ଓଡ଼ିଶା ରାଜନୀତିରେ ଯେତେବେଳେ ଚର୍ଚ୍ଚା ଥମିଯାଇଛି ବୋଲି ଲୋକମାନେ ଭାବନ୍ତି, ସେତେବେଳେ ପଛପଟୁ ଏମିତି ଏକ ଖବର ଆସେ, ଯାହା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରେ। ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତଥା ବିଜୁ ଜନତା ଦଳର ତଥାକଥିତ ବିଜେଡିର ଆତ୍ମଘୋଷିତ ସନ୍ୟାସୀ ତଥା ଓଡ଼ିଶାରେ ନେତା ହେବା ପାଇଁ ଆସ୍ପର୍ଦ୍ଧା ରଖିଥିବା ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଚାରିପାଖରେ ଘୂରି ବୁଲୁଛି। ନିକଟରେ ଆପଣମାନେ ସମସ୍ତେ ଗୋଟିଏ ଘଟଣା ବାବଦରେ ବହୁତ ଭଲ ଭାବରେ ଅବଗତ ଥିବେ। ବିଜେଡିର ସନ୍ୟାସୀ ନେତା ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ନିକଟରେ ସୁଦୂର ଦକ୍ଷିଣ ଆମେରିକାର ଦେଶ ଭେନେଜୁଏଲା ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ସେ ନିଜ ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ କିଛି ଫଟୋ ସେୟାର କଲେ। ବାସ୍, ସେତିକିରୁ ହିଁ ଓଡ଼ିଶାର ରାଜନୈତିକ ଏବଂ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବଜାର ଗରମ ହୋଇଗଲା।
କିନ୍ତୁ କଥା କେବଳ ଚର୍ଚ୍ଚାରେ ସୀମିତ ରହିଲାନି। ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର ଓଡ଼ିଶାରେ ଯେଉଁ ଅନୁଗାମୀ ଏବଂ ଶିଷ୍ୟମାନେ ଅଛନ୍ତି, ସେମାନେ ଏହି ଗସ୍ତକୁ ନେଇ ଓଡ଼ିଶା ଆକାଶରେ ଏକ ବଡ଼ ପ୍ରଚାରତନ୍ତ୍ରର ବିଗୁଲ୍ ବଜାଇ ଦେଲେ। କୁହାଗଲା, ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେନେଜୁଏଲାର ରାଷ୍ଟ୍ରପତି ନିଜେ ଡାକିଛନ୍ତି! ସେଠାରେ ଭୂକମ୍ପ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି! କିନ୍ତୁ ପ୍ରଶ୍ନ ଉଠୁଛି— ସତରେ କ’ଣ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେନେଜୁଏଲା ସରକାର ତାଙ୍କର ଯୋଗ୍ୟତା ପାଇଁ ନିମନ୍ତ୍ରଣ କରିଥିଲେ? ନା ଏହା ପଛରେ ରହିଛି ଏକ ବଡ଼ ରାଜନୈତିକ ମିଛ ପ୍ରଚାର? ଏହା କୌଣସି ଜନସେବା ମିଶନ ଥିଲା ନା ନିଜର ମଳିନ ପଡ଼ିଯାଇଥିବା ଭାବମୂର୍ତ୍ତିକୁ ସଫା କରିବା ପାଇଁ ଏକ ସୁଚିନ୍ତିତ ସ୍କ୍ରିପ୍ଟ?
