ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଅଣଓଡ଼ିଆ ରାଜ୍? ପିଲାଙ୍କ ଭବିଷ୍ୟତ ସହ ଲଜ୍ଜାହୀନ ଖେଳ ଏବଂ ପାୱାର କରିଡରର ଗୁପ୍ତ ଷଡ଼ଯନ୍ତ୍ର!
ଆପଣଙ୍କ ଘରେ ଯଦି ଛୋଟ ପିଲା ଅଛନ୍ତି, ଯଦି ସେମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଭିତରେ ସରକାରୀ ସ୍କୁଲରେ ପଢ଼ୁଛନ୍ତି, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ଆମ ପିଲାମାନଙ୍କର ସୁନେଲୀ ଭବିଷ୍ୟତ ଗଢ଼ିବା ପାଇଁ, ସେମାନଙ୍କୁ ମଣିଷ ଭଳି ମଣିଷ କରିବା ପାଇଁ ସରକାରୀ ସ୍କୁଲକୁ ପଠାଉଛେ। ସରକାରଙ୍କ ଉପରେ, ଶିକ୍ଷା ବିଭାଗ ଉପରେ ଅନ୍ଧ ଭରସା କରି ଆମେ ଆମ କୋମଳମତି ପିଲାଙ୍କ ହାତରେ ବହି ଟେକି ଦେଉଛେ। ହେଲେ ଆପଣ ଜାଣିଛନ୍ତି କି, ଆମ ପିଲାମାନେ ସରକାରୀ ବହିରୁ ଯାହା ପଢ଼ିବାକୁ ଯାଉଛନ୍ତି, ସେଥିରେ ଓଡ଼ିଶାର ପରିଚୟକୁ ହିଁ ବଦଳାଇ ଦିଆଯାଇଛି? ଆମ ଓଡ଼ିଶାର ଇତିହାସ, ଭୂଗୋଳ ଏବଂ ଅସ୍ମିତାକୁ ବହି ଭିତରେ ହତ୍ୟା କରାଯାଇଛି!
ଏଭଳି ସାଙ୍ଘାତିକ ଭୁଲ୍ କାହିଁକି କରାଗଲା? ଯେଉଁ ବିଜେପି ନେତାମାନେ କଥା କଥାକେ, ନିର୍ବାଚନ ବେଳେ ‘ଓଡ଼ିଆ ଅସ୍ମିତା’ର ନାରା ଦେଉଥିଲେ, ସେମାନଙ୍କୁ କ’ଣ ଏବେ କୌଣସି ରୋଗ ଧରିଛି କି? କ’ଣ ଗଣଶିକ୍ଷା ବିଭାଗରେ ଥିବା ସଚିବ ଏବଂ ନିଜେ ମନ୍ତ୍ରୀ ମିଶି ରାଜ୍ୟରେ ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଗୁପ୍ତ ଷଡ଼ଯନ୍ତ୍ର ରଚିଛନ୍ତି କି?
ସାଙ୍ଘାତିକ ଭୁଲ୍ ଓ ତଥ୍ୟର ଚିଠା
ଆମ ଓଡ଼ିଶାର ବିଧାନସଭା କେମିତି ଦେଖାଯାଏ, ସେତିକି ବି ଜାଣିନାହାନ୍ତି ବହି ତିଆରି କରୁଥିବା ଆମ ରାଜ୍ୟର ବଡ଼ ବଡ଼ ଏସି ରୁମ୍ରେ ବସୁଥିବା ବାବୁ ଏବଂ ନିଜକୁ ମହାଜ୍ଞାନୀ କହୁଥିବା ବିଶେଷଜ୍ଞମାନେ! ଆଶ୍ଚର୍ଯ୍ୟ ହେବେ, ଆମ ନିଜ ଓଡ଼ିଶା ବିଧାନସଭାର ଫଟୋ ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶାର ବୋଲି ପିଲାମାନଙ୍କୁ ପଢ଼ାଯିବ। ପିଲାମାନେ ବହି ଦେଖି ମନେରଖିବେ କି ଏହା ଓଡ଼ିଶାର ବିଧାନସଭା! ଏହାଠାରୁ ବଡ଼ ଲଜ୍ଜା ଓ ଦୁର୍ଭାଗ୍ୟର କଥା ଓଡ଼ିଶା ପାଇଁ ଆଉ କ’ଣ ହୋଇପାରେ?
