ଓଡ଼ିଶାର ରାଜନୀତିରେ କେତେକ ଯୋଜନା କେବଳ ଶାସନର ଅଂଶ ନୁହେଁ, ସେଗୁଡ଼ିକ ନିର୍ବାଚନୀ ରଣନୀତି, ପ୍ରଶାସନିକ ଆନୁଗତ୍ୟ ଓ ଶକ୍ତିର ଦୀର୍ଘକାଳୀନ ସଂରଚନାକୁ ମଧ୍ୟ ପ୍ରତିବିମ୍ବିତ କରେ। “ପିଠା” ଯୋଜନା ସେହିପରି ଗୋଟିଏ ଉଦାହରଣ; ଯାହା ସାଧାରଣ ଲୋକଙ୍କ ଦୃଷ୍ଟିରେ ଏକ ସାମାଜିକ–ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ଲାଗୁଥିଲା, କିନ୍ତୁ ପାୱାର କରିଡରରେ ତାହାକୁ ଦେଖାଯାଉଥିଲା ଏକ ନିର୍ବାଚନୀ ଅସ୍ତ୍ର ଭାବେ । ଆଜି, ୨୦୨୪ ପରବର୍ତ୍ତୀ ରାଜନୈତିକ ପରିଦୃଶ୍ୟରେ, “ପିଠା” ପରେ “ମିଠା” ଆସିବ କି?—ଏହି ପ୍ରଶ୍ନ କେବଳ ଗୋଟିଏ ଯୋଜନା ସମ୍ପର୍କରେ ନୁହେଁ, ଏହା ଓଡ଼ିଶାର ପ୍ରଶାସନ–ରାଜନୀତି ସମ୍ପର୍କର ଗଭୀର ମନୋବୈଜ୍ଞାନିକ ଓ ଶକ୍ତିଗତ ପରିବର୍ତ୍ତନକୁ ସୂଚାଏ।
ଆଜିର ପ୍ରସଙ୍ଗ ସେତେବେଳେ ପିଠା, ଏବେ ମିଠା? ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ।
ପିଠା ଯୋଜନା: ସାମାଜିକ କାର୍ଯ୍ୟକ୍ରମ ନା ନିର୍ବାଚନୀ ଯନ୍ତ୍ର?

୨୦୧୯ ନିର୍ବାଚନ ପୂର୍ବରୁ, ୨୦୧୮ ଡିସେମ୍ବରରେ ଆରମ୍ଭ ହୋଇଥିବା “ଜନସଶକ୍ତିକରଣ- ଓଡ଼ିଶାରେ ସ୍ୱଚ୍ଛତାକୁ ସକ୍ଷମ କରିବା ଏବଂ ଦାୟିତ୍ୱ ବୃଦ୍ଧି କରିବା” ପଦକ୍ଷେପ- ଯାହାକୁ ସାଧାରଣ ଭାଷାରେ “ପିଠା ଯୋଜନା” ବୋଲି ଡାକାଯାଇଥିଲା- ପଞ୍ଚାୟତ ସ୍ତରରେ ଏକ ଅଭୂତପୂର୍ବ ଆୟୋଜନ ରୂପ ନେଇଥିଲା। ତତ୍କାଳୀନ ପଞ୍ଚାୟତିରାଜ ସଚିବ ଦେଓରଂଜନ କୁମାର ସିଂହଙ୍କ ନେତୃତ୍ୱରେ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ପିଠା ପ୍ରଦର୍ଶନୀ, ସ୍ୱଚ୍ଛତା ସନ୍ଦେଶ, ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଭାଗିଦାରୀ- ସବୁକିଛି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରୁଥିଲା।