ଗଣମାଧ୍ୟମରେ ହଟଚମଟ ଏବଂ ପ୍ରଚାରତନ୍ତ୍ରର ଜାଲ୍
ଆମ ରାଜ୍ୟର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜନନାୟକ ଥିଲେ। କିନ୍ତୁ ତାମିଲନାଡୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ହେଉଛନ୍ତି ମିଛ ନାଟକର ନାୟକ। ଘଟଣାଟି କେଉଁଠୁ ଆରମ୍ଭ ହେଲା, ତାହା ଦେଖନ୍ତୁ। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ରେ ନିଜର ଲଣ୍ଡା ମୁଣ୍ଡ ସହ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ଙ୍କ ସହ କିଛି ଫଟୋ ପୋଷ୍ଟ କଲେ। ଏହାପରେ ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ଖବରକାଗଜ, ଟିଭି ଚ୍ୟାନେଲ ଏବଂ ଜାତୀୟ ସ୍ତରର ଗଣମାଧ୍ୟମରେ ଏହାକୁ ନେଇ ବଡ଼ ବଡ଼ ହେଡ୍ଲାଇନ୍ସ ପ୍ରକାଶ ପାଇଲା। ଏହି ପ୍ରଚାର କିଏ କରୁଥିଲା? ବିଜୁ ଜନତା ଦଳରେ ଥିବା ପାଣ୍ଡିଆନ ପନ୍ଥୀ ନେତା ଏବଂ ତାଙ୍କର ଅନୁଗାମୀମାନେ ଏହାକୁ ଏଭଳି ଭାବେ ଉପସ୍ଥାପନ କଲେ, ଯେମିତି ମନେହେବ ତାମିଲନାଡୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିନା ପୂରା ପୃଥିବୀରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅସମ୍ଭବ।
ଆପଣମାନଙ୍କର ମନେଥିବ, ଗତ ୭ତାରିଖରେ ଆମେ ‘ପୂର୍ବପକ୍ଷ’ର ପଲଟିକାଲ ଭାଗବତରେ କେଉଁ ପରିଚୟରେ ସନ୍ୟାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଭେନେଜୁଏଲା ଯାଇଥିଲେ ବୋଲି ପ୍ରଶ୍ନ କରିଥିଲୁ। ଆମେ ଦର୍ଶକଙ୍କୁ କହିଥିଲୁ ଯେ ଏହି ମହାନତାର ଆବରଣ ପଛରେ କିଛି ଅଲଗା କାହାଣୀ ଥାଇପାରେ। ଆଉ ଏବେ, ସେହି ସନ୍ଦେହ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହୋଇଛି। ଦେଶର ଜଣେ ବରିଷ୍ଠ ଏବଂ ପ୍ରତିଷ୍ଠିତ ସାମ୍ବାଦିକ ରୁବେନ୍ ବାନାର୍ଜୀ ଏହା ଉପରୁ ଏକ ସାଙ୍ଘାତିକ ସତକୁ ଉଜାଗର କରିଛନ୍ତି। ରୁବେନ୍ ବାନାର୍ଜୀଙ୍କ ପରି ଜଣେ ଅଭିଜ୍ଞ ସାମ୍ବାଦିକ ଯେତେବେଳେ କୌଣସି ତଥ୍ୟ ରଖନ୍ତି, ସେତେବେଳେ ପ୍ରଚାରତନ୍ତ୍ରର ମୂଳଦୁଆ ଦୋହଲିଯାଏ।
ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ସାଙ୍ଘାତିକ ତଥ୍ୟର ବିଶ୍ଳେଷଣ