କେବଳ ଏତିକି ନୁହେଁ, ବନାନ ଭୁଲ୍ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଭୁଲ୍ ତଥ୍ୟ ପର୍ଯ୍ୟନ୍ତ… ଗୋଟିଏ କି ଦୁଇଟି ନୁହେଁ, ମୋଟ ୧, ୬୭୮ଟି ସାଙ୍ଘାତିକ ତ୍ରୁଟି ଏବେ ସରକାରୀ ପାଠ୍ୟପୁସ୍ତକରେ ସାମ୍ନାକୁ ଆସିଛି। ଶିକ୍ଷା ବିଭାଗ ଓ ଓସେପା (OSEPA)ର ଏକ ବଡ଼ ଦାୟିତ୍ୱହୀନତା ଏବେ ଛାତ ଉପରୁ ପଦାରେ ପଡ଼ିଛି। ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ଯେଉଁ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଛି, ସେଥିରେ ବ୍ୟାପକ ଭୁଲ୍ ରହିଛି। ବିଶେଷ କରି ସାମାଜିକ ବିଜ୍ଞାନ ଏବଂ ସାହିତ୍ୟ ବହିରେ ଏମିତି ଏମିତି ଭୁଲ୍ ରହିଛି, ଯାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ।
ଆସନ୍ତୁ ନଜର ପକାଇବା ଏହି ଭୁଲ୍ ଗୁଡ଼ିକର ସାଙ୍ଘାତିକ ପରିସଂଖ୍ୟାନ ଉପରେ:
• ମୋଟ ଚିହ୍ନଟ ଭୁଲ୍: ୧,୬୭୮ଟି
• କେବଳ ଅଷ୍ଟମ ଶ୍ରେଣୀ ବହିରେ: ୭୦ଟି ସବୁଠାରୁ ଅଧିକ ଭୁଲ୍!
• ‘ଜିଜ୍ଞାସା’ ବହିରେ: ୨୯୪ଟି ଭୁଲ୍
• ସଂସ୍କୃତ ବହିରେ: ୧୧୪ଟି ଭୁଲ୍
• ସାହିତ୍ୟ ବହିରେ: ୩୧ଟି ଭୁଲ୍
• ସାମାଜିକ ବିଜ୍ଞାନରେ: ୨୫ଟି ଭୁଲ୍
• ଇଂରାଜୀ ଓ ଗଣିତ ବହିରେ: ୧୨ଟି ଲେଖାଏଁ ଭୁଲ୍ ଚିହ୍ନଟ ହୋଇଛି।
ଭୌଗୋଳିକ ବିଭ୍ରାଟ ଦେଖନ୍ତୁ— ଓଡ଼ିଶାର ପ୍ରସିଦ୍ଧ ନିୟମଗିରି ପାହାଡ଼, ଯେଉଁଠି ଆମର ଡଙ୍ଗରିଆ କନ୍ଧ ଭାଇଭଉଣୀମାନେ ରହନ୍ତି, ସେହି ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଅବସ୍ଥିତ ବୋଲି ଭୁଲ୍ ଭାବେ ବର୍ଣ୍ଣନା କରାଯାଇଛି। ସେତିକିରେ ବାବୁମାନଙ୍କ ମନ ବୁଝିନାହିଁ, ଆମ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ସେମାନେ ‘ବ୍ରହ୍ମପୁର ଜିଲ୍ଲା’ ବୋଲି ଲେଖିଦେଇଛନ୍ତି, ଯଦିଓ ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଏକ ସହର ମାତ୍ର। ଓଡ଼ିଶାର ଜଣେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଏବଂ ପ୍ରଥମ ବିଧାନସଭାର ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ନାଁ ଠିକ୍ ଭାବରେ ଲେଖି ଜାଣି ନାହାନ୍ତି ଏହି ବିଶେଷଜ୍ଞମାନେ!
