମିସାଇଲ୍କୁ ଭୂମିରୁ, ସମୁଦ୍ର ଜାହାଜରୁ, ଯୁଦ୍ଧବିମାନରୁ କିମ୍ବା ସମୁଦ୍ର ଭିତରେ ଥିବା ବୁଡ଼ାଜାହାଜ ବା ସବ୍ମେରିନ୍ରୁ ମଧ୍ୟ ଲଞ୍ଚ କରାଯାଇପାରିବ। ଏହିପରି ଏକ ବ୍ରହ୍ମାସ୍ତ୍ର ଯଦି ୟୁ.ଏ.ଇ ପାଖକୁ ଯାଏ, ତେବେ ତାର ଆକ୍ରମଣ ଶକ୍ତି ବହୁଗୁଣିତ ହୋଇଯିବ ଏବଂ ତାର ଶତ୍ରୁ ଦେଶ ଇରାନ କିମ୍ବା ଅନ୍ୟ କେହି ବି ତାର କ୍ଷତି କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ।
ବ୍ରହ୍ମୋସ ତ ଭାରତ ଏବଂ ରୁଷିଆର ଏକ ଯୁଗ୍ମ ପ୍ରୋଜେକ୍ଟ (Joint Venture)। ତେବେ ଏହାକୁ ଅନ୍ୟ ଦେଶକୁ ବିକ୍ରି କରିବା ପାଇଁ କଣ ରୁଷିଆର ଅନୁମତି ଦରକାର? ହଁ ବନ୍ଧୁଗଣ, ନିୟମ ଅନୁଯାୟୀ ଏଥିପାଇଁ ମସ୍କୋର ଏକ ଏନ.ଓ.ସି (NOC) ବା ସହମତିର ଆବଶ୍ୟକତା ଥାଏ।
କିନ୍ତୁ ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ, ଏହା ଏହି ଡିଲ୍ରେ କୌଣସି ବାଧା ସୃଷ୍ଟି କରିବ ନାହିଁ। କାରଣ ରୁଷିଆ ଏବଂ ଆବୁଧାବି (UAE) ମଧ୍ୟରେ ଅତ୍ୟନ୍ତ ଉତ୍ତମ ସମ୍ପର୍କ ରହିଛି। ତେଣୁ ରୁଷିଆ ଏଥିପାଇଁ ଖୁସିରେ ଅନୁମତି ଦେବ। ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡି.ଆର.ଡି.ଓ (DRDO) ଏବେ ବ୍ରହ୍ମୋସକୁ ଆହୁରି ମାଘାତକ କରିବାରେ ଲାଗିଛି। ଏବେ ଏହାର ରେଞ୍ଜ୍ ୨୯୦ କିଲୋମିଟରରୁ ବଢ଼ାଇ ୮୦୦ରୁ ୯୦୦ କିଲୋମିଟର ପର୍ଯ୍ୟନ୍ତ କରିବା ପାଇଁ ଭାରତ ନୂଆ ଭେରିଏଣ୍ଟ ପ୍ରସ୍ତୁତ କରୁଛି। କେବଳ ସେତିକି ନୁହେଁ, ଭାରତ ଏହାର ଏକ ହାଇପରସୋନିକ ଭେରିଏଣ୍ଟ (Hypersonic Version) ମଧ୍ୟ ତିଆରି କରୁଛି, ଯାହାର ବେଗ ୫ ମାକ୍ (Mach 5) ରୁ ଅଧିକ ଅର୍ଥାତ୍ ଶବ୍ଦର ବେଗଠାରୁ ୫ ଗୁଣରୁ ଅଧିକ ହେବ। ଏଭଳି ପରିସ୍ଥିତିରେ ୟୁ.ଏ.ଇ ଭାରତୀୟ ପ୍ରଯୁକ୍ତିବିଦ୍ୟାର ଏହି ଦୂରଦୃଷ୍ଟିକୁ ଦେଖି ଏହାକୁ କିଣିବାକୁ ସବୁଠାରୁ ଶ୍ରେଷ୍ଠ ବିକଳ୍ପ ମନେ କରୁଛି।