ପ୍ରତି ପଞ୍ଚାୟତକୁ ପ୍ରାୟ ୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଓଡ଼ିଶାର ୬,୮୦୧ଟି ଗ୍ରାମ ପଞ୍ଚାୟତକୁ ଗଣନା କଲେ, ଏହି ଯୋଜନାର ଆନୁମାନିକ ଖର୍ଚ୍ଚ ଦଶ ହଜାର କୋଟି ଟଙ୍କାକୁ ଅତିକ୍ରମ କରିଥିବା ଆଲୋଚନା ରହିଛି। ସରକାରୀ ଭାଷାରେ ଏହା ଥିଲା “ସାମାଜିକ ସଚେତନତା”, କିନ୍ତୁ ରାଜନୈତିକ ମହଲରେ ଏହାକୁ ଦେଖାଯାଇଥିଲା- ୨୦୧୯ ନିର୍ବାଚନ ପାଇଁ ଏକ ସୁକୌଶଳ ଭୂମିସ୍ତରୀୟ ମୋବିଲାଇଜେସନ। ଫଳାଫଳ ସମସ୍ତଙ୍କ ସାମ୍ନାରେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ୨୦୧୯ରେ ପୁଣି କ୍ଷମତାକୁ ଫେରିଲା। ପିଠା ଯୋଜନା ଏହି ବିଜୟରେ କେତେ ଭୂମିକା ନେଇଥିଲା- ସେଥିରେ ଆଜିବି ରାଜନୈତିକ ବିଶ୍ଳେଷଣ ଚାଲିଛି। କିନ୍ତୁ ଏହା ନିଶ୍ଚିତ ଯେ ପଞ୍ଚାୟତ ସ୍ତରରେ ଏକ ମନୋବୈଜ୍ଞାନିକ ଆଧିପତ୍ୟ ସୃଷ୍ଟି ହୋଇଥିଲା।
ଦେଓରଂଜନ ସିଂହ: ଦୀର୍ଘକାଳୀନ ସଚିବ ଓ ଶକ୍ତିର ଧାରା
ବିଜେଡି ପୁଣି କ୍ଷମତାକୁ ଆସିବା ପରେ ମଧ୍ୟ ଦେଓରଂଜନ କୁମାର ସିଂହଙ୍କ ବିଭାଗ ପରିବର୍ତ୍ତନ ହୋଇନଥିଲା। ପଞ୍ଚାୟତିରାଜ ବିଭାଗରେ ପ୍ରାୟ ଦଶବର୍ଷ ସଚିବ ଭାବେ ରହିବା- ଏହା ଓଡ଼ିଶା ପ୍ରଶାସନିକ ଇତିହାସରେ ଏକ ଦୁର୍ଲଭ ଘଟଣା ଥିଲା। ସାଙ୍ଗରେ ଖଣି ଓ ଇସ୍ପାତ ଭଳି ଲାଭଜନକ ବିଭାଗର ଅତିରିକ୍ତ ଦାୟିତ୍ୱ- ଏହା ତାଙ୍କୁ ଏକ “ସୁପର ବ୍ୟୁରୋକ୍ରାଟ” ଭାବେ ପରିଚିତ କରାଇଥିଲା। ରାଜନୀତି ଓ ପ୍ରଶାସନ ମଧ୍ୟରେ ଏହି ଧରଣର ଦୀର୍ଘ ସମ୍ପର୍କ ଅନେକ ପ୍ରଶ୍ନ ଉଠାଏ- କେଉଁଠି ନୀତିଗତ ସୀମା? କେଉଁଠି ନିର୍ବାଚନୀ ନିରପେକ୍ଷତା? କିନ୍ତୁ ବିଜେଡି ଶାସନକାଳରେ ଏହି ପ୍ରଶ୍ନଗୁଡ଼ିକ ଅଧିକାଂଶ ସମୟରେ ପାୱାର କରିଡର ଭିତରେ ସୀମିତ ରହିଗଲା।
ସରକାର ବଦଳିଲା, ବାବୁ ରହିଲେ?