ଅଣଓଡ଼ିଆ ଅଫିସର ରାଜ୍ ଓ ପାୱାର କରିଡରର କନ୍ଦଳ
ଏତେ ବଡ଼ ଭୁଲ୍ କୌଣସି ସାଧାରଣ ଘଟଣା ନୁହେଁ। ଏହା ପଛର ପ୍ରକୃତ କାରଣ ହେଉଛି— ଓଡ଼ିଶା ପ୍ରଶାସନରେ ଚାଲିଥିବା ଅଣଓଡ଼ିଆ ଅଫିସରଙ୍କ ରାଜ୍! ବିଦ୍ୟାଳୟ ଓ ଗଣଶିକ୍ଷା ଭଳି ଅତି ସମ୍ବେଦନଶୀଳ ବିଭାଗରେ ଜଣେ ଅଣଓଡ଼ିଆ ଅଧିକାରୀଙ୍କୁ ସଚିବ କରାଯାଇଛି। ଯାହାଙ୍କର ଓଡ଼ିଆ ଭାଷା, ଓଡ଼ିଶାର ସଂସ୍କୃତି କିମ୍ବା ଭୂଗୋଳ ଉପରେ କୌଣସି ଜ୍ଞାନ ନାହିଁ। ଆଉ ଚର୍ଚ୍ଚା ହେଉଛି କି, ଏହି ଅଣଓଡ଼ିଆ ସଚିବଙ୍କ କଥାରେ ଆମ ରାଜ୍ୟର ମନ୍ତ୍ରୀ ଉଠ୍ବସ୍ ହେଉଛନ୍ତି। ଯେଉଁ ରାଜ୍ୟରେ ସଚିବଙ୍କର ଓଡ଼ିଆ ଅସ୍ମିତା ପ୍ରତି ସମ୍ମାନ ନାହିଁ, ସେଠାରେ ଶୁଦ୍ଧ ଓଡ଼ିଆ ଲିଖନ ଆମେ କାହାଠାରୁ ଆଶା କରିବା?
ବର୍ତ୍ତମାନ ରାଜ୍ୟରେ ସରକାର ବଦଳିଛି ସତ, କିନ୍ତୁ ପାୱାର କରିଡରରେ ଏବେ ବି ବିଜେଡିର ସନ୍ୟାସୀ ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଇକୋସିଷ୍ଟମ ଜାରି ରହିଛି। ସଚିବାଳୟର ଭିତର ମହଲରେ ଚର୍ଚ୍ଚା ଜୋର୍ ଧରିଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସବୁ କ୍ଷେତ୍ରରେ ବିଫଳ ପ୍ରମାଣିତ କରିବା ଏବଂ ବଦନାମ କରିବା ପାଇଁ ଏହି ଅଣଓଡ଼ିଆ ଅଫିସରମାନେ ଗୋଟିଏ ବଡ଼ ଗୁପ୍ତ ଷଡ଼ଯନ୍ତ୍ର ଚଳାଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୋଷ୍ଠୀର ନୁହଁନ୍ତି। ନିତ୍ୟାନନ୍ଦଙ୍କୁ ପ୍ରଭାବ ବିସ୍ତାର କରି ଯେଉଁ କେନ୍ଦ୍ରୀୟ ନେତା ରାଜ୍ୟରେ ମନ୍ତ୍ରୀ ପଦ ଦେଇଛନ୍ତି, ସେ କୁଆଡ଼େ କେବଳ ତାଙ୍କରି କଥାରେ ଚାଲୁଛନ୍ତି। କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୁଆଡ଼େ ନିଜ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅଡ଼ୁଆରେ ପକାଇବା ପାଇଁ ପ୍ରୟାସ କରୁଥିବା ବିଜେପି ମହଲରେ ହିଁ ଆଲୋଚନା ହେଉଛି।
