ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ପୁଣିଥରେ ତେଜିଛି ବିବାଦ। ଓଡ଼ିଶା ସରକାରଙ୍କ କଡ଼ା ସୁରକ୍ଷା ବଳୟ ଏବଂ ନାଲିଆଖିକୁ ଭେଦି, କୋଟିଆର ବିବାଦୀୟ ଗାଁଗୁଡ଼ିକରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ପ୍ରଦେଶ ଆଉ ଏକ ପାଦ ଆଗକୁ ବଢ଼ିଛି। ଆଗାମୀ ଡିସେମ୍ବର ୨ ତାରିଖରେ କୋଟିଆରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦବି ପାଇଁ ନିର୍ବାଚନ କରାଇବାକୁ ଆନ୍ଧ୍ର ପ୍ରଶାସନ ପ୍ରସ୍ତୁତି ଚଳାଇଥିବାବେଳେ, ସୋମବାର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଉ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି—କଡ଼ା ପହରା ସତ୍ତ୍ୱେ କୋଟିଆରୁ ମୋଟ ୫୮ ଜଣ ପ୍ରାର୍ଥୀ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମୋଟ ୫୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସରପଞ୍ଚ ପଦବି ପାଇଁ ୧୨ ଜଣ ଏବଂ ୱାର୍ଡସଭ୍ୟ ପଦବି ପାଇଁ ୪୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଓଡ଼ିଶା ପୁଲିସର କଡ଼ା ନଜରରୁ ବର୍ତ୍ତିବା ପାଇଁ ପ୍ରାର୍ଥୀମାନେ ଓଡ଼ିଶା ସୀମା ବାହାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି। ଗଞ୍ଜେଇପଦର ପଞ୍ଚାୟତ ପାଇଁ ଆନ୍ଧ୍ରର ଥୋନମ୍ରେ ଏବଂ ଫାଟୁସିନେରୀ ଓ ଫଗୁଣସିନେରୀ ପଞ୍ଚାୟତର ପ୍ରାର୍ଥୀମାନେ ମାଲୁଡି ପଞ୍ଚାୟତରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।
ଏତେ ସଂଖ୍ୟକ ପ୍ରାର୍ଥିପତ୍ର ଦାଖଲ ହେବା ପରେ ଏବେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ପୂର୍ବରୁ ଓଡ଼ିଶା ପୁଲିସ ଫଗୁଣସିନେରୀ ଗାଁର ୨ ଜଣ ଆନ୍ଧ୍ର ଏଜେଣ୍ଟଙ୍କୁ ଗିରଫ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶା ଭଳି ଆନ୍ଧ୍ର ପ୍ରଶାସନ ଓ ପୁଲିସ ମଧ୍ୟ ଡିସେମ୍ବର ୨ ତାରିଖର ଏହି ନିର୍ବାଚନକୁ ସଫଳ କରିବା ପାଇଁ ଭିତରେ ଭିତରେ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି।
ଅନ୍ୟପଟେ ଆନ୍ଧ୍ରର ଏହି ନିର୍ବାଚନୀ ଯୋଜନାକୁ ସମ୍ପୂର୍ଣ୍ଣ ଭଣ୍ଡୁର କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସ ଅଣ୍ଟା ଭିଡ଼ିଛନ୍ତି। କୋଟିଆ ମାଟିରେ ଆନ୍ଧ୍ରକୁ କୌଣସି ପ୍ରକାରେ ନିର୍ବାଚନ କରାଇ ନ ଦେବାକୁ ପ୍ରସ୍ତୁତି ଜୋରଦାର ଚାଲିଛି।
ଗତ ଦୁଇ ଦିନ ଧରି ଜଣେ ମାଜିଷ୍ଟ୍ରେଟ୍, ବରିଷ୍ଠ ପୁଲିସ ଅଧିକାରୀ ଏବଂ ବ୍ଲକ କର୍ତ୍ତୃପକ୍ଷ ସୀମାନ୍ତ ନେରିଢ଼ିବାଲସା, ଫାଟୁସିନେରୀ, ଫଗୁଣସିନେରୀ, ତଳସେମ୍ବି, ଉପରସେମ୍ବି ଏବଂ ଗଞ୍ଜେଇପଦର ଭଳି ଗାଁଗୁଡ଼ିକୁ ଗସ୍ତ କରିଛନ୍ତି। ସେମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟି ନକଲି ଭୋଟ, ଏକାଧିକ ସ୍ଥାନରେ ଭୋଟ ନଦେବା ଏବଂ ଆଧାର କାର୍ଡ ସମ୍ବନ୍ଧୀୟ ନିୟମାବଳୀ ବିଷୟରେ ସଚେତନ କରାଇଛନ୍ତି।
ଗୋଟିଏ ପଟେ ଆନ୍ଧ୍ରର ୫୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ଆଉ ଅନ୍ୟପଟେ କୋଟିଆରେ ନିର୍ବାଚନ ନ କରାଇ ଦେବାକୁ ଓଡ଼ିଶା ପ୍ରଶାସନର କଡ଼ା ଆଭିମୁଖ୍ୟ। ଆସନ୍ତା ଡିସେମ୍ବର ୨ ତାରିଖରେ ସୀମାନ୍ତ କୋଟିଆରେ ସ୍ଥିତି କ’ଣ ରହୁଛି ଏବଂ ଓଡ଼ିଶା ପ୍ରଶାସନ ଆନ୍ଧ୍ରର ଏହି ଚାଲ୍କୁ କିପରି ପ୍ରତିହତ କରୁଛି, ତାହା ଉପରେ ଏବେ ସାରା ରାଜ୍ୟର ନଜର ରହିଛି।
also read
Who is bringing a bad name to the government? II ସରକାରଙ୍କୁ ବଦନାମ କରୁଛି କିଏ?
https://purvapaksa.com/who-is-bringing-a-bad-name-to-the-government/