ଆସନ୍ତୁ ଜାଣିବା ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ଏହି ଗସ୍ତର ଭିତର କଥା କ’ଣ କହିଛନ୍ତି। ରୁବେନ୍ ବାନାର୍ଜୀଙ୍କ କହିବା ଅନୁଯାୟୀ, ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସେହି ଇନଷ୍ଟାଗ୍ରାମ ପୋଷ୍ଟଟି ବହୁତ ଚତୁରତା ସହ ଲେଖାଯାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ବିପର୍ଯ୍ୟୟ ପରିଚାଳନା ଉପରେ ବ୍ରିଫିଙ୍ଗ୍ ଦେଉଛନ୍ତି। କିନ୍ତୁ ସେହି ପୋଷ୍ଟ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଲୁଚି ରହିଥିଲା, ତାହା ହେଉଛି ‘ସତ୍ୟ ସାଈ ବାବା ଓ ସତ୍ୟ ସାଈ ଆନ୍ତର୍ଜାତୀକ ସଂଗଠନ’।
ରୁବେନ୍ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ, ଭେନେଜୁଏଲାରେ ଏବେ ଭୂକମ୍ପ ଓ ଆର୍ଥିକ ସଙ୍କଟ ଯୋଗୁଁ ଅନେକ ଆନ୍ତର୍ଜାତୀକ ସଂଗଠନ ରିଲିଫ୍ ଓ ସେବା କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ସତ୍ୟ ସାଈ ସଂଗଠନ ହେଉଛି ଅନ୍ୟତମ। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ କୌଣସି ସରକାରୀ ପ୍ରତିନିଧି କିମ୍ବା ଓଡ଼ିଶା ସରକାରଙ୍କ ତରଫରୁ ସେଠାକୁ ଯାଇନାହାନ୍ତି, ବରଂ ସେ ସତ୍ୟ ସାଈ ଆନ୍ତର୍ଜାତୀକ ସଂଗଠନର ଜଣେ ସ୍ୱେଚ୍ଛାସେବୀ ଭାବରେ ସେହି ସେବା କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲେ।
ଆଉ ସେହି ଯେଉଁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଲଣ୍ଡା ମୁଣ୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ତାହା ପଛରେ ମଧ୍ୟ ସତ୍ୟ ସାଈ ଆଶ୍ରମର ଏକ ପରମ୍ପରା ରହିଛି। ସେହି ସଂଗଠନରେ ନିଜର ଅହଂକାର ବା ‘ଇଗୋ’ (Ego) କୁ ତ୍ୟାଗ କରିବା ପାଇଁ ମୁଣ୍ଡ ଲଣ୍ଡା କରିବାର ଏକ ରୀତି ରହିଛି, ଯାହା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ କରିଥିଲେ। ଅର୍ଥାତ୍, ଏହା ସମ୍ପୂର୍ଣ୍ଣ ଭାବେ ଏକ ଆଧ୍ୟାତ୍ମିକ ଏବଂ ସେବା ସଂଗଠନର ବ୍ୟକ୍ତିଗତ ଗସ୍ତ ଥିଲା, ଯାହାକୁ ଓଡ଼ିଶାରେ ଏକ ବଡ଼ ଆନ୍ତର୍ଜାତୀକ ଡିପ୍ଲୋମାଟିକ୍ ମିଶନ୍ ଭାବେ ପ୍ରୋଜେକ୍ଟ କରାଗଲା। ସାମ୍ବାଦିକ ବାନାର୍ଜୀ ୯୫% ନିଶ୍ଚିତ ଯେ, ଏହି ପୂରା ଗସ୍ତଟି ସତ୍ୟ ସାଈ ସଂଗଠନର ସୌଜନ୍ୟରୁ ହିଁ ହୋଇଥିଲା।
ବିଜେଡି ନେତାଙ୍କ ‘କିଲୋମିଟର ବେଗ’ର ପ୍ରଚାର ଓ ଟ୍ୱିଟର ଯୁଦ୍ଧ