ଏପଟେ SCERT (ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ)ରେ ଜଣେ ଓଡ଼ିଆ ଆଇଏଏସ ନିର୍ଦ୍ଦେଶକ ଥିବାବେଳେ ୧୬ ଜଣ ଶିକ୍ଷାବିତ୍ ସହାୟକ ନିର୍ଦ୍ଦେଶକ ଅଛନ୍ତି। କିନ୍ତୁ ଏହି ବହିକୁ ଦେଖିଲେ ଜଣାପଡ଼ୁଛି ଯେ ଏହି ଅଫିସର ଏବଂ ଶିକ୍ଷାବିତ୍ମାନଙ୍କର ଓଡ଼ିଆରେ ଜ୍ଞାନ ଆଦୌ ନାହିଁ। ସେମାନେ କେବଳ ଚୌକି ମାଡ଼ି ବସିଛନ୍ତି ଏବଂ ନିଜର ସମୟ କାଟି ଦରମା ନେବା ପାଇଁ ନିର୍ଦ୍ଦେଶାଳୟରେ ଅଛନ୍ତି।
NEP 2020ର ବିଫଳତା ଓ ସୁପ୍ରିମକୋର୍ଟଙ୍କ ଉଦାହରଣ
ଜାତୀୟ ଶିକ୍ଷା ନୀତି (NEP 2020) ଆଧାରରେ ‘ଓଡ଼ିଶା କରିକୁଲମ୍ ଫ୍ରେମୱାର୍କ ଫର ସ୍କୁଲ ଏଜୁକେସନ ୨୦୨୫’ ଅଧୀନରେ ଏହି ସଂଶୋଧିତ ପାଠ୍ୟପୁସ୍ତକଗୁଡ଼ିକ ପ୍ରସ୍ତୁତ କରାଯାଇଥିଲା। ଏହାକୁ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରୁ ବ୍ୟବହାର କରିବା ପାଇଁ ସ୍ଥିର ହୋଇଥିଲା। ବଡ଼ ବଡ଼ ଦାବି କରାଯାଇଥିଲା ଯେ ଅଭିଜ୍ଞ ଶିକ୍ଷକ ଏବଂ ବିଷୟ ବିଶେଷଜ୍ଞମାନଙ୍କ ସହାୟତାରେ ‘ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ’ ଏବଂ SCERT ମିଶି ଏହି ବହି ପ୍ରସ୍ତୁତ କରିଛନ୍ତି। ତେବେ ଏତେ ସଂଖ୍ୟକ ବିଶେଷଜ୍ଞ ସାମିଲ ଥିବା ସତ୍ତ୍ୱେ କିଭଳି ଏତେ ବଡ଼ ଧରଣର ସାଙ୍ଘାତିକ ଭୁଲ୍ କାହାରି ନଜରକୁ ଆସିଲାନାହିଁ, ସେ ନେଇ ଏବେ ଶିକ୍ଷକ ସଂଘଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ବହିଗୁଡ଼ିକ ଛାପାଖାନାକୁ ଯିବା ପୂର୍ବରୁ ସଠିକ୍ ପ୍ରୁଫ୍-ରିଡିଂ (Proofreading) ଏବଂ ସମୀକ୍ଷାର ଘୋର ଅଭାବ ଥିଲା, ଯାହା ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି।