୨୦୨୪ରେ ଓଡ଼ିଶାରେ ଶାସନ ପରିବର୍ତ୍ତନ ହେଲା। ବିଜେପି କ୍ଷମତାକୁ ଆସିଲା। ଏହା ସହିତ ପ୍ରଶାସନରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ଯାହା ଘଟିଲା, ସେଥିରେ ଏକ ଅଲଗା ସଙ୍କେତ ମିଳିଲା- ଦେଓରଂଜନ କୁମାର ସିଂହଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି।
ଏହା ରାଜ୍ୟ ପ୍ରଶାସନର ଦ୍ୱିତୀୟ ସର୍ବୋଚ୍ଚ ପଦ। ସେ ୨୦୨୮ ଜାନୁଆରୀରେ ଅବସର ନେବେ। ବର୍ତ୍ତମାନର ମୁଖ୍ୟ ସଚିବ ଅନୁ ଗର୍ଗ ୨୦୨୯ ମାର୍ଚ୍ଚରେ ଅବସର ନେବେ। ଏହା ମଧ୍ୟରେ ଏକ ରାଜନୈତିକ–ପ୍ରଶାସନିକ ଅନୁମାନ ଜନ୍ମ ନେଲା- ଦେଓରଂଜନ ସିଂହ କ’ଣ ଆଗାମୀ ମୁଖ୍ୟ ସଚିବ?
ବିଜେପି ସରକାର ଓଡ଼ିଆ ଆଇଏଏସ ଅଫିସରଙ୍କୁ ନେଇ ଅସୁବିଧାରେ ଅଛି ବୋଲି ଆଲୋଚନା ହେଉଛି, ସେଥିରେ ଏହି ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ। ଏପର୍ଯ୍ୟନ୍ତ ଦୁଇଜଣ ଅଣ–ଓଡ଼ିଆ ଅଫିସର ମୁଖ୍ୟ ସଚିବ ହୋଇଛନ୍ତି। ସେମାନେ ଓଡ଼ିଆ ଅସ୍ମିତା ପାଇଁ କାମ କରିଛନ୍ତି ବୋଲି ଦଳୀୟ ମହଲ ଦାବି କରୁଛି—୨୦୨୪ ଫେବୃୟାରୀରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏହାର ଶ୍ରେଷ୍ଠ ଉଦାହରଣ। ଯାହାକୁ ତତ୍କାଳୀନ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ହୋଇଥିଲା। ଉଦ୍ଦେଶ୍ୟ ଥିଲା ସେତେବେଳର ଅଘୋଷିତ ମୁଖ୍ୟମନ୍ତ୍ରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଓଡ଼ିଆ ପ୍ରମୀ ବୋଲି ପରିଚିତ କରାଇବା।
ପାୱାର କରିଡରର ଚର୍ଚ୍ଚା, ପିଠା ପରେ ମିଠା?
![]()
ଦେଓରଂଜନ ସିଂହ ଏବେ ଉନ୍ନୟନ କମିଶନର। ଏହି ପଦ ତାଙ୍କୁ ସ୍ୱାଧୀନ ଭାବେ ନୀତିଗତ ଓ ବିକାଶମୂଳକ ନିଷ୍ପତ୍ତି ନେବାର ସୁଯୋଗ ଦେଉଛି। ଏହି ପରିପ୍ରେକ୍ଷୀରେ ପାୱାର କରିଡରରେ ଏକ ନୂଆ ଚର୍ଚ୍ଚା—ପଞ୍ଚାୟତ ସ୍ତରରେ ହେବ କି “ମିଠା ଯୋଜନା”। ଆଗକୁ ପଞ୍ଚାୟତ ନିର୍ବାଚନ। ବିଜେପି ପାଇଁ ଏହା ପ୍ରଥମ ବଡ଼ ଭୂମିସ୍ତରୀୟ ପରୀକ୍ଷା। ଦଳୀୟ ସଂଗଠନ ଏପର୍ଯ୍ୟନ୍ତ ସେତେ ମଜବୁତ ନୁହେଁ। ଏହି ଶୂନ୍ୟତାକୁ ପୂରଣ କରିବା ପାଇଁ ପ୍ରଶାସନିକ କଳକୁ ବ୍ୟବହାର କରାଯିବ କି? “ମିଠା ଯୋଜନା” ଏହି ପ୍ରଶ୍ନକୁ ଆହୁରି ଧାର ଦେଉଛି।
ଯଦି ଏହିପରି କିଛି ଯୋଜନା ଆସେ, ତେବେ ପ୍ରଶ୍ନ ହେବ- ଏହା କ’ଣ ସତ୍ୟସାଧନ ଗ୍ରାମ ଉନ୍ନତି, ନା ପିଠା ଯୋଜନାର ପୁନରାବୃତ୍ତି? ନାମ ବଦଳିବ, ମାନସିକତା ରହିବ ନା ବଦଳିବ?