ଏବେ ଦେଖନ୍ତୁ, ଯେତେବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଫଟୋ ଛାଡ଼ିଲେ, ଓଡ଼ିଶାରେ ଥିବା ତାଙ୍କ ଅନୁଗତ ନେତାମାନେ କେମିତି ପ୍ରତିକ୍ରିୟା ପ୍ରକାଶ କଲେ। ସବୁଠୁ ଆଗରେ ଥିଲେ ବିଜୁ ଜନତା ଦଳର ରାଜ୍ୟସଭା ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ। ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ‘ଏକ୍ସ’ (X) ରେ ଲେଖିଲେ ଯେ— ଓଡ଼ିଶାରେ ଲୋକମାନେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କକୁ ଖୋଜୁଥିଲେ, କିନ୍ତୁ ସେ ଭେନେଜୁଏଲାରେ ମିଳିଲେ! ସେଠାରେ ଭେନେଜୁଏଲାର ରାଷ୍ଟ୍ରପତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଠାରୁ ଗୁରୁମନ୍ତ୍ର ନେଉଛନ୍ତି! ମାନସ ମଙ୍ଗରାଜଙ୍କ ପ୍ରଚାରର ବେଗ ଏତେ ତୀବ୍ର ଥିଲା ଯେ, ସେ ଭାବିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ହେଉଛନ୍ତି ସାରାବିଶ୍ୱର ଏକମାତ୍ର ଉଦ୍ଧାରକର୍ତ୍ତା।
ତାଙ୍କ ପଛକୁ ଆସିଲେ ବିଜେଡିର ଅନ୍ୟତମ ରାଜ୍ୟସଭା ସାଂସଦ ସୁଲତା ଦେଓ। ସେ କହିଲେ ଯେ, ଭେନେଜୁଏଲାରେ ଏତେ ବଡ଼ ଭୂକମ୍ପ ଓ ବିପର୍ଯ୍ୟୟ ହୋଇଛି, ତାକୁ କେମିତି ସଜଡ଼ା ଯିବ, ତାର ବ୍ଲୁ-ପ୍ରିଣ୍ଟ ଓ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସେଠାକାର ଶାସନ ସ୍ୱତନ୍ତ୍ର ଭାବରେ ଡାକିଛି।
ଏହା ସହିତ ନିକଟରେ ବିଜେଡିରେ ଯୋଗ ଦେଇଥିବା କିଛି ନୂଆ ନେତା ମଧ୍ୟ ଗଣମାଧ୍ୟମ ଆଗରେ ବଡ଼ ବଡ଼ ବୟାନ ରଖିଲେ ଯେ, ଭେନେଜୁଏଲା ସରକାରଙ୍କୁ ଓଡ଼ିଶାର ଏହି ମଡେଲ୍ ଏବଂ ଏକ୍ସପର୍ଟ ସହାୟତା ଜରୁରୀ ଥିଲା।
କିନ୍ତୁ ରୁବେନ୍ ବାନାର୍ଜୀ ସ୍ପଷ୍ଟ କହିଛନ୍ତି, ଏହି ସବୁ ହେଉଛି ପିଓର୍ ପ୍ରୋପାଗାଣ୍ଡା ଏବଂ ପବ୍ଲିସିଟି ଷ୍ଟଣ୍ଟ। ଯଦି ଏହି ଗସ୍ତ ସରକାରୀ ସ୍ତରର କିମ୍ବା ମିଳିତ ଜାତିସଂଘ (UN) ସ୍ତରର ଥିଲା, ତେବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ନିଜେ କିମ୍ବା ତାଙ୍କ ଦଳ ଏହାର କୌଣସି ଅଫିସିଆଲ୍ ଦସ୍ତାବିଜ୍ କାହିଁକି ସାମ୍ନାକୁ ଆଣୁନାହାନ୍ତି? ଏହି ନେତାମାନେ ଜାଣିଶୁଣି ଓଡ଼ିଶାବାସୀଙ୍କକୁ ଭ୍ରମିତ କରିବା ପାଇଁ ଏକ ମିଛ କାହାଣୀ ପ୍ରସ୍ତୁତ କରିଥିଲେ, ଯାହାର ପୋଲ୍ ଏବେ ଖୋଲିଯାଇଛି।