ଅନ୍ୟପଟେ SCERT ଏହି ଭୁଲଗୁଡ଼ିକୁ ସ୍ୱୀକାର କରିଛି ସତ, କିନ୍ତୁ ଅତ୍ୟନ୍ତ ବେହିଆ ଓ ଲଜ୍ଜାହୀନ ଭାବେ ସଫେଇ ଦେଇ କହିଛି କି ଏହି ପାଠ୍ୟପୁସ୍ତକଗୁଡ଼ିକ କୁଆଡ଼େ ଏକ ‘ପରୀକ୍ଷାମୂଳକ ସଂସ୍କରଣ’ (Experimental Edition) ଏବଂ ଏହି ସବୁ ଭୁଲ୍ ଗୁଡ଼ିକ ସାଧାରଣ ବା ଛୋଟ ଭୁଲ୍! ସାଧାରଣ ଭୁଲ୍? ଆମ ରାଜ୍ୟର ଇତିହାସ, ବିଧାନସଭାର ଫଟୋ ବଦଳାଇଦେବା କ’ଣ ଛୋଟ ଭୁଲ୍? ଏହି ସଫେଇକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି। ଐତିହାସିକ ବ୍ୟକ୍ତିତ୍ୱ, ଭୌଗୋଳିକ ତଥ୍ୟ ଏବଂ ଗାଣିତିକ ହିସାବ ସହ ଜଡ଼ିତ ଭୁଲଗୁଡ଼ିକୁ କେବେ ହେଲେ ସାଧାରଣ ଭୁଲ୍ କହି ଏଡ଼ାଇ ଦିଆଯାଇପାରିବ ନାହିଁ।
ଏଠାରେ ଆପଣଙ୍କୁ ମନେପକାଇ ଦେବାକୁ ଚାହିଁବି, ନିକଟରେ ଜାତୀୟ ସ୍ତରରେ NCERT ସାମାଜିକ ବିଜ୍ଞାନ ବହିରେ ସୁପ୍ରିମକୋର୍ଟକୁ ନେଇ ଭ୍ରାନ୍ତ ତଥ୍ୟ ଦିଆଯାଇଥିଲା। ସେତେବେଳେ ଦେଶର ସର୍ବୋଚ୍ଚ ଅଦାଲତ ବା ସୁପ୍ରିମକୋର୍ଟ ସରକାର ଓ ଶିକ୍ଷା ବିଭାଗକୁ ନଚାଇ ଦେବା ସହିତ ସେହି ଭୁଲ୍ ତଥ୍ୟ ଲେଖିଥିବା ସମ୍ପୂର୍ଣ୍ଣ ଲେଖକ ମଣ୍ଡଳୀକୁ ନିଷିଦ୍ଧ ବା ବ୍ୟାନ୍ କରିଦେଇଥିଲେ।
କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ପାଇଁ କେଉଁ ବିଚାରପତି ଆଗକୁ ଆସିବେ? ତାହା ଆଜି ସବୁଠାରୁ ବଡ଼ ପ୍ରଶ୍ନ। କାରଣ ରାଜ୍ୟ ପ୍ରଶାସନରେ ଏବଂ ଶିକ୍ଷା ବିଭାଗରେ ଥିବା ଅଧିକାରୀମାନଙ୍କର ଆଦୌ ଲାଜ ସରମ ନାହିଁ। ସେମାନେ ନିଜର ଭୁଲକୁ ସ୍ୱୀକାର କରି କ୍ଷମା ମାଗିବା ପରିବର୍ତ୍ତେ, ଲଜ୍ଜାହୀନ ଭାବରେ ‘ପରୀକ୍ଷାମୂଳକ ସଂସ୍କରଣ’ର ବାହାନା ଦେଖାଇ ନିଜ ଉପରୁ ଦୋଷ ଛଡ଼ାଇବାକୁ ହୀନ ଅପଚେଷ୍ଠା କରୁଛନ୍ତି। ଆମ ପିଲାମାନେ ଭୁଲ୍ ପାଠ ପଢ଼ିବେ, ଓଡ଼ିଶାର ଭୁଲ୍ ନକ୍ସା ଶିଖିବେ, ଆଉ ଏହି ବାବୁମାନେ ଦରମା ନେଇ ଆରାମରେ ଶୋଇବେ— ଏହାକୁ ଓଡ଼ିଶା କେବେହେଲେ ବରଦାସ୍ତ କରିବ ନାହିଁ।
AlsoRead; https://purvapaksa.com/24-years-vs-24-months-how-easy-how-difficult-is-bjds-comeback/