ଯଦି ବ୍ରହ୍ମୋସ ହେଉଛି ଆକ୍ରମଣ ପାଇଁ ଏକ ‘ତରବାରୀ’, ତେବେ ୟୁ.ଏ.ଇ କିଣିବାକୁ ଚାହୁଁଥିବା ଦ୍ୱିତୀୟ ସିଷ୍ଟମ ‘ଆକାଶତୀର’ ହେଉଛି ରକ୍ଷା ପାଇଁ ଏକ ‘ଅଭେଦ୍ୟ ସୁରକ୍ଷା କବଚ’।ଏଠାରେ ଅନେକ ଲୋକ ଭ୍ରମରେ ପଡ଼ିଯାଆନ୍ତି ଯେ ‘ଆକାଶତୀର’ ବୋଧହୁଏ ‘ଆକାଶ ମିସାଇଲ୍’। କିନ୍ତୁ ଆପଣଙ୍କୁ ସ୍ପଷ୍ଟ କରିଦେଉଛି, ଆକାଶ ହେଉଛି କେବଳ ଏକ ସରଫେସ୍-ଟୁ-ଏୟାର ମିସାଇଲ୍ (Surface to Air Missile)। କିନ୍ତୁ ‘ଆକାଶତୀର’ କୌଣସି ଗୋଟିଏ ମିସାଇଲ୍ ନୁହେଁ, ଏହା ହେଉଛି ଏକ ସଂପୂର୍ଣ୍ଣ ସ୍ୱୟଂଚାଳିତ ଏୟାର ଡିଫେନ୍ସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସିଷ୍ଟମ (Automated Air Defense Command and Control System)।
ଏହାକୁ ଭାରତୀୟ ସେନା ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ମିଳିତ ଭାବେ ବିକଶିତ କରିଛନ୍ତି।ଏହା କିପରି କାମ କରେ? ଏହା ସଂପୂର୍ଣ୍ଣ ଭାବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏ.ଆଇ (AI) ଦ୍ୱାରା ପରିଚାଳିତ। ଯେତେବେଳେ ଶତ୍ରୁ ପକ୍ଷରୁ ଏକାସାଙ୍ଗରେ ଅନେକ ଡ୍ରୋନ୍, କ୍ରୁଜ୍ ମିସାଇଲ୍ କିମ୍ବା ଫାଇଟର ଜେଟ୍ ଆକ୍ରମଣ କରନ୍ତି, ସେତେବେଳେ ‘ଆକାଶତୀର’ ନିଜର ଶକ୍ତିଶାଳୀ ରାଡାର୍ ସାହାଯ୍ୟରେ ସେଗୁଡ଼ିକୁ ତୁରନ୍ତ ଟ୍ରାକ୍ କରେ। ଏହାର ରାଡାର୍ ପ୍ରାୟ ୮୦ ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଏରିଆ କଭର କରିପାରେ। ଏ.ଆଇ ନିଜେ କାଲକୁଲେଟ୍ କରେ କେଉଁ ଶତ୍ରୁ କେତେ ଦୂରରେ ଅଛି, କେତେ ବେଗରେ ଆସୁଛି ଏବଂ ତାକୁ ଧ୍ୱଂସ କରିବା ପାଇଁ କେଉଁ ହତିଆର ସବୁଠାରୁ ଭଲ ହେବ। ଏହା ପରେ ଏହି ସିଷ୍ଟମ ସ୍ୱୟଂଚାଳିତ ଭାବେ ମିସାଇଲ୍ ଲଞ୍ଚ କରି ଶତ୍ରୁକୁ ଆକାଶରେ ହିଁ ମାରି ଗିରାଇ ଦିଏ।ଏହାର ସବୁଠାରୁ ବଡ଼ ଫାଇଦା ହେଉଛି ଏହାର ଓପନ୍ ଆର୍କିଟେକ୍ଚର (Open Architecture)।