ସତ୍ୟ ସାଈ ଆଶ୍ରମ ଓ ଭେନେଜୁଏଲା ସରକାରଙ୍କ ଭିତରର ଗୋପନ କନେକ୍ସନ୍
‘ପୂର୍ବପକ୍ଷ’ କେବଳ ଉପର ଠାଉରିଆ ଚର୍ଚ୍ଚା କରେନାହିଁ, ଆମେ ଏହାର ଗଭୀରକୁ ଯାଇ ଅନୁସନ୍ଧାନ କରିଛୁ। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ସତରେ କେମିତି ସେଠାକୁ ଗଲେ ଏବଂ ସତ୍ୟ ସାଈ ସଂଗଠନର ଏଥିରେ କ’ଣ ଭୂମିକା ରହିଛି, ତାର କିଛି ବଳିଷ୍ଠ ପ୍ରମାଣ ଆମକୁ ମିଳିଛି।
ଆସନ୍ତୁ ନଜର ପକାଇବା ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତୀ ସତ୍ୟ ସାଈ ଆଶ୍ରମ ସହିତ ଭେନେଜୁଏଲା ସରକାରଙ୍କ ସମ୍ପର୍କ କେତେ ନିବିଡ଼:
୧. ଜୁନ୍ ମାସର ସେହି ଗୁରୁତ୍ୱପୂର୍ଣ୍ଣ ଗସ୍ତ: ବର୍ତ୍ତମାନ ଭେନେଜୁଏଲାର ଯେଉଁ କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ଙ୍କ ସହ ଭୈରବ କାର୍ତ୍ତିକେୟ ପାଣ୍ଡିଆନ ଫଟୋ ଉଠାଇଛନ୍ତି, ସେ ନିଜେ ଗତ ଜୁନ୍ ମାସରେ ଭାରତ ଆସି ପୁଟ୍ଟପର୍ତ୍ତୀ ଆଶ୍ରମ ଗସ୍ତ କରିଥିଲେ। ସେ ସେଠାରେ ସାଈ ବାବାଙ୍କ ପ୍ରତିମୂର୍ତ୍ତି ଆଗରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଆଶ୍ରମର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେବଳ ଏହିଥର ନୁହେଁ, ୨୦୨୩ ଏବେ ୨୦୨୪ରେ ମଧ୍ୟ ଡେଲସି ରୋଡ୍ରିଗେଜ୍ ପୁଟ୍ଟପର୍ତ୍ତୀ ଆସିଛନ୍ତି।
୨. ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ସାଈ ଭକ୍ତି: ଏହି ସମ୍ପର୍କ ଆଜିର ନୁହେଁ, ବରଂ ବହୁତ ପୁରୁଣା। ଭେନେଜୁଏଲାର ପୂର୍ବତନ ଶକ୍ତିଶାଳୀ ରାଷ୍ଟ୍ରପତି ନିକୋଲାସ ମାଦୁରୋ ୨୦୦୫ ମସିହାରେ ନିଜ ପରିବାର ସହ ପୁଟ୍ଟପର୍ତ୍ତୀ ଆଶ୍ରମ ଆସିଥିଲେ। ସେ ସାଈ ବାବାଙ୍କର ଜଣେ ପରମ ଭକ୍ତ ପାଲଟି ଯାଇଥିଲେ। ସେ ନିଜ କାର୍ଯ୍ୟାଳୟରେ ସାଈ ବାବାଙ୍କର ଏକ ବଡ଼ ଫଟୋ ଲଗାଇଥିଲେ ଏବଂ ଯେତେବେଳେ ସାଈ ବାବାଙ୍କର ଦେହାବସାନ ହୋଇଥିଲା, ସେତେବେଳେ ପୂରା ଭେନେଜୁଏଲା ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା।
୩. ୫୦ରୁ ଅଧିକ ସାଈ ସଂସ୍ଥା: ଆଜିର ଦିନରେ ଭେନେଜୁଏଲାରେ ସାଈ ବାବା ଆଶ୍ରମ ଦ୍ୱାରା ନିୟନ୍ତ୍ରିତ ୫୦ରୁ ଅଧିକ ସେବା ସଂସ୍ଥା କାର୍ଯ୍ୟ କରୁଛନ୍ତି । ଯେତେବେଳେ ଭେନେଜୁଏଲା ସରକାର ପାଶ୍ଚାତ୍ୟ ଦେଶର କୌଣସି ଏନଜିଓ (NGO)କୁ ନିଜ ଦେଶରେ କାମ କରିବାକୁ ଅନୁମତି ଦିଅନ୍ତି ନାହିଁ, ସେତେବେଳେ ଏହି ପୁଟ୍ଟପର୍ତ୍ତୀ ସାଈ ସଂଗଠନକୁ ସେଠାରେ ମୁକ୍ତ ଭାବେ ସେବା କାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି।