ରାଜନୈତିକ ଓ ନୀତିଗତ ପ୍ରଶ୍ନ
ଏଠାରେ କେବଳ ବିଜେପି କିମ୍ବା ବିଜେଡିର କଥା ନୁହେଁ। ଏହା ଓଡ଼ିଶାର ଲୋକତନ୍ତ୍ର ପାଇଁ ଏକ ବଡ଼ ପ୍ରଶ୍ନ। ପ୍ରଶାସନ କ’ଣ ଶାସକ ଦଳର ନିର୍ବାଚନୀ ଯନ୍ତ୍ର ହେବ? ବାବୁମାନେ କ’ଣ ଦଳ ବଦଳିଲେ ମଧ୍ୟ ଗୋଟିଏ ପ୍ରକାରର ରଣନୀତିରେ ଚାଲିବେ? ପିଠା ଯୋଜନା ଦିନରେ ଯେପରି ଅନେକେ ନୀରବ ଥିଲେ, ଆଜି ମିଠା ଯୋଜନା ଆସିଲେ ସେହି ନୀରବତା ରହିବ କି? ନା ନୂଆ ସରକାର ନୀତିଗତ ମାନଦଣ୍ଡ ସ୍ଥାପନ କରିବ?
ପିଠା–ମିଠାର ପରେ ଲୋକତନ୍ତ୍ର
ସେତେବେଳେ ପିଠା, ଏବେ ମିଠା—ଶବ୍ଦ ଦୁଇଟି ମିଠା, କିନ୍ତୁ ତାହାର ପଛରେ ଥିବା ରାଜନୈତିକ ଅର୍ଥ କଟୁ। ଯଦି ଯୋଜନା ଲୋକଙ୍କ ଭଲ ପାଇଁ, ତେବେ ସେଥିରେ କୌଣସି ଦଳୀୟ ଗନ୍ଧ ଥିବା ଉଚିତ ନୁହେଁ। ଯଦି ଯୋଜନା ନିର୍ବାଚନ ପାଇଁ, ତେବେ ତାହାକୁ ଲୋକତନ୍ତ୍ର ପ୍ରତି ଏକ ଅସମ୍ମାନ ବୋଲି ଦେଖାଯିବ।
ଓଡ଼ିଶା ଏବେ ଏକ ସଙ୍କଟ ସନ୍ଧିକ୍ଷଣରେ। ଏଠାରେ ନିଷ୍ପତ୍ତି ହେବ—ପ୍ରଶାସନ ଲୋକଙ୍କ ପାଇଁ କାମ କରିବ, ନା ନିର୍ବାଚନୀ ରଣନୀତିର ଏକ ଅଂଶ ହୋଇ ରହିବ।
ପିଠା କି ମିଠା—ଶେଷ ପର୍ଯ୍ୟନ୍ତ ମୂଲ୍ୟାୟନ ହେବ ଲୋକତନ୍ତ୍ରର ସ୍ୱାଦରେ।
also read https://purvapaksa.com/bulldozers-roar-again-near-turkmen-gate/
Bulldozers roar again near Turkmen Gate || ତୁର୍କମାନ ଗେଟ୍ ପାଖରେ ପୁଣି ବୁଲଡୋଜର ଗର୍ଜନ


