ଓଡ଼ିଶାରେ ଗ୍ରାମୀଣ ଅର୍ଥନୀତି ଓ କୃଷି କ୍ଷେତ୍ରକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମବାୟ କ୍ଷେତ୍ରକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଜାତୀୟ ସମବାୟ ଡାଟାବେସ୍ ର ସଦ୍ୟତମ ଆକଳନ ଅନୁଯାୟୀ, ଓଡ଼ିଶାରେ ମୋଟ ୮,୬୬୭ଟି ପଞ୍ଜୀକୃତ ସମବାୟ ସମିତି ରହିଥିବା ବେଳେ ସେଥିମଧ୍ୟରୁ ୮,୦୬୩ଟି ସମିତି ସମ୍ପୂର୍ଣ୍ଣ ସକ୍ରିୟ ଓ କାର୍ଯ୍ୟକ୍ଷମ ରହିଛି। ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ସମବାୟ କ୍ଷେତ୍ରକୁ ଆହୁରି ସଶକ୍ତ ଓ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
/odishatv/media/media_files/2026/08/12/ncd-2026-08-12-09-55-23.png)
ପ୍ୟାକ୍ସ କମ୍ପ୍ୟୁଟରୀକରଣ ଓ ଡିଜିଟାଲାଇଜେସନ
ସମବାୟ ସମିତିଗୁଡ଼ିକର କାର୍ଯ୍ୟଶୈଳୀରେ ସ୍ୱଚ୍ଛତା ଆଣିବା ଏବଂ ଚାଷୀମାନଙ୍କୁ ସହଜରେ ଋଣ ଯୋଗାଇଦେବା ଲକ୍ଷ୍ୟରେ ୨୦୨୨ରୁ ଆରମ୍ଭ ହୋଇଥିବା “ପ୍ରାଥମିକ କୃଷି ଋଣ ସମିତି” କମ୍ପ୍ୟୁଟରୀକରଣ ପ୍ରକଳ୍ପକୁ ଆହୁରି ବ୍ୟାପକ କରାଯାଇଛି।
- ପ୍ରକଳ୍ପ ବ୍ୟାପ୍ତି : ପୂର୍ବରୁ ଦେଶସାରା ୬୩,୦୦୦ ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ଏହାକୁ ୭୯,୬୩୦କୁ ବୃଦ୍ଧି କରାଯାଇଛି। ଏଥିପାଇଁ ମୋଟ ଆବଣ୍ଟନକୁ ୨,୫୧୬ କୋଟି ଟଙ୍କାରୁ ବଢ଼ାଇ ୨,୯୨୫.୩୯ କୋଟି ଟଙ୍କା କରାଯାଇଛି।
- ଓଡ଼ିଶା ପାଇଁ ଅନୁଦାନ : ଏହି ଜାତୀୟ ପ୍ରକଳ୍ପ ଅଧୀନରେ ଓଡ଼ିଶାର ୪,୨୪୦ଟି ପ୍ୟାକ୍ସକୁ ମଞ୍ଜୁରୀ ମିଳିସାରିଛି। ରାଜ୍ୟକୁ କମ୍ପ୍ୟୁଟରୀକରଣ ବାବଦରେ ମୋଟ ୨୫.୦୭ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ପ୍ୟାକ୍ସଗୁଡ଼ିକ ଜାତୀୟ ସ୍ତରର ERP ସଫ୍ଟୱେର୍ ମାଧ୍ୟମରେ ନାବାର୍ଡ ଏବଂ ସମବାୟ ବ୍ୟାଙ୍କଗୁଡ଼ିକ ସହ ସିଧାସଳଖ ଯୋଡ଼ି ହୋଇପାରିଛନ୍ତି।

ମହିଳା, ଆଦିବାସୀ ଓ ଯୁବ ସମବାୟ ସମିତିକୁ ବିଶେଷ ପ୍ରୋତ୍ସାହନ