ଏହାର ଅର୍ଥ ହେଉଛି, ୟୁ.ଏ.ଇ ପାଖରେ ପୂର୍ବରୁ ଥିବା ଆମେରିକାର ପେଟ୍ରିଅଟ୍ କିମ୍ବା ଅନ୍ୟାନ୍ୟ ଦେଶର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଏହି ‘ଆକାଶତୀର’ ନିଜ ସହ ଯୋଡ଼ିପାରିବ। ସମସ୍ତ ପୁରୁଣା ଓ ନୂଆ ସିଷ୍ଟମରୁ ତଥ୍ୟ ସଂଗ୍ରହ କରି ଏହା ସଂପୂର୍ଣ୍ଣ ୟୁ.ଏ.ଇ ଆକାଶକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଦେବ। ଏହା ସହିତ ଏଥିରେ ଉଚ୍ଚ ଜାମିଙ୍ଗ୍ ପ୍ରତିରୋଧକ କ୍ଷମତା (High Jamming Immunity) ରହିଛି, ଯାହା କାରଣରୁ ଶତ୍ରୁ ଏହାର ଇଲେକ୍ଟ୍ରୋନିକ ସିଷ୍ଟମକୁ ସହଜରେ ହ୍ୟାକ୍ କିମ୍ବା ଜାମ୍ କରିପାରିବ ନାହିଁ।
ରଏଟର୍ସ (Reuters) ଭଳି କେତେକ ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଡିଲ୍କୁ ଏକ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ସେମାନେ କହୁଛନ୍ତି ଯେ, ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିର ଜବାବରେ ଭାରତ ଏବେ ୟୁ.ଏ.ଇ ସହ ନିଜର ସମ୍ପର୍କ ଗଭୀର କରୁଛି। କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞ ମେଜର ଗୌରବ ଆର୍ଯ୍ୟ ଏହି ଚିନ୍ତାଧାରା ସହ ସଂପୂର୍ଣ୍ଣ ଅସହମତି ପ୍ରକାଶ କରିଛନ୍ତି। ଏବଂ ତାଙ୍କ କଥାରେ ବହୁତ ବଡ଼ ସତ୍ୟତା ରହିଛି।ଆମକୁ ବୁଝିବାକୁ ହେବ ଯେ, ଆନ୍ତର୍ଜାତୀକ ସ୍ତରରେ ‘ପାର୍ଟନରସିପ୍’ ବା ସହଭାଗିତା ସବୁବେଳେ ସମାନ ସ୍ତରର ଦେଶମାନଙ୍କ ଭିତରେ ହୋଇଥାଏ (Partnership is among equals)।
ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ କୌଣସି ସମାନ ସ୍ତରର ପ୍ରତିରକ୍ଷା ସମ୍ପର୍କ ନାହିଁ। ପାକିସ୍ତାନ କେବଳ ସାଉଦି ଆରବଠାରୁ ଆର୍ଥିକ ସାହାଯ୍ୟ ବା ଭିକ ମାଗେ, ଏବଂ ସାଉଦି ଆରବ ଯାହା କୁହେ ପାକିସ୍ତାନ ତାହା ହିଁ କରେ। ସାଉଦି ଆରବ ପାକିସ୍ତାନୀ ସୈନ୍ୟମାନଙ୍କୁ ‘ଭଡ଼ା’ରେ ନିଏ ନିଜ ଦେଶର ସୁରକ୍ଷା ପାଇଁ। ଏହା ଏକ ସାଧାରଣ ବ୍ୟବସାୟିକ କାରବାର (Transactional Relationship), ଏହା କୌଣସି ରଣନୈତିକ ସହଭାଗିତା ନୁହେଁ।