ଏହି ସବୁ ତଥ୍ୟ ପ୍ରମାଣିତ କରୁଛି ଯେ, ବାବୁ ପାଣ୍ଡିଆନ ସେହି ସାଇ ସଂଗଠନର ଏକ ଅଂଶ ହୋଇ, ସେହି ସୂତ୍ରରେ ଭେନେଜୁଏଲା ଯାଇଥିଲେ ଏବଂ ଆଶ୍ରମ ସହ ନିବିଡ଼ ସମ୍ପର୍କ ଥିବା ହେତୁ ସେଠାକାର ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବାର ସୁଯୋଗ ପାଇଥିଲେ। ଏଥିରେ କୌଣସି ଆନ୍ତର୍ଜାତୀକ ଡିଜାଷ୍ଟର ମ୍ୟାନେଜମେଣ୍ଟ ମିଶନ୍ ନ ଥିଲା।
ମଳିନ ଭାବମୂର୍ତ୍ତିକୁ ସଫା କରିବାର ନାଟକ
ତେବେ, ସବୁଠୁ ବଡ଼ ପ୍ରଶ୍ନ ହେଉଛି— ଯଦି ଏହା ଏକ ସାଧାରଣ ଆଧ୍ୟାତ୍ମିକ ଏବଂ ସେବା ଗସ୍ତ ଥିଲା, ତେବେ ପାଣ୍ଡିଆନ କିମ୍ବା ତାଙ୍କର ଅନୁଗାମୀମାନେ ଏହା ଉପରେ ସ୍ପଷ୍ଟୀକରଣ କାହିଁକି ରଖୁନାହାନ୍ତି ? କାହିଁକି ଓଡ଼ିଶାର ଲୋକଙ୍କୁ ଏକ ଭ୍ରମାତ୍ମକ କାହାଣୀ ଶୁଣାଯାଉଛି?
ଏହାର ଉତ୍ତର ବହୁତ ସହଜ। ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଏବଂ ସରକାର ବଦଳିବା ପରେ, ସନ୍ୟାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର ଯେଉଁ ସୁପର-ପାୱାରଫୁଲ୍ ଭାବମୂର୍ତ୍ତି ଥିଲା, ତାହା ସମ୍ପୂର୍ଣ୍ଣ ମଳିନ ପଡ଼ିଯାଇଛି। ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବା ପରେ, ସନ୍ୟାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର ରାଜନୈତିକ ପ୍ରଭାବ କମିଯାଇଛି।
ତେଣୁ, ନିଜର ସେହି ହଜିଯାଇଥିବା ସମ୍ମାନ ଏବଂ ସେହି ରାଜନୈତିକ ପ୍ରଭାବକୁ ପୁଣିଥରେ ଲୋକଲୋଚନକୁ ଆଣିବା ପାଇଁ ଏହି ଭେନେଜୁଏଲା ଗସ୍ତକୁ ଏକ ବଡ଼ ହତିଆର କରାଯାଇଥିଲା। ଏହା ନିଜର ମଳିନ ଚେହେରାକୁ ସଫା କରିବା ପାଇଁ ଏକ ସୁଚିନ୍ତିତ ସ୍କ୍ରିପ୍ଟେଡ୍ ନାଟକ ଥିଲା, ଯାହାର ନିର୍ଦ୍ଦେଶନା ସେ ନିଜେ ଦେଇଥିଲେ ଏବଂ ଅଭିନୟ ତାଙ୍କ ସହଯୋଗୀମାନେ ଓଡ଼ିଶା ମାଟିରେ କରୁଥିଲେ।
AlsoRead; https://purvapaksa.com/conspiracy-against-bjp-in-dharmendras-department/
ଧର୍ମେନ୍ଦ୍ରଙ୍କ ବିଭାଗରେ ବିଜେପି ବିରୋଧୀ ଷଡ଼ଯନ୍ତ୍ର! || Conspiracy against BJP in Dharmendra’s department!