- ରାଜ୍ୟରେ ମହିଳା ଓ ଆଦିବାସୀ ସମବାୟ ସମିତିଗୁଡ଼ିକୁ ସ୍ୱାବଲମ୍ବୀ କରିବା ପାଇଁ ଜାତୀୟ ସମବାୟ ବିକାଶ ନିଗମ ମାଧ୍ୟମରେ ବ୍ୟାପକ ପାଣ୍ଠି ଯୋଗାଇ ଦିଆଯାଉଛି।
- ମହିଳା ସମବାୟ ସମିତିଗୁଡ଼ିକୁ ‘ସ୍ୱୟଂ ଶକ୍ତି ସହକାର ଯୋଜନା’ ଏବଂ ‘ନନ୍ଦିନୀ ସହକାର’ ଯୋଜନାରେ ସହାୟତା ମିଳୁଛି।
- ଯୁବ ସମବାୟ ସମିତିଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ‘ଯୁବ ସହକାର’ ଯୋଜନା କାର୍ଯ୍ୟକାରୀ ହେଉଛି।
- ଗତ ୫ ବର୍ଷ ମଧ୍ୟରେ NCDC ଦ୍ୱାରା ଓଡ଼ିଶାର ସମବାୟ କ୍ଷେତ୍ରର ବିକାଶ, ମତ୍ସ୍ୟଚାଷ, ଦୁଗ୍ଧ ଉତ୍ପାଦନ, ସଂରକ୍ଷଣ ଗୃହ ଏବଂ କୃଷକ ଉତ୍ପାଦକ ସଂଗଠନ ପାଇଁ ମୋଟ ୩,୩୫୨.୦୩ କୋଟି ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇସାରିଛି।
ଗ୍ରାମୀଣ ସମବାୟ ବ୍ୟାଙ୍କିଂ କ୍ଷେତ୍ରରେ ବଡ଼ ସୁଧାର
ଗ୍ରାମାଞ୍ଚଳରେ ଲୋକଙ୍କୁ ସହଜରେ ବ୍ୟାଙ୍କିଂ ସେବା ଯୋଗାଇଦେବା ପାଇଁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି:

- ଗୋଲ୍ଡ ଲୋନ୍ ନିୟମରେ କୋହଳ : ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ସୁନା ଋଣ ଉପରେ ଥିବା ସର୍ବୋଚ୍ଚ ସୀମାକୁ ହଟାଇ ଦିଆଯାଇଛି।
- ଗୃହ ଋଣ ସୀମା ବୃଦ୍ଧି : ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକରେ ବ୍ୟକ୍ତିଗତ ଗୃହ ଋଣର ସୀମାକୁ ବୃଦ୍ଧି କରାଯାଇ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଛି।
- ଓଟିଏସ୍ ସୁବିଧା : ବାକି ପଡ଼ିଥିବା ଋଣର ସହଜ ପରିଶୋଧ ପାଇଁ ୱାନ୍-ଟାଇମ୍ ସେଟେଲମେଣ୍ଟ ପ୍ରକ୍ରିୟାକୁ ଅନୁମତି ଦିଆଯାଇଛି।
- ନୂଆ ଶାଖା ଖୋଲିବା ସୁବିଧା : ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡ଼ିକୁ ଅଟୋମେଟିକ୍ ରୁଟ୍ରେ ନୂଆ ଶାଖା ଖୋଲିବାକୁ ଅନୁମତି ମିଳିଛି।
କେନ୍ଦ୍ର ସରକାରଙ୍କ “ସହକାର ରୁ ସମୃଦ୍ଧି” ଆଭିମୁଖ୍ୟ ଅଧୀନରେ ନିଆଯାଉଥିବା ଏହିସବୁ ପଦକ୍ଷେପ ଯୋଗୁଁ ଓଡ଼ିଶାର ସମବାୟ ସମିତିଗୁଡ଼ିକ ଅଧିକ ମଜବୁତ୍ ଓ ଆଧୁନିକ ହୋଇପାରିବେ ବୋଲି ଆଶା କରାଯାଉଛି।