ପାକିସ୍ତାନ ନିଜ ମାଟିରେ ଚୀନ୍ ସାହାଯ୍ୟରେ ଯେଉଁ ସବୁ ହତିଆର ତିଆରି କରେ, ସେଥିରୁ କେତୋଟି ହତିଆର ସାଉଦି ଆରବ କିଣିଛି? ଗୋଟିଏ ବି ନୁହେଁ!ଅପରପକ୍ଷରେ ଭାରତ ଏବଂ ୟୁ.ଏ.ଇର ସମ୍ପର୍କ ସଂପୂର୍ଣ୍ଣ ଭିନ୍ନ। ଏହା ଦୁଇଟି ଶକ୍ତିଶାଳୀ ଏବଂ ସମୃଦ୍ଧ ଅର୍ଥନୀତିର ସମ୍ପର୍କ। ଭାରତ ୟୁ.ଏ.ଇର ଏକ ପୁରୁଣା ଏବଂ ବିଶ୍ୱାସଯୋଗ୍ୟ ବନ୍ଧୁ। ଆଜି ୟୁ.ଏ.ଇ ପାଖରେ ଅଜସ୍ର କ୍ୟାଶ୍ ବା ଅର୍ଥ ଅଛି, ଏବଂ ନିଜକୁ ବଞ୍ଚାଇବା ପାଇଁ ହତିଆରର ଆବଶ୍ୟକତା ମଧ୍ୟ ରହିଛି। ସେଥିପାଇଁ ସେ ସାଉଦି କିମ୍ବା ପାକିସ୍ତାନ ଆଡକୁ ନ ଚାହିଁ, ସିଧାସଳଖ ଭାରତ ଆଡକୁ ବନ୍ଧୁତାର ହାତ ବଢ଼ାଇଛି। ଭାରତ ମଧ୍ୟ କେବଳ ବ୍ରହ୍ମୋସ କିମ୍ବା ଆକାଶତୀର ନୁହେଁ, ବରଂ ଆଗାମୀ ଦିନରେ ୟୁ.ଏ.ଇକୁ ସବ୍ମେରିନ୍, ଯୁଦ୍ଧ ଜାହାଜ, ଡେଷ୍ଟ୍ରୋୟର୍ ଏବଂ ମିସାଇଲ୍ ବୋଟ୍ ଯୋଗାଇଦେବା ପାଇଁ ସକ୍ଷମ।
ଏହି ପୂରା ବିଶ୍ଳେଷଣରୁ ଗୋଟିଏ କଥା ସ୍ପଷ୍ଟ ଯେ, ପ୍ରତିରକ୍ଷା ରପ୍ତାନୀ ବା Defence Export କ୍ଷେତ୍ରରେ ଭାରତ ଆଜି ଏକ ବିଶ୍ୱ ଶକ୍ତି ଭାବେ ଉଭା ହେଉଛି। ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ (Make in India) ଏବଂ ‘ଆତ୍ମନିର୍ଭର ଭାରତ’ର ସ୍ୱପ୍ନ ଆଜି ସତ୍ୟ ପ୍ରମାଣିତ ହେଉଛି। ଯେଉଁ ବ୍ରହ୍ମୋସ ଏବଂ ଆକାଶତୀରକୁ ଭାରତୀୟ ସେନା ନିଜର ସୁରକ୍ଷା ପାଇଁ ବ୍ୟବହାର କରୁଥିଲା, ଆଜି ସେହି ଦେଶୀୟ ଜ୍ଞାନକୌଶଳର ହତିଆର ଆରବ ଦେଶର ଆକାଶକୁ ସୁରକ୍ଷା ଦେବାକୁ ଯାଉଛି। ଏହା ପ୍ରତିଟି ଭାରତୀୟ ପାଇଁ, ପ୍ରତିଟି ଓଡ଼ିଆ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।
AlsoRead; https://purvapaksa.com/the-strategy-has-changed-now-there-will-be-mixed-rain/
ବଦଳିଲା ରଣନୀତି, ଏବେ ହେବ ମିଶାଇଲ ବର୍ଷା! || The strategy has changed, now there will be mixed rain!


